ଦିଗପହଣ୍ଡି, ୧୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର ବ୍ରହ୍ମପୁର ସ୍ଥିତ ପୋକ୍ସୋ (POCSO) କୋର୍ଟକୁ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୀତାରାମ ଗୌଡ଼ (୨୧) ଏବଂ ତାଙ୍କ ସମ୍ପର୍କୀୟ ଭାଇ ତୋଫାନ ଗୌଡ଼ (୨୧)। ଥାନା ମାମଲା ନଂ. ୪୭୬/୨୬ ଅନୁଯାୟୀ ବିଏନ୍ଏସ୍ (BNS) ର ଦଫା ୧୩୭(୨), ୮୪, ୬୪ ସମେତ ପୋକ୍ସୋ ଆକ୍ଟର ବିଭିନ୍ନ ଧାରାରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ଶନିବାର ସକାଳେ ୧୬ ବର୍ଷୀୟା ଛାତ୍ରୀ ଜଣକ ସ୍କୁଲକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ପାଇବାରୁ ଛାତ୍ରୀଙ୍କ ମାଆ ରବିବାର ଦିଗପହଣ୍ଡି ଥାନାରେ ସୀତାରାମଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଥାନା ଆଇଆଇସି କିଶୋର କୁମାର ସାମଲ ମାମଲା ରୁଜୁ କରି ଏସ୍ଆଇ ମହାପ୍ରସାଦ ମହାନ୍ତିଙ୍କୁ ତଦନ୍ତଭାର ଦେଇଥିଲେ।
ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଟ୍ରାକିଂ କରି ସୋମବାର ଅପରାହ୍ନରେ ସଦଳବଳେ ଚଢ଼ାଉ କରିଥିଲେ। ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ରୁ ଛାତ୍ରୀଙ୍କୁ ଉଦ୍ଧାର କରାଯିବା ସହ ମୁଖ୍ୟ ଅଭିଯୁକ୍ତ ସୀତାରାମଙ୍କୁ କାବୁ କରାଯାଇଥିଲା। ପରେ ସୀତାରାମଙ୍କ ସୂଚନାକ୍ରମେ ଅପହରଣରେ ସହାୟତା କରିଥିବା ତାଙ୍କ ସମ୍ପର୍କୀୟ ଭାଇ ତୋଫାନଙ୍କୁ ପୋଲିସ ତାଙ୍କ ଘରୁ ଗିରଫ କରିଥିଲା।
ଥାନାରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଦ୍ୱାରା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତା ଓ ଅଭିଯୁକ୍ତ ଦ୍ୱୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ରାତି ହୋଇଯିବାରୁ ଛାତ୍ରୀଙ୍କୁ ବ୍ରହ୍ମପୁର ବାଳାଶ୍ରମରେ ରଖାଯାଇଥିଲା ଏବଂ ମଙ୍ଗଳବାର ଶିଶୁ ମଙ୍ଗଳ କମିଟି (CWC) ନିକଟରେ ହାଜର କରାଯାଇଥିଲା। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଛାତ୍ରୀଙ୍କୁ ତାଙ୍କ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।

