ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଦେଉଳପଡ଼ା ପଞ୍ଚାୟତ ବାଙ୍କୀଛନ୍ଦା ଗ୍ରାମରେ ଦୀର୍ଘବର୍ଷ ଧରି ବେଆଇନ ମଦ ବ୍ୟବସାୟୀମାନେ ଦେଶୀ ବିଦେଶୀ ମଦ କାରବାର କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି।
ଏହି ଗ୍ରାମର ଦୁଇ ମଦ ବେପାରୀ ମଦ ବିକ୍ରି କରିବା ପରେ ପୁରୁଷମାନେ ଦିନ ରାତି ମଦପାନ କରି ପରିବାର ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ମହିଳାମାନେ କହିଛନ୍ତି। ଏ ନେଇ ଗୁରୁବାର ୬୦ରୁ ଅଧିକ ମହିଳା ମହାକାଳପଡ଼ା ଥାନାରେ ପହଞ୍ଚି ନ୍ୟାୟ ପାଇବା ଆଶାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମହିଳାମାନେ ପହଞ୍ଚିବା ପୂର୍ବରୁ ଆମ ଗ୍ରାମକୁ ନିଶାମୁକ୍ତ କର ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ। ମହିଳାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକୁ ନେଇ ନବନିଯୁକ୍ତ ଥାନାଧିକାରିଣୀ ବନ୍ଦନା ପାତ୍ର ଖୁବ୍ଶୀଘ୍ର ବେଆଇନ ମଦ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଆଶ୍ୱସ୍ତି ଲାଭ କରି ଘରକୁ ଫେରିଥିବା କୁହାଯାଉଛି।
ଏ ସଂକ୍ରାନ୍ତରେ ଥାନାଧିକାରିଣୀ ବନ୍ଦନା ପାତ୍ରଙ୍କ ମତାମତ ନେବାରୁ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

