Posted inUncategorized

ଅପାଠୁଆ ସାକ୍ଷର

ସମୟ କ୍ରମେ ସବୁ ଆଜି ବଦଳି ଯାଇଛି, ବଦଳି ଯାଇଛି ଗାଁ ସ୍କୁଲର ଛପରଘର, ବଦଳି ଯାଇଛି ରାସ୍ତାଘାଟ, ବିଲବାଡି ନଈ, ନାଳର ଚେହେରା, ବଦଳି ଯାଇଛି ଲୋକମାନଙ୍କ ଚାଲିଚଳନ, ବେଶଭୂଷା ଓ ଖାଦ୍ୟପେୟ, ବଦଳି ଯାଇଛି ପିଲାଦିନେ ଦେଖିଥିବା ସନା ମା’ର ଛପରଘର। ଆଜି ସିନା ସନା ମା’ ବଞ୍ଚିନି କିନ୍ତୁ ବଞ୍ଚିରହିଛି ସେ ଛାଡି ଯାଇଥିବା ଆଦର୍ଶ। ଆମ ଗାଁକୁ ବୋହୂ ହୋଇ ଆସିଲାବେଳେ ସେ ଅନ୍ୟ ନାମରେ ପରିଚିତ ଥିଲା। ବିବାହର ଦୁଇ ବର୍ଷ ପରେ ହେଲା ପୁଅଟିଏ। ଶନିବାର ଜନ୍ମ ହୋଇଥିବାରୁ ତା’ ନାଁ ରଖିଲା ସନା। ସେହିଦିନଠାରୁ ସନା ମା’ ନାମରେ ପରିଚିତ। ଏବେ ବି ମନେପଡେ ସନା ମା’ର ମୋ ବୋଉ ପ୍ରତି ଥିବା ଶ୍ରଦ୍ଧା, ବିଶ୍ୱାସ ଓ ଆତ୍ମୀୟତା। ସନା ମା’ ନିରକ୍ଷର, ପାଠର ‘ପ’ ଅକ୍ଷର ବି ଜାଣିନି। ଅପାଠୁଆ ହେଲେ ବି ସେ ପାଠୁଆଙ୍କଠାରୁ କୌଣସି ଗୁଣରେ କମ୍‌ ନ ଥିଲା।
ପିଲାଦିନେ ଦେଖିଛି ଅନେକ ସମୟରେ ସନା ମା’ ଆମ ଘରକୁ ଆସେ। ବୋଉ ସହ ଗପେ। କେତେବେଳେ ବଡପାଟିରେ ତ ଆଉ କେତେବେଳେ ଫୁସୁରଫାସର କଥା ବୋଉ କାନରେ କହେ। ମୁଁ ସେତେବେଳେ କିଛି ବୁଝିପାରୁ ନ ଥିଲି। ଦିନେ ବୋଉକୁ କ’ଣ ଗୋଟାଏ ଦେବା ସମୟରେ ହଠାତ୍‌ ସେଇଟି ତଳେ ପଡିଗଲା। ଝମ ଝମ ଶବ୍ଦରେ ପ୍ରକମ୍ପିତ ହୋଇଉଠିଲା ଘର। ସେତେବେଳେ ଜାଣିଲି ସନା ମା’ ଘର ଖର୍ଚ୍ଚରୁ ବଞ୍ଚାଇଥିବା ପଇସା ମୋ ବୋଉ ପାଖରେ ରଖେ। ଦରକାର ବେଳେ ମାଗିନିଏ ଖର୍ଚ୍ଚ କରିବାକୁ। ନିୟମିତ ସେ ଆମ ଘରକୁ ଆସେ। ନିଜ ପାଖରେ ପଇସା ନ ରଖି ମୋ ବୋଉ ପାଖରେ ଜମା କରେ। ଦିନେ ସନା ମା’କୁ ପଚାରିଲି, ”ତମର ତ ଜମିବାଡି କି ଚାକିରିବାକିରି ନାହିଁ। ମୂଲ ଲାଗିଲେ ଘରର ଚୁଲି ଜଳିବ, ଏତେ କମ୍‌ ରୋଜଗାରରେ କେମିତି ଚଳୁଛ। ତମ ରୋଜଗାର ତ ଘରଖର୍ଚ୍ଚକୁ ନିଅଣ୍ଟ। ତା’ପରେ ବି ପଇସା କେମିତି ସଞ୍ଚୁଛ?“ ଉତ୍ତରରେ ସନା ମା’ କହିଥିଲା ”ପୁଅରେ, ଆମେ ହେଲୁ ଅପାଠୁଆ, ଗରିବ। ପାଖରେ ପଇସା ନ ଥିଲେ କେହି ଆଡଆଖିରେ ଚାହିଁବେ ନାହିଁ। ଆମ ରୋଜଗାରକୁ ଦେଖି ଆମେ ଖର୍ଚ୍ଚ କରୁ। କିଏ କ’ଣ କହିଲେ ସେଥିରେ ଭଳିଯାଇ ଅଯଥା ଖର୍ଚ୍ଚ କରୁନା। ନିଶାପାଣିରୁ ଦୂରରେ ରହୁ। ପାଖରେ ପଇସା ରହିଲେ ଅଯଥାରେ ଖର୍ଚ୍ଚ ହୋଇଯିବା ଆଶଙ୍କାରେ ତୋ ମା’ ପାଖରେ ଆଣି ରଖେ। ଦରକାର ବେଳେ କାମରେ ଆସିବ।“
ଆଜି ବୁଝୁଛି ମୋ ବୋଉ ସନା ମା’ର ଥିଲା ରିଲେଶନଶିପ୍‌ ମ୍ୟାନେଜର। ସେତେବେଳେ ପାଖ ଆଖରେ ବ୍ୟାଙ୍କ ନ ଥିଲା। ମ୍ୟୁଚୁଆଲ ଫଣ୍ତ, ପୋଷ୍ଟ ଅଫିସ ସ୍ବଳ୍ପ ସଞ୍ଚୟ ଯୋଜନା ବା ଅନ୍ୟ କୌଣସି ଲାଭଦାୟକ ଉପାୟରେ ଟଙ୍କା ଖଟାଇବାର ନ ଥିଲା ସେପରି କିଛିଟା ସୁବିଧା। ଏହାସତ୍ତ୍ୱେ ସନା ମା’ର ସମସ୍ତ ସଞ୍ଚିତ ଅର୍ଥର ମୂଳରାଶି ମୋ ବୋଉ ପାଖରେ ସୁରକ୍ଷିତ ଥିଲା। ଆଜିଭଳି ସୁବିଧା ସୁଯୋଗ ଥିଲେ ହୁଏତ ସନା ମା’ର ସଞ୍ଚିତ ରାଶିକୁ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ଅନ୍ୟାନ୍ୟ ଉପାୟରେ ବିନିଯୋଗ କରି ଲାଭ ଉପାର୍ଜନ କରାଯାଇ ପାରିଥାଆନ୍ତା। ସୁବିଧା ସୁଯୋଗର ଅଭାବ ଓ ନିଜର ନିରକ୍ଷରତା ସତ୍ତ୍ୱେ ବି ସନା ମା’ ବୁଝିଥିଲା ଅର୍ଥର ପ୍ରକୃତ ମୂଲ୍ୟ । ଏଣୁ ନିୟମିତ ସଞ୍ଚୟ କରୁଥିଲା। ସନା ମା’ର ମୋ ବୋଉ ଉପରେ ଯଥେଷ୍ଟ ଭରସା ଥିଲା। ଜମା କରୁଥିବା ପଇସାର ହିସାବ ନ ଥିଲା ସନା ମା’ ପାଖରେ। ମୋ ବୋଉ ମଧ୍ୟ କିଛି ହିସାବ ରଖେନି ସେ ପଇସାର, କିନ୍ତୁ ସନା ମା’ର ପଇସାକୁ ବାକ୍ସର ଗୋଟିଏ କୋଣରେ ସାଇତି ରଖେ ଯେପରି ନିଜ ଟଙ୍କା ପଇସା ସେଥିରେ ନ ମିଶେ। ସନା ମା’ର ମୋ ବୋଉ ଉପରେ ଥିଲା ଅଗାଧ ବିଶାସ। ସେ ଜାଣିଥିଲା ମୋ ବୋଉ କେବେ ବି ତା’ ପଇସା ଏପଟସେପଟ କରିବନି। ଦୁହିଙ୍କ ପରସ୍ପର ପ୍ରତି ଥିଲା ଭରସା ଓ ବିଶ୍ୱାସ।
ପାଞ୍ଚ ବର୍ଷ ତଳର କଥା। ଭୁବନେଶ୍ୱରର ଏକ ବସ୍ତିରେ ରହୁଥାଆନ୍ତି ଜଣେ ବୃଦ୍ଧା। ସ୍ବାମୀ ବହୁଦିନରୁ ଆରପାରିକୁ ଚାଲିଯାଇଛନ୍ତି, ବୟସ ଷାଠିଏ ପାଖାପାଖି। ବାସନ୍ତୀ ମା’ ନାଁରେ ସେ ପରିଚିତ। ଚାରୋଟି ଘରେ କାମ କରି ପେଟ ପୋଷେ । ଏ ବୟସରେ ବି କାମ କରିବାକୁ ପଡେ। କାମ ନ କଲେ ଖାଇବାକୁ କେଉଁଠୁ ଆସିବ? ଗୋଟିଏ ବୋଲି ପିଲା, ବାସନ୍ତୀର ବିବାହ ହେବା ପରେ ସେ ଭାବିଥିଲା ତା’ର ସମସ୍ତ ଜଞ୍ଜାଳ ସରିଗଲା। ବୁଢୀଦିନରେ ଝିଅ ତାକୁ ଚଳେଇନେବ, କିନ୍ତୁ ଘଟିଲା ସବୁ ଓଲଟା। କାମ କରି ସେ ଯାହା କିଛି ପଇସା ଘରକୁ ଆଣିଥାଏ, ଝିଅ ବାସନ୍ତୀ ଆସି ତା’ଠାରୁ ଯୋର ଜବରଦସ୍ତି ନେଇଯାଏ। ମା’ ମନରେ ଅନେକ ଦୁଃଖ ହୁଏ, ଏହାର ପ୍ରତିକାର ପାଇଁ ଚିନ୍ତାକରି ସେ ନିଜର ସମସ୍ୟା ତୀର୍ଥବାବୁଙ୍କୁ କହିଲା। ତୀର୍ଥବାବୁଙ୍କ ଘରେ ସେ କାମ କରେ। ନିକଟସ୍ଥ ବ୍ୟାଙ୍କରେ ବାସନ୍ତୀ ମା’ର ଖାତା ଖୋଲି ସେଥିରେ ପ୍ରତି ମାସରେ ଟଙ୍କା ଜମା କରିବା ଦାୟିତ୍ୱ ନେଲେ ତୀର୍ଥବାବୁ।
ପ୍ରତି ମାସ ଏକ ତାରିଖରେ ତୀର୍ଥବାବୁ ବାସନ୍ତୀ ମା’ ଖାତାରେ ଟଙ୍କା ଜମାକରି, ପାସ୍‌ବୁକ୍‌ ଅପ୍‌ଡେଟ କରନ୍ତି। ମାସର ପ୍ରଥମ ଦିନରେ ବ୍ୟାଙ୍କରେ ସାଧାରଣତଃ ଭିଡ ଥାଏ। ପାସ୍‌ବୁକ୍‌ ଅପ୍‌ଡେଟ କରିବାରେ ସାମାନ୍ୟ ବିଳମ୍ବ ହୁଏ। ପାସ୍‌ବୁକ୍‌କୁ ଶୀଘ୍ର ଅପ୍‌ଡେଟ କରାଇଦେବା ପାଇଁ ମୋତେ ଅନୁରୋଧ କଲେ। ମୁଁ ତୀର୍ଥବାବୁଙ୍କୁ କହିଲି ମାସର ପ୍ରଥମ ଦିନରେ ନ ଆସି ଆପଣ ଚାରି ପାଞ୍ଚ ତାରିଖ ବେଳକୁ ଆସିଲେ ହୁଏତ ସବୁ କାମ ସୁବିଧାରେ ହୋଇଯିବ। ”ମୋର ଚାରି ପାଞ୍ଚ ତାରିଖ ବେଳକୁ ଆସି ସବୁ କାମ କରିବାରେ କିଛି ଆପତ୍ତି ନାହିଁ। ବାସନ୍ତୀ ମା’ ନିରକ୍ଷର ହେଲେ କ’ଣ ହେବ ? ଠିକ୍‌ ପହିଲା ଦିନ ପାସ୍‌ବୁକ୍‌ ଦେଖିବା ପାଇଁ ଆତୁର ହୋଇ ଚାହିଁଥିବ। ଡେରି ହେଲେ ମୁହଁ ଶୁଖେଇ ଦୁଃଖ କରିବ“ ତୀର୍ଥବାବୁ କହିଲେ ।
ତୀର୍ଥବାବୁଙ୍କଠାରୁ ସମସ୍ତ କଥା ଶୁଣିବା ପରେ ମୋ ମନରେ କୌତୂହଳ ଜାତ ହେଲା। ବାସନ୍ତୀ ମା’ ତ ନିରକ୍ଷର। ପାସ୍‌ବୁକ୍‌ ଅପ୍‌ଡେଟ ହେଲା କି ନାହିଁ କେମିତି ଜାଣୁଛି? ବାସନ୍ତୀ ମା’କୁ ସାଥୀରେ ଧରି ବ୍ୟାଙ୍କ ଆଣିବାକୁ ତୀର୍ଥବାବୁଙ୍କୁ ଅନୁରୋଧ କଲି। ଦିନେ ଅପରାହ୍ନରେ ବାସନ୍ତୀ ମା’ ସହିତ ତୀର୍ଥବାବୁ ମୋ ପାଖରେ ପହଞ୍ଚିଲେ। ଚେୟାରରେ ନ ବସି ବାସନ୍ତୀ ମା’ ତଳେ ବସି ପଡିଲେ। ତାଙ୍କୁ ଚେୟାରରେ ବସିବା ପାଇଁ କହିଲି। ସେ କହିଲେ, ବାବୁ! ଏ ଚେୟାର ବଡ ବଡ ପାଠପଢୁଆ ଲୋକ ବସିବା ପାଇଁ ହୋଇଛି। ମୋ ଭଳି ଗରିବଙ୍କ ପାଇଁ ଚଟାଣ ଠିକ୍‌। ତାଙ୍କୁ ବୁଝାଇଶୁଝାଇ ଚେୟାରରେ ବସିବା ପାଇଁ ବାଧ୍ୟ କଲି। ସଙ୍କୋଚର ସହ ସେ ଚେୟାରରେ ବସିବା ପରେ ପଚାରିଲି, ମାଉସୀ! ତମେ ତ ପାଠ ପଢିନାହଁ, ତୀର୍ଥବାବୁ ଟଙ୍କା ଜମା କଲେ କି ନ କଲେ, ତାହା ଜାଣୁଛ କିପରି? ଏକ ତାରିଖ ବଦଳରେ ଚାରି ପାଞ୍ଚ ଦିନ ବିଳମ୍ବ ହେଲେ କ୍ଷତି କ’ଣ?
ଉତ୍ତରରେ ବାସନ୍ତୀ ମା’ କହିଲା, ମୁଁ ତୀର୍ଥବାବୁଙ୍କ ଘରେ ଦଶ ବର୍ଷ ହେଲା କାମ କରୁଛି। ବାବୁଙ୍କ ଉପରେ ମୋର ପୂର୍ଣ୍ଣ ଭରସା ଅଛି। ସେ କେବେହେଲେ ମିଛ କହିବେ ନାହିଁ କି ଭୁଲ କାମ କରିବେ ନାହିଁ। ମାସ ସାରା ଅନ୍ୟ ଘରେ କାମ କରେ। ମାସ ଶେଷକୁ ହାତକୁ ଟଙ୍କା ଆସିଲେ, ମାସଟାଯାକର କଷ୍ଟ ଭୁଲିଯାଏ, ହାତକୁ ଟଙ୍କା ଆସିବା ବଦଳରେ ମୋ ବ୍ୟାଙ୍କ ଖାତାରେ କିଛି ଟଙ୍କା ଜମା ହୁଏ, ସେହି ଖାତାକୁ ଦେଖି ମୋ ପେଟ ଭରିଯାଏ।
ପଚାରିଲି, ମାଉସୀ ! ତମେ ତ ପଢି ଜାଣିନ, ପାସ୍‌ବୁକ୍‌ରୁ କ’ଣ ବୁଝ? ସେ କହିଲା, ବାବୁ! ମୁଁ ସିନା ଅକ୍ଷର କିମ୍ବା ସଂଖ୍ୟା ପଢିପାରିବି ନାହିଁ ମାସକୁ ମାସ ପାସ୍‌ବୁକ୍‌ରେ ଧାଡି ବଢି ଚାଲେ, ଯାହା ଦେଖିଲେ ବୁଝିହେବ। ପାସ୍‌ବୁକ୍‌ର ଧାଡି ବଢିବା ସହ ମୁଁ ଭାବେ ମୋ ଟଙ୍କା ମଧ୍ୟ ବଢି ବଢି ଯାଉଛି।
ବାସନ୍ତୀ ମା’ର ପାସ୍‌ବୁକ୍‌ ବୁଝିବା ଶୈଳୀ ଥିଲା ସ୍ବତନ୍ତ୍ର I ବାସନ୍ତୀ ମା’ଠାରୁ ସବୁ ଶୁଣିଲା ପରେ ମୁଁ କହିଲି, ”ମାଉସୀ! ତମେ ନିରକ୍ଷର ନୁହଁ, ତମେ ପାଠ ନ ପଢି ମଧ୍ୟ ପାଠୁଆମାନଙ୍କଠାରୁ ଅଧିକ ଶିକ୍ଷିତ । ତମକୁ କୋଟି କୋଟି ନମସ୍କାର। “
ମୋ:୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri