କାହିଁକି ଲୁଚାଉଛ

ଖବର ମିଳିଛି ପାର୍ଲାମେଣ୍ଟର ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି (ପିଏସି) ବୈଠକରେ ପିଏମ୍‌ କେୟାର୍ସ (ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଣ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏସନ୍ସ) ପାଣ୍ଠି ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣରେ ସଂସଦର ସବୁ ଷ୍ଟାଣ୍ଡିଂ କମିଟିର ଆଲୋଚନା ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରହିବା କଥା। କେଉଁ ସଦସ୍ୟ କେଉଁ ମତ ପ୍ରଦାନ କଲେ ବା କେଉଁ ବିଷୟକୁ ସମର୍ଥନ କିମ୍ବା ବିରୋଧ କଲେ, ତାହା କେବେହେଲେ ପଦାକୁ ଆସିବା ଉଚିତ ନୁହେଁ। ନିୟମ ଅନୁଯାୟୀ ପ୍ରତ୍ୟେକ କମିଟିର ଅଧ୍ୟକ୍ଷଙ୍କ ପ୍ରଥମ ଦାୟିତ୍ୱ ହେଉଛି ପ୍ରତି ବୈଠକର ପ୍ରାରମ୍ଭରେ ଘୋଷଣା କରିବେ ଯେ, ସଭାରେ ହେଉଥିବା ଆଲୋଚନା ସମ୍ପୂର୍ଣ୍ଣ ଭାବେ ‘ଇନ୍‌ କ୍ୟାମେରା ବା ଗୋପନୀୟ’ ରଖାଯିବ। ଓ୍ବିଟ୍‌ନେସ୍‌ ବା ସାକ୍ଷୀ ଭାବେ ଯୋଗଦେବାକୁ ଆସିଥିବା ସରକାରୀ ଅଧିକାରୀ କିମ୍ବା ଘରୋଇ ଉପଦେଷ୍ଟା ମଧ୍ୟ ଏହି ଅନୁଯାୟୀ ଶପଥ ନେବା ପରେ ସଭାରେ ଯୋଗ ଦେଇପାରନ୍ତି। ମନେହେଉଛି ଯେପରି ଏହିସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଭାରତୀୟ ପାର୍ଲାମେଣ୍ଟର ପରିଚାଳନାରେ ଜଳାଞ୍ଜଳି ଦିଆଯାଇ ସାରିଲାଣି। ପିଏସିରେ ହୋଇଥିବା ବିସ୍ତୃତ ଆଲୋଚନାକୁ ଗଣମାଧ୍ୟମରେ ପ୍ରକାଶ ପାଇସାରିଲାଣି।
କୁହାଯାଉଛି, ଏହି ଗୋପନୀୟ ସଭାରେ ପିଏମ୍‌ କେୟାର୍ସ ପାଣ୍ଠି ସମ୍ପର୍କରେ ଯେତେବେଳେ ଆଲୋଚନା ହେଲା ସେତେବେଳେ କମିଟିରେ ଥିବା ଭାଜପାର ସଦସ୍ୟମାନେ ଦାବି କଲେ ଯେ ଏହି ପାଣ୍ଠିକୁ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ଯାଞ୍ଚ ପରିସର ବାହାରେ ରଖାଯାଉ। ଭାଜପା ସହିତ କେବଳ ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟ ଏହି ମତକୁ ସମର୍ଥନ ଦେଇଛନ୍ତି ବୋଲି ଗଣମାଧ୍ୟମରୁ ଶୁଣିବାକୁ ମିଳିଥିବା ବେଳେ ଅନ୍ୟ ସବୁ ଅଣଭାଜପା ଦଳ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ। ଏହାର ସତ୍ୟାସତ୍ୟ ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର। ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ପଢ଼ିଲେ ମନେହେଉଛି ଯେପରି କେହି ଜଣେ ଉପସ୍ଥିତ ସଦସ୍ୟ ସଭାର ପ୍ରତ୍ୟେକଟି କଥାକୁ ପଦାରେ ପକାଇ ଦେଇଛନ୍ତି।
ଗୋପନୀୟତାକୁ ଭାଙ୍ଗି କମିଟିର ତଥ୍ୟ ଗଣମାଧ୍ୟମକୁ ଜଣାଇ ଦେବାର ଏହା ଭାରତୀୟ ସଂସଦୀୟ ଇତିହାସରେ ପ୍ରଥମ ଥର ଘଟିନାହିଁ। ପୂର୍ବରୁ ଏହିଭଳି ଅନେକ ଘଟଣାକୁ ଯାଞ୍ଚ କରିବା ପାଇଁ ସଂସଦର ପ୍ରିଭିଲେଜ୍‌ କମିଟି ଅନେକ ଖବରକାଗଜ ସମ୍ପାଦକଙ୍କୁ ଡକାଇ ଜେରା କରିଥିବାର ଦୃଷ୍ଟାନ୍ତ ରହିଛି। ପ୍ରାୟ ସବୁ ସମୟରେ ଏହିଭଳି ଖୋଳତାଡ଼ ହେବାରୁ ଜଣାପଡ଼ିଥାଏ ଯେ, ତଥ୍ୟ ପ୍ରକାଶ କରିଥିବା ଖବରକାଗଜ ବା ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମକୁ କେତେକ ସାଂସଦ ନିଜ ଇଚ୍ଛାରେ ତଥ୍ୟ ଯୋଗାଇ ଦେଇଥାନ୍ତି। ଏହାଫଳରେ ସଂସଦୀୟ ବ୍ୟବସ୍ଥାର ଯେଉଁଭଳି କ୍ଷତି ଘଟୁଛି, ତାହା ହୁଏତ ଉଚ୍ଛନ୍ନ ହେଉଥିବା ସାଂସଦମାନେ ବୁଝିପାରୁ ନାହାନ୍ତି।
ଅବଶ୍ୟ ପିଏମ୍‌ କେୟାର୍ସ ପାଣ୍ଠି ସମ୍ପର୍କିତ ଆଲୋଚନାର ଭିତିରି କଥା ପ୍ରକାଶ ପାଇବା ଦେଶ ପାଇଁ ମଙ୍ଗଳମୟ। ସେହିସବୁ ଗଣମାଧ୍ୟମରୁ ଖବର ମିଳିଛି ଯେ, ଚାଇନାର ଅନେକ କମ୍ପାନୀ ପିଏମ୍‌ କେୟାର୍ସ ପାଣ୍ଠିକୁ ବିପୁଳ ପରିମାଣର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ବରୁ ଭାରତବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ (ପିଏମ୍‌ଏନ୍‌ଆର୍‌ଏଫ୍‌) ନାମରେ ଏକ ସ୍ବଚ୍ଛ ପାଣ୍ଠି ରହିଛି। ତାହାର ଅଡିଟ୍‌ ବା ହିସାବ ପ୍ରତ୍ୟେକ ବର୍ଷ ସିଏଜି ଦ୍ୱାରା କରାଯାଇଥାଏ। ସାଧାରଣ ନାଗରିକ ଇଚ୍ଛା କଲେ ଆର୍‌ଟିଆଇ ମାଧ୍ୟମରେ ସେହି ହିସାବ ଦେଖିବାର ସୁଯୋଗ ପାଇପାରିବେ। ଏଭଳି ଏକ ପାଣ୍ଠି କାର୍ଯ୍ୟକ୍ଷମ ଥିବାବେଳେ ଏକ ନୂଆ ପାଣ୍ଠି ସୃଷ୍ଟି କରିବା ପଛରେ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ସନ୍ଦେହଜନକ। କେବଳ ସେତିକି ନୁହେଁ, ଏହି ନବଗଠିତ ପିଏମ୍‌ କେୟାର୍ସ ପାଣ୍ଠିକୁ ସବୁ ପ୍ରକାରର ଉତ୍ତରଦାୟୀ ବ୍ୟବସ୍ଥାଠାରୁ ଦୂରେଇ ରଖିବାର ମନ୍ଦ ଉଦ୍ଦେଶ୍ୟ ବିଶେଷ ଭାବେ ସଚେତନ ନାଗରିକଙ୍କୁ ବ୍ୟସ୍ତ କରିବା କଥା। ସ୍ବଚ୍ଛତା ସମ୍ପର୍କରେ ସବୁବେଳେ ଉଲ୍ଲେଖ କରିଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଦେଶବାସୀଙ୍କ ମନେଅଛି। ଉପା ବିରୋଧରେ ଆନ୍ନା ହାଜାରେଙ୍କ ବିପ୍ଳବ କେବଳ ଲୋକପାଳ ନିଯୁକ୍ତି ପାଇଁ ନ ଥିଲା, ବରଂ ତାହା ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ କରାଯାଇଥିଲା ବୋଲି ଦେଶବାସୀ ତାହାକୁ ସମର୍ଥନ ଜଣାଇଥିଲେ। ମନେରଖିବାକୁ ହେବ ଯେ, ସେହି ଆନ୍ଦୋଳନ ଯୋଗୁ କେବଳ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ଜନ୍ମ ନୁହେଁ, ସମଗ୍ର ଦେଶରେ ଭାଜପା ଓ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ବଢ଼ିଥିଲା।
ସ୍ବଚ୍ଛତାର ଅନେକ ଦିଗ ରହିଛି। କୁହାଯାଇପାରେ ଯେ, ସରକାରୀ ବ୍ୟବସ୍ଥାରେ ଅଦରକାରୀ ସତ୍ୟ ପ୍ରକାଶ କରିବାର ପ୍ରୟୋଜନ ଉଠେନାହିଁ। ଯାଥା- ପିଏମ୍‌ କେୟାର୍ସ ପାଣ୍ଠିକୁ କେଉଁ ବ୍ୟକ୍ତିବିଶେଷ ବା କମ୍ପାନୀ କେତେ ଅର୍ଥ ଦେଲେ ତାହା ଜନସାଧାରଣଙ୍କୁ ଜଣାଯିବାର ହୁଏତ ଆବଶ୍ୟକତା ନାହିଁ। ଏହି ପର୍ଯ୍ୟନ୍ତ କଥା ବୁଝିହେବ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନାମରେ ଏବଂ ସମ୍ଭବତଃ ସରକାରୀ ନିର୍ଦ୍ଦେଶ କ୍ରମେ ଯୋଗାଡ଼ କରାଯାଇଥିବା ବିପୁଳ ଅର୍ଥ କେଉଁଠାରେ, କେଉଁ ଉଦ୍ଦେଶ୍ୟରେ ଏବଂ କାହାଦ୍ୱାରା କେତେବେଳେ କେତେ ପରିମାଣର ଖର୍ଚ୍ଚ କରାଗଲା ତା’ର ପୁଙ୍ଖାନୁପୁଙ୍ଖ ତଥ୍ୟ ଜାଣିବାର ଅଧିକାର ପ୍ରତ୍ୟେକ ଭାରତୀୟ ନାଗରିକର ରହିଛି। ଏହି ଅଧିକାରକୁ ଏକବିଂଶ ଶତାବ୍ଦୀର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଛାଡ଼ାଇନେବା ଦେଶର ବ୍ୟବସ୍ଥା ପାଇଁ ମାରାତ୍ମକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri