ଗୃହିଣୀଙ୍କ ଶ୍ରମର ଅବମୂଲ୍ୟାୟନ କାହିଁକି

ଈପ୍ସିତା ମହାନ୍ତି

ମହିଳା ବା ନାରୀମାନେ ହେଉଛନ୍ତି ସମସ୍ତ ଶକ୍ତିର କେନ୍ଦ୍ରବିନ୍ଦୁ। ଏମାନଙ୍କୁ ବାଦ୍‌ ଦେଇ କେବଳ ପରିବାରର ନୁହେଁ; ସମାଜ, ଅଞ୍ଚଳ, ରାଜ୍ୟ ଓ ରାଷ୍ଟ୍ରର ପ୍ରଗତି ବିଷୟରେ ଆଦୌ ଚିନ୍ତା କରାଯାଇ ନ ପାରେ। ଏମାନେ ମହାକାଶରେ ପାଦ ଦେଇ ସାରିଲେଣି। ତଥାପି ମହିଳାମାନେ ଆଜି ନିଜର ପରିଚୟ ଓ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି। ଗୃହିଣୀମାନଙ୍କ ପାଇଁ ଦୁର୍ଘଟଣା ସମ୍ବନ୍ଧୀୟ କ୍ଷତିପୂରଣ ଧାର୍ଯ୍ୟ କଲାବେଳେ ନ୍ୟାୟାଳୟକୁ ସେମାନଙ୍କ ଗୃହକାର୍ଯ୍ୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କିଛି ଦିନ ତଳେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ମାମଲାର ଶୁଣାଣି ଅବସରରେ ପ୍ରକାଶ କରିଥିଲେ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, କ୍ଷତିପୂରଣ ସମ୍ପର୍କିତ ମାମଲାରେ ଗୃହିଣୀମାନଙ୍କର କାଳ୍ପନିକ ଆୟ ସ୍ଥିର କରିବା ଦ୍ବାରା ଆମ ଆଇନ, ବିଚାର ବ୍ୟବସ୍ଥା ଓ ନ୍ୟାୟପାଳିକା ଯେ ସେମାନଙ୍କ ଶ୍ରମ, ସେବା ଏବଂ ବଳିଦାନକୁ ଗୁରୁତ୍ୱ ଦିଅନ୍ତି, ଏ କଥାକୁ କେବଳ ଗୃହିଣୀମାନେ ଅନୁଭବ କରିବେ ନାହିଁ ବରଂ ସମାଜକୁ ମଧ୍ୟ ଏହା ଏକ ଭଲ ବାର୍ତ୍ତା ପ୍ରଦାନ କରିବ।
ସରକାରୀ ଭାବେ ହୋଇଥିବା ଅଧ୍ୟୟନରେ ଆଜି ମଧ୍ୟ ଗୃହିଣୀମାନଙ୍କୁ ଏକ ଅଣ-ଉତ୍ପାଦନକାରୀ ଶ୍ରେଣୀଙ୍କ ବର୍ଗରେ ଗଣତି କରାଯାଏ। କେବଳ ଏତିକି ନୁହେଁ, ଗୃହିଣୀମାନଙ୍କର କାର୍ଯ୍ୟକଳାପକୁ କାର୍ଯ୍ୟ ଭାବରେ ମଧ୍ୟ ବିବେଚନା କରାଯାଏ ନାହିଁ। ୟୁନିସେଫ୍‌ ଦ୍ବାରା ପ୍ରକାଶିତ ‘ବାଳିକାମାନଙ୍କ ପାଇଁ ସଂଖ୍ୟାକୁ ଏକତ୍ର କରିବା, ସମୀକ୍ଷା କରିବା ଏବଂ ୨୦୩୦ ପରର ଦୂରଦୃଷ୍ଟି’ ଶୀର୍ଷକ ରିପୋର୍ଟ ଦର୍ଶାଉଅଛି ଯେ ଏମାନଙ୍କ ଉପରେ ଘରୋଇ କାମର ଭାର ବହୁତ କମ୍‌ ବୟସରୁ ହିଁ ପଡୁଅଛି। ପୁଣି ଏହି ତଥ୍ୟ ଅନୁସାରେ ୫ରୁ ୯ବର୍ଷ ବୟସର ଝିଅମାନେ ନିଜ ବୟସର ପୁଅମାନଙ୍କ ଅପେକ୍ଷା ଦୈନିକ ୩୦%ରୁ ଅଧିକ ସମୟ କାମ କରୁଥିବା ଜଣାଯାଏ। ଏକ ଜାତୀୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଆମ ଦେଶର ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ଅଧିକାଂଶ ମହିଳା ଆଜି ଘରୋଇ କାର୍ଯ୍ୟରେ ନିଜର ବହୁମୂଲ୍ୟ ସମୟକୁ ଅତିବାହିତ କରିଚାଲିଛନ୍ତି। ଗ୍ରାମାଞ୍ଚଳର ୬୦% ଏବଂ ସହରାଞ୍ଚଳର ୬୪% ମହିଳା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ମହିଳାଙ୍କ ସର୍ବାଧିକ ସମୟ ନିଜ ପରିଣତ ବୟସରେ ଘରୋଇ କାର୍ଯ୍ୟରେ କଟିବା ଆମ ପାଇଁ ଯେତିକି ଚିନ୍ତାଜନକ, ସେତିକି ଗର୍ବର ବିଷୟ।
ପୁରୁଷମୁଖ୍ୟ ସମାଜର ବିଶ୍ୱାସରେ ମହିଳାମାନେ କେବଳ ସେବା ପାଇଁ ହିଁ ଜନ୍ମ ନେଇଛନ୍ତି। ଏହି ଚିନ୍ତାଧାରା ଆଜି ପୃଥିବୀର ପ୍ରତ୍ୟେକ କୋଣ ଅନୁକୋଣକୁ ପରିବ୍ୟାପ୍ତ ହୋଇଚାଲିଛି। ଏସବୁ କଥା ମହିଳାମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱବୋଧତା ସହ ବିଭିନ୍ନ ଭୂମିକାରୁ ସ୍ପଷ୍ଟ ରୂପେ ବାରି ହୋଇପଡ଼େ। ମହିଳାମାନଙ୍କର କାର୍ଯ୍ୟକୁ କେବଳ ଅର୍ଥନୈତିକ ଗଣନାରେ ନୁହେଁ, ଭାବପ୍ରବଣତା କ୍ଷେତ୍ରରେ ମଧ୍ୟ ଅମୂଳକ ଭାବେ ବିବେଚନା କରାଯାଉଛି। ଏହା ହେଉଛି ଏମାନଙ୍କର ଅବୈତନିକ ଘରୋଇ କାର୍ଯ୍ୟ ସହ ଜଡ଼ିତ ଏକ କଠୋର ସତ୍ୟ ଏବଂ ଯେଉଁଥିରେ ବାସ୍ତବିକତା ମଧ୍ୟ ରହିଅଛି। ମହିଳାମାନେ ଘରେ ରହିବା ସମୟରେ କିଛି କରନ୍ତି ନାହିଁ ବୋଲି ସେମାନଙ୍କ ମନରେ ନିରନ୍ତର ଭାବେ ବିଶ୍ବାସ ଜନ୍ମା ଯାଉଛି। ତେଣୁ ଆମ୍ଭେ ମଧ୍ୟ ନିଜେ କିଛି କରୁନାହୁଁ ବୋଲି ମହିଳାମାନେ ସ୍ବୟଂ ଭାବି ନେଇଛନ୍ତି।
ଉତ୍ତରାଖଣ୍ଡର ମହିଳାମାନେ କୌଣସି ବି କାମ କରୁନଥିବା ମାଉଣ୍ଟେନ୍‌ ରିସର୍ଚ୍ଚ ଜର୍ନାଲ୍‌ ଦ୍ୱାରା ସମ୍ପାଦିତ ଏକ ଅଧ୍ୟୟନରେ ପ୍ରକାଶ ପାଇଛି। କିନ୍ତୁ ଏ ସମ୍ବନ୍ଧୀୟ ସବିଶେଷ ତଥ୍ୟ ସଂଗ୍ରହ କରି ତାହାକୁ ବିଶ୍ଳେଷଣ କରିବାରୁ ଜଣାପଡ଼ିିଥିଲା, ଏଠାକାର ପରିବାରର ପୁରୁଷମାନେ ଦୈନିକ ହାରାହାରି ୯ ଘଣ୍ଟା କାର୍ଯ୍ୟ କରୁଥିବାବେଳେ ମହିଳାମାନେ ୧୬ ଘଣ୍ଟା କାର୍ଯ୍ୟ କରିଚାଲିଛନ୍ତି। ଏମାନଙ୍କର ଏସବୁ କାର୍ଯ୍ୟକୁ ସଠିକ୍‌ ଭାବେ ମୂଲ୍ୟାୟନ କରି ଯଦି ସର୍ବନିମ୍ନ ଦୈନିକ ମଜୁରି ପ୍ରଦାନର ବ୍ୟବସ୍ଥା କରାଯାଏ; ତା’ହେଲେ ପାରିଶ୍ରମିକ ବାବଦରେ ପୁରୁଷମାନେ ଦୈନିକ ୧୨୮ଟଙ୍କା ଏବଂ ମହିଳାମାନେ ଦିନକୁ ୨୨୮ଟଙ୍କା ପାଇବେ ବୋଲି କୁହାଯାଇଛି। ଅର୍ଥାତ୍‌ ଏ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ୧୦୦ ଟଙ୍କା ମଜୁରି ପାଇବାର ଦାବିଦାର ଅଟନ୍ତି। ବିଶ୍ବ ଅର୍ଥନୈତିକ ମଞ୍ଚର ବିଶ୍ବସ୍ତରୀୟ ଲିଙ୍ଗଗତ ପ୍ରଭେଦ ରିପୋର୍ଟ ଅନୁଯାୟୀ ଜନ ଗଣନାରେ ଅଣ-ରୋଜଗାର ବର୍ଗରେ ଲିପିବଦ୍ଧ କରାଯାଇଥିବା ଏହି ବର୍ଗର ଗୃହିଣୀମାନେ ଦୈନିକ ୩୫୦ ମିନିଟ୍‌ର ସମୟ ଅବୈତନିକ ଘରୋଇ କାର୍ଯ୍ୟରେ ବିତାଇଥାନ୍ତି। ମାତ୍ର ଏଥିପାଇଁ ଏମାନେ କୌଣସି ପ୍ରକାରର ଆର୍ଥିକ ଲାଭ କିମ୍ବା ପ୍ରୋତ୍ସାହନ ପାଆନ୍ତି ନାହିଁ। ଅକ୍ଟୋବର ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ କହୁଛି, ଭାରତୀୟ ମହିଳାମାନେ ଦିନକୁ ହାରାହାରି ୨୪୩ ମିନିଟ ଅବୈତନିକ କାର୍ଯ୍ୟ କରନ୍ତି, ଅପରପକ୍ଷେ ପୁରୁଷମାନେ ମାତ୍ର ୨୫ ମିନିଟ ଏଭଳି କାର୍ଯ୍ୟ କରିଥାଆନ୍ତି।
ସମ୍ପ୍ରତି କେତେକ ଦେଶ ଏବଂ ଅନୁଷ୍ଠାନ ଘରୋଇ ଅବୈତନିକ କାର୍ଯ୍ୟର ମୂଲ୍ୟାୟନ ପାଇଁ ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରିବା ଆରମ୍ଭ କରି ଦେଇଛନ୍ତି। ଏହି ପଦ୍ଧତିଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସମୟ ବ୍ୟବହାରର ସର୍ବେକ୍ଷଣ। ଜଣେ ମହିଳା ଯେତେ ସମୟ ଅବୈତନିକ ଘରୋଇ କାର୍ଯ୍ୟ ପାଇଁ ଦେଇଥାଆନ୍ତି, ସେତିକି ସମୟ ଯଦି ସେ ବେତନଯୁକ୍ତ କାର୍ଯ୍ୟ ପାଇଁ ଦେବେ, ତା’ହେଲେ ତାଙ୍କୁ ଏ ବାବଦରେ କେତେ ପାରିଶ୍ରମିକ ମିଳିବ? ତା’ର ହିସାବ ଏହି ପଦ୍ଧତି ଦ୍ବାରା ସହଜରେ ମୂଲ୍ୟାୟନ କରାଯାଇପାରିବ। କେତେକ ଦେଶ ଏହି ଅବୈତନିକ କାର୍ଯ୍ୟକୁ ହିସାବ କରିବା ପାଇଁ ବଜାର ବଦଳ ବା ବିନିମୟ ମୂଲ୍ୟ ନାମକ ସିଦ୍ଧାନ୍ତକୁ ବ୍ୟବହାର କରିଥା’ନ୍ତି। ଘରମାନଙ୍କରେ ଯେଉଁସବୁ କାର୍ଯ୍ୟ ଅବୈତନିକ ରୂପେ ଗୃହିଣୀଙ୍କ ଦ୍ୱାରା ହେଉଅଛି, ସେହି ସେବାଗୁଡ଼ିକୁ ଯଦି ବଜାର ମାଧ୍ୟମରେ ଉପଲବ୍ଧ କରାଯାଏ; ତେବେ ଏଥିପାଇଁ ପାରିଶ୍ରମିକ ବାବଦକୁ କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ, ସେ ବିଷୟରେ ଏହି ସିଦ୍ଧାନ୍ତ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଇଥାଏ। ୱାଶିଂଟନ୍‌ସ୍ଥିତ ଅନ୍ତର୍ଜାତୀୟ ମହିଳା ଅନୁସନ୍ଧାନ କେନ୍ଦ୍ର, ମଧ୍ୟ ଆମେରିକାସ୍ଥ ଗ୍ବାଟେମାଲାଠାରେ ସମୟର ବ୍ୟବହାର ସର୍ବେକ୍ଷଣ ପଦ୍ଧତି ଅବଲମ୍ବନ କରି ଯେଉଁ ନିଷ୍କର୍ଷରେ ଉପନୀତ ହୋଇଥିଲେ, ସେଥିରୁ ଜଣାଯାଇଛି ଯେ, ସେଠାକାର ପ୍ରାୟ ୭୦% ଘରୋଇ କାର୍ଯ୍ୟ ମହିଳାଙ୍କ ଦ୍ବାରା ବିନା ବେତନ ବା ପାରିଶ୍ରମିକରେ ସମ୍ପାଦିତ ହେଉଅଛି।
ଏସବୁ ଦୃଷ୍ଟିରୁ ଦିନକୁଦିନ ଗୃହିଣୀମାନଙ୍କ କାର୍ଯ୍ୟକଳାପ କିଭଳି ଭାବେ ଅବମୂଲ୍ୟାୟନ ହୋଇ ଚାଲିଛି, ତାହା ଏ ସମସ୍ତ ଅଧ୍ୟୟନ ଦର୍ଶାଇବାରେ ସମର୍ଥ ଅଟନ୍ତି। ବର୍ତ୍ତମାନ ମହିଳାମାନଙ୍କର ଅବୈତନିକ ଘରୋଇ କାର୍ଯ୍ୟକୁ ଅର୍ଥନୈତିକ ଉତ୍ପାଦନ ହିସାବରେ ଗଣତି କରାଯିବାର ସମୟ ଆସିଯାଇଛି। ଆମ ଦେଶରେ ଘରୋଇ ମହିଳାଙ୍କ କାର୍ଯ୍ୟର ଅର୍ଥନୈତିକ ମୂଲ୍ୟକୁ ସ୍ବୀକାର ନ କରିବା ପ୍ରବୃତ୍ତି ଦେଶକୁ ପଛକୁ ଠେଲି ଦେଇପାରେ। ମେକ୍କିନ୍ସ ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିଜ ଗବେଷଣାତ୍ମକ ତଥ୍ୟରୁ ଜାଣିବାକୁ ପାଇଛି ଯେ, ଅବୈତନିକ ଘରୋଇ କାର୍ଯ୍ୟର ଗଣନାକୁ ଯଦି ଦୈନିକ ସର୍ବନିମ୍ନ ବେତନର ମାନଦଣ୍ଡ ଆଧାରରେ ହିସାବ କରାଯାଏ, ତେବେ ଏହା ଆମ ଦେଶ ଭାରତର ସମସ୍ତ ଘରୋଇ ଉତ୍ପାଦନ ବା ଜିଡିପିରେ ୩୯% ବୃଦ୍ଧି ଘଟାଇବାରେ ସମର୍ଥ ହେବ।
– ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫
imohanty.1991@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri