ମଦ ମର୍ଯ୍ୟାଦା

ଡ. ଗୌରହରି ରାଉତ

 

ଘଟଣାଟି ଏଇ ଅଳ୍ପଦିନ ତଳର। କଲେଜ ପଢ଼ା ଆମ ପୁରୁଣା ସାଙ୍ଗମାନଙ୍କ ବନ୍ଧୁମିଳନର ରାତ୍ରଭୋଜନରେ ମୁଁ ଏକ ରକମ ହରଡ଼ ଘଣାରେ ପଡ଼େ। ଭୋଜନ ପର୍ବ ଶେଷ ହେବା ଉତ୍ତାରୁ କେତେକ ବନ୍ଧୁ ବିଦେଶୀ ପାନୀୟ ସେବନ କରିବା ପାଇଁ ଟେବୁଲ ଚାରିପାଖରେ ବସି ସେମାନଙ୍କ ସହ ତାହା ପାନ କରିବାକୁ ମୋତେ ବାଧ୍ୟ କଲେ। ଯା’ ହେଉ ସେମାନଙ୍କର ମୋତେ ବିଦେଶୀ ପାନୀୟ ପାନ କରାଇବାର ଶତଚେଷ୍ଟା ବିଫଳ ହେଲା। ମୁଁ ସେତେବେଳେ ଶେଷ ସିଦ୍ଧାନ୍ତରେ ପହଞ୍ଚିଲି – ବନ୍ଧୁ ସମ୍ପର୍କ ପଛକେ ଛିନ୍ନ ହେଉ, ମାତ୍ର ସେ ବିଦେଶୀ ପାନୀୟ ସ୍ପର୍ଶ କରିବି ନାହିଁ। ମଦମାୟାରେ ନ ଭଳିବାର ପରିଣାମରେ ସେମାନଙ୍କ ଦୃଷ୍ଟିରେ ମୁଁ ନିହାତି ଏକ ଆଉଟ ଡେଟେଡ୍‌ ପୁରୁଣା ମଫୁ ଭାବରେ ପରିଚିତ ହେଲି। ସେବେଠାରୁ ସାଙ୍ଗମାନେ ଜାଣିଗଲେ ଯେ ଏ ଅନାଡ଼ି ମଦର ମର୍ଯ୍ୟାଦା ଜାଣେନି। ଆଉ ଯେତେଥର ଭୋଜିଭାତ ହୋଇଛି, ଭୋଜନ ପରେ ସେଇ କେତେଜଣ ସମଧର୍ମା ନିଜର ସାମାଜିକ ମର୍ଯ୍ୟାଦା (?) ପାଇବା ପାଇଁ ବିଦେଶୀ ମଦ୍ୟର ଆସର ଜମାନ୍ତି ସିନା, ଭୁଲ୍‌ରେ ମୋତେ ସେଥିରେ ସାମିଲ କରନ୍ତିନାହିଁ।
ସାମ୍ପ୍ରତିକ ସମାଜରେ ମଦଠାରୁ ଅଲଗା ହୋଇଗଲେ ‘ମର୍ଯ୍ୟାଦା’ ଶବ୍ଦଟା ଅଚଳ ପଇସା ପରି ହୋଇଯାଏ ବୋଲି ମଦ-ପ୍ରିୟ ଅଧିକାଂଶଙ୍କର ଧାରଣା। ବୋଇଲେ ମଦ ସହିତ ମର୍ଯ୍ୟାଦାର ସମ୍ପର୍କ ଏତେ ନିବିଡ଼ ଯେ ଏକ ବିନା ଆରେକ ନିଜର ଅସ୍ତିତ୍ୱ ହରାଇଲା ପରି ଲାଗିବ। ଏ କଥା ଆମେ କହୁନୁ, ମଦ-ମାତାଲଙ୍କର ଏହା ମତ। କାୟାର ଛାୟା ପରି ପରସ୍ପରର ଆତ୍ମୀୟତାକୁ ଏଇ ପ୍ରଜାତିର ଲୋକେ ଅନୁଭବ କରନ୍ତି ବୋଲି ମଦ ସହ ଯୋଡ଼ିହୋଇ ମର୍ଯ୍ୟାଦାବନ୍ତ ଭାବରେ ଆତ୍ମସନ୍ତୋଷ ଲାଭ କରନ୍ତି। ଆମ ତୁମ ପରି ଯେଉଁ ଗୋଷ୍ଠୀ ଏଥିରୁ ବାଦ୍‌ ପଡ଼ୁ ସେମାନଙ୍କର କି ମର୍ଯ୍ୟାଦା ସମାଜରେ? ଖାଲି ଯାହା ଅନାଡ଼ି, ଆଉଟ ଡେଟେଡ୍‌ ଆଉ ଅନାର୍ଯ୍ୟ ଭାବରେ ବଞ୍ଚିବାଟା ସାର ହୁଏ ସେମାନଙ୍କର।
କଥାଟା ଆଜ୍ଞା ମିଛ ନୁହେଁ। ଏଇ ଦେଖୁନାହାନ୍ତି -ବାହା ଭୋଜିରେ କେମିତି ମଦର ମହିମା ବଢ଼ିଯାଏ !
ଆପଣ ଯଦି ପୁଅ ବାହାଘର କରିଥିବେ, ଆମ କଥାର ଖିଅ ଧରିପାରିବେ। ଯଦି ଆପଣ ବରଯାତ୍ରୀଙ୍କୁ ଟାଙ୍କେ ଟାଙ୍କେ ମଦ ପିଇବାକୁ ନ ଦେବେ ତେବେ ଜାଣିନିଅନ୍ତୁ ଆପଣଙ୍କ ପୁଅ ସହ କେହି ବରଯାତ୍ରୀ ଯିବେନି। ‘ପାୱାର ପ୍ଲସ’ ଏଇ ସୋମରସ ଟିକକ ମାରି ହିନ୍ଦୀ ନାଗୀନ ଗୀତର ତାଳେ ତାଳେ ଯେତେବେଳେ ତରୁଣ/ଯୁବଗୋଷ୍ଠୀ ଗୁହ ଗୋବରରେ ଗଡ଼ି ନାଚନ୍ତି କ’ଣ ବଖାଣିବା ସେତେବେଳର ଦୃଶ୍ୟ? ଓଃ, ସେ କି ମର୍ଯ୍ୟାଦା! ଏ ମର୍ଯ୍ୟାଦା କ’ଣ ଆମ ତୁମପରି ଅନାଡ଼ିମାନଙ୍କ ଭାଗ୍ୟରେ ଜୁଟେ? ଏମାନଙ୍କ ମର୍ଯ୍ୟାଦା ସେତେବେଳେ ଆହୁରି ବଢ଼ିଯାଏ – ଯେତେବେଳେ ବର ବରଣୀ ହେବାପରେ ଏମାନଙ୍କୁ ଭୋଜନ ପାଇଁ କନ୍ୟା ଘର ତରଫରୁ ଆମନ୍ତ୍ରଣ କରାଯାଏ। ତଣ୍ଟିପର୍ଯ୍ୟନ୍ତ ପିଇଥିବା ମଦ ମର୍ଯ୍ୟାଦାସମ୍ପନ୍ନ ଏମାନେ ଯେତେବେଳେ ଖାଦ୍ୟ ପରଷୁଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଖରାପ ବ୍ୟବହାର ଦେଖାନ୍ତି, ସେତେବେଳେ ସେମାନଙ୍କଠାରୁ ଉତ୍ତମ ମଧ୍ୟମ ଖାଇ ନିଜ ମର୍ଯ୍ୟାଦାର ମାହାତ୍ମ୍ୟ ଦେଖାନ୍ତି। ହୋଟେଲ, ବାର, ରେସ୍ତେଁାରା – ଯଦି ଏସବୁ ଜାଗାକୁ ଆପଣ ଯାଉଥାନ୍ତି ‘ପାୱାର ପ୍ଲସ’ ସୋମରସ ପାନକରିବାର ଅଭ୍ୟାସ ରଖନ୍ତୁ, ନଚେତ ଆମପରି ଅନାଡ଼ି ପରି ଅପଦସ୍ଥ ହେବେ ସେଠି। ଅପଡେଟେଡ୍‌ ମୋର ଜଣେ ବନ୍ଧୁ ଥରେ କହିଲେ – ଜାଣିଛୁ, ଆମେ ବୋଇଲେ ମୁଁ, ମୋ ମିସେସ, ଡାଡ୍‌, ମମ୍‌ ସମସ୍ତେ ଆମ ଭୋଜନ ଟେବୁଲ ପାଖରେ ବିଦେଶୀ ପାନୀୟ ସେବନ କରୁ। ବନ୍ଧୁଙ୍କଠାରୁ ଏକଥା ଶୁଣିଲାପରେ ମୋତେ କାହିଁକି ଆକାଶିଆ ଆକାଶିଆ ଲାଗିଲା। ମୁଁ ସେତେବେଳେ ସ୍ବାଗତୋକ୍ତି କରୁଥିଲି – ହାୟ ହାୟ ମୁଁ କେଡ଼େ ଅନାଡ଼ିଟିଏ। ଆଧୁନିକ ଚାକଚକ୍ୟପୂର୍ଣ୍ଣ ସମାଜରେ ମୁଁ ଅଭାଗା, ଅନାର୍ଯ୍ୟ କେମିତି ଗୋଠଖଣ୍ଡିଆ ଜୀବ ଭାବରେ ବଞ୍ଚୁଛି ସତେ!
ଆଉ ଜଣେ ଅନ୍ତରଙ୍ଗ ମୋତେ ଏଇ ସୋମରସ ପାନ କରାଇବାକୁ ଶତପ୍ରୟାସ କରି ବିଫଳହୋଇ ଦିନେ କହିଲା- ହଇରେ ତୁ ଇହଧାମ ଛାଡ଼ି ଯେତେବେଳେ ଯମପୁରରେ ପହଞ୍ଚିବୁ, ଚିତ୍ରଗୁପ୍ତ ତୋ’ର ସବୁ ହିସାବନିକାଶ କରି କହିବ ‘ତୋତେ ମାନବ ଜନ୍ମ ଦେଇ ମର୍ତ୍ତ୍ୟଲୋକକୁ ପଠାଯାଇଥିଲା କ’ଣ ଏଇଥିପାଇଁ ? ଜୀବଦ୍ଦଶାରେ କେବେ ତ ସେ ‘ପାୱାର ପ୍ଲସ’ ସୋମରସ ଚାଖିଲୁନାହିଁ। ଜୀବନ ତୋ’ର ଅସାର/ଅସଫଳ ହେଲା; ସୁତରାଂ ଅଧୁରା ଜୀବନକୁ ପୂରା କରିବାକୁ ତୋତେ ପୁଣି ମର୍ତ୍ତ୍ୟଧାମରେ ଜନ୍ମ ନେବାକୁ ପଡ଼ିବ। ମୋ କଥା ମାନ, ନଇଲେ ଚିତ୍ରଗୁପ୍ତ ଆଉଥରେ ତୋତେ ମର୍ତ୍ତ୍ୟମଣ୍ଡଳକୁ ପଠାଇବ। ତେଣୁ ଏଇ ଜନ୍ମରେ ସେସବୁ ଚାଖିଥା। ଅନ୍ତରଙ୍ଗ ବନ୍ଧୁର ଏଇ କଥାକୁ ମନ ଭିତରେ ହର ଗୁଣ କଲି। କଥାର ମଞ୍ଜିଟାକୁ ମଗଜକୁ ନେଇ ଭାବିଲି- ସତରେ ବନ୍ଧୁ ମୋ’ର ଏକ ଗହନକଥା କହିଲା ଆଜି! ମୋ ଭଳି ସବୁ ଅନାଡ଼ିଙ୍କୁ ତ ଅପଦସ୍ଥ ହେବାକୁ ପଡ଼ିବ ଯମ ଦରବାରର ଚିତ୍ରଗୁପ୍ତ ପାଖରେ! ସେଇ କଥା ଖାଲି ଅହରହ ହାତୁଡ଼ି ପିଟିହେଲାପରି ଲାଗୁଛି। ମୋ ପଛରେ ଆଜି ଅଲଟ୍ରା ମଡର୍ନ ସମାଜ ଦାନ୍ତ ନିକୁଟି ହସୁଛି ହୋ-ହୋ ହୋଇ – ମଦବିହୀନ ଜୀବନ ଅଳମ। ଧେତ୍‌ ଅନାଡ଼ି କାହାଙ୍କା।
ୟା’ର ଗୁଣ କହିଲେ ନ ସରେ। ଏଥିରୁ ଟିକିଏ ମାରିଦେଇ ପୁରୁଷପୁଙ୍ଗବଟିଏ ଘରକୁ ଫେରି ଯେତେବେଳେ ନିଜ ପିଲା ସ୍ତ୍ରୀଙ୍କ ଉପରେ ମରଦପଣ ଦେଖାଏ, ସେତେବେଳେ ସେ ନିଜକୁ ଇନ୍ଦ୍ରଠାରୁ ବି ବଡ଼ ମନେକରି ମର୍ଯ୍ୟାଦାବନ୍ତ ଘଇତାର ପରିଚୟ ଜାହିର କରୁଥାଏ। କିନ୍ତୁ ସେତେବେଳେ ମଦ ମର୍ଯ୍ୟାଦା ଧରାଶାୟୀ ହୁଏ, ଯେତେବେଳେ ଶକ୍ତିସ୍ବରୂପା ସ୍ତ୍ରୀର ଝାଡ଼ୁ ପ୍ରହାର ରୂପକ ‘ପେଟେଣ୍ଟ ମେଡିସିନ’ ଆରମ୍ଭ ହୋଇଯାଏ। ପାନ କଲାମାତ୍ରେ ପାତକ ପୋଛି ହୋଇଯାଏ ବୋଲି ମଦ-ଭକ୍ତମାନେ ଧାଇଁଛନ୍ତି ତା’ରି ପଛରେ। ଏମାନେ ଯେତେବେଳେ ମାଲ୍‌ ଟିକିଏ ମାରି ବାଇକ କି କାର ଚଳାଉଥାନ୍ତି ସେ ତ ଏକ ଅକଳ୍ପନୀୟ ଅତୀନ୍ଦ୍ରିୟ ଜଗତରେ ଘୂରୁଥିବା ପରି ଲାଗେ। ସେତିକିବେଳେ ତାଙ୍କ କଳ୍ପିତ ବ୍ୟୋମଯାନ ଚଢ଼ିବାର ନିଶା ଚୂରମାର ହୁଏ ଯେତେବେଳେ ସେ ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ସାହାଯ୍ୟରେ ଆଣି ତାଙ୍କୁ କେଉଁ ହସ୍ପିଟାଲର ଆଇ.ସି.ୟୁ.ରେ ଭର୍ତ୍ତି କରାଯାଏ ଅଥବା ଟ୍ୟାଗଲଗା ପଲିଥିନରେ ବନ୍ଧା ନିଷ୍ପ୍ରାଣ ଶରୀରକୁ ହସ୍ପିଟାଲର ପଛ ଦରଜା ଦେଇ ବାହାରକୁ ଅଣାଯାଏ। ସେତେବେଳେ ଦେଖଣାହାରୀ ଯାହା ଭାବୁଥାନ୍ତି – ବାଃ ମଦର କି ମର୍ଯ୍ୟାଦା !
ଭୋଇନଗର, ଭୁବନେଶ୍ୱର
ମୋ: ୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri