ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କ ସୁରକ୍ଷା, ଅଧିକାର ଓ ସଶକ୍ତିକରଣ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ନ୍ୟାୟ ପାଇବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ସେ କହିଥିଲେ ଯେ ପୋଲିସ ଜଣେ ମହିଳାଙ୍କୁ ରାତିରେ ଗିରଫ କରିପାରିବ ନାହିଁ। ମହିଳାଙ୍କୁ ମହିଳା ପୋଲିସ ହିଁ ଗିରଫ କରିପାରିବେ। ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଶକ୍ତିଶ୍ରୀ ଯୋଜନା ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ।
ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶେଫାଳି ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ଜ୍ୟୋତ୍ସ୍ନାରାଣୀ ଦାସ, କଳ୍ପନା ସାଣ୍ଢ, ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଡ ଦେବାଶିଷ ସ୍ବାଇଁ, ଅଧ୍ୟାପକ ଆର ହରିଶ, ବିଦେଶୀ ରାଉତ, ଦିଗନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

