ବାରିପଦା, ୩।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡି ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ମୋବାଇଲ୍ ଛଡ଼ାଇବା ଘଟଣାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପଥରରେ ଛେଚି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗ୍ରାମର ଜଣେ ମହିଳାଙ୍କଠାରୁ ଉକ୍ତ ଯୁବକ ମୋବାଇଲ୍ ଛଡ଼ାଇ ନେଇ ପଳାଉଥିବା ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କୁ କାବୁ କରି ନେଇଥିଲେ। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଯୁବକ ଏକାଠି ହୋଇ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଯୁବକମାନେ ଏକ ପଥରରେ ତାଙ୍କୁ ନିର୍ମମ ଭାବେ ଛେଚି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଖବର ପାଇ ବାଦାମପାହାଡ଼ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପଚରାଉଚରା ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

