କାହିଁ ବନ୍ଧୁତା

ଡା. ସୁରେନ୍ଦ୍ର ନାଥ ପତି

ବନ୍ଧୁତା ବା ଇଂଲିଶରେ ‘ଫ୍ରେଣ୍ଡ୍‌ଶିପ୍‌’ ଶବ୍ଦଟି ଉଚ୍ଚାରଣ କଲାମାତ୍ରେ, ଚକ୍ଷୁ ସମକ୍ଷରେ ଭାସିଉଠେ ଏକ ହସହସ ମୁଖ ଓ ସେହି ବ୍ୟକ୍ତିର ସ୍ନେହ, ସଦିଚ୍ଛା, ଶୁଭକାମନାର ହସ୍ତ ପ୍ରସାରଣ କରିବାର ଦୃଶ୍ୟଟିଏ। ଇଂଲିଶ ଡିକ୍‌ସନାରି ଅର୍ଥରେ ‘ଏକ ବ୍ୟକ୍ତି ଯାହାକୁ ସେ ଜାଣେ, ଭଲପାଏ ଓ ବିଶ୍ୱାସ କରେ’ ସେ ହିଁ ବନ୍ଧୁ। ପ୍ରତ୍ୟେକଙ୍କ ପାଇଁ ଏହା ଗ୍ରହଣୀୟ ହୋଇ ନ ପାରେ। ବହୁ ଲୋକ ଖୋଜନ୍ତି ସମାନ ପ୍ରକୃତି ହୋଇଥିବ, ସମାନ ଗୁଣ, ଲାଇକିଂ ଥିବ ଇତ୍ୟାଦି। ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟୋଟଲ କହିଥିଲେ, ”ବନ୍ଧୁ କିଏ ?
ଯେଉଁଠି ଏକ ଆତ୍ମା, ଶରୀର ଦୁଇଟିରେ ବାସ କରୁଥାଏ।“ ଜଣେ ବ୍ୟକ୍ତି ତା’ର ବନ୍ଧୁ ସହ ମାନସିକ ଶାନ୍ତିରେ ରହିପାରେ, କିଛି କହିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ନ ଥାଏ, ଉପଯୁକ୍ତ ଶବ୍ଦ ଖୋଜିବାକୁ ପଡ଼େ ନାହିଁ, ସେ ବିନା ଦ୍ୱିଧାରେ ତା’ର ଅନ୍ତରର କଥା ବ୍ୟକ୍ତ କରିପାରେ। ତୁମ ନିଜଠାରୁ ସେ ତୁମକୁ ଭଲଭାବରେ ଚିହ୍ନେ, ତୁମର ମାନସିକ ଅବସ୍ଥା ସ୍ଥିର ନ ଥିଲାବେଳେ ସେ ପାଖରେ ଥାଇ ଆଶ୍ୱାସନା ଦିଏ, ମନୋବଳ ବଢ଼ାଏ। ଏ ବିଷୟରେ କୁହାଯାଇଛି, ”ତୁମେ ଦୁଇଜଣ ପରସ୍ପର ସଙ୍ଗେ କଳିକରି ଶୟନ କର, କିନ୍ତୁ ସକାଳେ ଭଲ ବୁଝାମଣା ନେଇ ଶଯ୍ୟା ତ୍ୟାଗ କର।“ ଏହା ପ୍ରକୃତ ବନ୍ଧୁତାର ଲକ୍ଷଣ। ପାରସ୍ପରିକ ସ୍ନେହମମତା, ବିଶ୍ୱସ୍ତତା, ସମ୍ମାନ, ଦୃଢ଼ ଆତ୍ମିକ ବନ୍ଧନ ହେଉଛି ବନ୍ଧୁତ୍ୱର ମୂଳଦୁଆ। ବନ୍ଧୁତ୍ୱ ଅନାଦି କାଳରୁ ମନୁଷ୍ୟ ଅନୁଭବରେ ଅଛି। ୨୭ ଏପ୍ରିଲ, ୨୦୧୧ରେ ଜାତିସଂଘ ସାଧାରଣ ପରିଷଦ ଜୁଲାଇ ୩୦କୁ ଅନ୍ତର୍ଜାତୀୟ ବନ୍ଧୁତା ଦବସ ଭାବେ ଘୋଷଣା କରିଥିଲା ଓ ସେବେଠାରୁ ଏହା ପାଳନ ହୋଇଆସୁଛି। ତେବେ ଭାରତ ସମେତ କେତେକ ଦେଶରେ ଜାତୀୟ ସ୍ତରରେ ଅଗଷ୍ଟ ପ୍ରଥମ ରବିବାରରେ ବନ୍ଧୁତା ଦିବସ ପାଳନ କରାଯାଉଛି।
ବନ୍ଧୁତ୍ୱ ଏକ ପାରସ୍ପରିକ ଗତିଶୀଳ ସମ୍ପର୍କ। ସମୟର ଗତି ସହ ଏହା ବଦଳୁଥାଏ। ଉଭୟ ପକ୍ଷର ଚେଷ୍ଟା, ଯତ୍ନ, ବୁଝାମଣାରେ ଏହା ବଜାୟ ରହେ, ଅଗ୍ରଗତି କରେ। ଶ୍ରୀକୃଷ୍ଣ ବାଲ୍ୟକାଳରେ ଗୋପାଳ ବାଳକଙ୍କ ସହ ବନ୍ଧୁ ଭାବରେ ଖେଳୁଥିଲେ, ଗାଈ ଚରାଉଥିଲେ, ପରସ୍ପରକୁ ଅନ୍ତରରୁ ଭଲ ପାଉଥିଲେ। ଗରିବ ସୁଦାମା ସହ ତାଙ୍କର ଅନ୍ତରର ବନ୍ଧୁତା ଥିଲା। ଯେଉଁ ବ୍ୟକ୍ତି ବାଲ୍ୟାବସ୍ଥାରେ ବନ୍ଧୁତ୍ୱ ସୃଷ୍ଟି କରିଥାଏ, ବୟସ୍କ ହେଲେ ସେ ଉତ୍ତମ ନାଗରିକଟିଏ ହୋଇ ବାହାରେ। ତା’ର ମାନସିକ ଦୃଢ଼ତା, ସମସ୍ୟା ସମାଧାନ କରିବାର ଦକ୍ଷତା ଅଧିକ ଦେଖାଯାଏ। ବୟସ ବଢ଼ିବା କ୍ରମେ ପିଲାଟିର ଚାକିରି, ବ୍ୟବସାୟ, ବିବାହ ସ୍ଥାନ ପରିବର୍ତ୍ତନ ଇତ୍ୟାଦି ଉପରେ ବନ୍ଧୁତ୍ୱର ବହୁ ପ୍ରଭାବ ଥାଏ। ପୂର୍ବରୁ ଥିବା ଅନ୍ତରଙ୍ଗ ବନ୍ଧୁଙ୍କୁ ତ୍ୟାଗକରି ନୂତନ ବନ୍ଧୁ ସେ ସୃଷ୍ଟି କରେ। ଆରିଷ୍ଟୋଟଲ ମତରେ, ବନ୍ଧୁତା ତିନି ପ୍ରକାରର। ଏହା ସବୁକାଳ ପାଇଁ ପ୍ରଯୁଜ୍ୟ। ପ୍ରଥମ- ଆବଶ୍ୟକତା ଯୋଗୁ ବନ୍ଧୁତା: ଯିଏ ତୁମକୁ ସାହାଯ୍ୟ କରେ, ସେବା ଯୋଗାଇଦିଏ, ତାକୁ ବନ୍ଧୁ କରାଯାଏ। ସେବା ବନ୍ଦ ହେଲେ ବନ୍ଧୁତା ବନ୍ଦ ହୋଇଯାଏ। ଏ ବନ୍ଧୁତା କ୍ଷଣସ୍ଥାୟୀ। ମଧ୍ୟବୟସ୍କ ବ୍ୟକ୍ତିଙ୍କଠାରେ ଏହା ଦେଖାଯାଏ। ଦ୍ୱିତୀୟ- ଆନନ୍ଦଦାୟକ ବନ୍ଧୁତ୍ୱ: ଏ ପ୍ରକାର ବନ୍ଧୁତା ଯୁବକ, ଯବୁତୀଙ୍କଠାରେ ଦେଖାଯାଏ। ପ୍ରେମ ସମ୍ପର୍କ ଗଢ଼ିଉଠେ। ହଠାତ୍‌ ଆସେ, ଆନନ୍ଦପ୍ରାପ୍ତି ସରିଗଲେ ଚାଲିଯାଏ। ତୃତୀୟ- ବନ୍ଧୁର ଉପକାର, ସୁଖ ପ୍ରଦାନ ପାଇଁ ବନ୍ଧୁତା: ଏହା ଦୀର୍ଘସ୍ଥାୟୀ ହୋଇଥାଏ। ପରସ୍ପରକୁ ବହୁଦିନ ଚିହ୍ନିଲା ପରେ ଓ ଦୁଃଖକଷ୍ଟର ସମୟ ଏକତ୍ର କାଟିଲା ପରେ ବିଶ୍ୱାସ, ଭଲପାଇବା ସୃଷ୍ଟି ହୁଏ। ସାମାଜିକ ସ୍ଥିତି, ପଦପଦବୀ, ଯୋଗ୍ୟତାର ଅଳଂକାର ଆବଶ୍ୟକ ହୁଏ ନାହିଁ। ବୟସ୍କ ବୃଦ୍ଧବ୍ୟକ୍ତି, ଅବସର ଗ୍ରହଣ କରିଥିବା ବ୍ୟକ୍ତି, ସାଂସାରିକ ଦାୟିତ୍ୱରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏ ପ୍ରକାର ସମ୍ପର୍କ କ୍ରମେ ସୃଷ୍ଟି ହୁଏ। ସେମାନେ ପ୍ରାତଃଭ୍ରମଣ, ସାମାଜିକ ସଙ୍ଗଠନ, କ୍ଲବ୍‌, ମନ୍ଦିର ପ୍ରତିଷ୍ଠା ଆଦି କରି ସମୟ ବ୍ୟତୀତ କରିଥାନ୍ତି। ଶାରୀରିକ ସ୍ବାସ୍ଥ୍ୟ ଉତ୍ତମ ରହିବା ସହ ମାନସିକ ଅବସାଦ, ନିଃସଙ୍ଗତା ଦୂର ହୁଏ। ଆୟୁ ମଧ୍ୟ ବୃଦ୍ଧି ହୁଏ।
ଖୁବ୍‌ ନିକଟରେ ବସବାସ କରିବା, ପଡ଼ୋଶୀ ହେବା, ଏକତ୍ର ମିଳିତ ହେବା ପାଇଁ ସ୍ଥାନଟିଏ ମିଳିବା, ପରସ୍ପର ସହ ଏକାଧିକ ଥର ଦେଖାସାକ୍ଷାତ ହେବା ଦ୍ୱାରା ବନ୍ଧୁ ହେବାକୁ ଆଗ୍ରହ ସ୍ବତଃ ହୁଏ। ବାଟରେ କିମ୍ବା ପ୍ରାତଃ ଭ୍ରମଣରେ ହ୍ୟାଲୋ, ହାଏ କହୁ କହୁ ବି ବନ୍ଧୁତା ସୃଷ୍ଟି ହୋଇଥାଏ। କିଛି ଗୁପ୍ତ କଥା, ବ୍ୟକ୍ତିଗତ କଥା ଏକାନ୍ତରେ, ବିଶ୍ୱାସରେ କହିବା ପାଇଁ ପରିସ୍ଥିତି ଆସିଲେ ଗାଢ଼ ବନ୍ଧୁତା ହୁଏ।
ଉଭୟ ବନ୍ଧୁ କୌଣସି କାରଣରୁ ବହୁ ଦୂରରେ ବସବାସ କଲେ, ମନୋମାଳିନ୍ୟ ହେଲେ ପୁରୁଣା ବନ୍ଧୁତାକୁ ଭୁଲିଯାଆନ୍ତି। ବନ୍ଧୁତ୍ୱର ଜୟଗାନ କରି ବହୁ ମନୀଷୀ ଅତୀତରେ ବିଭିନ୍ନ ପ୍ରକାର କହିଛନ୍ତି। ୧. ଭଲ ବନ୍ଧୁ, ଭଲ ବହି, ଏକ ଜାଗ୍ରତ ବିବେକ; ଏହା ହିଁ ଆଦର୍ଶ ଜୀବନ- ମାର୍କ ଟ୍ବାଇନ। ୨. ଜଣେ ବନ୍ଧୁ ହେଉଛି ସିଏ, ଯିଏ ତୁମ ବିଷୟରେ ସବୁ ଜାଣି, ଭଲ ଓ ମନ୍ଦ ତଥାପି ତୁମକୁ ଭଲପାଏ- ଏଲବର୍ଟ ହୁବାର୍ଡ। ୩. ମୁଁ ମୋର ବନ୍ଧୁଙ୍କ ସହ ଅନ୍ଧାରରେ ଚାଲିବାକୁ ପସନ୍ଦ କରିବି, କିନ୍ତୁ ଏକାକୀ ଆଲୁଅରେ ଚାଲିବାକୁ ନୁହେଁ- ହେଲେନ୍‌ କେଲର।
ଆମ ଓଡ଼ିଆରେ ଅଛି- ”କାହିଁ ବନ୍ଧୁତା, କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତି ଲାଗି ଦେବତା ନର।“ ସ୍ବର୍ଗର ଦେବତାମାନେ କ୍ଷମତା କଳହରେ ବ୍ୟସ୍ତ ହୋଇ, ବନ୍ଧୁତ୍ୱର ସ୍ବାଦ ଆସ୍ବାଦନ କରିବା ପାଇଁ ଧରାପୃଷ୍ଠରେ ଜନ୍ମଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମନୁଷ୍ୟ ମଧ୍ୟରେ ହିଁ ପ୍ରେମ, ବନ୍ଧୁତା, ସୌହାର୍ଦ୍ଦ୍ୟ, ପ୍ରୀତି ଦେଖାଯାଏ।
ମୋ: ୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri