ଗୁଡାରି,୨୨।୧୧(ପ୍ରମୋଦ କୁମାର ପତି): ସୋମବାର ଠାରୁ ଗୁଡାରି ବ୍ଲକର ସମସ୍ତ ୧୩୩ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ୭ ଦଫା ଦାବି ପୂରଣ ନେଇ ରାଜ୍ୟ ସଙ୍ଘର ନିଷ୍ପତ୍ତି, ଜିଲା ସଙ୍ଘର ସହମତି କ୍ରମେ ଗୁଡାରି ବ୍ଲକ ଅଙ୍ଗନଓ୍ବାଡି କର୍ମୀସଙ୍ଘ ସହଯୋଗ କରିଛି । ବ୍ଲକରେ କାର୍ଯ୍ୟରତ ସମସ୍ତ ଅଙ୍ଗନଓ୍ବାଡିକର୍ମୀ ସମୂହ ଛୁଟି ଦରଖାସ୍ତ ପୂର୍ବରୁ ବିଡ଼ିଓ ଶୁଚିସ୍ମିତା ବେହେରା, ସିଡିପିଓ ଅନିତା ପାଣିଗ୍ରାହୀ ଏବଂ ସ୍ଥାନୀୟ ପୋଲିସ ଥାନାରେ ପ୍ରଦାନ କରିଛନ୍ତି । ସୋମବାର ଦିନ ରାଜ୍ୟର ସମସ୍ତ କାର୍ଯ୍ୟରତ ଅଙ୍ଗନଓ୍ବାଡିକର୍ମୀ ରାଜଧାନୀରେ ଦାବି ପୂରଣ ନେଇ ଧାରଣାରେ ବସିବେ ଏବଂ ସେଠାରୁ ଫେରି ସ୍ଥାନୀୟ ଆଇସିଡି ଏସ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ସୂଚନା ରହିଛି ।
ଉଭୟ ଅଙ୍ଗନଓ୍ବାଡିକର୍ମୀ ଓ ହେଲ୍ପର ଛୁଟିରେ ରହିବା ଫଳରେ ବ୍ଲକର ପ୍ରାୟ ୫୦୦୦ ପିଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏ ନେଇ ବ୍ଲକ ଅଙ୍ଗନଓ୍ବାଡିନେତ୍ରୀ ମୋହିନୀ ପାଲକା କହିଛନ୍ତି ରାଜ୍ୟ ସଙ୍ଘର ନିଷ୍ପତ୍ତି କ୍ରମେ ଆମେ ସହଯୋଗ କରୁଛୁ । ଏ ସମ୍ପର୍କରେ ଶ୍ରମିକ ନେତା ଯୋଗେଶ୍ୱର ଦାସ କହିଛନ୍ତି ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ୟୁନିଅନର ଭଉଣୀମାନେ କାର୍ଯ୍ୟ କ୍ଷେତ୍ରରେ ସରକାର ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବେଳେ ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ଆମେ ଧାରଣାରେ ବସିବୁ ।

