ମୋ ବାପା କିଏ ଜାଣିଛ?

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିର ରାଷ୍ଟ୍ରପତି ସେବାଷ୍ଟିଆନ୍‌ ପିନେରା ବିନା ମାସ୍କରେ ଜଣେ ମହିଳାଙ୍କ ସହ ଫଟୋ ଉଠାଇବାରୁ ତାଙ୍କୁ ୩ ହଜାର ୫୦୦ ଆମେରିକୀୟ ଡଲାର ଦେବାକୁ ପଡ଼ିଛି। କୋଭିଡ୍‌ ଭଳି ସ୍ଥିତି ଲାଗି ରହିଥିବା ବେଳେ ମାସ୍କ ନ ପିନ୍ଧି ବୁଲିବା ଆଇନ ଉଲ୍ଲଂଘନ ବୋଲି କହି ରାଷ୍ଟ୍ରପତି ଜରିମାନା ଦେଇଛନ୍ତି। କେବଳ ସେତିକି ନୁହେଁ, ସେ ଜନସାଧାରଣଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଭାରତରେ କ୍ଷମତାସୀନ ବ୍ୟକ୍ତିଙ୍କ ନିକଟରେ କେବେହେଲେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିବ ନାହିଁ। ସେହି ବ୍ୟକ୍ତିଙ୍କ ଦୋଷ ଦୁର୍ବଳତା ଦର୍ଶାଇ ଦିଆଗଲେ ସେମାନେ ପ୍ରତିହିଂସାପରାୟଣ ହୋଇଯାଇ ଥାଆନ୍ତି। ନିଜର ପଦମର୍ଯ୍ୟାଦା ଗର୍ବରେ ଗରୀୟାନ ହେଉଥିବା ବ୍ୟକ୍ତିମାନେ ଶୃଙ୍ଖଳାକୁ ଅନୁସରଣ କରୁ ନ ଥିବାରୁ ଭୁଲ ପରମ୍ପରା ସୃଷ୍ଟି ହେଉଛି। ଅନେକ ଅମାନିଆ ନିୟମ ନ ମାନି ଟ୍ରାଫିକ୍‌ ପୋଷ୍ଟ୍‌ ଅତିକ୍ରମ କରିଗଲେ ନିଜକୁ ଧନ୍ୟ ମନେ କରିଥାଆନ୍ତି। କହିଥାଆନ୍ତି, ଯାହା ହେଉ ଟ୍ରାଫିକ୍‌ ପୋଲିସ ଦେଖିପାରିଲା ନାହିଁ। ଯଦି କେହି ପ୍ରତିବାଦ କରନ୍ତି ସେମାନେ ନିଜ ବାପା ଓ ଗୋସିବାପା ଏବଂ ସେମାନଙ୍କ ବୁନିୟାଦି ବିଷୟରେ କହିଥାନ୍ତି। ଏଠାରେ ମନେପଡ଼େ ଅକ୍ଷୟ କୁମାରଙ୍କୁ ନେଇ ପ୍ରସ୍ତୁତ ଏକ ବିଜ୍ଞାପନ ଭିଡିଓ। ସେଥିରେ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଜଣେ ଯୁବକ ପୋଲିସ ବେଶରେ ଥିବା ଅକ୍ଷୟ କୁମାରଙ୍କୁ ପଚାରୁଛି- ମୋ ବାପା କିଏ ଜାଣ? ଉତ୍ତରରେ ଅକ୍ଷୟ କହୁଛନ୍ତି- କାହିଁକି, ତୁ ତୋ ନିଜ ବାପାକୁ ଜାଣିନାହୁଁ। ଏଭଳି ବ୍ୟବହାର ପାଇଁ ସେହି ଯୁବକକୁ ଦୋଷ ଦେବା ପରିବର୍ତ୍ତେ ତାହାର ମାତାପିତାଙ୍କୁ ଦୋଷୀ କରିବା କଥା। ଘରୁ ଭଦ୍ର ବ୍ୟବହାର ଶିଖିବା ଆରମ୍ଭ ହୋଇଥାଏ। ସେହିଭଳି ଘରୁ ଆଇନକୁ ସମ୍ମାନ ଦେବା ଶିକ୍ଷା ହେବା କଥା। କିନ୍ତୁ ବାପା ଯେତେବେଳେ ଦିନସାରା ଅର୍ଜନ କରିଥିବା କଳାଧନ ଘରେ ଆଣି ଦେଖାଏ, ସେତେବେଳେ ପିଲା ମନରେ ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଘୃଣା ପରିବର୍ତ୍ତେ ସମ୍ମାନ ଜନ୍ମନିଏ।
କୌଣସି କାର୍ଯ୍ୟ ହାସଲ କରିବା ଲାଗି ଧାଡ଼ି ଭାଙ୍ଗି ଭାରତୀୟମାନେ ପଶିଯିବା ଦେଖିବାକୁ ମିଳିଥାଏ। ହେଲେ ଏହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ। ଭିଭିଆଇପି ଏପରିକି ପ୍ରଧାନମନ୍ତ୍ରୀ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟ୍ରାଫିକ୍‌ ଛକରେ ସବୁ ଗାଡ଼ି ଓ ନାଲିବତିକୁ ବନ୍ଦ କରାଇ ଯାତାୟାତ କରୁଥିବାର ଦେଖାଯାଏ। ସେତେବେଳେ ମନକୁ ଚିନ୍ତା ଆସେ ଯେ, ବାସ୍ତବରେ ଏମାନଙ୍କ ଜୀବନ ପ୍ରତି କୌଣସି ବିପଦ ରହିଛି କି ନାହିଁ, ତାହା ସାଧାରଣ ନାଗରିକ କିପରି ଜାଣିବ। ଅନ୍ୟପଟେ ସେହି ନାଗରିକ ଦେଖିଲା ଯେ, ସର୍ବୋଚ୍ଚ ଅଧିକାରୀମାନେ ଗାଡ଼ିରେ ଯାଉଥିବା ଦିଗକୁ ନାଲିବତି ଥିବା ସତ୍ତ୍ୱେ ସେମାନେ ଅଟକନ୍ତି ନାହିଁ। ସେଥିପାଇଁ ଆମେ ସାଧାରଣ ଲୋକ ମଧ୍ୟ ମାନସିକ ସ୍ତରରେ ଆଇନ ଭାଙ୍ଗିବାକୁ ଏକ ବିରାଟ ଅପରାଧ ଭାବେ ଚିନ୍ତା କରୁନାହୁଁ। ଏଭଳି ବେଖାତିର ମନୋଭାବ ଯେତେବେଳେ ନେତାମାନେ ପ୍ରଦର୍ଶନ କରୁଛନ୍ତି, ତାହା କେବଳ ଟ୍ରାଫିକ୍‌ ଆଇନରେ ସୀମିତ ରହୁନାହିଁ, ଚରିତ୍ରରେ ପ୍ରତିଫଳିତ ହେଉଛି। ଅନ୍ୟ ଏକ ଉଦାହରଣ ଦେଖିବାକୁ ଗଲେ କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନକୁ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଚାର କରିବାକୁ ଯାଇ ସ୍ବରାଷ୍ଟ୍ରମନ୍ତ୍ରୀ ବିରାଟକାୟ ଭିଡ଼ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଅର୍ଥାତ୍‌ କରୋନା ଭୂତାଣୁକୁ ଭୟ ନ କରି ମାନ୍ୟବର ମନ୍ତ୍ରୀ ନିଜ ଜୀବନକୁ ପାଣି ଛଡ଼ାଇବା ସହିତ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଇଛନ୍ତି।
ଯଦି ନେତା, ମନ୍ତ୍ରୀ, ବିଚାରପତି, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଭୁଲ କରିବସନ୍ତି, ସେମାନଙ୍କୁ ଜରିମାନା କରିବା ଲାଗି ତଳିଆ କର୍ତ୍ତୃପକ୍ଷ ଡରନ୍ତି କିମ୍ବା ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଦେଖାଯାଏ। କାଳେ ବଡ଼ବଡ଼ିଆ ବିପଦରେ ପକାଇଦେବେ ସେହି ଭୟ ସେମାନଙ୍କୁ ଘାରିଥାଏ। ଅନ୍ୟପକ୍ଷରେ ଭାରତ ବାହାରେ ଅନ୍ୟ ଦେଶର ସର୍ବୋଚ୍ଚ ପଦବୀରେ ଅଭିଷିକ୍ତ ହୋଇଥିବା ବ୍ୟକ୍ତିଙ୍କୁ ସାଧାରଣରେ ସମାଲୋଚନା କରାଯାଇଥାଏ। ନିକଟରେ ଶେଷ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର କରିବାକୁ ଯେତେବେଳେ ରାଜି ହେଲେ ନାହିଁ, ଜନସାଧାରଣ ତାଙ୍କୁ ସାଧାରଣରେ ସମାଲୋଚନା କଲେ। କେବଳ ଜନସାଧାରଣ ନୁହେଁ, ନିଜ ରିପବ୍ଲିକାନ୍‌ ଦଳର ଅନେକ ଗଭର୍ନର ଟ୍ରମ୍ପ୍‌ ଘୋଷି ହେଉଥିବା ମିଥ୍ୟାକୁ ପଦାରେ ପକାଇଲେ। ଏପରିକି ସୋସିଆଲ ମିଡିଆରେ ଭିଡିଓ ଦେଖିବାକୁ ମିଳିଥିଲା ଯେ ହ୍ବାଇଟ ହାଉସ୍‌ ଆଗରେ କିଛି ଲୋକ ଏକ ଖୋଲା ଗାଡ଼ି ଉପରେ ଟ୍ରମ୍ପ୍‌ଙ୍କ ଫଟୋକୁ ଟେକାଠାରୁ ଆରମ୍ଭ କରି ଜୋତା ଫୋପାଡ଼ିଥିଲେ। ଅର୍ଥାତ୍‌ ପ୍ରତିବାଦ କରିବାର ଅଧିକାର ଓ ବାକ୍‌ ସ୍ବାଧୀନତାକୁ ସେଠାରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଭାରତରେ ବିଶିଷ୍ଟ ବ୍ୟକ୍ତିଙ୍କ ଯାତାୟାତ ପୂର୍ବରୁ ଓ ପରେ ଅନେକ ସମୟ ଯାଏ ରାସ୍ତାକୁ ଜନଶୂନ୍ୟ ରଖାଯାଏ। ୨୦୧୦ ମସିହାରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ଗାଡ଼ି ନୂଆଦିଲ୍ଲୀର ଯେଉଁ ରାସ୍ତା ଦେଇ ଯିବାର ଥିଲା ତାହାକୁ ସାନିଟାଇଜ୍‌ କରାଯାଉଥିଲା। ସେହି ବାଟ ଦେଇ ଜଣେ ଗୁରୁତର ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ସୁରକ୍ଷାକର୍ମୀମାନେ ଦୀର୍ଘ ସମୟ ଅଟକାଇ ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏବେକାର ପରିସ୍ଥିତିରେ ଅନୁରୂପ ପ୍ରକାରର ଘଟଣା ଘଟୁଛି। କିନ୍ତୁ ଗଣମାଧ୍ୟମ ସେସବୁ ପ୍ରକାଶ କରିବାକୁ ଭୟ କରୁଛି। ଏଭଳିି ଭିଭିଆଇପି ସଂସ୍କୃତି ଦେଶର କେଉଁଠି ନା କେଉଁଠି କ୍ଷତି କରିଚାଲିଛି। ଏପରି କି କ୍ରିକେଟ ଖେଳାଳିମାନେ ରହୁଥିବା ହୋଟେଲରୁ ଷ୍ଟାଡିୟମକୁ ଖେଳ ଅଭ୍ୟାସ କରିବାକୁ ଗଲା ବେଳେ ରାସ୍ତାକୁ ମଧ୍ୟ ଦୀର୍ଘସମୟ ବନ୍ଦ କରିଦିଆଯାଏ।
ବ୍ୟବସ୍ଥାର ଶୀର୍ଷଠାରୁ ଆରମ୍ଭ କରି ତଳ ଯାଏ ବିଭିନ୍ନ ସ୍ତରରେ ଗୋଟେ ଅମାନିଆ ଚରିତ୍ର ବିସ୍ତାରଲାଭ କରିଥିବାରୁ କେହି ଶୃଙ୍ଖଳିତ ହେବାକୁ ଚାହୁଁ ନାହାନ୍ତି। ସମୟେ ସମୟେ ଲୋକଦେଖାଣିଆ ଭାବେ କିଛି ଭିଭିଆଇପି ପ୍ରୋଟକଲ ଭାଙ୍ଗି ଥାଆନ୍ତି କେବଳ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ। ମହାତ୍ମା ଗାନ୍ଧୀ ଜାତିଭେଦ ଦୂର କରିବା ଲାଗି ସେତେବେଳେ ହରିଜନଙ୍କ ଘରେ ରହି ଭୋଜନ କରୁଥିଲେ। ଏବେ ଭୋଟ ପାଇଁ ଦଳିତଙ୍କ ଘରେ ନେତାଏ ଖାଉଛନ୍ତି। କୌତୂହଳର ବିଷୟ ଯେ ସେସବୁ ଖାଦ୍ୟ ଭଲ ହୋଟେଲରୁ ଆସୁଥିବା ଫଟୋ ଦେଖିଲେ ଜଣାପଡ଼ୁଛି। ପରବର୍ତ୍ତୀ ସମୟରେ ସେହି ଦଳିତ ପରିବାରର ଝିଅକୁ ବଳାତ୍କାର କରି ହତ୍ୟା କରାଇ ଦେବାରେ କର୍ମୀମାନେ ଆଗଭର ହୋଇ ବାହାରି ପଡ଼ିବେ। କଥାରେ କହିବା ଓ କାମରେ କରିବା ଭିତରେ ଯେତେ ତଫାତ୍‌ ରହୁଥିବ, ଲୋକେ ତାହାକୁ ସାଧାରଣରେ ଗ୍ରହଣ କରିବେ ନାହିଁ। ଭୁଲ ସ୍ବୀକାର କରି ଉଦାହରଣ ସୃଷ୍ଟି କଲେ ଅନ୍ୟମାନେ ତାହାକୁ ଅନୁସରଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଷୟିକ ଆଧିପତ୍ୟର ଶୀର୍ଷରେ ତାଇୱାନ

ଡ. ଚିତ୍ତରଞ୍ଜନ ମିଶ୍ର ଆମେରିକା ଓ ରୁଷିିଆ ମଧ୍ୟରେ ହୋଇଥିବା ଶୀତଳ ଯୁଦ୍ଧ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ବା ମତଭେଦ ସୃଷ୍ଟି କରି...

ଖସିପଡ଼ିବାର ଦୁଃଖ

ଡ. ଭାରତ ଭୂଷଣ ରଥ ଆମ ଦେଶ ଧୀରେ ଧୀରେ ବିକାଶର ଶିଖର ସ୍ପର୍ଶ କରିବାକୁ ଯାଉଥିଲା। ଠିକ୍‌ ଏତିକିବେଳେ କରୋନା ମହାମାରୀରେ ଦେଶ ବହୁତ...

ଏଇ ଭାରତରେ

ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ପଛରେ ପକାଇ ବିଜ୍ଞାନ ବହୁତ ଆଗକୁ ଯାଇପାରିଛି। ତଥାପି ଲୋକମାନେ ଅନ୍ଧବିଶ୍ୱାସ ଉପରେ ଭରସା ରଖୁଛନ୍ତି। ଏମିତି ଏକ ଅନ୍ଧବିଶ୍ୱାସଭିତ୍ତିକ ନାଗ...

ବହୁତ ହରାଇଲେଣି

ଆକାର ପଟେଲ ବହୁମତ ପାଇ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୋଦି ସରକାର ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୧୪ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ସରକାର...

ଆମ ବୈଷୟିକ ଶିକ୍ଷା

ହରିହର ତ୍ରିପାଠୀ ବୈଷୟିକ ଶିକ୍ଷା ଏବେ ସଙ୍କଟରେ। ଧୀରେ ଧୀରେ ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଛି। ସେଥିନିମନ୍ତେ ଗତ...

ଏଇ ଭାରତରେ

ନିଷ୍ଠା ଓ ଏକାଗ୍ରତା ବଳରେ ସବୁ କିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହନ୍‌ମନ୍ତରାଓ ଗାଏକ୍ୱାଡ। ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବ ବିକ୍ରି...

ମୃତ୍ୟୁଶଯ୍ୟାରେ ସତ୍ୟ ଉପଲବ୍ଧି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଯୌବନ, ଧନସମ୍ପଦ, ପ୍ରଭୁତ୍ୱ ଓ ଅବିବେକିତା ଏକକ ଭାବରେ ମଧ୍ୟ ଅନର୍ଥ ଘଟାନ୍ତି। ଯେତେବେଳେ ଏହି ଚାରୋଟି ଏକତ୍ର ମିଶିଯାନ୍ତି ପରିଣାମ...

ବୃତ୍ତିଗତ ଶିକ୍ଷାରେ ସ୍ଥାନ ସଂରକ୍ଷଣ

ଅଧ୍ୟାପକ ଶରତ କୁମାର ଦାସ ସରକାରୀ ବିଦ୍ୟାଳୟଗୁଡ଼ିକରେ ଯେଉଁ ବିଦ୍ୟାର୍ଥୀମାନେ ଅଧ୍ୟୟନ କରୁଥିବେ ସେମାନଙ୍କ ପାଇଁ ବୃତ୍ତିଗତ ଶିକ୍ଷା ଯଥା ଇଞ୍ଜିନିୟରିଂ ଓ ଡାକ୍ତରୀ ଭଳି...

Advertisement
Archives

Model This Week