ତୁମେ ଦେଲେ ଆମେ ଦେବୁ

ଏବେ ସାରା ଦେଶରେ ଭୋଟ ନିର୍ବାଚନ ଚାଲିଛି। ଦେଶରେ ହେବ ମୋଟ ସାତୋଟି ପର୍ଯ୍ୟାୟରେ ଭୋଟ ଲୋକ ସଭା ପାଇଁ। ଲୋକ ସଭା ହେଉଛି ଦେଶର ଆଇନ ତିଆରି ଗୃହ। ଏଠି ବସି ସାଂସଦ ଦେଶ ଦଶ ପାଇଁ ତିଆରି କରିଥାନ୍ତି ଆବଶ୍ୟକ ଆଇନ। ସେମିତି ଆଇନ ତିଆରି ଗୃହ ବିଧାନସଭା ପାଇଁ ଆମ ରାଜ୍ୟରେ ବି ଚାଲୁରହିଛି ନିର୍ବାଚନର ଗଣ ପର୍ବ। ଆମ ରାଜ୍ୟରେ ହେଉଛି ଚାରୋଟି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ। ସରିଲାଣି ଦୁଇଟି ପର୍ଯ୍ୟାୟରେ ଭୋଟ। ବାକି ଦୁଇଟି ପର୍ଯ୍ୟାୟର ଭୋଟ ସରିଲେ ସାରା ଦେଶରେ ଭୋଟଦାନ କାମ ସରିବ। ତା’ପରେ ଜୁନ୍‌ ଚାରି ତାରିଖକୁ ଲୋକ ସଭା ଓ ରାଜ୍ୟ ବିଧାନସଭା ଉଭୟର ଫଳକୁ ରହିବ ଅପେକ୍ଷା। ଏମିତି ନିର୍ବାଚନ ଆସେ ଯାଏ। ଏଥରକ ନିର୍ବାଚନ ବି ଏଇ ଦେଖୁ ଦେଖୁ ସରିଯିବ। ଆଗରୁ ସେମିତି କେତେ ନିର୍ବାଚନ ଆସିଛି ଯାଇଛି। ୨୦୨୪ ସାଧାରଣ ନିର୍ବାଚନ ଆସିଛି। ସରିବ ମଧ୍ୟ। ୨୦୨୯କୁ ସେମିତି ନିର୍ବାଚନ ହେବ। ବହୁତ ଦିନ ମାନେ ପୂରା ପାଞ୍ଚ ବର୍ଷ ଥିବାର ମନେହେଉଥିଲେ ହେଁ ସମୟ ଚକ ଗଡ଼ି ଚାଲି ୨୦୨୯ ପାଖେଇ ଆସି ପହଞ୍ଚିଯିବ।
ଆମ ଦେଶରେ ପ୍ରତିଦିନ କେଉଁଠି ନା କେଉଁଠି ଯେ କୌଣସି ଭୋଟ ହୋଇଥାଏ। ଲୋକ ସଭା, ବିଧାନସଭା ସହ ପଞ୍ଚାୟତ ନିର୍ବାଚନ, ପୌର ପରିଷଦ ନିର୍ବାଚନ, ନିଗମ ନିର୍ବାଚନ, କେଉଁ ପ୍ରାଇଭେଟ ବ୍ୟାଙ୍କ ବୋର୍ଡ ଗଠନ ପାଇଁ ନିର୍ବାଚନ ଆମ ଦେଶରେ ହୋଇଥାଏ ବିଭିନ୍ନ ଦିବସ ପାଳନ କରାଗଲା ଭଳିଆ। ଏତେ ନିର୍ବାଚନ ଆମ ଦେଶରେ ହୁଏ ଯେ ଦେଶକୁ ନିର୍ବାଚନର ଦେଶ କହିଲେ ଭୁଲ୍‌ ହେବ ନାହିଁ। ବିଶ୍ୱର ପରା ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାରତ। ସମଗ୍ର ବିଶ୍ୱରେ ସବୁଠୁ ବେଶି ନିର୍ବାଚନ ବୋଧେ ଭାରତରେ ହେଉଥିବ। ସବୁପ୍ରକାର ଭୋଟ ବ୍ୟବସ୍ଥାରେ ଭୋଟ ଦେବା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଶ୍ଚୟ। ରାଜ୍ୟ/ରାଷ୍ଟ୍ରର ଆଇନ ତିଆରି ଗୃହ ପାଇଁ ହେଉଥିବା ଭୋଟ ଦାନ ଏକ ରାଜନୈତିକ ଅଧିକାର ମଧ୍ୟ। ଭୋଟ ମତଦାନ ହାର ଅଧିକ ରହିଲେ ଭଲ ପ୍ରାର୍ଥୀ ନିର୍ବାଚିତ ହୋଇ ଆସିବାର ସମ୍ଭାବନା ରହିଥାଏ। ଭଲ ଯୋଗ୍ୟ ପ୍ରାର୍ଥୀ ଜୟଯୁକ୍ତ ହେବା ରାଜ୍ୟ ତଥା ରାଷ୍ଟ୍ର ପାଇଁ ଶୁଭଙ୍କର ହୋଇଥାଏ। ଶିକ୍ଷିତ ସଂସ୍କାରିତ ରାଷ୍ଟ୍ରଭକ୍ତ ଆଇନ ପ୍ରଣୟନ ଗୃହକୁ ଆସିଲେ ଗୃହର ଶୋଭା ବଢ଼ିବା ସହିତ ଗୃହ ଗୌରବାନ୍ବିତ ମଧ୍ୟ ହୁଏ। ଏବେ ଅନେକ ଉଚ୍ଚ ଶିକ୍ଷିତ ଗୃହକୁ ନିର୍ବାଚିତ ହୋଇ ଆସି ଗୃହର ଗରିମା ମହିମାନ୍ବିତ କରନ୍ତି।
କଥା ହେଉଛି,ଭୋଟ ସମ୍ପର୍କିତ ଅନେକ କଥା ନେଇ ଭୋଟ ଆଗରୁ ଓ ଭୋଟ ପରେ କିଛି ଦିନ ଯାଏ ନାନା ଆଲୋଚନା ବାଟରେ ଘାଟରେ, ଚା’ ଖଟିରେ, ସକାଳ ସଞ୍ଜରେ ଗାଁ ମାଇପିଏ ଦଳ ହୋଇ ଗପି ବସିଥିଲା ବେଳେ, ଫାଇଲ କାମ ଛାଡ଼ି ଅଫିସରେ କର୍ମଚାରୀମାନେ କରିଥାନ୍ତି ବେଶ୍‌ ଦିନା କେତେ। ଯେତେ ପ୍ରସଙ୍ଗ ପଡ଼େ ଯେଉଁଠି ଯେଉଁ ଆଲୋଚନାରେ ସବୁଠୁ ଅଧିକ ଆଲୋଚନା ନିଶ୍ଚୟ ହେଉଥିବ କ୍ରିକେଟ ଖେଳକୁ ନେଇ। ତା’ପର ପ୍ରସଙ୍ଗ ହୋଇପାରେ ରାଜନୀତି। ନୀତି ମଧ୍ୟରେ ରାଜା ବା ଶ୍ରେଷ୍ଠ ଥିବା ଯୋଗୁ ବୋଧେ ଏହାର ଏମିତି ନାମକରଣ ହୋଇଛି। ରାଜନୀତି ବିନା ସବୁ ଏଠି ଅଚଳ ଯେମିତି। ରାଜୁଡ଼ା କାଳରେ ରାଜାଙ୍କର ନୀତି ବୋଲି ରାଜନୀତି ଥିଲା ଚର୍ଚ୍ଚିତ। ଏବେ ଗଣତନ୍ତ୍ରରେ ରାଜନୀତି କରିପାରନ୍ତି ସଭିଏ, ସବୁ ନାଗରିକ ଯା’ର ଇଚ୍ଛା ହେଲା। ଏବର ରାଜନୀତିରେ ସଭିଏ ଠିଆ ହୋଇପାରନ୍ତି। ବସି ବି ପାରନ୍ତି। ଠିଆ ହେବା ମାନେ ଭୋଟରେ ଠିଆ ହେବା/ ଲଢ଼ିବା। ବସିବା ହୋଇପାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା।
ଏମିତି ଥରେ ଛୋଟ ଭୋଟରେ ଠିଆ ହେବାକୁ ମନ କଲେ ବାସୁବାବୁ। କେତେ ଜଣ ବି ଟିହାମତା କଲେ ପଞ୍ଚାୟତରେ ସାହି ମେମ୍ବର ହେବା ପାଇଁ। ବାସୁବାବୁ ବି କୁତୁକୁତୁ ହେଉଥିଲେ। ଭୋଟ ବେଳ ଯେତେବେଳେ ଆସିଲା ସେ ବି ମନୋନୟନ ଦାଖଲ ପତ୍ର ଖଣ୍ଡେ ଆଣି ପକାଇ ଦେଲେ। ବାସୁବାବୁଙ୍କ ନାଆଁ ଭୋଟ ଲଢ଼ିବା ତାଲିକାରେ ଉଠିଲା। ଆଉ ଦଳେ ସେମିତି ଆଉ ଜଣକୁ କୁହାବୋଲା କରି ବାସୁବାବୁ ବିରୁଦ୍ଧରେ ଠିଆ କରାଇଦେଲେ। ବିପକ୍ଷର ଥିଲା ମାଠିଆ ଚିହ୍ନ। ବାସୁବାବୁଙ୍କର ବହି ଚିହ୍ନ। ମାଠିଆ ଚିହ୍ନବାଲା ଆଗୁଆ ସାହିଯାକର ସବୁ ଘରେ ଲେଖି ଆଣିଲା ମାଠିଆଚିହ୍ନରେ ଭୋଟ ଦେବାକୁ। ବାସୁବାବୁ ଏବେ କରିବେ କ’ଣ ?
ଲେଖିବେ କେଉଁଠି? ବହି ଚିହ୍ନରେ ଭୋଟ ମାଗିବାକୁ ସାହିରେ କେଉଁ ଲୋକର ଘର କାନ୍ଥରେ ଆଉ ମେଲା ଜାଗା ନାହିଁ। ଏ ନେଇ ସେ ଜଣକୁ ବୁଦ୍ଧି ମାଗିଲେ। ଜଣେ ବାସୁକୁ ବୁଦ୍ଧି ବତାଇଲେ। ମାଠିଆ ଚିହ୍ନ ଯେଉଁଠି ଅଙ୍କାଯାଇଛି, ସେଇ ଚିହ୍ନ ତଳେ ତୁମ୍ଭେ ଲେଖି ଆଣ – ‘ତୁମେ ଦେଲେ ଆମେ ଦେବୁ’। ରାତିରେ ସେମିତି ଲେଖି ଆଣିଲେ ବାସୁବାବୁ ଲୋକ ଲଗାଇ। ସକାଳୁ ସେ ଲେଖା ଦେଖି ସଭିଏ ହସିଲେ। ସାହିରେ ସବୁରି ମୁହଁରେ ସେଇ କଥା ‘ତୁମ୍ଭେ ଦେଲେ ଆମ୍ଭେ ଦେବୁ’। ଏହାର ଅର୍ଥ କ’ଣ ହୋଇପାରେ, ଏ ନେଇ କେତେକେ ଫୁସୁରୁଟୁପୁରୁ ହେଲେ। କିଏ କହିଲା ଏବେ ତ ଭୋଟ ବେଳ ଭୋଟ ପାଇଁ ଭତ୍ତା ମାଗୁଥିବେ। ‘ଭୋଟ ପାଇଁ ପରୋକ୍ଷରେ ଦିଅ ନୋଟ’ ଏ କଥା କହୁଥାଇପାରନ୍ତି। ସେମିତି କ’ଣ ଭୋଟ କିଏ ଦିଏ? କିଛି ଦେଲେ ସିଏ ବି ଦେବେ। ଅର୍ଥାତ୍‌ ଦେଲେ ଦେବେ, ନ ଦେଲେ ନାହିଁ। ଆଜିର ଦିନରେ ସବୁ ଯେତେବେଳେ କିଣା ବିକା ହେଉଛି ଭୋଟ କିଣା ବିକା ନ ହେବ ବା କେମିତି ? ଦେଖାଯାଇଥିଲା, ମାଠିଆ ଚିହ୍ନବାଲା ଯେଉଁଠି ଯେଉଁଠି ଯାହା ଯାହା ଲେଖିଥିଲେ ଭୋଟ ଦେବା ପାଇଁ ତାଙ୍କ ସପକ୍ଷରେ ସେସବୁକୁ ଗୋଟାମୋଟା ଲିଭାଇ ଦେଇଥିଲେ। ବିପକ୍ଷ ପ୍ରାର୍ଥୀଙ୍କ ‘ତୁମେ ଦେଲେ ଆମେ ଦେବୁ’ ବିଚାରଯୁକ୍ତ ଲେଖା ବୋଧେ ଖୁବ୍‌ କାଟୁ କରିଥିଲା।

  • ଧ୍ରୁବ ଚରଣ ଘିବେଲା
    ବଉଦରାଜ, ବୌଦ୍ଧ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri