ଅମାନବୀୟ ପରମ୍ପରା

ଦ୍ୱିତୀ ଚନ୍ଦ୍ର ସାହୁ
ହେମଗିରିରୁ ଝାରସୁଗୁଡ଼ା ଫେରୁଥାଉ। ବନ୍ଧୁ ଶିବାଶିଷ ହଠାତ୍‌ ଏକ ନିଛାଟିଆ ସ୍ଥାନରେ ଗାଡ଼ିର ବ୍ରେକ୍‌ କଷିଲେ। ମୋବାଇଲ ଚାଟିଂରୁ ନଜର ହଟାଇ ଦେଖିଲି ବିଶ୍ରାମାଗାର ସାମ୍ନାରେ ଜଣେ ଝିଅ ଏକାକୀ ଠିଆହୋଇ କାନ୍ଦୁଛି। ବନ୍ଧୁ ଗାଡ଼ିରୁ ଓହ୍ଲାଇ ତା’ ନିକଟକୁ ଗଲେ। ପଛେ ପଛେ ମୁଁ। ପୂର୍ବରୁ ପରିଚିତ ସେଇ ଝିଅକୁ କାନ୍ଦିବାର କାରଣ ପଚାରିଲେ ସେ। ତା’ପରେ ସେ ଯାହା କହିଲା ମୁଁ ହତଚକିତ ହୋଇଗଲି। ଝିଅଟି କାଳେ ଉଦୁଲିଆରେ ଭିନ୍ନ ଜାତିର ପୁଅ ସହ ଚାଲିଯାଇଥିଲା। ଆଉ ତା’ର ବାପା ମରିବା ଖବର ଶୁଣି ନିଜ ଗାଁକୁ ଯାଇଥିଲା। କିନ୍ତୁ ଜାତି ଭାଇ ‘ବିସର’ କରିଦେଇଥିବାରୁ ତାକୁ ଘର ଭିତରକୁ ପୂରେଇ ଦେଲେନି କି ବାପାକୁ ଟିକେ ଛୁଇଁ ମୁଣ୍ଡିଆ ମାରିବାର ସୁଯୋଗ ଦେଲେନି। ଗାଁ ଭାଇଙ୍କ ନିକଟରେ ବହୁ କାକୁତିମିନତି ହେଲା। ତଥାପି ତାକୁ ସୁଯୋଗ ଦିଆଗଲାନି। ଶେଷରେ ନିରାଶ ହୋଇ ତାକୁ ଫେରିବାକୁ ପଡ଼ିଲା। ତାକୁ ସାନ୍ତ୍ୱନା ଦେଇ ପୁଣି ଗାଡ଼ିକୁ ଫେରିବା ପରେ କାହାଣୀକୁ ଟିକେ ଖୋଲି କହିଲେ ବନ୍ଧୁ।
ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର କିଛି ସମ୍ପ୍ରଦାୟରେ ଏବେ ବି ଅନେକ ରୂଢ଼ିବାଦୀ ପରମ୍ପରା ଚାଲୁରହିଛି। ସମାଜ ବହୁ ଆଗେଇଛି। ବହୁ ପ୍ରଥା ଓ ପରମ୍ପରା ବଦଳିଛି। କିନ୍ତୁ ଯୁଗ ସହ ତାଳ ଦେଇ ସମାଜରେ ବସା ବାନ୍ଧିଥିବା କିଛି ଅଲୋଡ଼ା ପରମ୍ପରା ଚାଲୁରହିଛି। ଜାତିର ଶୃଙ୍ଖଳା ନାମରେ ଅମାନବୀୟ ପ୍ରଥା ଚାଲୁଛି। ସେହି କ୍ରମରେ ‘ବିସର’ ହେଉଛି କାଳେ ଏମିତି ଏକ ହୃଦୟଥରା ପରମ୍ପରା। ଗଣ୍ଡ, ଭୂୟାଁ, ଗୌର, ସଉରା ଭଳି କେତେକ ସମ୍ପ୍ରଦାୟରେ ବଢ଼ିଲା ପୁଅ କି ଝିଅ ଯଦି ଭଲ ପାଇ ଅନ୍ୟ ଜାତିର ପୁଅ କିମ୍ବା ଝିଅ ସହ ଉଦଲିଆ ବିହା ହୋଇଗଲା ତ କଥା ସରିଲା। ତା’ର ପରିଣାମ ସେଇ ପୁଅ ଝିଅ ତ ଭୋଗିବେ, ତା’ ସହିତ ସେମାନଙ୍କ ପରିବାରକୁ ବି ଭୋଗିବାକୁ ପଡ଼ିବ। ସେଇ ପରିବାରକୁ ପ୍ରଥମେ ସମାଜ ବାଛନ୍ଦ କରିବ। ଜାତିରୁ ଅଛୁଆଁ ହୋଇଯିବେ ସେମାନେ। ପରିବାର ଲୋକ ‘ବିସର’ ଜରିଆରେ ଗାଁ ଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କଲେ ଯାଇ ମୁକ୍ତି। ଜାତିର ପୂଜକ ଜରିଆରେ ପୂଜାପାଠ ସହ ଆମିଷ ଛୁଆଁରେ ସମ୍ପନ୍ନ ହୁଏ ପ୍ରାୟଶ୍ଚିତ୍ତ। ମୃତ ଲୋକଙ୍କ ପାଇଁ ଯାହାସବୁ ପାଳନ କରାଯାଏ ସେସବୁ ପ୍ରଥା ବଞ୍ଚିଥିବା ଲୋକଟି ପାଇଁ ମଧ୍ୟ କରାଯାଏ। କହିବାକୁ ଗଲେ ସେଇ ସନ୍ତାନକୁ ସମାଜରୁ ମୃତ ଘୋଷଣା କରାଯାଏ। ମୃତ୍ୟୁଲୋକରେ ମିଶେଇ ଦିଆଯାଏ।
‘ବିସର’ ପରେ ପରିବାର ସମାଜରେ ମିଶିଯାଏ ଅଥଚ ଘରୁ ଗୋଡ଼ ବାହାର କରିଥିବା ସନ୍ତାନ ପାଇଁ ସବୁଦିନ ଲାଗି ଘରବାହୁଡ଼ା ବାଟ ବନ୍ଦ ହୋଇଯାଏ। କୌଣସି ପରିସ୍ଥିତିରେ ସେ ଆଉ ଫେରିପାରେନା। ନିଜ ଆପଣାର ଲୋକଠାରୁ ଘର ବାହାରେ ରହି ଇତର ଲୋକ ପରି ବ୍ୟବହାର ପାଏ ସେ ସବୁକାଳେ। ଏବେ ବି ଅନେକ ଜାତି ଭିତରେ ବହୁ ପ୍ରଥା ରହିଛି ଯାହା ମାନବିକତାକୁ ହତ୍ୟା କରୁଛି। ବ୍ୟକ୍ତିଗତ ସ୍ବାଧୀନତା ନିକଟରେ ଜାତିର ସ୍ବେଚ୍ଛାଚାରିତା ଭାରି ପଡୁଛି। ନିଆଁ ପାଣିର ଡର, ଜାତି ଭାଇଙ୍କ ସହଯୋଗ ଓ ସମର୍ଥନ ହରାଇବାର ଭୟ ଜାତିବାଦକୁ ଅଧିକ ପ୍ରଶ୍ରୟ ଦେଉଥିବା ପରିତାପର ବିଷୟ। ଏଇକ୍ରମରେ ଆଉ ଏକ ତଥ୍ୟ ଯୋଡ଼ିଲେ ବନ୍ଧୁ। ଯଦି କୌଣସି କାରଣବଶତଃ ମାଳୀ ସମ୍ପ୍ରଦାୟର ଲୋକ ଅନୁସୂଚିତ ଜାତିର ଲୋକଙ୍କଠାରୁ ମାଡ଼ ଖାଇଲା ତ ଜାଣ ତା’ ମୁଣ୍ଡରେ ବି ବିପଦ ଛିଡିଲା। ମାଡ଼ ସହ ଜାତି ଭାଇର ନିର୍ଯାତନାକୁ ବି ବିଚରା ଲୋକଟିକୁ ସହିବାକୁ ହୁଏ। ସେଇ ମୁହୂର୍ତ୍ତରୁ ଉକ୍ତ ବ୍ୟକ୍ତି ଜାତିରୁ ଅଲଗା ଗଣାହେବ। ପାରମ୍ପରିକ ପ୍ରଥାରେ ପୂଜାପାଠ ସହ ଭୋଜିଭାତରେ ଆପ୍ୟାୟିତ ନ କଲା ଯାଏ ସେ ଜାତିରୁ ପୃଥକ୍‌ ରହିବାକୁ ବାଧ୍ୟ।
ଅବଶ୍ୟ ଆଜିକାଲି କେତେକ ସ୍ଥାନରେ ଜାତିପ୍ରଥା ଓ ପରମ୍ପରାକୁ ଅଣଦେଖା କରି କିଛି ପରିବାର ସାଦରେ ନିଜ ସନ୍ତାନଙ୍କ ପସନ୍ଦକୁ ସ୍ବୀକୃତି ଦେଉଛନ୍ତି। ଜାତିବାଦକୁ ନେଇ ଭୋଟ ରାଜନୀତି ଜୋର ଚାଲିଥିବାବେଳେ ଏଭଳି ଅମାନବୀୟ ପରମ୍ପରା ବିରୋଧରେ ନେତାମାନେ ନୀରବ ରହିବା ଯେମିତି ଲାଗୁଛି ଆଉ ଏକ ରାଜନୀତି। ଜାତି ନାମରେ କିଛି ମୁଣ୍ଡିଆଳ ଚଳାଇଥିବା କୋଉ ଅମଳର ଏଭଳି ପରମ୍ପରା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଛି ସତ, ହେଲେ ସଚେତନତା ଅଭାବରୁ ଅନେକ ପୁଅଝିଅଙ୍କ ଆଖିରୁ ଲୁହ ଶୁଖୁନି। ବଞ୍ଚି ଥାଉ ଥାଉ ଶବ ପାଲଟିଯାଉଛନ୍ତି ସେମାନେ। ଜାତି ପାଇଁ ଏଇ ଜିଅନ୍ତା ଶବମାନେ ଜୀବନତମାମ ଅକଥନୀୟ ଦୁଃଖ ଓ ଯାତନାରେ ଶଢୁଛନ୍ତି ନିଜ ଭିତରେ। ବିପଦ ଆପଦରେ, ଭଲମନ୍ଦରେ କାନ୍ଧକୁ କାନ୍ଧ ମିଳେଇ ଜାତିଭାଇ ଠିଆ ହେବାର ଦୁର୍ବାର ଆଶା ଓ ସମ୍ଭାବନାରେ ଅଧିକ ସମ୍ବେଦନଶୀଳ ହୋଇ ଆମ ଦ୍ୱାରା ଗଠିତ ତଥାକଥିତ ଜାତି ଶେଷରେ ପ୍ରଥା ନାମରେ ନିଜ ଜାତିର ଲୋକଙ୍କ ପ୍ରତି କେମିତି ନିର୍ଦ୍ଦୟ ହୋଇପାରୁଛି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଗୋଟିଏ ଆଶ୍ୱାସନାର ବିଷୟ ଯେ, ଜାତିର ନିୟମକୁ ଭାଙ୍ଗୁଥିବା ଝିଅପୁଅଙ୍କର ଜିଇ ଥାଉ ଥାଉ ଶୁଦ୍ଧିକ୍ରିୟା କରାଯାଉ ପଛେ ସେମାନଙ୍କୁ ଅନର କିଲିଂର ସାମ୍‌ନା କରିବାକୁ ପଡ଼ୁନି, ଯାହା ଅନ୍ୟ କେତେକ ରାଜ୍ୟରେ ଘଟୁଛି।
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri