ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଯୁବ ଅଧ୍ୟାପକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଲେଶ୍ୱର ଜିଲା ଗଣ୍ଡର୍ଦା ଗ୍ରାମର ମନୋରଞ୍ଜନ ରାଉତଙ୍କ ୨୮ ବର୍ଷିୟ ପୁଅ ପଙ୍କଜ ରାଉତ। ସେ ବାଲେଶ୍ୱରର ଏକ ବେସରକାରୀ କଲେଜରେ ଅଧ୍ୟାପକ ଭାବେ ଶିକ୍ଷକତା କରୁଥିଲେ।
ବୈଶିଙ୍ଗା-ଗଣ୍ଡର୍ଦା ରାସ୍ତାର କଷିପଦା ନିକଟରେ ଥିବା ଏକ ନିର୍ମାଣଧୀନ ପୋଲ ନିକଟରେ କିଛି ସ୍ଥାନୀୟ ଲୋକଙ୍କ ସହ ପଙ୍କଜ ମଧ୍ୟ ମାଛ ଧରିବାକୁ ପାଣିକୁ ଓହ୍ଲାଇଥିଲେ। ସେହି ସମୟରେ ନିର୍ମାଣଧୀନ ପୋଲ ପାଖରେ ଥିବା ଏକ ଗଭୀର ଖାଲରେ ତାଙ୍କ ଗୋଡ଼ ଖସିଯାଇଥିଲା। ବନ୍ୟାଜଳର ପ୍ରଖର ସ୍ରୋତ ଥିବାରୁ ସେ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ୍ କରାଯାଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ନ ପହଞ୍ଚିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ମେଧାବୀ ଯୁବ ଅଧ୍ୟାପକଙ୍କ ଏପରି ଅକାଳ ମୃତ୍ୟୁରେ ଗଣ୍ଡର୍ଦା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ତେବେ ଏହି ଘଟଣାକୁ ନେଇ ବୈଶିଙ୍ଗା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

