ବିବାହ କାଲିର ଓ ଆଜିର

ଆଧୁନିକ ବିବାହ ପ୍ରକ୍ରିୟାରେ ମାତାପିତାଙ୍କର ରୁଚି ଅରୁଚିକୁ ଉପେକ୍ଷାକରି ପିଲାମାନେ ତାଙ୍କ ଜୀବନସାଥୀ ଚୟନ କରୁଛନ୍ତି। ମାତାପିତା ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ନୀରବ ରହୁଛନ୍ତି। ଗତ ଶତାବ୍ଦୀର ଅଶୀଦଶକ ସୁଦ୍ଧା କନ୍ୟା କିମ୍ବା ବର ଚୟନ ମାତାପିତା ଓ ଗୁରୁଜନଙ୍କ ଉପରେ ନ୍ୟସ୍ତଥିଲା। ସମ୍ପ୍ରତି ଜୀବନସାଥୀ ଚୟନ ପିଲାମାନଙ୍କର ଏକଚାଟିଆ ହୋଇଗଲାଣି। କିଛିଦିନ ତଳେ ଆମ ଅଞ୍ଚଳରେ ଘଟିଥିବା ଏକ ଘଟଣା ଉଲ୍ଲେଖଯୋଗ୍ୟ। ବିବାହର ସମସ୍ତ ପୂର୍ବ ପ୍ରସ୍ତୁତି ଯଥା ନିର୍ବନ୍ଧ ଓ ଜାଇ ଅନୁକୂଳ ସରିବା ପରେ ବିଦେଶାଗତ ପୁଅଟି କନ୍ୟା ଦେଖିବାକୁ ଜିଦ୍‌କଲା। ବରପିତା ସଂଭ୍ରମତାର ସହ କନ୍ୟାପିତାଙ୍କୁ ଅନୁରୋଧ କରିବାରୁ କନ୍ୟାପିତା ଆଶଙ୍କିତ ଚିତ୍ତରେ ଏକମତ ହେଲେ। ପୁଅଟି ବେଶ୍‌ କିଛି ସମୟ ଝିଅ ସହ ଆଳାପ ଆଲୋଚନା କରି ବିବାହ ପାଇଁ ସହମତି ପ୍ରକାଶ କଲେ ସିନା; ମାତ୍ର ଝିଅଟି ଦୃଢ଼ତାର ସହ କହିଲା, ମୁଁ କିନ୍ତୁ ଏ ବିବାହକୁ ଅସ୍ବୀକାର କରୁଛି। ଝିଅର ଯୁକ୍ତି ହେଲା ଯେଉଁ ପୁଅ ତାଙ୍କ ମାତାପିତାଙ୍କ ଉପରେ ଆସ୍ଥା ସ୍ଥାପନ କରିପାରେ ନାହିଁ ସେ ପନତ୍ୀକୁ ବିଶ୍ୱାସକୁ ନେଇ କିପରି ସଂସାର କରିବ। ମୁଁ ତମାମ ଜୀବନ ଅବିବାହିତ ରହିବାକୁ ପସନ୍ଦ କରିବି, କିନ୍ତୁ ଏଭଳି ଜଣେ ଅବିଶ୍ୱାସୀକୁ ନୁହେଁ। ବିବାହ ପ୍ରକ୍ରିୟା ସେଇଠି ବନ୍ଦ ରହିଲା।
ପ୍ରାଚୀନ ବିବାହର ଦୁଇଟି ଆଦର୍ଶ ନମୁନା ପ୍ରାସଙ୍ଗିକତା ଦୃଷ୍ଟିରୁ ଏଠାରେ ଆଲୋଚନା ସାପେକ୍ଷ। ଉକତ୍ଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜ୍ୟେଷ୍ଠାକନ୍ୟା ତରଙ୍ଗିଣୀ (ଶ୍ରଦ୍ଧାନାମ-ରଙ୍ଗ)ର ବିବାହ ସମୟକୁ ଉକତ୍ଳମଣିଙ୍କ ଧର୍ମପତ୍ନୀ ଇହଧାମ ତ୍ୟାଗକରି ସାରିଥିଲେ। ଦିନେ ଗୋପବନ୍ଧୁଙ୍କ ଭାଉଜ ତାଙ୍କୁ କହିଲେ, ତୁମେ ଏମିତି ଦେଶ ସେବାରେ ମାତିଥିବ ନା ରଙ୍ଗ ବାହାଘର କଥା ଚିନ୍ତା କରିବ। ଗୋପବନ୍ଧୁ ଯେ ଝିଅ ବିବାହ ପାଇଁ ଚିନ୍ତିିତ ନ ଥିଲେ ଏକଥା ନୁହେଁ। ସେ ଥିଲେ ଏକ ଉପଯୁକ୍ତ ପାତ୍ରର ସନ୍ଧାନରେ। ଆଖପାଖର ବହୁ ସମ୍ଭ୍ରାନ୍ତ ସନ୍ତାନଙ୍କ ପ୍ରସ୍ତାବ ପ୍ରତି ଗୋପବନ୍ଧୁ ଥିଲେ ନିରାସକ୍ତ। ତାଙ୍କ ମତରେ ପୁଅଟି ପଛେ ନିର୍ଦ୍ଧନ ହୋଇଥାଉ; ମାତ୍ର ସେ ଉଚ୍ଚଶିକ୍ଷିତ ଓ ଉତ୍ତମ ଚରିତ୍ରବାନ ହୋଇଥିବା ବାଞ୍ଛନୀୟ। ଗୋପବନ୍ଧୁଙ୍କ ନଜରରେ ଥା’ନ୍ତି କଟକର ଅନତିଦୂର ବିରିବାଟି ଗ୍ରାମର ଦରିଦ୍ର, ମେଧାବୀ ଓ ସତ୍‌ଚରିତ୍ର ସମ୍ପନ୍ନ ବାଳକ ରତ୍ନାକର ପତି। ରତ୍ନାକର ସେତେବେଳେ ରେଭେନ୍‌ଶାରେ ଏମ୍‌.ଏ. ପଢୁଥା’ନ୍ତି। ଗୋପବନ୍ଧୁ ତାଙ୍କ ସଖା ପଣ୍ଡିତ କୃପାସିନ୍ଧୁଙ୍କୁ ସାଙ୍ଗରେ ଆଣି କଟକରେ ରତ୍ନାକରଙ୍କୁ ସାକ୍ଷାତ କଲେ। ସେମାନଙ୍କୁ ରତ୍ନାକର ସାଷ୍ଟାଙ୍ଗ ପ୍ରଣିପାତ କଲେ। ଗୋପବନ୍ଧୁ ବିନାଦ୍ୱିଧାରେ କହିଲେ ଆସନ୍ତା ଦଶହରା ଛୁଟିରେ ମୁଁ ତୁମ ଘରକୁ ଯିବି। ମୋର କନ୍ୟା ରଙ୍ଗକୁ ତୁମ ସହିତ ବିବାହ ଦେବାକୁ ଚାହେଁ। ଏକଥା ମା’ଙ୍କୁ କହିଥିବ। ଆପତ୍ତି ଥିଲେ ଜଣାଇବ। ଅନ୍ୟଥା ଦଶହରା ଛୁଟିରେ ତୁମ ଘରେ ଦେଖାହେବ।
ଗୋପବନ୍ଧୁଙ୍କ ବଡଭାଉଜ ଗୋପବନ୍ଧୁଙ୍କ ଜ୍ୟେଷ୍ଠ ଶାଳକଙ୍କୁ ଦଶହରା ଛୁଟିରେ ଗୋପବନ୍ଧୁଙ୍କ ସହ ପଠାଇଲେ। ବିରିବାଟିରେ ପହଞ୍ଚତ୍ ଗୋପବନ୍ଧୁ ଦେଖିଲେ ରତ୍ନାକର ଗୋଟିଏ ପାଞ୍ଚହାତି ଗାମୁଛା ପିନ୍ଧି ମୁଣ୍ଡରେ ଏକ ଗୋବର ଟୋକେଇ ଧରି ବାରି ଭିତରକୁ ଯାଉଛନ୍ତି। ଗୋପବନ୍ଧୁ ଶାଳକଙ୍କୁ କହିଲେ- ଏଇ ଆମର ଭାବି ଜାମାତା ରତ୍ନାକର। ସାକ୍ଷାତ ରନତ୍ଟିଏ। ନୂଆଣିଆ ଚାଳଘର ପିଣ୍ଡାରେ ବସିଥିବା ରତ୍ନାକରଙ୍କ ମା’ଙ୍କୁ ପ୍ରଣାମକରି ନିଜ ପରିଚୟରେ କହିଲେ – ମୁଁ ସୁଆଣ୍ଡୋର ଗୋପବନ୍ଧୁ ଦାସ। ରତ୍ନାକର ମୁରବି ହିସାବରେ ନିଜ ମାମୁଙ୍କୁ ଡକାଇଥାନ୍ତି। ସାମାନ୍ୟ କଥୋପକଥନ ପରେ ରଙ୍ଗର ବିବାହ ରତ୍ନାକରଙ୍କ ସହ କରି ଗୋପବନ୍ଧୁ ସୁଆଣ୍ଡୋ ଫେରିଗଲେ। ଭାଉଜ ଯେତେବେଳେ ଜାମାତା ସମ୍ବନ୍ଧରେ ଜାଣିବାକୁ ଚାହିଁଲେ, ଶାଳକ ମହାଶୟ କହିଲେ ପୁଅ ତ ଯାଇଛି। ଏବେ ଝିଅ ବେକରେ ପଥରବାନ୍ଧି ଭାର୍ଗବୀକୁ ଫିଙ୍ଗିଦିଅ। ରତ୍ନାକର ଭଳି ନିଃସ୍ବଙ୍କୁ ଜାମାତା କରିବା ଅପେକ୍ଷା ଝିଅକୁ ମାରିଦେବା ଭଲ। ଗୋପବନ୍ଧୁ କନ୍ୟାକୁ କହିଲେ ମୁଁ ତୋତେ ରତ୍ନଟିଏ ଦେଉଛି। ନିରାଡମ୍ବର ଭାବେ ରଙ୍ଗର ବିବାହ ସମ୍ପନ୍ନ ହେଲା। ପ୍ରଖ୍ୟାତ ଦାର୍ଶନିକ, ସାହିତି୍ୟକ, ଅଧ୍ୟାପକ ରନତ୍ାକର ପତି ଥିଲେ ବାସ୍ତବରେ ରନତ୍ଟିଏ। କଟକ ପାରାଦୀପ ରାସ୍ତାର ବିରିବାଟିଠାରେ ଥିବା ‘ରନତ୍ାକର ବିଦ୍ୟାମନ୍ଦିର’ ରନତ୍ାକରଙ୍କର ସ୍ମୃତି ବହନକରି ସଗର୍ବେ ଦଣ୍ଡାୟମାନ।
ପୁରାଣ ବର୍ଣ୍ଣିତ ଆଉ ଏକ କାହାଣୀ ଉପଯୁକ୍ତ ବରପାତ୍ର ଚୟନରେ ଦୃଷ୍ଟାନ୍ତ ବହନ କରେ। ଋଷି କାଶ୍ୟପଙ୍କ ଗୁରୁକୁଳାଶ୍ରମ ଥିଲା ଏକ ଅନନ୍ୟ ଶିକ୍ଷାକେନ୍ଦ୍ର, ଯେଉଁଠି ଦୂରଦୂରାନ୍ତରୁ ଆସି ଶିଷ୍ୟମାନେ ଶିକ୍ଷା ସହ ଚରିତ୍ରଗଠନର ମୂଲ୍ୟବାନ ଭୂଷଣରେ ଭୂଷିତ ହୋଇ ଜୀବନରେ ପାରଦର୍ଶିତା ଲାଭ କରୁଥିଲେ। ଦିନେ ଗୁରୁଜୀଙ୍କୁ ଏକାନ୍ତ ଉଦାସ ଥିବା ଦେଖି ଶିଷ୍ୟମାନେ ଏହାର କାରଣ ଜାଣିବାକୁ ଚାହିଁବାରୁ ଗୁରୁଜୀ କହିଲେ, ମୋ ପୁତ୍ରୀ ଈରାବତୀ ବିବାହ ବୟସରେ ଉପନୀତ। କିନ୍ତୁ ବିବାହ ଖର୍ଚ୍ଚ ଓ ଉପହାର ଦେବାକୁ ମୋ ପାଖରେ ଅର୍ଥ ନାହିଁ। ଏକଥା ଶୁଣି ଶିଷ୍ୟମାନେ କହିଲେ – ଗୁରୁଜୀ ଆମେ ସମସ୍ତେ ଧନୀଘରର ପିଲା। ଆମେ ଧନ ଆଣି ଆପଣଙ୍କ ସମସ୍ୟା ଦୂରୀକରଣରେ ସହାୟତା କରିବୁ। ଗୁରୁଜୀ କହିଲେ ପରଧନ ଆଶାକରିବା ପାପ। ତଥାପି ତୁମେମାନେ ଯଦି ଦେବାକୁ ଚାହୁଁଛ – ତେବେ ଏପରିଭାବେ ଘରୁ ଧନ ଆଣିବ ଯେପରି କେହି ଜାଣିବେ ନାହିଁ। ସବୁ ଶିଷ୍ୟ ସ୍ବଗୃହକୁ ଗମନକଲେ ଓ ଯଥେଷ୍ଟ ଧନରାଶି ସହ ଆଶ୍ରମରେ ପହଞ୍ଚତ୍ଲେ। ସମସ୍ତେ ଯିବାପରେ ଗୁରୁଜୀ ଲକ୍ଷ୍ୟ କରିଥିଲେ ମାତ୍ର ଜଣେ ଶିଷ୍ୟ ଆଶ୍ରମରେ ଏକାକୀ ଥିଲା। ଗୁରୁଜୀ ତାଙ୍କୁ ପଚାରିଲେ, କ’ଣ ତୁମେ ନିର୍ଦ୍ଧନ ନା ଗୁରୁଙ୍କର ସହାୟତା ପାଇଁ ତୁମେ ଅନିଚ୍ଛୁକ ? ଶିଷ୍ୟଟି ସବିନୟ ଉତ୍ତର ଦେଲା- ନା ଗୁରୁଜୀ ମୁଁ ଅତି ଧନୀଘରର ପିଲା। ଚାହିଁଥିଲେ ପ୍ରଚୁର ଧନରନତ୍ ଆଣି ଆପଣଙ୍କ ପାଦତଳେ ଅଜାଡି ଦେଇଥାନ୍ତି। କିନ୍ତୁ ଆପଣଙ୍କ ଆଦେଶ ମୋତେ ଦ୍ୱିଧାଗ୍ରସ୍ତ କଲା। ଆପଣ ତ କହିଥିଲେ ଅନ୍ୟର ଅଗୋଚରରେ ଯେଉଁ ଧନପ୍ରାପ୍ତ କରାଯାଏ ତାହା ପାପ। ଏହା ଜାଣି ମଧ୍ୟ ମୁଁ କିପରି ଏହା କରିଥାନ୍ତି। ଆପଣଙ୍କ ଆଦେଶ ଅମାନ୍ୟ କରିଥିବାରୁ ମୁଁ ଦଣ୍ଡଯୋଗୀ। ଗୁରୁଜୀ କହିଲେ, ଅବଶ୍ୟ ତୁମେ ଦଣ୍ଡିତ ହେବ। ତୁମକୁ ମୋ କନ୍ୟାର ପାଣି ଗ୍ରହଣ କରିବାକୁ ହେବ। ଗୁରୁଙ୍କର ଏହା ଥିଲା ଶିଷ୍ୟମାନଙ୍କ ପ୍ରତି ଏକ ପରୀକ୍ଷା।
ପ୍ରାଚୀନ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ବିବେଚନା କରାଯାଉଥିଲା। ସେଥିରେ ନ ଥିଲା ଛଳନା କିମ୍ବା ଛାଡପତ୍ର ଭଳି ଶୋଚନୀୟ ପରିଣତି। ପ୍ରେମ ବିବାହ ଭଲ କଥା; ମାତ୍ର ଏଥିରେ ମାତାପିତା ଓ ଗୁରୁଜନଙ୍କର ଶୁଭାଶୀର୍ବାଦ ରହିବା ଆବଶ୍ୟକ। ବିବାହ ବିଚ୍ଛେଦ ଓ ପୁନର୍ବିବାହ ଆଜି ସାମାଜିକ ବିଧିବ୍ୟବସ୍ଥାକୁ କୀଟଦଷ୍ଟ କଲାଣି। ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ଓ ସହଭାଗିତାର ଅଭାବ ବିବାହର କୁପରିଣତିକୁ ଆବାହନ କରେ। ସମାଜର ଉଚ୍ଚସ୍ତର ବ୍ୟକ୍ତିବିଶେଷ ଯଥା ରଜାନେତା, ଅଭିନେତା, ଶାସକ, ପ୍ରଶାସକ ଓ ସମ୍ଭ୍ରାନ୍ତ ବଂଶଜଙ୍କ କ୍ଷେତ୍ରରେ ଛାଡ଼ପତ୍ର ଏକ ସାଧାରଣ ଘଟଣା ହୋଇଗଲାଣି। ମନେରଖିବାକୁ ହେବ ଯେ ବିବାହ କେବଳ ଏକ ଶାରୀରିକ ଆବଶ୍ୟକତା ନୁହେଁ। ଶାରୀରିକ ଏକତ୍ରୀକରଣ ସହ ମାନସିକ ଓ ଆବେଗିକ ଏକତ୍ରୀକରଣ ହିଁ ଏକ ସଫଳ ବିବାହର ପରିଚାୟକ। ଦିବ୍ୟ ଜନନୀ ଶ୍ରୀମା କହନ୍ତି – “ଯୌନକ୍ରିୟା ହେଲା ପ୍ରକୃତିର ନିମ୍ନସ୍ତରୀୟ କାର୍ଯ୍ୟର ଅନ୍ତର୍ଗତ ଏକ ବ୍ୟାପାର। ତୁମେ ଯଦି ସେହି ନିମ୍ନସ୍ତରରେ ରହୁଥାଅ ତେବେ ତୁମ ଭିତରେ ପ୍ରକୃତିର କେବଳ ସେହିଭାବ ଓ କ୍ରିୟା ହିଁ ଚାଲିବ, ଯାହା ପଶୁଠାରୁ କୌଣସି ଗୁଣରେ ଉନ୍ନତ ନୁହେଁ।” ବିବାହ ବିଶ୍ୱାସ ଉପରେ ପର୍ଯ୍ୟବସିତ ହେବା ଉଚିତ।

– ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri