କୋକସରା,୨୨।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବହୁଚର୍ଚ୍ଚିତ ଲଡୁଗାଁର ରାଜୁ ବାଗ ହତ୍ୟା ଘଟଣାକୁ ପ୍ରାୟ ୨୦ ଦିନ ବିତିଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ହତ୍ୟାକାରୀଙ୍କ ସନ୍ଧାନ ପାଇବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରି ରବିବାର କୋକସରା ଥାନା ଘେରାଉ କରାଯାଇଛି । ଦୋଷୀଙ୍କୁ ତୁରନ୍ତ ଗିରଫ ଓ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ଆଞ୍ଚଳିକ ଡମ୍ବ ସମାଜ, ମୃତକଙ୍କ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା। ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ରାଜୁ ବାଗଙ୍କୁ ନ୍ୟାୟ ପ୍ରଦାନ ଦାବିରେ କୋକସରା ଥାନାରେ ପହଞ୍ଚିଥିଲେ । ଥାନା ପରିସରରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ପରିସ୍ଥିତି ଯେପରି ଅପ୍ରୀତିକର ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ପ୍ରାୟ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀମାନେ ପୋଲିସ ତଦନ୍ତରେ ଶିଥିଳତା ଅଭିଯୋଗ କରିବା ସହ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ, ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଆଦି ଦାବି କରି ଥାନା ଫାଟକ ସମ୍ମୁଖରେ ନାରାବାଜି କରିଥିଲେ । ଏହି ସମୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେବା ସହ ଧସ୍ତାଧସ୍ତି ହୋଇଥିଲା। ଏଥିସହ କିଛି ସମୟ ଧରି ରାସ୍ତାରୋକ ମଧ୍ୟ କରାଯାଇଥିଲା। ଖବର ପାଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରିଣୀ ଭର୍ଷିତା ଆଡେପୁ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।ପରେ ଆନ୍ଦୋଳନକାରୀମାନେ ପ୍ରତିବାଦ ଜାରି ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆସନ୍ତା ସାତ ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ଆନ୍ଦୋଳନରେ ବଞ୍ଜରା ସମାଜର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ । ଏଥିସହ ବେହେରା ଭଣାରଡଙ୍ଗରି ନିକଟରେ ଘଟିଥିବା ଅନ୍ୟ ଏକ ଘଟଣାକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଥିଲେ। ଉକ୍ତ ଘଟଣାକୁ କଳାହାଣ୍ଡି ପୋଲିସ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ। ଉଭୟ ଘଟଣାରେ ପୋଲିସ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ସେମାନେ ଦାବି କରିଥିଲେ । ରାଜୁ ବାଗଙ୍କୁ ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ଜଣାଇଥିଲେ ।

