ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୦୨୬ରେ ଦେଶବାସୀଙ୍କୁ ଅପିଲ କରିଥିଲେ ଯେ ଯଦି ଅତ୍ୟନ୍ତ ଜରୁରୀ ନ ହୁଏ, ତେବେ ଏକ ବର୍ଷ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ। ସେହି ସମୟରେ ଦେଶରେ ପଶ୍ଚିମ ଏସିଆର ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳ (Crude Oil) ଦର ବଢ଼ୁଥିଲା ଏବଂ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ପଡ଼ୁଥିଲା। ସରକାରଙ୍କର ଚିନ୍ତା ଥିଲା ଯେ ସୁନା ଅଧିକ ଆମଦାନୀ କରିବା ଦ୍ୱାରା ଦେଶର ବୈଦେଶିକ ମୁଦ୍ରା ଖର୍ଚ୍ଚ ଆହୁରି ବଢ଼ିପାରେ।
ଏବେ ପ୍ରାୟ ଛଅ ମାସ ପରେ ସୁନା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ଯେ ପିଏମ ମୋଦୀଙ୍କ ଅପିଲ ସମୟରେ ସୁନା ଦର କେତେ ଥିଲା ଏବଂ ଆଜି ଏହା କେଉଁ ଦରରେ ମିଳୁଛି ଓ ଏହି ମଧ୍ୟରେ ସୁନା ଦରରେ କେତେ ହ୍ରାସ ଘଟିଛି।
ପିଏମ ମୋଦି ୧୦ ମେ ୨୦୨୬ରେ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମ ଅବସରରେ ଲୋକମାନଙ୍କୁ ସୁନା କିଣିବାରୁ ଦୂରେଇ ରହିବାକୁ ଅପିଲ କରିଥିଲେ। ସେ କହିଥିଲେ ଯେ ଯଦି ଆବଶ୍ୟକ ନ ହୁଏ, ତେବେ ଏକ ବର୍ଷ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ। ଏହା ପୂର୍ୱରୁ ଅର୍ଥାତ ୯ ମେରେ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ଗ୍ରାମ ପିଛା ୧୫,୨୫୦ ଟଙ୍କା ଥିଲା। ଏହି ହିସାବରେ ୧୦ ଗ୍ରାମ ସୁନା ଦର ୧,୫୨,୫୦୦ ଟଙ୍କା ଥିଲା।
ଏବେ ୨୨ ନଭେମ୍ୱର ୨୦୨୬ରେ ୨୪ କ୍ୟାରେଟ ସୁନା ଦର ଗ୍ରାମ ପିଛା ୧୨,୫୨୩ ଟଙ୍କାରେ ପହଞ୍ଚିଯାଇଛି। ଅର୍ଥାତ୍ ୧୦ ଗ୍ରାମ ସୁନା ଦର ୧,୨୫,୨୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ଗ୍ରାମ ପିଛା ୧୧,୪୮୦ ଟଙ୍କା ଅର୍ଥାତ ୧୦ ଗ୍ରାମ ପାଇଁ ୧,୧୪,୮୦୦ ଟଙ୍କା ରହିଛି। ଏଥିରେ GST ସାମିଲ ନାହିଁ। ଅଳଙ୍କାର କିଣିବା ସମୟରେ ମେକିଂ ଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଯୋଡ଼ି ହେବା ଦ୍ୱାରା ବିଲ ରାଶି ଭିନ୍ନ ହୋଇପାରେ।
ଯଦି ପିଏମ ମୋଦୀଙ୍କ ଅପିଲ୍ର ଗୋଟିଏ ଦିନ ପୂର୍ୱର ୨୪ କ୍ୟାରେଟ ସୁନା ଦର ସହିତ ଆଜିର ଦରକୁ ତୁଳନା କରାଯାଏ, ତେବେ ୧୦ ଗ୍ରାମ ସୁନା ୨୭,୨୭୦ ଟଙ୍କା ଶସ୍ତା ହୋଇସାରିଛି। ଅର୍ଥାତ ଦରରେ ପ୍ରାୟ ୧୭.୯ ପ୍ରତିଶତ ହ୍ରାସ ଘଟିଛି। ମେ ମାସରେ ଯେଉଁଠି ୧୦ ଗ୍ରାମ ସୁନା ପାଇଁ ୧.୫୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିଲା, ସେଠାରେ ଏବେ ଏଥିପାଇଁ ପ୍ରାୟ ୧.୨୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।
୨୧ ନଭେମ୍ୱରରେ ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମ ଅବସରରେ ପିଏମ ମୋଦୀ ସୁନା ଦରରେ ଆସିଥିବା ହ୍ରାସର ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସେ ଲୋକମାନଙ୍କୁ କମ ସୁନା କିଣିବାକୁ ଅପିଲ କରିଥିଲେ ଏବଂ ଦେଶବାସୀ ତାଙ୍କ କଥା ମାନିଛନ୍ତି। ତାଙ୍କ ମତରେ, ଲୋକଙ୍କୁ ଏବେ ଲାଗୁଛି ଯେ ଏହି ପରାମର୍ଶ ଦ୍ୱାରା ସେମାନଙ୍କର ଟଙ୍କା ବଞ୍ଚିଯାଇଛି।
ତଥାପି, ସୁନା ଦରରେ ହ୍ରାସର କାରଣ କେବଳ ଲୋକଙ୍କ କିଣାକିଣି କମିବା ନୁହେଁ। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଉପରେ ଚାପ ବଜାୟ ରହିଛି। ଆମେରିକୀୟ ଡଲାରର ମଜବୁତି, ବଣ୍ଡ ୟିଲ୍ଡ (Bond Yield)ରେ ବୃଦ୍ଧି ଏବଂ ଆମେରିକୀୟ ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ବଢ଼ାଇବାର ଆଶଙ୍କା ସୁନା ଦରକୁ ତଳକୁ ଟାଣି ଆଣିଛି।

