ନୂଆଦିଲ୍ଲୀ,୨୨।୧୧: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ୍ ଦଳକୁ ବଡ଼ ଝଟକା ଲାଗିଛି । ଦଳର ଉପଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ୱିଲ୍ ଜ୍ୟାକ୍ସ ଡାହାଣ ହାତର ହାଡ଼ ଭାଙ୍ଗିଯିବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା ଟି-୨୦ ସିରିଜ୍ର ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ଏହା ପରେ ଡିସେମ୍ବର ୨ ତାରିଖରେ ସିଡ୍ନୀରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ରେ ଟମ୍ ବାଣ୍ଟନ୍ କାର୍ଯ୍ୟକାରୀ ଅଧିନାୟକ ଭାବେ ଇଂଲଣ୍ଡ ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି ।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ୱିଲ୍ ଜ୍ୟାକ୍ସଙ୍କୁ ଇଂଲଣ୍ଡ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଥିଲା। ନିୟମିତ ଅଧିନାୟକ ହ୍ୟାରି ବ୍ରୁକ୍ ଚତୁର୍ଥ ମ୍ୟାଚ୍ ପରେ ଟେଷ୍ଟ ଦଳରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକା ଯିବାର କାର୍ଯ୍ୟକ୍ରମ ଥିଲା। ତେଣୁ ସିଡ୍ନୀରେ ଖେଳାଯିବାକୁ ଥିବା ପଞ୍ଚମ ଟି-୨୦ରେ ଜ୍ୟାକ୍ସ ପ୍ରଥମ ଥର ପାଇଁ ଇଂଲଣ୍ଡର ଅଧିନାୟକ ହେବାକୁ ଯାଉଥିଲେ । କିନ୍ତୁ ଆଘାତ ଯୋଗୁଁ ତାଙ୍କୁ ଅଧା ଗସ୍ତରୁ ସ୍ୱଦେଶ ଫେରିବାକୁ ପଡ଼ିବ।
ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପାଳିର ୧୯ତମ ଓଭର ବୋଲିଂ କରୁଥିବା ସମୟରେ ଜ୍ୟାକ୍ସ ଆହତ ହୋଇଥିଲେ । ବ୍ୟାଟର ବେନ୍ ଡ୍ୱାରଶୁଇସ୍ଙ୍କ ଏକ ଦ୍ରୁତ ରିଟର୍ଣ୍ଣ ଶଟ୍କୁ ଧରିବାକୁ ଚେଷ୍ଟା କରିବାବେଳେ ବଲ୍ଟି ତାଙ୍କ ଆଙ୍ଗୁଠି ମଝିରୁ ଖସିଯାଇଥିଲା। ଏଥିରେ ତାଙ୍କ ବୋଲିଂ କରୁଥିବା ହାତର ଚର୍ମ ଫାଟିବା ସହ ହାଡ଼ ଭାଙ୍ଗିଯାଇଥିଲା। ପଡ଼ିଆରେ କିଛି ମିନିଟ୍ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ସେ ନିଜ ଓଭରର ଶେଷ ଦୁଇଟି ବଲ୍ ପକାଇ ପାରିନଥିଲେ। ଅଧିକ ରକ୍ତସ୍ରାବ ହେବାରୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଜ୍ୟାକ୍ସଙ୍କ ଅନୁପସ୍ଥିତିରେ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରୁଥିବା ହେନ୍ରି କ୍ରୋକମ୍ବ ଓଭରର ଅବଶିଷ୍ଟ ଦୁଇଟି ବଲ୍ ପକାଇଥିଲେ ଏବଂ ମାତ୍ର ଗୋଟିଏ ରନ୍ ଦେଇଥିଲେ।
ଜ୍ୟାକ୍ସଙ୍କ ଅନୁପସ୍ଥିତିରେ ଟମ୍ ବାଣ୍ଟନ୍ ଇଂଲଣ୍ଡ ଦଳର ନେତୃତ୍ୱ ନେବାର ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ସେ ଚମତ୍କାର ଫର୍ମରେ ରହିଛନ୍ତି । ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରି ଦଳକୁ ସିରିଜ୍ରେ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ତୃତୀୟ ଦିନିକିଆରେ ମାତ୍ର ୩୫ ବଲ୍ରୁ ୪୪ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଇଂଲଣ୍ଡକୁ ୨-୧ରେ ସିରିଜ୍ ଜିତାଇବାରେ ସହାୟତା କରିଥିଲେ । ସେହିପରି ମେଲବର୍ଣ୍ଣରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ମଧ୍ୟ ହ୍ୟାରି ବ୍ରୁକ୍ଙ୍କ ସହ ୯୭ ରନ୍ର ଭାଗୀଦାରି କରିଥିଲେ । ଏହି ମ୍ୟାଚ୍ରେ ସେ ମାତ୍ର ୨୨ ବଲ୍ରୁ ୩୯ ରନ୍ ସଂଗ୍ରହ କରିଥିଲେ । ତେଣୁ ଶେଷ ଟି-୨୦ରେ ଦଳର ନେତୃତ୍ୱ ତାଙ୍କୁ ମିଳିବାର ସମ୍ଭାବନା ଅଧିକ ରହିଛି ।

