ଚାଷୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ

ଡ. ସନ୍ତୋଷ କୁମାର ମହାପାତ୍ର

ନିକଟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ୩ଟି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି। ସାମ୍ବିଧାନିକ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ଆଶ୍ୱାସନା ଦେବା ସହିତ ଆନ୍ଦୋଳନ ଛାଡ଼ି ଘରକୁ ଯିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କହିଛନ୍ତି- ”କୃଷିରେ ସୁଧାର ଏବଂ କୃଷକଙ୍କ କଲ୍ୟାଣ ପାଇଁ ୩ ନୂଆ କୃଷି ଆଇନ ଅଣାଯାଇଥିଲା। କ୍ଷୁଦ୍ର ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହା ଅଣାଯାଇଥିଲା। ବର୍ଷ ବର୍ଷ ଧରି ଦେଶର କୃଷକ, ବିଶେଷଜ୍ଞ ଓ ଅର୍ଥଶାସ୍ତ୍ରୀମାନେ ଏହି ଆଇନ ଆଣିବାକୁ ଦାବି କରିଆସୁଥିଲେ। ସରକାର ଦେଶର କୃଷକଜଗତ ଓ ଗରିବଙ୍କ ହିତ ପାଇଁ ଏହି ଆଇନ ଆଣିଥିଲେ। ହେଲେ ଆମେ କିଛି ଗୋଷ୍ଠୀଙ୍କୁ ବୁଝାଇବାରେ ବିଫଳ ହେଲୁ। ତେଣୁ କୃଷକଙ୍କ ବିରୋଧକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା। ଯାହାବି କରୁଛି ଦେଶର କଲ୍ୟାଣ ପାଇଁ କରୁଛି।“ ପ୍ରଧାନମନ୍ତ୍ରୀ ମଧ୍ୟ କହିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି।
ବାସ୍ତବରେ ୨୦୧୪ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି କଳାଟଙ୍କା ବିରୋଧରେ ସ୍ଲୋଗାନ ଦେଇ, ଭଲଦିନ ଆସୁଛି ବୋଲି କହି କ୍ଷମତାକୁ ଆସିଲେ। କିନ୍ତୁ ତା’ପରେ କିପରି କ୍ଷମତା ବଜାୟ ରଖାଯାଇପାରିବ ତାହାହିଁ କଲେ ।
କର୍ପୋରେଟଙ୍କୁ ଖୁସି କରିବା ପରି କର୍ପୋରେଟ ଟିକସ ହ୍ରାସ କରିବା ସହିତ ଅନେକ ଜନବିରୋଧୀ ପଦକ୍ଷେପ ନେଇଛନ୍ତି। ବିଶେଷକରି ଯେଉଁ ତିନୋଟି କୃଷି ଆଇନ ପ୍ରଣୟନ କରିଛନ୍ତି, ତାହା କୃଷକଙ୍କ ସ୍ବାର୍ଥରେ ନୁହେଁ ବରଂ କର୍ପୋରେଟ ବ୍ୟବସାୟୀଙ୍କ ସ୍ବାର୍ଥରେ କରାଯାଇଥିଲା। ଏଣୁ କ୍ଷୁଦ୍ର ହେଉ ବା ବଡ଼ ଚାଷୀ, ସମସ୍ତେ ଏହି କୃଷି ଆଇନ ପ୍ରତ୍ୟାହାର ପାଇଁ ଲଗାତର ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଆନ୍ଦୋଳନ କରୁଛନ୍ତି।
ବାସ୍ତବରେ ଯେଉଁ ଆନ୍ଦୋଳନରେ ନିଷ୍ଠା ଥାଏ, ତ୍ୟାଗ ଥାଏ ଏବଂ ଉଦ୍ଦେଶ୍ୟ ମହତ୍‌ ଥାଏ , ସେ ଆନ୍ଦୋଳନକୁ ଚାପିଦେବା ସହଜ ହୁଏନା। ଆମ ସ୍ବାଧୀନତା ସଂଗ୍ରାମରେ ଏହା ଦେଖିଥିଲୁ। ଏବେ ଚାଷୀ ଆନ୍ଦୋଳନରେ ମଧ୍ୟ ଦେଖିଲୁ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନ ନିକଟରେ ଯେପରି ଇଂଲଣ୍ଡ ହାର ମାନିଥିଲା, ସେହିପରି ଦୀର୍ଘ ୧ବର୍ଷରୁ ଊର୍ଦ୍ଧ୍ୱ ଧରି ଚାଲିଥିବା ଆନ୍ଦୋଳନ ନିକଟରେ ଶାସକ ଶ୍ରେଣୀର ଗର୍ବ, ଅହଂକାର ଚୂର୍‌ମାର ହୋଇଗଲା। ତିନୋଟି କୃଷି ଆଇନ ପ୍ରତ୍ୟାହାର କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର ସରକାର ବାରମ୍ବାର କହୁଥିଲେ ମଧ୍ୟ କୃଷକ ଆନ୍ଦୋଳନ ଦ୍ୱାରା ତାଙ୍କର ଜନପ୍ରିୟତା ହ୍ରାସ ପାଇଲା, ଯାହା ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ପ୍ରତିଫଳିତ ହୋଇଛି। ଆଗାମୀ ବର୍ଷରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ ସମ୍ଭାବ୍ୟ ପରାଜୟର ଆଶଙ୍କା ଶାସକ ଶ୍ରେଣୀଙ୍କୁ ଏପରି ଭୟଭୀତ କରିଦେଲା ଯେ ଅନିଚ୍ଛା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି। ସଂସଦରେ ଆଇନ ପ୍ରତ୍ୟାହର ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବୁ। ସରକାର ଏମ୍‌ଏସ୍‌ପି ସହ ଚାଷୀଙ୍କର ଥିବା ଅନ୍ୟ ସମସ୍ୟା ଉପରେ ଆଲୋଚନା କରନ୍ତୁ ବୋଲି ଟିକାୟତ କହିଛନ୍ତି। ଗାଜିପୁର ସୀମାରେ ଆନ୍ଦୋଳନରେ ସାମିଲ ଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରବକ୍ତା ଜଗତାର ସିଂ ବାଜଓ୍ବା କହିଛନ୍ତି, ଏହା କୃଷକ ଓ ଶ୍ରମିକ ସଂଗଠିତ ହେବାର ଫଳ। ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃତ୍ୱ କହିଛନ୍ତି କି ଏହା କୌଣସି ହାରିବା କି ଜିତିବାର କଥା ନୁହେଁ, ଅନ୍ନଦାତାମାନେ କର୍ପୋରେଟ ସରକାରଠାରୁ ଦେଶକୁ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଚାଷୀଙ୍କ ମୁଖ୍ୟ ସମସ୍ୟା କେବଳ ଏହି ୩ଟି କୃଷି ଆଇନ ନୁହେଁ, ବରଂ ତାଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ପ୍ରାପ୍ତ ହେବା। ବିରୋଧୀ ଦଳଗୁଡ଼ିକ ଏହାକୁ ସରକାରଙ୍କର ନୁହେଁ, ବରଂ ଜଣେ ଏକଚ୍ଛତ୍ରବାଦୀ ଶାସକଙ୍କର ପରାଜୟ ବୋଲି କହୁଥିବା ବେଳେ କେହି କେହି ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ଏଭଳି ପ୍ରତିଶ୍ରୁତି ଦେଉଛି ବୋଲି ସନ୍ଦେହ କରୁଛନ୍ତି। ବାମପନ୍ଥୀମାନେ ଏହାକୁ ଏକ ଐତିହାସିକ ବିଜୟ ଭାବେ ଅଭିହିତ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟୁଇଟ୍‌ କରି କହିଛନ୍ତି ଯେ, ଦେଶର ଅନ୍ନଦାତାଙ୍କ ଆନ୍ଦୋଳନରେ ଅହଂକାର ମୁଣ୍ଡ ତଳକୁ ହୋଇଯାଇଛି।
ପ୍ରଫେସର ଅରବିନ୍ଦ ପାନାଗରିଆଙ୍କ ପରି କେତେଜଣ ଅର୍ଥନୀତିଜ୍ଞ ସରକାରଙ୍କ ଏହି ସିଦ୍ଧାନ୍ତକୁ ବିରୋଧ କରିବା ସହିତ ଏହା ସଂସ୍କାର ବିରୋଧୀ ବୋଲି କହିଛନ୍ତି। କିନ୍ତୁ ସଂସ୍କାରର ପ୍ରକୃତ ଅର୍ଥ ହେଉଛି ପୂର୍ବ ସ୍ଥିତିରେ ଉନ୍ନତି ଆଣିବା, କର୍ପୋରେଟ, ଧନିକ ଶ୍ରେଣୀଙ୍କ ସ୍ବାର୍ଥ ହାସଲ ପାଇଁ ନୁହେଁ। ତା’ପରେ କିଛି ବଡ଼ ଚାଷୀଙ୍କ ପାଖରେ ସମ୍ବଳ ଥିଲା ବୋଲି ସେମାନେ ଏତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିପାରିଥିଲେ। ନଚେତ୍‌ ସରକାର ସମ୍ପୂର୍ଣ୍ଣ ଦମନ କରିଦେଇଥାନ୍ତେ। ଆଶ୍ଚର୍ଯ୍ୟର ବିଷୟ, ଏହି ଆଇନ ପ୍ରଣୟନ ବେଳେ ଯେଉଁମାନେ ଏହାକୁ ଐତିହାସିକ ବୋଲି କହୁଥିଲେ, ସେମାନେ ଏହାର ପ୍ରତ୍ୟାହାର ସିଦ୍ଧାନ୍ତକୁ ମଧ୍ୟ ଐତିହାସିକ କହୁଛନ୍ତି। ଏଥିରୁ ଜଣାପଡୁଛି କିପରି ଲୋକମାନଙ୍କୁ ଭ୍ରମିତ କରାଯାଉଛି।
ପ୍ରଧାନମନ୍ତ୍ରୀ କହିଲେ, କୃଷକମାନେ ଏହି ଆଇନର ଭଲ ଦିଗ ନ ବୁଝିବାରୁ ଏବଂ ଏହି ଆଇନକୁ ବିରୋଧ କରିବାରୁ ସେ ଏହାକୁ ପ୍ରତ୍ୟାହାର କଲେ।
କିନ୍ତୁ ତାଙ୍କ ଶାସନର ୭ ବର୍ଷରେ ସେ ଅନେକ ଜନବିରୋଧୀ ସିଦ୍ଧାନ୍ତ ନେଇଛନ୍ତି। ସେଗୁଡ଼ିକ ହେଲା- କ୍ରୂର ବିମୁଦ୍ରୀକରଣ, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ପ୍ରଚଳନ, ପେଟ୍ରୋଲିୟମ ସାମଗ୍ରୀ ଉପରେ ଏକ୍ସାଇଜ୍‌ ଟ୍ୟାକ୍ସ ବୃଦ୍ଧି, ଗ୍ୟାସ ମୂଲ୍ୟ ଦୁଇଗୁଣିତ ବୃଦ୍ଧି, କର୍ପୋରେଟ ଟିକସ ହ୍ରାସ, ଅତ୍ୟାବଶ୍ୟକ ସେବାଗୁଡ଼ିକର ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟସେବାର ବ୍ୟାପକ ଘରୋଇକରଣ, ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର ବା ତାହାର ଘରୋଇକରଣ, ଶ୍ରମିକଙ୍କ ସ୍ବାର୍ଥହାନି ହେଲାପରି ଶ୍ରମ ଆଇନରେ ପରିବର୍ତ୍ତନ କରିବା, ପୂର୍ବ ସରକାର ଅମଳରେ ଗଢ଼ି ଉଠିଥିବା ଭିତ୍ତିଭୂମିକୁ ଲିଜ୍‌ରେ ଘରୋଇ ସଂସ୍ଥାକୁ ଦେବା। ଯଦି କୃଷି ଆଇନକୁ ବିରୋଧ ଯୋଗୁ ପ୍ରତ୍ୟାହାର କଲେ, ତେବେ ଏହିସବୁ ସିଦ୍ଧାନ୍ତକୁ କୋଟି କୋଟି ଶ୍ରମିକ, ଜନତା, ବୁଦ୍ଧିଜୀବୀ ବିରୋଧ କରିବା ସତ୍ତ୍ୱେ ସରକାର କାହିଁକି ପ୍ରତ୍ୟାହାର କଲେ ନାହିଁ? କାରଣ ହେଲା ଚାଷୀମାନେ ଆନ୍ଦୋଳନ ଦ୍ୱାରା କ୍ଷମତା ହରାଇବାର ସ୍ଥିତିକୁ ସରକାରଙ୍କୁ ଠେଲିଦେଲେ, ଯାହା ଅନ୍ୟମାନେ କରିପାରିଲେ ନାହିଁ।
କ୍ଷମତା ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ କ୍ଷମା ମାଗୁଛନ୍ତି। ଏହାକୁ ଅନେକେ ପ୍ରଶଂସା କରୁଛନ୍ତି। ତାଙ୍କର ମହନୀୟତା ବୋଲି କହୁଛନ୍ତି। ଏକ ବର୍ଷରୁ ଊର୍ଦ୍ଧ୍ୱହେବ ସେ କ’ଣ କରୁଥିଲେ? କୃଷକମାନଙ୍କୁ ଖରା, ବର୍ଷା, ଶୀତରେ ଯେଉଁ ଯନ୍ତ୍ରଣା ଦେଇଛନ୍ତି, ତାହା ସେମାନେ କେବେ ଭୁଲିବେ ନାହିଁ କି ସରକାରଙ୍କୁ ବିଶ୍ବାସକୁ ନେଇପାରିବେ ନାହିଁ। ଯେଉଁମାନେ ଏହାକୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍‌ ବୋଲି କହୁଛନ୍ତି, ସେମାନେ ଜାଣିବା ଉଚିତ ଯେ କୃଷକ ଏବଂ ଲୋକମାନେ ଏ ସରକାରଙ୍କ କୃଷକ ବିରୋଧୀ, ଜନବିରୋଧୀ ଚରିତ୍ରକୁ ଭୁଲିପାରିବେ ନାହିଁ। ଚାଷୀଙ୍କ ସଂଗ୍ରାମକୁ ଦୁର୍ବଳ କରିବା ପାଇଁ ଯେଉଁ ଗାଳିଗୁଲଜ, ନିନ୍ଦା ଏବଂ ଅପବାଦ କରାଗଲା, ତାକୁ ଚାଷୀମାନେ କିପରି ଭୁଲିବେ? ଆନ୍ଦୋଳନର ପ୍ରତ୍ୟେକ ପର୍ଯ୍ୟାୟରେ ଚାଷୀମାନଙ୍କୁ ହଇରାଣ କରାଯାଇଛି।
ଭାଜପା ନେତା ଏବଂ ସେମାନଙ୍କ ସମର୍ଥକମାନେ ଖୋଲାଖୋଲି ଆନ୍ଦେଳନରତ କୃଷକଙ୍କୁ ଖାଲିସ୍ତାନୀ, ପାକିସ୍ତାନୀ ଆତଙ୍କବାଦୀ, ଦେଶଦ୍ରୋହୀ, ଗୁଣ୍ଡା ବୋଲି କହିବାକୁ ପଛେଇନାହାନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ ‘ଆନ୍ଦୋଳନଜୀବୀ’ ବୋଲି କହୁଥିବାବେଳେ କେତେକ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରୁଥିଲେ। ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସକୁ ବ୍ୟବହାର କରାଗଲା। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଉତ୍ତରପ୍ରଦେଶର ଲଖିପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼େଇଦେବା ଏବଂ ୮ ଜଣଙ୍କ ମୃତ୍ୟୁ ହେବା ଘଟଣା କେହି ଭୁଲିବେ ନାହିଁ। ଅବଶ୍ୟ ଆସ୍ତେ ଆସ୍ତେ ସମସ୍ତେ ସବୁ ଭୁଲି ଯାଇପାରନ୍ତି, କିନ୍ତୁ ଆନ୍ଦୋଳନ ସମୟରେ ଯେଉଁ ଚାଷୀମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ କଥା ତାଙ୍କ ପରିବାର କେବେ ଭୁଲିପାରିବେ ନାହିଁ। ସେହି ଚାଷୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ରହିବେ?
Email: skmohapatra67@gmail.com
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri