ଆଜିକାଲି ଓଜନ କମାଇବା ପାଇଁ ଅନେକ ଲୋକ ବ୍ୟାୟାମ ସହ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । କିଛି ଲୋକ ଓଜନ ହ୍ରାସ କରିବା ଲକ୍ଷ୍ୟରେ ଖାଦ୍ୟ ତାଲିକାରୁ ପ୍ରୋଟିନ୍କୁ ମଧ୍ୟ ବାଦ୍ ଦେଉଛନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଓଜନ କମାଇବା ପ୍ରକ୍ରିୟାରେ ପ୍ରୋଟିନ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶରୀରର ମାଂସପେଶୀକୁ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ଭୋକ ନିୟନ୍ତ୍ରଣ ପର୍ଯ୍ୟନ୍ତ ଏହା ସାହାଯ୍ୟ କରିଥାଏ। ଏକ ରିପୋର୍ଟ ଅନୁସାରେ, ଓଜନ କମାଇବା ସମୟରେ କେବଳ କ୍ୟାଲୋରି କମାଇବା ଯଥେଷ୍ଟ ନୁହେଁ । ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ୍ ଯୋଗାଇବା ମଧ୍ୟ ଜରୁରୀ।
ଓଜନ କମାଇବା ପାଇଁ ଯେତେବେଳେ ଜଣେ ବ୍ୟକ୍ତି ଖାଦ୍ୟରୁ କ୍ୟାଲୋରି ପରିମାଣ କମାଇଥାନ୍ତି, ସେତେବେଳେ ଶରୀର ଚର୍ବି ସହ ମାଂସପେଶୀକୁ ମଧ୍ୟ ଶକ୍ତି ପାଇଁ ବ୍ୟବହାର କରିପାରେ । ଏଭଳି ସ୍ଥିତିରେ ପର୍ଯ୍ୟାପ୍ତ ପ୍ରୋଟିନ୍ ଖାଇଲେ ମାଂସପେଶୀର କ୍ଷୟ କମ୍ କରିବାରେ ସାହାଯ୍ୟ ମିଳେ । ଫଳରେ ଓଜନ ହ୍ରାସ ସମୟରେ ଶରୀରର ମାଂସପେଶୀ ସୁରକ୍ଷିତ ରହିବା ସହ ଶାରୀରିକ କାର୍ଯ୍ୟକ୍ଷମତା ମଧ୍ୟ ବଜାୟ ରହିଥାଏ। ପ୍ରୋଟିନ୍ ହଜମ କରିବା ପାଇଁ ଶରୀରକୁ କାର୍ବୋହାଇଡ୍ରେଟ୍ ଓ ଚର୍ବି ତୁଳନାରେ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହାକୁ ‘ଥର୍ମିକ୍ ଇଫେକ୍ଟ ଅଫ୍ ଫୁଡ୍’ କୁହାଯାଏ। ଏହାଦ୍ୱାରା ଅତିରିକ୍ତ କ୍ୟାଲୋରି ଖର୍ଚ୍ଚର ପରିମାଣ ସୀମିତ ହୋଇଥିଲେ ମଧ୍ୟ ଓଜନ ନିୟନ୍ତ୍ରଣରେ ସହାୟକ ହୋଇପାରେ।
ପ୍ରୋଟିନ୍ ଖାଇବାର ଆଉ ଏକ ଲାଭ ହେଉଛି, ଏହା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥିବା ଅନୁଭବ ଦେଇଥାଏ । ଫଳରେ ବାରମ୍ବାର ଭୋକ ଲାଗିବା, ଅସ୍ୱାସ୍ଥ୍ୟକର ସ୍ନାକ୍ସ ଖାଇବା ଓ ଅଧିକ ଖାଦ୍ୟ ଖାଇବାର ଅଭ୍ୟାସ କମିପାରେ। ଏହା ସହ ଫାଇବର୍ଯୁକ୍ତ ଖାଦ୍ୟ ଓ ସନ୍ତୁଳିତ ଭୋଜନ ସହ ପ୍ରୋଟିନ୍ ଖାଇଲେ ରକ୍ତରେ ଶର୍କରା ସ୍ତର ସ୍ଥିର ରଖିବାରେ ମଧ୍ୟ ସହାୟତା ମିଳିପାରେ ।
ଓଜନ କମାଇବା ସମୟରେ ହରମୋନ୍ ସନ୍ତୁଳନ ଓ ମେଟାବୋଲିଜିମ୍ ପ୍ରତି ଧ୍ୟାନ ଦେବା ଜରୁରୀ। ମେଦବହୁଳତା ଇନ୍ସୁଲିନ୍ ରେଜିଷ୍ଟାନ୍ସ ସମେତ ଅନ୍ୟାନ୍ୟ ମେଟାବୋଲିକ୍ ସମସ୍ୟା ସହ ଜଡ଼ିତ ହୋଇପାରେ। ତେଣୁ କେବଳ କ୍ୟାଲୋରି କମାଇବା ପରିବର୍ତ୍ତେ ସନ୍ତୁଳିତ ପୋଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ।ସାଧାରଣତଃ ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କୁ ଶରୀରର ପ୍ରତି କିଲୋଗ୍ରାମ ଓଜନ ପିଛା ପ୍ରାୟ ୦.୮ ଗ୍ରାମ୍ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। ତେବେ ଓଜନ କମାଉଥିବା ଓ ନିୟମିତ ବ୍ୟାୟାମ କରୁଥିବା ଲୋକଙ୍କ ପାଇଁ ଏହାଠାରୁ ଅଧିକ ପ୍ରୋଟିନ୍ ଆବଶ୍ୟକ ହୋଇପାରେ। ବ୍ୟକ୍ତିଙ୍କ ବୟସ, ଶାରୀରିକ ସ୍ଥିତି ଓ ସ୍ୱାସ୍ଥ୍ୟ ଅନୁଯାୟୀ ଏହାର ପରିମାଣ ଭିନ୍ନ ହୋଇଥାଏ।
ପ୍ରୋଟିନ୍ ପାଇଁ ଦାମୀ ସପ୍ଲିମେଣ୍ଟ ଉପରେ ନିର୍ଭର କରିବା ଜରୁରୀ ନୁହେଁ। ଦୈନନ୍ଦିନ ଖାଦ୍ୟରୁ ମଧ୍ୟ ଏହା ମିଳିପାରିବ। ଡାଲି, ପନିର୍, କ୍ଷୀର, ଦହି, ସୋୟା, ଟୋଫୁ ଓ ବିଭିନ୍ନ ପ୍ରକାର ବାଦାମ ପ୍ରୋଟିନ୍ର ଭଲ ଉତ୍ସ। ତେଣୁ ଓଜନ କମାଇବା ପାଇଁ କେବଳ କମ୍ ଖାଇବା ନୁହେଁ, ବରଂ ସଠିକ୍ ପରିମାଣର ପ୍ରୋଟିନ୍ ଗ୍ରହଣ, ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଜରୁରୀ।

