ଆଜିର ଅର୍ଥନୀତି/ ଚକିତ କଲା ଆର୍‌ବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଆର୍ଥିକ ନୀତି କମିଟି (ଏମ୍‌ପିସି) କ୍ରମାଗତ ଭାବେ ପାଞ୍ଚଥର ସୁଧହାର (ରେପୋ ରେଟ୍‌) ହ୍ରାସ କରିବା ପରେ ଗୁରୁବାର ସର୍ବସମ୍ମତିକ୍ରମେ ଏଥିରେ ବିରତି ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଉକ୍ତ ପ୍ୟାନେଲର ଛଅଜଣିଆ ସଦସ୍ୟ ରେପୋ ରେଟ୍‌କୁ ୫.୧୫ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍‌କୁ ୪.୯୦ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। ତେବେ କେନ୍ଦ୍ରୀୟ ବ୍ୟାଙ୍କର ଗତ ଛଅମାସର କାର୍ଯ୍ୟକଳାପକୁ ଦେଖିଲେ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବ ବୋଲି ଆଶା କରାଯାଉ ନ ଥିଲା। ବ୍ୟାଙ୍କର ମତିଗତିରୁ ଜଣାପଡ଼ୁଥିଲା ଯେ ଏହା ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ାଇବା ପାଇଁ କିଛି ଭିନ୍ନ ଚିନ୍ତାଧାରା ପୋଷଣ କରିବା ସହ ସେଥିଲାଗି କାର୍ଯ୍ୟ କରୁଛି।
ଦାସ ଆର୍‌ବିଆଇର ମଙ୍ଗ ଧରିବା ପରଠାରୁ ଆର୍ଥିକ ଅଭିବୃଦ୍ଧିର କ୍ଷୀୟମାଣ ଦୃଶ୍ୟପଟ ଭିତରେ ନିରବଚ୍ଛିନ୍ନ ଭାବେ ସୁଧହାର ହ୍ରାସ କରିଚାଲିଥିଲେ। ଚଳିତବର୍ଷ ଫେବୃୟାରୀ ମାସରୁ ଏ ପର୍ଯ୍ୟନ୍ତ ବ୍ୟାଙ୍କ ରେପୋ ରେଟ୍‌ (ଯେଉଁ ସୁଧହାରରେ ଆର୍‌ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ)ରେ କ୍ରମାଗତ ଭାବେ ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିସାରିଛି। ଏହି ହ୍ରାସ ମୂଳତଃ ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇବା ଉଦ୍ଦେଶ୍ୟରେ କରାଯାଇଥିଲା। ମୁଦ୍ରାସ୍ଫୀତି ୪ ପ୍ରତିଶତରୁ ତଳେ ରହିଲେ ତାହା ଆର୍‌ବିଆଇର ସହନୀୟ ସୀମା ଭିତରେ ଥାଏ। କିନ୍ତୁ ତାହା ଖାଦ୍ୟଦ୍ରବ୍ୟ ଓ ପନିପରିବା ଦରବୃଦ୍ଧି ଯୋଗୁ ୪ ପ୍ରତିଶତକୁ ଟପିଗଲେ ଆର୍‌ବିଆଇକୁ ବିଚଳିତ କରିଥାଏ। ଅର୍ଥନୀତିରେ ମାନ୍ଦାବସ୍ଥା, ମୁଦ୍ରାସ୍ଫୀତି ଓ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ଉପରେ ଆର୍‌ବିଆଇ ସବୁବେଳେ ଗୁରୁତ୍ୱ ଦେଇଥାଏ।
କିନ୍ତୁ ଗତ ୧୦ ମାସ ଭିତରେ ରେପୋ ରେଟ୍‌ ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ ପାଇଥିଲେ ସୁଦ୍ଧା ଅଭିବୃଦ୍ଧିରେ କୌଣସି ସୁଧାର ଆସି ନ ପାରିବା ଆର୍‌ବିଆଇ ଲକ୍ଷ୍ୟ କରିଛି। ଅନ୍ୟ ପକ୍ଷରେ ଦେଶର ଜିଡିପିରେ ଅଭିବୃଦ୍ଧି ଗତ ଜୁଲାଇ-ସେପ୍ଟେମ୍ବର ତ୍ରିମାସୀରେ ୪.୫ ପ୍ରତିଶତକୁ ହ୍ରାସ ପାଇଛି, ଯାହା ପୂର୍ବ ତ୍ରିମାସୀରେ ୫ ପ୍ରତିଶତ ଥିଲା ଏବଂ ଯାହା ୨୬ଟି ତ୍ରିମାସୀ ଭିତରେ ସବୁଠାରୁ କମ୍‌। ତେଣୁ କେବଳ ସୁଧହାର ହ୍ରାସ କରିଦେଲେ ଆର୍ଥିକ ଅଭିବୃଦ୍ଧି ବଢ଼ିବ ନାହିଁ ବୋଲି ବ୍ୟାଙ୍କ ନିଶ୍ଚିତ ହୋଇସାରିଛି। ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିମାସ ହେଲା ପ୍ରତ୍ୟେକ ଦ୍ରବ୍ୟ, ବିଶେଷତଃ ପନିପରିବା ଓ ଖାଦ୍ୟଦ୍ରବ୍ୟର ମୂଲ୍ୟ ନିରବଚ୍ଛିନ୍ନଭାବେ ବୃଦ୍ଧି ପାଇଚାଲିଛି। ପିଆଜ ପ୍ରତିଟି ଘରେ ରୋଷେଇଶାଳର ଏକ ଅତ୍ୟାବଶ୍ୟକ ଉପାଦାନ ହୋଇଥିବା ବେଳେ ତା’ର ଆକାଶଛୁଆଁ ମୂଲ୍ୟବୃଦ୍ଧି ଉଭୟ ସରକାର ଓ ଖାଉଟିମାନଙ୍କୁ ହତବୁଦ୍ଧି କରିଦେଇଛି। ଅଦିନିଆ ବର୍ଷା ଯୋଗୁ ଅମଳ ହ୍ରାସ ପାଇବା ଫଳରେ ପିଆଜ ଦର ସ୍ଥାନୀୟ ବଜାରଗୁଡ଼ିକରେ କିଲୋ ପିଛା ୧୪୦ ଟଙ୍କା ହୋଇଛି। ତା’ ସାଙ୍ଗକୁ ଅନ୍ୟ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି। କେନ୍ଦ୍ରୀୟ ବ୍ୟାଙ୍କର ମଧ୍ୟବର୍ତ୍ତିକାଳୀନ ଲକ୍ଷ୍ୟ ଅନୁସାରେ ଖାଉଟି ମୂଲ୍ୟସୂଚୀଭିତ୍ତିକ ମୁଦ୍ରାସ୍ଫୀତି ୪ ପ୍ରତିଶତ ଭିତରେ ରହିବା ସ୍ଥଳେ ତାହା ଅକ୍ଟୋବର ମାସରେ ୧୬ ମାସର ସର୍ବୋଚ୍ଚ ସ୍ତର ୪.୬ ପ୍ରତିଶତରେ ପହଞ୍ଚିଛି। ଆଗାମୀ ମାସଗୁଡ଼ିକରେ ଏହି ମୁଦ୍ରାସ୍ଫୀତି ଆହୁରି ବୃଦ୍ଧିପାଇବା ଆଶଙ୍କା କରାଯାଉଛି। ଏହା ଆର୍ଥିକ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଡିସେମ୍ବର ମାସର ପଲିସି ରିଭ୍ୟୁକୁ ଅଧିକ ଜଟିଳ କରିତୋଳିଛି। ବ୍ୟାଙ୍କ କହିଛି ଯେ, ରେପୋ ରେଟ୍‌ ହ୍ରାସରେ ଏବେ ଯେଉଁ ବିରତି ଦିଆଯାଇଛି ତାହା ସାମୟିକ ଏବଂ ଚଳିତ ବର୍ଷ ଉକ୍ତ ପାଞ୍ଚଟି ପଲିସି ଘୋଷଣା ସମୟରେ ଯେଉଁ ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି ତା’ର ପ୍ରଭାବ କିପରି ରହୁଛି ତାହା ଆର୍‌ବିଆଇ ଦେଖିବାକୁ ଚାହୁଁଛି। କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା କରାଯାଇଥିବା କ୍ରମାଗତ ସୁଧହାର ହ୍ରାସର ସୁଫଳ ଉପଭୋକ୍ତାମାନଙ୍କୁ ଦେବାରେ ବ୍ୟାଙ୍କଗୁଡ଼ିକ ଅନିଚ୍ଛା ପ୍ରକାଶ କରିବା ଯୋଗୁ ବାସ୍ତବରେ ତାହାର କିଛି ବି ସୁଫଳ ମିଳିପାରି ନାହିଁ। ଗତ ୧୦ ମାସ ଭିତରେ ଆର୍‌ବିଆଇ ସୁଧହାରରେ ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିଥିବା ବେଳେ ବ୍ୟାଙ୍କଗୁଡ଼ିକ ମାତ୍ର ୪୪ ବେସିସ୍‌ ପଏଣ୍ଟର ଲାଭ ଋଣଗ୍ରହୀତାମାନଙ୍କୁ ଦେଇଛନ୍ତି। ଆର୍‌ବିଆଇ ହୃଦ୍‌ବୋଧ କରିଛି ଯେ, ରେପୋ ରେଟ୍‌ ହ୍ରାସ କରି କିଛି ବି ଲାଭ ନାହିଁ, ଯଦି ବ୍ୟାଙ୍କଗୁଡ଼ିକ ତାହାର ଲାଭ ଉପଭୋକ୍ତାମାନଙ୍କୁ ନ ଦିଅନ୍ତି ବା ସେମାନଙ୍କୁ ଏଥିପାଇଁ ବାଧ୍ୟ କରା ନ ଯାଏ। ବ୍ୟାଙ୍କଗୁଡ଼ିକ ବା ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ତେବେ ବ୍ୟାଙ୍କ କହିଛି ଯେ, ଆଗାମୀ ଦିନରେ ସୁଧହାର ହ୍ରାସ ଅସ୍ବାଭାବିକ ନୁହେଁ। କମିଟି କହିଛି ଯେ, ଏ ଦିଗରେ ଆଗାମୀ ମାସଗୁଡ଼ିକରେ ନିଷ୍ପତ୍ତି ନିଆଯିବ, କିନ୍ତୁ ଏବେ ନୁହେଁ। ବର୍ତ୍ତମାନ ପିଆଜର ଦରବୃଦ୍ଧିକୁ ନେଇ ଆର୍‌ବିଆଇ ଚିନ୍ତିତ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ କନ୍ଦାଇଚାଲିଛି। ବ୍ୟାଙ୍କଗୁଡ଼ିକ ଆର୍‌ବିଆଇର ସଂକେତକୁ ବୁଝି ଯଥାଶୀଘ୍ର ଉପଭୋକ୍ତମାନଙ୍କ ଋଣ ଉପରେ ସୁଧହାର ହ୍ରାସ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri