କୋଲକାତା,୨୨।୧୧: ପଶ୍ଚିମବଙ୍ଗର ଭାଜପା ବିଧାୟିକା ରେଖା ପାତ୍ର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶନିବାର ନିଜ ଘରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ବସିରହାଟ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ରବିବାର ଦଳୀୟ ସୂତ୍ରରୁ ଏହି ସୂଚନା ମିଳିଛି।
ଉତ୍ତର ୨୪ ପରଗଣା ଜିଲାର ହିଙ୍ଗଲଗଞ୍ଜ ବିଧାନସଭା ଆସନର ବିଧାୟିକା ରେଖାଙ୍କୁ ଦେଖିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶରଦ୍ୱତ ମୁଖାର୍ଜୀ ହସ୍ପିଟାଲକୁ ଯାଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରେଖାଙ୍କ ପରିବାର ଲୋକେ ଖାଦ୍ୟ ବିଷାକ୍ତତା (ଫୁଡ୍ ପଏଜନିଂ) ଯୋଗୁଁ ସେ ଅସୁସ୍ଥ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି । ତେବେ ଅସୁସ୍ଥତାର ପ୍ରକୃତ କାରଣ ଜାଣିବାକୁ ଡାକ୍ତରମାନେ ପରୀକ୍ଷା କରୁଛନ୍ତି।
ଆର୍ଏନ୍ ଟାଗୋର ହସ୍ପିଟାଲର କୋଲକାତା ମୁଖ୍ୟ ଅଭିଜିତ୍ ସି.ପି. କହିଛନ୍ତି, ହସ୍ପିଟାଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅପଡେଟ୍ ଦିଆଯିବ ଏବଂ ସରକାର ଗଣମାଧ୍ୟମକୁ ସୂଚନା ଦେବେ । ଏହି ଘଟଣାରେ ତୃଣମୂଳ କଂଗ୍ରେସ ନେତା କୁଣାଲ ଘୋଷ ମଧ୍ୟ ରେଖାଙ୍କ ଅସୁସ୍ଥତାର ପ୍ରକୃତ କାରଣ ଜଣାଇବାକୁ ଦାବି କରିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
୨୦୨୪ ମସିହା ଆରମ୍ଭରେ ଉତ୍ତର ୨୪ ପରଗଣାର ସନ୍ଦେଶଖାଲି ଆନ୍ଦୋଳନ ସମୟରେ ରେଖା ପାତ୍ର ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ । ସେଠାରେ ମହିଳାଙ୍କୁ ହଇରାଣ ଓ ଜମି ଜବରଦଖଲ ନେଇ ହୋଇଥିବା ଅଭିଯୋଗ ପ୍ରତିବାଦରେ ହୋଇଥିବା ଆନ୍ଦୋଳନରେ ସେ ଜଣେ ପ୍ରମୁଖ ସ୍ୱର ଭାବେ ଉଭା ହୋଇଥିଲେ ।

