ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ

ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି। ବୁଧବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ଡିସେମ୍ବର ୨୦୧୯ରେ ଭାରତର ରପ୍ତାନି ୧.୮ ପ୍ରତିଶତ ହ୍ରାସ ପାଇ ୨୭.୩୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ପ୍ଲାଷ୍ଟିକ୍‌, ରତ୍ନପଥର, ଅଳଙ୍କାର, ଚମଡ଼ା ଉତ୍ପାଦ ଓ ରାସାୟନିକ ପ୍ରଭୃତିର ରପ୍ତାନିରେ ଉଲ୍ଲେଖନୀୟ ହ୍ରାସ ଯୋଗୁ କ୍ରମାଗତ ପଞ୍ଚମ ମାସ ପାଇଁ ଏହି ହ୍ରାସ ଘଟିଛି। ଆମଦାନି ମଧ୍ୟ କ୍ରମାଗତ ସପ୍ତମ ମାସ ପାଇଁ ହ୍ରାସ ପାଇଛି ଏବଂ ଏହା ୮.୮୩ ପ୍ରତିଶତ ହ୍ରାସ ପାଇ ୩୮.୬୧ ବିଲିୟନ ଡଲାରରେ ପହଞ୍ଚିଛି। ମଙ୍ଗଳବାର ପାଇକାରୀ ମୂଲ୍ୟସୂଚୀ ଡିସେମ୍ବରରେ ସପ୍ତମ ମାସର ସର୍ବୋଚ୍ଚ ସ୍ତର ୨.୫୯ ପ୍ରତିଶତରେ ପହଞ୍ଚିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବରରେ ୭.୩୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ପ୍ରକାଶ ପାଇଛି। ଏହା ୨ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଲକ୍ଷ୍ୟ ରଖିଥିବା ବେଳେ ତାହା ସେହି ଆକଳନକୁ ଟପିଯାଇଛି। ଖାଦ୍ୟ ମୁଦ୍ରାସ୍ଫୀତି ହାର ପୂର୍ବ ମାସରେ ୧୦.୦୧ ପ୍ରତିଶତ ଥିବାବେଳେ ପନିପରିବା ଓ ଡାଲି ଦର ବୃଦ୍ଧି ଯୋଗୁ ଡିସେମ୍ବରରେ ତାହା ୧୪.୧୨ ପ୍ରତିଶତକୁ ବୃଦ୍ଧି ପାଇଛି।
ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଖୁଚୁରା ମୁଦ୍ରାସ୍ଫୀତି ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରିଛି। ବିଶ୍ୱ ବ୍ୟାଙ୍କ ଓ ଏସୀୟ ଉନ୍ନୟନ ବ୍ୟାଙ୍କଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ନିଜସ୍ବ ତଥ୍ୟ ବର୍ତ୍ତମାନର ଜିଡିପି ପ୍ରାୟ ୧୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ଆକଳନ କରିଛନ୍ତି। ତେଣୁ ଆମର ଅର୍ଥନୀତି ଯେ ଏବେ ସଂକଟରେ ପଡ଼ିଛି ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ସରକାର କାହିଁକି ଏହା ସ୍ବୀକାର କରୁନାହାନ୍ତି ତାହା ଭିନ୍ନ କଥା। ସରକାର ଏବେ ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଯଥା ନାଗରିକତ୍ୱ ସଂଶୋଧନ ଆଇନ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ପ୍ରଭୃତିରେ ବ୍ୟସ୍ତ ଅଛନ୍ତି। ପ୍ରତ୍ୟେକ ଦିନ ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟ ବିଗିଡ଼ି ଚାଲିଥିବା ବେଳେ ସରକାର ସେଥିରୁ ଦୃଷ୍ଟି ହଟାଇବା ପାଇଁ ରାଜନୈତିକ ପ୍ରସଙ୍ଗରେ ବ୍ୟସ୍ତ ନ ରହି ଅନ୍ତତଃ ଏହାକୁ ସ୍ବୀକାର କରିବା ଉଚିତ। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗତ ସପ୍ତାହରେ କହିଥିଲେ ଯେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରାଥମିକ ଲକ୍ଷ୍ୟ ହେଉଛି ବଜାର ଦରରେ ସ୍ଥିରତା ଆଣିବା ଏବଂ ମୁଦ୍ରାସ୍ଫୀତିକୁ ରୋକିବା କାରଣ ଏହାଦ୍ୱାରା ଗରିବ ଲୋକମାନେ ହଇରାଣ ହେଉଛନ୍ତି। ଏ ପରିସ୍ଥିତିରେ ଯଦି ମୁଦ୍ରାସ୍ଫୀତିକୁ ରୋକା ନ ଯାଏ, ଯାହା ପ୍ରାୟତଃ ସମ୍ଭବ ନୁହେଁ, ତେବେ କେନ୍ଦ୍ର ବଜେଟ ଉପସ୍ଥାପନ ପରେ ପରେ ଫେବୃୟାରୀ ୬ରେ ବସିବାକୁ ଥିବା ଆର୍ଥିକ ନୀତି ସମୀକ୍ଷା ବୈଠକରେ ଆର୍‌ବିଆଇ ରେପୋ ରେଟ୍‌ ବୃଦ୍ଧି କରିପାରେ, ଯାହା ଅଭିବୃଦ୍ଧିକୁ ଆହୁରି ମାନ୍ଦା କରିବ। ରେପୋ ରେଟ୍‌ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିବା ପରେ ଆର୍‌ବିଆଇର ଆର୍ଥିକ ନୀତି କମିଟି (ଏମ୍‌ପିସି) ଡିସେମ୍ବରରେ ଏହାକୁ ଅପରିବର୍ତ୍ତିତ ରଖିଥିଲା। ମୁଖ୍ୟତଃ ମୁଦ୍ରାସ୍ଫୀତିଜନିତ ବିପଦକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ମୁଦ୍ରାସ୍ପୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ଆହୁରି ବୃଦ୍ଧି ପାଇଥିବାରୁ ଏମ୍‌ପିସି ଆସନ୍ତା ଫେବୃୟାରୀ ବୈଠକରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିପାରେ ଅଥବା ଏହାକୁ ବୃଦ୍ଧି କରିପାରେ।
ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିରେ ସୁଧାର ଆଣିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଉପରେ ଗୁରୁଦାୟିତ୍ୱ ରହିଛି। ମୁଦ୍ରାସ୍ଫୀତିକୁ କମାଇବା ଏ ସରକାର ପାଇଁ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଆସିଛି। ଏହି ସରକାରଙ୍କ କାର୍ଯ୍ୟକାଳର ଅଧିକାଂଶ ସମୟ ଶିରୋନାମା ମୁଦ୍ରାସ୍ଫୀତି ଆର୍‌ବିଆଇର ଗ୍ରହଣୀୟ ସୀମା ଭିତରେ ରହିଆସିଛି। କିନ୍ତୁ ତାହା ଏବେ ଅତୀତର ବିଷୟ ହୋଇଗଲାଣି। ଗହମ ପରେ ରୋଷେଇ ଘରେ ସବୁଠାରୁ ବେଶି ବ୍ୟବହାର ହେଉଥିବା ପିଆଜ ଓ ଆଳୁ ଦର ସୀମା ବାହାରକୁ ଚାଲିଯାଇଥିବା ବେଳେ ତାହା ପ୍ରତ୍ୟେକ ପରିବାରର ବଜେଟ ପାଇଁ ବୋଝ ହୋଇଉଠିଛି। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ଭିତରକୁ ଆଣିବା ସରକାରଙ୍କ ପ୍ରଥମ ଦାୟିତ୍ୱ। ମୁଦ୍ରାସ୍ଫୀତିର ନିୟନ୍ତ୍ରଣ କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତବ୍ୟ ହୋଇଥିବା ବେଳେ ଏହା ସେଥିରେ ବିଫଳ ହୋଇଛି। ଯୋଗାଣ ଦିଗରୁ ରହିଥିବା ବାଧାକୁ ଦୂର କରାଯିବା ଦରକାର। ସରକାର ଖାଦ୍ୟଦ୍ରବ୍ୟର ଯୋଗାଣ ଓ କୃଷି ବଜାର-ଭିତ୍ତିକ ମୂଲ୍ୟ ବୃଦ୍ଧି କରିବା ସହ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମୂଲ୍ୟଗତ ବିକୃତି ଦୂର କରିବା ପ୍ରତି ଦୃଷ୍ଟି ଦେବା ଦରକାର। ଟଙ୍କାର ମୂଲ୍ୟ ଉଚ୍ଚ ରହିଲେ ମୁଦ୍ରାସ୍ଫୀତିକୁ ପ୍ରଶମନ କରିବାରେ ସାହାଯ୍ୟ କରିପାରନ୍ତା। ଆର୍ଥିକ ଅଭିବୃଦ୍ଧି ଯେପରି ବଢ଼େ ସେ ଦିଗରେ ମଧ୍ୟ ସରକାର ଯତ୍ନ କରିବା ଜରୁରୀ। ଅଭିବୃଦ୍ଧି ପାଇଁ ଅନେକ କାରକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସେଥିପାଇଁ ଲୋକମାନେ ଯେପରି ସୁବିଧାରେ ଓ କମ୍‌ ସୁଧହାରରେ ଋଣ ପାଆନ୍ତି ସେ ଦିଗରେ ଦୃଷ୍ଟିଦେବା ସହ ବ୍ୟକ୍ତିଗତ ଟିକସ ହାର ହ୍ରାସ କରିବା ଦରକାର, ଯାହା ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରିବ। ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥାର ମୂଳ କାରଣ ହେଉଛି ଖାଉଟି ଚାହିଦା ହ୍ରାସ କାରଣ ଜିନିଷ କିଣିବା ପାଇଁ ଲୋକଙ୍କ ପକେଟରେ ଟଙ୍କା ନାହିଁ। ତେଣୁ ବଜେଟରେ ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଟିକସ ହାର ହ୍ରାସ କରିବା ଉଚିତ, ଯାହାଫଳରେ ଲୋକଙ୍କ ହାତରେ ଅଧିକ ଟଙ୍କା ରହିପାରିବ। ଅର୍ଥନୈତିକ ବିଶ୍ଳେଷକମାନଙ୍କ ମତରେ କୁହାଯାଉଥିବା ଫ୍ଲାଟ୍‌ ବ୍ୟକ୍ତିଗତ ଟିକସ ବଦଳରେ ସରକାର ଛାଡ଼ ସୀମା ବୃଦ୍ଧି କରିବା ଉଚିତ, ଯାହାଫଳରେ ଅଧିକ ସଂଖ୍ୟାରେ ଖାଉଟି ଉପକୃତ ହୋଇପାରିବେ। ୮୦ (ସି) ଧାରା ଅଧୀନରେ ଥିବା ଛାଡ଼ ସୀମା ୧.୫୦ ଲକ୍ଷକୁ ବୃଦ୍ଧି କରି ୨.୫୦ ଲକ୍ଷ କରାଯାଇପାରେ। ତେବେ ବର୍ତ୍ତମାନର ରାଜସ୍ବ ନିଅଣ୍ଟିଆ ସ୍ଥିତି ଯୋଗୁ ସରକାର ବ୍ୟକ୍ତିଗତ ଟିକସ ହ୍ରାସ କରିବା ସମ୍ଭାବନା କ୍ଷୀଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?