ଭୁଲ୍‌ ବାର୍ତ୍ତା

ବାଂଲାଦେଶରେ ଦୁର୍ଗାପୂଜା ସମୟରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମୁସଲମାନ ସମ୍ପ୍ରଦାୟର କେତେ ଜଣ ଲୋକ ଆକ୍ରମଣ କରିବାରୁ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ଅଦ୍ୟାବଧି ଦୁଇ ଜଣ ହିନ୍ଦୁଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଖବର ମିଳିଛି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଜାରି ରହିଛି। ଶୁଣିବାକୁ ମିଳିଛି ଯେ, ହିନ୍ଦୁ ଦେବତାଙ୍କ ଆଣ୍ଠୁ ଉପରେ କୋରାନ୍‌ ରଖାଯାଇଥିବାର ଫଟୋ ଭାଇରାଲ ହେବା ପରେ ସ୍ଥିତି ଅଣାୟତ୍ତ ହୋଇଛି। ବାସ୍ତବରେ ବିବାଦୀୟ ବିନ୍ଦୁ କ’ଣ ରହିଥିଲା ତାହା ଜାଣିବା କଷ୍ଟକର। ଯେହେତୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି ଏବଂ ଆସନ୍ତା ୨୩ ତାରିଖରେ ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିଆନ ୟୁନିଟ୍‌ କାଉନ୍‌ସିଲ ଦେଶବ୍ୟାପୀ ଆମରଣ ଅନଶନ କରିବ ବୋଲି କହିଛି, ତାହାକୁ ସେଠାକାର ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି।
ପରିସଂଖ୍ୟାନ ଦେଖିଲେ ୧୯୭୧ ପରଠାରୁ ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଚାଲିଛି। ୨୦୧୧ ଜନଗଣନା ଅନୁଯାୟୀ ବାଂଲାଦେଶରେ ହିନ୍ଦୁଙ୍କ ଜନସଂଖ୍ୟା ୮.୮୬ ପ୍ରତିଶତ ରହିଥିଲା। ଇତିମଧ୍ୟରେ ସେମାନଙ୍କ ସଂଖ୍ୟା ଆହୁରି କମିଯାଇଥିବା ବିଷୟରେ କେତେକ ରିପୋର୍ଟ ପ୍ରକାଶ ପାଇଛି। ଏପରି କି ସେଠାକାର ସଂଖ୍ୟାଗରିଷ୍ଠଙ୍କ ଉତ୍ପୀଡ଼ନର ଶିକାର ହୋଇ ହିନ୍ଦୁମାନେ ଭାରତରେ ଶରଣାର୍ଥୀ ଜୀବନ ବିତାଉଛନ୍ତି। ଓଡ଼ିଶା ଉପକୂଳ ଅଞ୍ଚଳରେ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବିଷୟରେ ଅନେକ ତଥ୍ୟରୁ ଜଣାପଡ଼ିଛି। ନିକଟରେ ଘଟିଥିବା ହିଂସାକୁ ବାଂଲାଦେଶର ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ଉସୁକାଇଛି ବୋଲି ଶାସକ ଦଳ ଆଓ୍ବାମି ଲିଗ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ହିଂସା ପଛରେ ବିଏନ୍‌ପି ଓ ଜମାତ୍‌ ସଙ୍ଗଠନର ହାତ ରହିଥିବା କୁହାଯାଉଛି। ତେବେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଶେଖ୍‌ ହାସିନା ସରକାର ସଂଖ୍ୟାଲଘୁଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଭଳି ସ୍ଥଳେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଗୁରୁତ୍ୱର ସହିତ ନେବା ଦରକାର। ପ୍ରତି କଥାରେ କେବଳ ପାକିସ୍ତାନ ପଛରେ ପଡ଼ିଲେ ହେବ ନାହିଁ। କିଛି ବର୍ଷ ତଳେ ଭାରତ-ବାଂଲାଦେଶ ସୀମାନ୍ତରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଯବାନଙ୍କୁ ହତ୍ୟା କରାଯାଇ ମୃତଶରୀରକୁ ଅସ୍ବାଭାବିକ ଢଙ୍ଗରେ ବୋହି ନିଆଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେତେବେଳେ ତାହାକୁ ନେଇ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଆଫଗାନିସ୍ତାନରେ ଆମେରିକା ଓ ତାହାର ସହଯୋଗୀ ସେନାଙ୍କ ବିଫଳତା ପରେ ତାଲିବାନ୍‌ ଶାସନ ପୁନଃ ଚାଲିବା ଇସ୍‌ଲାମୀୟ ମୌଳବାଦୀଙ୍କୁ ସକ୍ରିୟ କରାଇଦେଇଛି। ବାଂଲାଦେଶରେ ଯାହା ଘଟିଲା ତାହା କାହାରିକୁ ଆଶ୍ଚର୍ଯ୍ୟ କରିବା କଥା ନୁହେଁ। ଏଭଳି ସ୍ଥଳେ ଭାରତୀୟ ଆଭ୍ୟନ୍ତରୀଣ ନୀତି ତାହାର ବହିର୍ବ୍ୟାପାର ନୀତି ଉପରେ ପ୍ରଭାବ ପକାଇବା ସ୍ବାଭାବିକ। ଭାରତୀୟଙ୍କ ମନରେ କେବଳ ସଂଖ୍ୟାଲଘୁ ନୁହେଁ, ଦଳିତଙ୍କ ପ୍ରତି ମଧ୍ୟ ଅସହିଷ୍ଣୁ ଭାବ ପ୍ରବଳମାତ୍ରାରେ ରହିଆସିଛି। ସେହି ମନୋଭାବ ପଦାକୁ ଆସିପାରୁ ନ ଥିଲା। କାରଣ ସରକାରୀ ସ୍ତରରେ ତାହାକୁ ଅନୁମୋଦନ ବା ସମର୍ଥନ ମିଳୁ ନ ଥିଲା। ଏବେ ବ୍ୟବସ୍ଥାପକମାନେ ସେହି ଅସହିଷ୍ଣୁତାକୁ ସକ୍ରିୟ ସହଯୋଗ ଯୋଗାଇ ଦେଇଥିବାରୁ ତାହା ଏକ ବିକଟାଳ ରୂପ ଧାରଣ କରିଛି। ଏହି ମନୋଭାବକୁ ଉସୁକାଇଲେ ଆଭ୍ୟନ୍ତରୀଣ ରାଜନୀତି ଓ ଭୋଟରେ ପ୍ରଭାବ ପଡ଼ୁଛି। ଅନ୍ୟପଟେ ଭାରତର ପ୍ରାୟ ଅଧିକାଂଶ ପଡ଼ୋଶୀ ଦେଶ ଇସ୍‌ଲାମୀୟ ହୋଇଥିବାରୁ ତାହାର ନାକାରାତ୍ମକ ଦିଗ ଏବେ ବହିର୍ବ୍ୟାପାର କ୍ଷେତ୍ରରେ ଦେଖାଦେଲାଣି। ଏହାବ୍ୟତୀତ ଅଣ-ଇସ୍‌ଲାମୀୟ ଦେଶ ଭାବେ ଭୁଟାନ୍‌, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ନେପାଳ ବର୍ତ୍ତମାନ ଚାଇନା ସହିତ ଯଥେଷ୍ଟ ଘନିଷ୍ଠ ହୋଇ ସାରିଲେଣି। ଭାରତର ଚାରି ଦିଗରେ କୌଣସି ମିତ୍ର ଦେଶ ଥିବା ଭଳି ମାନଚିତ୍ର ଦେଖିଲେ ଜଣାପଡ଼ୁନାହିଁ। ଏହା ହେଉଛି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ବିଫଳତା।
ସେପ୍ଟେମ୍ବର ୨୩ରେ ଆସାମର ଦରଙ୍ଗ ଜିଲାରେ ସରକାରଙ୍କ ଜମି ଉଚ୍ଛେଦ କାର୍ଯ୍ୟ ବେଳେ ହିଂସାକାଣ୍ଡ ଘଟିବାରୁ ଦୁଇ ଜଣ ମୁସଲମାନଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ସଂଖ୍ୟାଲଘୁଙ୍କ ଜମିକୁ ଟାର୍ଗେଟ କରାଯାଇ ସେମାନଙ୍କୁ ଯେଭଳି ଭାବେ ହତ୍ୟା କରାଯାଇ ଭିଡିଓ ପ୍ରସାରିତ ହୋଇଥିଲା, ତାହା ଦ୍ୱାରା ହିମନ୍ତ ବିଶ୍ୱଶର୍ମାଙ୍କ ପରିଚାଳିତ ଭାଜପା ସରକାରକୁ ସମାଲୋଚିତ ହେବାକୁ ପଡ଼ିଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ପାକିସ୍ତାନ ପ୍ରତିବାଦ ଉଠାଇଛି। ଭାରତରେ ଥିବା ମୁସଲମାନମାନେ ସୁରକ୍ଷିତ ନୁହନ୍ତି ବୋଲି ଇସ୍‌ଲାମାବାଦ କହିଥିବାରୁ ତାହାକୁ ଭାରତ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ। ଭାରତ ହେଉ ବା ବାଂଲାଦେଶ ଯେଉଁଠାରେ ସଂଖ୍ୟାଲଘୁ ଅତ୍ୟାଚାରିତ ହେଲେ ମଧ୍ୟ ତାହା ଭୁଲ୍‌ ବାର୍ତ୍ତା ଦେଇଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri