
ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ବଳାତ୍କାର ସହ ଆପତ୍ତିଜନକ ଫଟୋ – ଭିଡ଼ିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ଯୁବକ ଜଗନ୍ନାଥ ଦୋରାଙ୍କୁ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ବୁଧବାର ଗିରଫ କରି ବ୍ରହ୍ମପୁର ପୋକସ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ,ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢୁଥିବା ବେଳେ ନାବାଳିକା ଛାତ୍ରୀଙ୍କୁ ସବୁବେଳେ ପିଛା କରି ଅଭିଯୁକ୍ତ ଜଣକ ହଇରାଣ କରୁଥିଲେ। ପରେ ତାଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ଏକ ଲଜିଂକୁ ନେଇ ଗତ ୨୦୨୩ ଫେବୃଆରୀ ୨ ତାରିଖରେ ଅନିଚ୍ଛା ସତ୍ତ୍ବେ ବଳାତ୍କାର କରିଥିଲେ। ୨୦୨୩ ମାର୍ଚ୍ଚ ୪ରେ ଛାତ୍ରୀଙ୍କୁ ତପ୍ତପାଣି ନେଇ ସେଠାରେ ତାଙ୍କ ଫଟୋ ଭିଡ଼ିଓ ଉତ୍ତୋଳନ କରିଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଘଟଣା ଜାଣିବା ପରେ ତାଙ୍କ କଲେଜ ଯିବା ବନ୍ଦ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭିଡିଓ ସାମାଜିକ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ କରି ଦେଇଥିଲେ। ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କ ସହ ବ୍ରହ୍ମପୁର ସାଇବର ଥାନାକୁ ଯାଇ ସେଗୁଡିକ ଡିଲିଟ କରିବା ପରେ ମଧ୍ୟ ଅଭିଯୁକ୍ତଜଣଙ୍କ ତାଙ୍କ ମୋବାଇଲରେ ପୁଣି ଫଟୋ ଭିଡ଼ିଓ ଭାଇରାଲ କରିବା ସହ ତାଙ୍କ ପିଛା ଛାଡି ନ ଥିଲେ। ପରିବାର ଲୋକେ ଭୟଭୀତ ହୋଇ ଗାଁ ଛାଡ଼ି ଅନ୍ୟତ୍ର ରହୁଥିଲେ। ଅଭିଯୁକ୍ତଜଣଙ୍କ ସେଠାକୁ ଯାଇ ଛାତ୍ରୀଙ୍କୁ ଡକାଇ ତାଙ୍କ ସହ ନ ଆସିଲେ ହତ୍ୟା ଧମକ ଦେବା ସହ ତାଙ୍କ ସାନ ଭଉଣୀଙ୍କୁ ଅପହରଣ କରିବାକୁ ଧମକ ଦେଇଥିଲେ। ଏନେଇ ପୀଡ଼ିତା ଗତ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ଥାନା ମାମଲା ନଂ.୧୯୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଅଭିଯୁକ୍ତଙ୍କ ମୋବାଇଲ ଫୋନ ସହ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ପୋଷାକ ପୋଲିସ ଜବତ କରିଥିବା ଜଣାପଡ଼ିଛି।