Posted inଫୁରସତ

‘ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ’

ଯେବେ ନିଶାର୍ଦ୍ଧରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ତାଙ୍କ ମାନସପଟରେ ଜୀବନ୍ତ ହୋଇଯାଏ କାହାଣୀର ଚରିତ୍ର ସବୁ । ଆଉ ସେ କାଗଜ କଲମ ଧରି ବସି ପଡ଼ନ୍ତି ଲେଖିବାକୁ । ରାତି ଯେତେ ବଢେ କାହାଣୀ ସେତେ ଆଗକୁ ବଢେ। ଏମିତି ଲେଖୁ ଲେଖୁ ସେ ଏବେ ପାଲଟିଛନ୍ତି ଜଣେ ତରୁଣ ଇଂରାଜୀ ଔପନ୍ୟାସିକ। ତାଙ୍କ ଉପନ୍ୟାସ ବ୍ଲାକ ଇଗଲ୍‌ ବୁକ୍ସ ଦ୍ୱାରା ପ୍ରକାଶ ପାଇବା ସହ ଚିକାଗୋ ପୁସ୍ତକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ଓ ବେଷ୍ଟ ସେଲର୍‌ ତାଲିକାରେ ଅନ୍ତର୍ଭୁକ୍ତ ହେବା ଲାଗି ମନୋନିତ ବି ହୋଇଛି। ସେ ହେଉଛନ୍ତି ଭୌମିକ ମହାନ୍ତି…

ଭୌମିକଙ୍କ ଘର ଭୁବନେଶ୍ୱରରେ। ବାପା କମଳାକାନ୍ତ ମହାନ୍ତି ଝାରଖଣ୍ଡର ଏକ ଖବରକାଗଜର ଓଡ଼ିଶା ପ୍ରତିନିଧି ଅଛନ୍ତି। ମା’ ଦୀପିକା ମହାନ୍ତି ଗୃହିଣୀ। ତା’ସହ ସେ ସମାଜସେବା ବି କରନ୍ତି। ଭୌମିକ କୁହନ୍ତି,‘ମା’ କବିତା ଲେଖନ୍ତି। ମାମୁଘରେ ବି ପ୍ରାୟ ସମସ୍ତେ ଲେଖାଲେଖି କରନ୍ତି। ସେମାନଙ୍କୁ ଦେଖି ଦେଖି ମୋର ବି ଛୋଟବେଳୁ ଲେଖା ପ୍ରତି ରୁଚି ବଢିଥିଲା। ସ୍କୁଲରେ ପଢିବାବେଳେ ଲିଟରେଚର୍‌ କ୍ଲବ୍‌ରେ ସାମିଲ ହେଇଥିଲି। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଉଥିଲି। ଦ୍ୱାଦଶ ପଢିବାବେଳେ କ୍ଷୁଦ୍ର ଗଳ୍ପ, ଛୋଟ ଛୋଟ କବିତା ଲେଖିବା ଆରମ୍ଭ କଲି। ତେବେ ୨୦୧୯ରେ କଲେଜ ଆରମ୍ଭ ହେବା ପୂର୍ବରୁ କରୋନା ଲାଗି କଲେଜ ବନ୍ଦ ଥିଲା। ତେଣୁ ସମୟକୁ ଅପଚୟ ନ କରି ତାକୁ ଲେଖା ଲେଖିରେ ବିତାଇବାକୁ ନିଷ୍ପତ୍ତି ନେଲି। ଆଉ ଏଇଠୁ ଆରମ୍ଭ ହେଲା ମୋର ଉପନ୍ୟାସ ଲେଖିବା। ସ୍ବପ୍ନ ବା ପରିକଳ୍ପନା ବି ବାସ୍ତବ ରୂପ ନେଇପାରେ ତାହା ହିଁ ଥିଲା ମୋ କାହାଣୀର ବିଷୟ ବସ୍ତୁ। ୨୦୨୦ରେ ମୋର ଉପନ୍ୟାସଟି ସମ୍ପୂଣ୍ଣର୍ର୍ ହେଲା। ଉପନ୍ୟାସର ନାଁ ଦେଲି ‘ଆଇ ଡିଡ୍‌, ଡିଡ୍‌ ଆଇ’। ସେତେବେଳେ ପୁସ୍ତକ କିଭଳି ପ୍ରକାଶ ପାଇବ ସେ ସମ୍ପର୍କରେ ମୁଁ କିଛି ଜାଣି ନ ଥିଲି। ମୋ ବାବାଙ୍କ ବନ୍ଧୁ ବିଶିଷ୍ଟ ଲେଖକ ପ୍ରଫେସର ଡ. ତପନ ପଣ୍ଡା ମୋର ଏହି ଉପନ୍ୟାସ ରଚନା ବିଷୟରେ ଜାଣିବା ପରେ ଏହାର କିଣ୍ଡଲ୍‌ ଏଡିସନ୍‌ ପ୍ରକାଶ କରିବାକୁ ପରାମର୍ଶ ଦେଇ ନିଜେ ସେ ଦାୟିତ୍ୱ ନେଲେ। ତେଣୁ ପ୍ରଥମେ କିଣ୍ଡଲ ଏଡିସନ୍‌ରେ ମୋ ଉପନ୍ୟାସ ପ୍ରକାଶ ପାଇଲା। ଏହାପରେ ସେ ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାଶନୀ ସଂସ୍ଥା ସହିତ ଯୋଗାଯୋଗ କଲେ। ତାଙ୍କ ନିର୍ଦ୍ଦେଶରେ ମୁଁ ପ୍ରକାଶଙ୍କ ସହ ଯୋଗାଯୋଗ କରି ଉପନ୍ୟାସର କାହାଣୀ ଶୁଣାଇଲି। ସେମାନେ ମତେ ବହୁତ ସାହାଯ୍ୟ କଲେ। ଆଉ ମୋର ପ୍ରଥମ ଇଂରାଜୀ ଉପନ୍ୟାସ ‘ଆଇ ଡିଡ୍‌, ଡିଡ୍‌ ଆଇ’ ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶ ପାଇଲା। ସେତେବେଳେ ମତେ ବୟସ ମାତ୍ର ୧୮ ବର୍ଷ। ୩୦ଟି କପି ମୋ ପାଖକୁ ଆସିଥିଲା। ହାତରେ ମୋ ପ୍ରଥମ ଲେଖାକୁ ଧରି ଖୁସିରେ ଆତ୍ମହରା ହୋଇଯାଇଥିଲି। ତେବେ ପ୍ରଥମେ ମତେ ବେଶି କେହି ଜାଣି ନ ଥିବାରୁ ଉପନ୍ୟାସଟିକୁ ନେଇ ବେଶି ରେସପନ୍ସ ମିଳି ନ ଥିଲା। ପରେ ଯେବେ ବ୍ଲାକ୍‌ ଇଗଲ୍‌ର ବହି ସବୁ ଆମେରିକାରେ ବିକ୍ରି ହେଲା ସେଠାକାର ପାଠକଙ୍କର ମୋ ବହିକୁ ନେଇ ରେସପନ୍ସ ଆସିଲା। ଏବେ ଚିକାଗୋରେ ବ୍ଲାକ ଇଗଲ୍‌ ବୁକ୍ସ ଦ୍ୱାରା ଆୟୋଜିତ ପୁସ୍ତକ ପ୍ରଦର୍ଶନୀରେ ବି ମୋ ଉପନ୍ୟାସ ପୁସ୍ତକ ପ୍ରଦର୍ଶିତ ହୋଇଛି।
ଦ୍ୱିତୀୟ ଉପନ୍ୟାସ ଓ ଆମେରିକୀୟ ପାଠକଙ୍କ ସ୍ବୀକୃତି: ୨୦୨୧ରେ ମୁଁ ମୋର ଦ୍ୱିତୀୟ ଉପନ୍ୟାସ ଲେଖିବା ଆରମ୍ଭ କଲି। ଏହା ହେଉଛି ପ୍ରଥମ ଉପନ୍ୟାସର ସିକ୍ୱେଲ। ଏଥିରେ ମୁଁ ସରିଆଲିଜ୍‌୍‌ ସହ ପ୍ରେମକୁ ମିଶାଇଥିଲି। ଦୁଇଟି ଭିନ୍ନ ଭିନ୍ନ କଥାକୁ ମିଶାଇ ଲେଖିବାକୁ ଟିକେ କଷ୍ଟ ହୋଇଥିଲା। ତେବେ ନିକଟରେ ‘ଦ ଗର୍ଲ ଓ୍ବିଥ ଦ ବ୍ରାଉନ୍‌ ଆଇଜ୍‌’ ନାମକ ମୋର ଏହି ଉପନ୍ୟାସଟି ବ୍ଲାକ ଇଗଲ୍‌ ବୁକ୍ସ ପ୍ରକାଶନୀରେ ପ୍ରକାଶ ପାଇଛି। ଆଉ ଏହାକୁ ନେଇ ପାଠକଙ୍କ ଭଲ ମତ ବି ରହିଛି। ଆମେରିକାରୁ ମିଳିଥିବା ପାଠକଙ୍କ ରେସପନ୍ସ ତ ବହୁତ ଭଲ ଅଛି। ଉପନ୍ୟାସଟି ‘ବେଷ୍ଟ ସେଲର୍‌’ ପାଇଁ ମନୋନିତ ବି ହୋଇଛି। ପାଠକମାନେ ଏହି ଉପନ୍ୟାସର ଟ୍ବିଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।

ଲେଖେ ଯୁବଗୋଷ୍ଠୀ ପାଇଁ: ମୋ ଉପନ୍ୟାସର ଅନେକ ଚରିତ୍ର ମୋ ବାସ୍ତବିକ ଜୀବନ ସହ ଜଡିତ ଥାଆନ୍ତି। ଏମିତିକି ମୋ ସାଙ୍ଗମାନେ ବି ମୋ ଉପନ୍ୟାସର ଚରିତ୍ର ପାଲଟିଛନ୍ତି। ତେଣୁ କହିବାକୁଗଲେ ମୁଁ ଖାସ୍‌କରି ଯୁବଗୋଷ୍ଠୀ ଓ ବୟସ୍କଙ୍କ ପାଇଁ ଲେଖିଥାଏ। ଏହାର ଅର୍ଥ ନୁହେଁ କି ପିଲାମାନେ ଏହାକୁ ପଢିପାରିବେ ନାହିଁ। ସେମାନେ ବି ପଢିପାରିବେ। ହେଲେ ଅନେକ ସମୟରେ ପିଲାମାନଙ୍କ ପାଇଁ କାହାଣୀ ଭିତରର କଥାକୁ ବୁଝିବା କଷ୍ଟ ହୋଇପାରେ।

ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ: ଉପନ୍ୟାସ ଲେଖିବାବେଳେ ଚରିତ୍ର ଓ ପ୍ରତି ସିନ୍‌କୁ ଟିକିନିଖି ଏଭଳି ବର୍ଣ୍ଣନା କରିବାକୁ ହୁଏ ଯେମିତିକି ପାଠକ ପଢିବା ବେଳେ ଚରିତ୍ର, ତା’ର ଅନ୍ତରର କଥା ସହ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଭବ କରିପାରିବେ ଓ ସେଥିରେ ହଜିଯିବେ। ତେଣୁ ଉପନ୍ୟାସ ଲେଖିବା କଷ୍ଟକର। ତଥାପି ଉପନ୍ୟାସରୁ ହିଁ ମୁଁ ମୋ ଲେଖକ ଜୀବନ ଆରମ୍ଭ କଲି। କାରଣ ମୁଁ ମୋ ଯୋଗ୍ୟତାକୁ ପରଖୁଥିଲି ଯେ, ମୁଁ ଲେଖି ପାରିବି ନା ନାହିଁ। ଆଉ ଲେଖୁ ଲେଖୁ ଉପନ୍ୟାସ ଲେଖିଦେଲି।
ଆର୍କିଟେକ୍ଟ ସହ ଔପନ୍ୟାସିକର ଯାତ୍ରା: ଏବେ ମୁଁ କଟକ, ‘ପିଲୁ ମୋଦି କଲେଜ ଅଫ୍‌ ଆର୍କିଟେକ୍ଚର’ରେ ଆର୍କିଟେକ୍ଚର ବିଭାଗର ଚତୁର୍ଥ ବର୍ଷରେ ପଢୁଛି। ଭବିଷ୍ୟତରେ ଜଣେ ଭଲ ଆର୍କିଟେକ୍ଟ ହେବା ସହ ଲେଖାଲେଖି ବି ଜାରି ରଖିବି। କାରଣ ଉଭୟ କାମ ବେଶ୍‌ ସୃଜନଶୀଳ। ଆଉ ସୃଜନଶୀଳତାକୁ ମୁଁ ଭଲ ପାଏ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?