କ୍ଷୁଦ୍ରଶସ୍ୟରେ ହାଇବ୍ରିଡ କାହିଁକି

ବିଚିତ୍ର ବିଶ୍ୱାଳ

ଚଳିତ ବର୍ଷ ୨୦୨୩କୁ ଜାତିସଂଘ ତରଫରୁ ଅନ୍ତର୍ଜାତୀୟ ମିଲେଟ୍‌ ବା କ୍ଷୁଦ୍ରଶସ୍ୟର ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଆମ ଦେଶରେ କ୍ଷୁଦ୍ରଶସ୍ୟର ଚାହିଦା ବଢ଼ୁଥିବାର ଦେଖାଯାଉଛି। ସମୟ ଥିଲା ଲୋକମାନେ ଗହମ ଓ ଚାଉଳ ତୁଳନାରେ କ୍ଷୁଦ୍ରଶସ୍ୟକୁ ନୂ୍ୟନ ଖାଦ୍ୟ ଭାବେ ପରିଗଣିତ କରୁଥିଲେ। ଏହା କେବଳ ଆଦିବାସୀ ଓ ବନବାସୀଙ୍କର ଖାଦ୍ୟ ଭାବେ ସୀମିତ ଥିଲା। କିନ୍ତୁ ସମ୍ପ୍ରତି ବଦଳୁଥିବା ଜୀବନଶୈଳୀ ଓ ତଜ୍ଜନିତ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଧୁନିକ ତଥା ସହରୀ ମଣିଷ ବି କ୍ଷୁଦ୍ର ଶସ୍ୟ ପ୍ରତି ମନ ବଳେଇଲେଣି। ଏବେ ଲୋକମାନେ ଗହମ ଅଟା ଅପେକ୍ଷା କ୍ଷୁଦ୍ରଶସ୍ୟର ଅଟାକୁ ଅଧିକ ପସନ୍ଦ କରୁଛନ୍ତିି। ଏହା ଏକ ଭଲ ଲକ୍ଷଣ। ସୂଚନାଯୋଗ୍ୟ ଯେ, ଧାନ ଓ ଗହମ ତୁଳନାରେ ପାରମ୍ପରିକ ଭାବେ ଅମଳ ହେଉଥିବା କ୍ଷୁଦ୍ର ଶସ୍ୟ ଯଥା ମାଣ୍ଡିଆ, ବାଜରା, କାଙ୍ଗୁ, ସୁଆଁ, କୋଶଳା, ଯଅ ଆଦିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ, ଭିଟାମିନ୍‌ ଓ ମିନେରାଲ୍‌ସ ଥାଏ। କ୍ଷୁଦ୍ରଶସ୍ୟକୁ ଅମଳ କରିବା ପାଇଁ ଆଦୌ ରାସାୟନିକ ସାର ଓ ବିଷ ଆବଶ୍ୟକ ହୋଇ ନ ଥାଏ। ଅତି କମ୍‌ ପାଣିରେ ଏସବୁ ଅମଳ ହୋଇଥାଏ ଓ ଏସବୁ ଶସ୍ୟର ମରୁଡ଼ି ଓ ଅତିବୃଷ୍ଟି ସହଣି ଶକ୍ତି ଅଧିକ। ପାରମ୍ପରିକ ଭାବେ ଏଗୁଡ଼ିକର ବିହନ ସଂରକ୍ଷଣ ହୋଇଥାଏ। ସମଗ୍ର ବିଶ୍ୱରେ କ୍ଷୁଦ୍ର ଶସ୍ୟର ଚାହିଦା ବଢ଼ୁଛି। କ୍ଷୁଦ୍ର ଶସ୍ୟ ଚାଷୀମାନଙ୍କ ପାଇଁ ଏହା ଏକ ଶୁଭ ସଙ୍କେତ। ଧଳା ଓ ପଲିସ୍‌ ଖାଦ୍ୟ ଅପେକ୍ଷା ନିରସ ରଙ୍ଗ ବହନ କରୁଥିବା କ୍ଷୁଦ୍ରଶସ୍ୟ ଯେ ଗୁଣବତ୍ତାରେ ନିରସ ନୁହେଁ, ବିଳମ୍ବରେ ହେଲେ ବି ବୃହତ ଭାଗ ଜନସାଧାରଣ ହୃଦୟଙ୍ଗମ କରିଛନ୍ତି। କେବଳ ଖାଉଟିମାନେ ନୁହନ୍ତି ଆମ ଦେଶର ସରକାର କ୍ଷୁଦ୍ରଶସ୍ୟ ଦିଗରେ ମନ ବଳାଇ ଏହାର ପ୍ରୋତ୍ସାହନ ପାଇଁ ବିଭିନ୍ନ ପ୍ରକାର ଯୋଜନା ଆଣୁଛନ୍ତି।
କ୍ଷୁଦ୍ରଶସ୍ୟର ବର୍ଦ୍ଧିତ ଚାହିଦା ଓ ଖାଉଟିମାନଙ୍କ ଉତ୍ସାହକୁ ଦେଖି ସରକାର ତଥା କୃଷି ବିଜ୍ଞାନୀମାନେ ଅଦୂରଦର୍ଶିତା ନୀତିକୁ ଆପଣେଇ କ୍ଷୁଦ୍ରଶସ୍ୟ ଉପରକୁ ବିପଦ ଡାକି ଆଣୁଛନ୍ତି। ଆମ ଦେଶର ଏକାଧିକ କୃଷି ଗବେଷଣା କେନ୍ଦ୍ର ବର୍ତ୍ତମାନ କ୍ଷୁଦ୍ରଶସ୍ୟର ହାଇବ୍ରିଡ କିସମ ପ୍ରସ୍ତୁତ କରିବା ପାଇଁ ଜୋର୍‌ସୋର୍‌ରେ କାମ କରୁଛନ୍ତି। କ୍ଷୁଦ୍ରଶସ୍ୟର ଅମଳ ବଢ଼େଇବା ପାଇଁ ସରକାର କ୍ଷୁଦ୍ରଶସ୍ୟର ହାଇବ୍ରିଡ ପ୍ରକ୍ରିୟାକୁ ପ୍ରୋତ୍ସାହନ ବି ଦେଉଛନ୍ତି। ଏହା ପ୍ରକାରାନ୍ତରେ କ୍ଷୁଦ୍ରଶସ୍ୟର ମୌଳିକ ଗୁଣବତ୍ତାକୁ ନଷ୍ଟ କରିବା ସହିତ ପାରମ୍ପରିକ କ୍ଷୁଦ୍ରଶସ୍ୟର ବିଲୋପର କାରଣ ହେବ। ମଣିଷ ସ୍ବଭାବର ଏକ ନିୟମ ହେଉଛି, ଆମ ପାଖରେ ଯେଉଁ ଉପକରଣ ଥାଏ, ପ୍ରତ୍ୟେକ ଜିନିଷ ଆମକୁ ସେହି ଉପକରଣର ବ୍ୟବହାର ଯୋଗ୍ୟ ଜିନିଷ ଭଳି ଦେଖାଯାଇଥାଏ। ଉଦାହରଣ ସ୍ବରୁପ ଯଦି ଆମ ହାତରେ କେବଳ ଗୋଟେ ହାତୁଡ଼ି ଥାଏ, ତେବେ ପ୍ରତ୍ୟେକ ଜିନିଷ ଆମକୁ କଣ୍ଟା ଭଳି ପ୍ରତୀୟମାନ ହୋଇଥାଏ ଓ ଆମେ ସେସବୁକୁ ହାତୁଡ଼ିରେ ବାଡ଼େଇବାକୁ ଚାହଁିଥାଉ। ଠିକ୍‌ ସେହିପରି ସରକାର ଓ କୃଷି ବିଜ୍ଞାନୀଙ୍କ ପାଖରେ ହାଇବ୍ରିଡ ଜ୍ଞାନକୌଶଳ ଉପଲବ୍‌ଧ ଥିବାରୁ ପ୍ରତ୍ୟେକ ଶସ୍ୟର ବିକାଶ ପାଇଁ ସେମାନେ ହାଇବ୍ରିଡ ତିଆରି କରିବାକୁ କୁଦି ପଡ଼ୁଛନ୍ତିି। କିନ୍ତୁ ଏହାଦ୍ୱାରା ଅସଲରେ କ୍ଷୁଦ୍ରଶସ୍ୟର ବିକାଶ ହେବ କି ବିନାଶ ତାହା ବିଚାରଯୋଗ୍ୟ ବୋଲି ସେମାନେ ଭାବୁନାହାନ୍ତି।
ଏହା ଅବଶ୍ୟ ସତ୍ୟ ଯେ, ଫସଲର ଉପତ୍ାଦନ ବୃଦ୍ଧି କରିବା ପାଇଁ ହାଇବ୍ରିଡ ଏକ ଉତ୍ତମ ଜ୍ଞାନ କୌଶଳ। ବିଶ୍ୱର କ୍ଷୁଧା ନିବାରଣ କରିବା ପାଇଁ ଏହା ଅନେକାଂଶରେ ସକ୍ଷମ ହୋଇଛି। ସବୁଜ ବିପ୍ଳବର ଜନକ ନୋର୍‌ମାନ୍‌ ବୋର୍‌ଲାଗ୍‌ ଗହମର ହାଇବ୍ରିଡ ଭେରାଇଟି ଉଦ୍ଭାବନ କରି ବିଶ୍ୱର କ୍ଷୁଧାକୁ ଦୂର କରିବାର ପ୍ରୟାସ ଯୋଗୁ ୧୯୭୦ରେ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ। ଏହା ପରେ ହଁି ଧାନ ଓ ଅନ୍ୟାନ୍ୟ ଫସଲର ହାଇବ୍ରିଡ କିସମ ପ୍ରସ୍ତୁତ ହେଲା। କିନ୍ତୁ ସମ୍ପ୍ରତି ଖାଦ୍ୟ ସଙ୍କଟର ସେ ସମୟ ଆଉ ନାହଁି। ଏବେ ସମଗ୍ର ବିଶ୍ୱରେ ଆବଶ୍ୟକତାଠାରୁ ଦୁଇଗୁଣ ଅଧିକ ଖାଦ୍ୟ ଗଚ୍ଛିତ ଅଛି। ଏପରି ପରିସ୍ଥିତିରେ କ୍ଷୁଦ୍ରଶସ୍ୟ ପରି ଉଚ୍ଚ ପୋଷକ ତତ୍ତ୍ୱ ଯୁକ୍ତ ଓ ପରିବେଶ ଉପଯୋଗୀ ଶସ୍ୟର ହାଇବ୍ରିଡ ପ୍ରସ୍ତୁତ କରିବାର କୌଣସି ଯୁକ୍ତିଯୁକ୍ତତା ନାହଁି। ଆମେ ଜାଣୁ ଯେ, ଯେକୌଣସି ଶସ୍ୟର ହାଇବ୍ରିଡ କିସମରେ ମୂଳ କିସମ ଅପେକ୍ଷା ମୌଳିକ ଗୁଣବତ୍ତା ତଥା ପୋଷକ ତତ୍ତ୍ୱ ୧୫%ରୁ ୪୦% କମିଯାଇଥାଏ। ପାରମ୍ପରିକ ଗହମ କିସମ ଅପେକ୍ଷା ହାଇବ୍ରିଡ ଗହମରେ କୋବାଲ୍‌ଟ ପରି ଖଣିଜସାର ୮୦% କମ୍‌ ରହୁଥିବା ଦେଖାଯାଉଛି। ଗହମରେ କୋବାଲ୍‌ଟର ପରିମାଣ କମିଯାଉଥିବାରୁ ଏହା ଶରୀରରେ କୋଲେଷ୍ଟରଲ୍‌ ବୃଦ୍ଧିକୁ ସହାୟକ ହେଉଛି ଓ ପରିଣାମ ସ୍ବରୂପ ହୃଦ୍‌ରୋଗ ବୃଦ୍ଧିର କାରଣ ସାଜୁଛି। ଅତୀତରେ କାନ୍‌ସାସ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଖାଦ୍ୟ ଶସ୍ୟଗୁଡ଼ିକରେ ୬ଟି ପୋଷକତତ୍ତ୍ୱ ଯଥା ଲୌହ, କ୍ୟାଲ୍‌ସିୟମ, ପ୍ରୋଟିନ୍‌, ଫସଫରସ୍‌, ରାଇବୋଫ୍ଲୋବିନ୍‌ ଓ ଆସ୍କରବିକ୍‌ ଏସିଡ ବହୁଳ ଭାବେ କମ୍‌ ହେବାରେ ଲାଗିଛି। ପ୍ରୋଟିନ୍‌ ୬% କମ୍‌ ହୋଇଥିବା ବେଳେ ରାଇବୋଫ୍ଲୋବିନ୍‌ ୩୮% କମ୍‌ ହୋଇଛି। ଏହାର ଅର୍ଥ କେବଳ ଅଧିକ ଉପତ୍ାଦନକ୍ଷମ ହାଇବ୍ରିଡ ଯୋଗୁ ଧୀରେ ଧୀରେ ଆମ ଖାଦ୍ୟ ଗୁଣବତ୍ତା ଶୂନ୍ୟ ହେବାରେ ଲାଗୁଛି। ଅଧିକ ଅମଳ ଯୋଗୁ ଆମ ପେଟ ତ ଭରୁଛି କିନ୍ତୁ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳୁନାହଁି। ତେଣୁ କ୍ଷୁଦ୍ରଶସ୍ୟର ହାଇବ୍ରିଡ କିସମ ପ୍ରସ୍ତୁତ କରିବାରେ କୌଣସି ଯୁକ୍ତିଯୁକ୍ତତା ନାହଁି। ହାଇବ୍ରିଡ ଗହମ ଅପେକ୍ଷା ପାରମ୍ପରିକ କ୍ଷୁଦ୍ରଶସ୍ୟଗୁଡ଼ିକରେ ୩୦% ରୁ ୩୦୦% ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଅଧିକ ପରିମାଣରେ ଥାଏ। ହାଇବ୍ରିଡ କିସମ କ୍ଷୁଦ୍ରଶସ୍ୟ ଏହିସବୁ ମୌଳିକ ଗୁଣବତ୍ତା ହରେଇ ବସିବ। ଏବେ ବି ବାଜରାରେ ୨୫ ପ୍ରକାର ହାଇବ୍ରିଡ କିସମ ପ୍ରସ୍ତୁତ କରାଯାଇଛି। କିନ୍ତୁ ସେଗୁଡ଼ିକରେ ପାରମ୍ପରିକ ବାଜରା ପରି ପୋଷକ ତତ୍ତ୍ୱ ଉପଲବ୍‌ଧ ନାହଁି ବୋଲି ଜଣାପଡ଼ୁଛି। ଇକ୍ରିସାଟ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଏ ଯେ, ହାଇବ୍ରିଡ କିସମ ବାଜରାରେ ଲୌହ ଓ ଜିଙ୍କ୍‌ ବହୁତ କମ୍‌ ରହୁଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ହାଇବ୍ରିଡ କିସମ କ୍ଷୁଦ୍ରଶସ୍ୟରେ ପୋଷକ ତତ୍ତ୍ୱ କମ୍‌ ରହୁଛି, ତେବେ କ୍ଷୁଦ୍ରଶସ୍ୟର ହାଇବ୍ରିଡ ପ୍ରସ୍ତୁତ କରି ତାହାକୁ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଭାବେ ପ୍ରୋତ୍ସାହିତ କରିବାରେ କ’ଣ ମୂଲ୍ୟ ଅଛି।
ଏତଦ୍‌ବ୍ୟତୀତ କ୍ଷୁଦ୍ରଶସ୍ୟଗୁଡ଼ିକରେ ପାରମ୍ପରିକ ଭାବେ ରାସାୟନିକ ବ୍ୟବହାର ହୋଇ ନ ଥାଏ ଓ ଏହାର ମରୁଡ଼ି ଓ ବର୍ଷା ସହଣି ଶକ୍ତି ଅଧିକ ଥାଏ। ଧାନ ଓ ଗହମ ତୁଳନାରେ ଅତି କମ୍‌ ଜଳରେ ଏହା ଚାଷ ହୋଇଥାଏ। କିନ୍ତୁ କ୍ଷୁଦ୍ରଶସ୍ୟର ହାଇବ୍ରିଡ କିସମରେ ରାସାୟନିକ ସାର ଓ ବିଷ ଆବଶ୍ୟକ ପଡ଼ିବ । ଏହାର ପରିବେଶ ଉପଯୋଗିତା ମଧ୍ୟ ହ୍ରାସ ପାଇବ। ଆଜିର ଜଳବାୟୁ ପରିବର୍ତ୍ତନ ଯୁଗରେ କେବଳ ପାରମ୍ପରିକ କ୍ଷୁଦ୍ରଶସ୍ୟର ହଁି ତିଷ୍ଠି ରହିପାରିବାର ଶକ୍ତି ଅଛି। କିନ୍ତୁ କ୍ଷୁଦ୍ରଶସ୍ୟ ହାଇବ୍ରିଡ କିସମ କରାଗଲେ, ଏହା ଧାନ ଓ ଗହମ ପରି ନିଜର ସହଣି ଶକ୍ତି ହରେଇ ବସିବ ଓ ପ୍ରକାରାନ୍ତରେ ଏହା ବି ଜଳବାୟୁ ପରିବର୍ତ୍ତନକୁ ସାମ୍‌ନା କରିପାରିବ ନାହଁି। ହାଇବ୍ରିଡ୍‌ କିସମକୁ ପ୍ରୋତ୍ସାହନ ଦେବା ଦ୍ୱାରା ପାରମ୍ପରିକ କ୍ଷୁଦ୍ରଶସ୍ୟ ବିହନ ମଧ୍ୟ ଲୋପ ପାଇଯିବ। ତେଣୁ କ୍ଷୁଦ୍ରଶସ୍ୟର ହାଇବ୍ରିଡ କିସମ ପ୍ରସ୍ତୁତ କରିବା ଓ ଚାଷୀମାନଙ୍କୁ ଏହି ହାଇବ୍ରିଡ କିସମ ଚାଷ କରିବା ପାଇଁ ପ୍ରବର୍ତ୍ତେଇବା କେବଳ ଗୋଡ଼ରେ କୁରାଢ଼ି ମାରିବା ପରି ସାବ୍ୟସ୍ତ ହେବ। ଯଦି ବାସ୍ତବ ଅର୍ଥରେ ସରକାର ଲୋକଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟି ଦୃଷ୍ଟିରୁ କ୍ଷୁଦ୍ରଶସ୍ୟକୁ ପ୍ରୋତ୍ସାହନ ଦେବାକୁ ଚାହୁଥାଆନ୍ତି, ତେବେ କ୍ଷୁଦ୍ରଶସ୍ୟର ହାଇବ୍ରିଡ କରିବା ଉପରେ ମନୋନିବେଶ ନ କରି ସମସ୍ତ ପ୍ରକାର କ୍ଷୁଦ୍ରଶସ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ସହିତ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଆବଶ୍ୟକ। ଫଳରେ କ୍ଷୁଦ୍ରଶସ୍ୟ ଚାଷୀମାନେ ଲାଭବାନ୍‌ ହୋଇପାରିବେ ଓ ଅଧିକରୁ ଅଧିକ କ୍ଷୁଦ୍ରଶସ୍ୟର ଚାଷ ବଢ଼ିବ। ଏହାଦ୍ୱାରା ହଁି ଚାଷୀ ଓ ଖାଉଟି ଉଭୟଙ୍କର ମଙ୍ଗଳ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri