
ଭୁବନେଶ୍ୱର,୨ା୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବୁଧବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତି ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିବା ବୈଠକ ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରଧାନ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହେବା ପରେ ତାଙ୍କ ଇସ୍ତଫାକୁ ନେଇ ଅନୁମାନ ଲାଗି ରହିଛି। ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଆସୋସିଏସନ ଜଗନ୍ନାଥଙ୍କ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଛୁଟିରେ ରହିବା ନିଷ୍ପତ୍ତି ନେଇଛି। ଏହା ରାଜନୈତିକ ଓ ପ୍ରଶାସନିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରେ ଏହି ଘଟଣାର ରାଜନୈତିକ ଓ ଆଇନଗତ ଦିଗ ଉପରେ ବିଚାରବିମର୍ଶ ହେଉଥିବା ଜଣାପଡ଼ିଛି। ଏହି ବୈଠକ ଚାଲିଥିବା ସମୟରେ କାର୍ଯ୍ୟାଳୟ ବାହାରେ ଜଗନ୍ନାଥ ପ୍ରଧାନଙ୍କ ଶତାଧିକ ସମର୍ଥକଙ୍କ ଭିଡ଼ ଏକତ୍ରିତ ହୋଇଥିବା ଦେଖାଯାଇଛି, ଯାହା ଏହି ଘଟଣାର ଗମ୍ଭୀରତାକୁ ଆହୁରି ସ୍ପଷ୍ଟ କରୁଛି।
ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ, ସେ ଓ ତାଙ୍କ ସହଯୋଗୀମାନେ ବିଏମସି ଅଫିସରେ ଜନଶୁଣାଣି ସମୟରେ ରତ୍ନାକର ସାହୁଙ୍କ ଚାମ୍ବରରେ ପଶି ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ରତ୍ନାକର ସାହୁ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖାରବେଳ ନଗର ଥାନା ପୁଲିସ ଏହି ମାମଲାରେ ଜଗନ୍ନାଥ ପ୍ରଧାନଙ୍କ ସମେତ ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି।
ଭାଜପା କାର୍ଯ୍ୟାଳୟରେ ଚାଲିଥିବା ଏହି ଆଲୋଚନା ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫା ବା ତାଙ୍କୁ ଦଳୀୟ କାର୍ଯ୍ୟରୁ ନିଲମ୍ବନ କରାଯିବା ସମ୍ଭାବନାକୁ ନେଇ ଅନୁମାନ ସୃଷ୍ଟି କରିଛି। ତେବେ, ଏ ସମ୍ପର୍କରେ ଭାଜପା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି ହୋଇନାହିଁ।
ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ଓ ପ୍ରଶାସନିକ ମହଲରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଜଗନ୍ନାଥ ପ୍ରଧାନଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପ ଏବଂ ଭାଜପାର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।