କୁଆଡେ ଗଲା ଇନ୍ଦ୍ରଧନୁ

ଦିନ ଥିଲା ବର୍ଷା ପରେ ପରେ ପ୍ରାୟତଃ ଦେଖିବାକୁ ମିଳୁଥିଲା ଇନ୍ଦ୍ରଧନୁ। ହେଲେ ଏବେ ସତେ ଯେମିତି ହଜିଯାଇଛି ପ୍ରକୃତିର ଏହି ଅପୂର୍ବ ବର୍ଣ୍ଣବିଭା…
ଇନ୍ଦ୍ରଧନୁ ! ପ୍ରକୃତିର ଏକ ଅନନ୍ୟ ବିସ୍ମୟ। ଲାଗେ ସତେ ଯେମିତି କେଉଁ ଏକ ଚିତ୍ରକର ଆକାଶ ଛାତିରେ ଆଙ୍କି ଦେଇଛି ସାତରଙ୍ଗର ଏହି ସୁନ୍ଦର ଚିତ୍ରକୁ ଅବା ପକାଇଛି ରଙ୍ଗୋଲିଟିଏ। ଯାହାର ଉପସ୍ଥିତିରେ ସାରା ଆକାଶ ଲାଗେ ବେଶ୍‌ ମନୋରମ ଓ ଦିଏ ଏକ ଦିବ୍ୟ ଅନୁଭବ। ସାତରଙ୍ଗର ଏହି ଆଭା ଛୋଟରୁ ବଡ଼ ସମସ୍ତଙ୍କୁ କରେ ମତୁଆଲା। ଦିନ ଥିଲା ବର୍ଷା ପରେ ପରେ ପ୍ରାୟତଃ  ଦେଖିବାକୁ ମିଳୁଥିଲା ଏହି ମନୋରମ ଦୃଶ୍ୟ। ହେଲେ ଏବେ ସତେ ଯେମିତି ଏହା ହଜିଯାଇଛି କେଉଁଠି। ଯେତେ ଖୋଜିଲେ ବି ମିଳୁନି ତା’ର ଠିକଣା। ବୋଧହୁଏ ଅଭିମାନ କରିଛି ଆଧୁନିକତା ନାଁରେ ପରିବେଶକୁ ନଷ୍ଟ କରିଦେଇଥିବା ଏଇ ମାନବ ସମାଜ ଉପରେ। ଆଉ ଚାଲିଯାଇଛି କେଉଁ ଏକ ଅଜଣା ଦୁନିଆକୁ। ଫଳରେ ଏବେ ବର୍ଷାଦିନେ ବର୍ଷା ତ  ହେଉଛି ହେଲେ ଦେଖିବାକୁ ମିଳୁନି ପ୍ରକୃତିର ଏହି ଅପୂର୍ବ ବର୍ଣ୍ଣବିଭା। ହୃଦୟରେ କେବଳ ରହିଯାଇଛି ମଧୁର ସ୍ମୃତିଟିଏ ହୋଇ।
ବା ଘ ନି ସ ହ ଲା ନା- ଶିବ ମିଶ୍ର, ଲେଖକ: କାହିଁ କୋଉ ପିଲା ଦିନର କଥା ଇଏ। ଦିନେ ନିର୍ଘାତ ବର୍ଷା ଅସରାଏ ହେଲା ପରେ ତା’ର ପ୍ରକୋପ କମି ଯାଇ, କୁଣ୍ଡା ଝାଡ଼ିଲା ପରି ଫିରି ଫିରି  ବର୍ଷା ହେଉଥିଲା । ତା’ ସାଙ୍ଗକୁ ବିଞ୍ଛି ହୋଇପଡ଼ିଥିଲା ଖରା । ମୋ’ ବଡ଼  ଭଉଣୀ କହିଲା-”ଖରା ହେଉଛି, ବର୍ଷା ହେଉଛି,ବିଲୁଆ ନନା ବାହା ହେଉଛି।“ ତା’ କଥା ଶୁଣି ମୁଁ କହିଲି – ମୁଁ ବିଲୁଆ ନନାର ବାହାଘର ଦେଖିବାକୁ ଯିବି। ସେଥିପାଇଁ ମୁଁ ଅଳି କରିବାରୁ, ମୋର ତ ଜେଜୀମାଆ ନ ଥିଲେ, ମୋ ବଡ଼ ମାଆ ମୋତେ କାଖେଇ ବାଡ଼ି ପଟକୁ ନେଇଯାଇ ଆକାଶକୁ ଦେଖାଇ କହିଲେ- ବିଲୁଆ ନନାର ବାହାଘର ପାଇଁ ଆକାଶରେ କେମିତି ସଜ୍ଜା ହୋଇଛି ଦେଖ। ମୁଁ ଦେଖିଲି, ଆକାଶରେ କେତେ ନା କେତେ ରଙ୍ଗର ଚିତ୍ରଟିଏ ଦାଉ ଦାଉ ଦିଶୁଥିଲା। ମୁଁ ପଚାରିଲି  ଏଇଟା କ’ଣ? ବଡ଼ମାଆ କହିଲେ- ଏହାକୁ କହନ୍ତି, ଇନ୍ଦ୍ରଧନୁ। ଏ ଧନୁଟା ଦିଅଁମାନଙ୍କ ରାଜା ଇନ୍ଦ୍ରଙ୍କର। ମୁଁ କହିଲି – ବଡ଼ ସୁନ୍ଦର ଦିଶୁଛି ଏଇ ଧନୁଟା। ସେଥିରେ ଥିବା ରଙ୍ଗଗୁଡ଼ିକ ମୁଁ ଏକ ଦୁଇ କରି ଗଣିଲା ବେଳେ ବଡ଼ ମାଆ କହିଲେ,ଏଥିରେ ସାତଟି ରଙ୍ଗ ଅଛି, ସେ ଗୁଡ଼ାକ ହେଲା- ବା ଘ ନି ସ ହ ଲା ନା। ତା’ପରେ ସିଏ ଗୋଟି ଗୋଟି କରି ସାତ ରଙ୍ଗର ନାଁ କହିଲେ। ଇନ୍ଦ୍ରଧନୁର ରଙ୍ଗ ମନେ ରଖିବା ପାଇଁ ଏଇଟା ସବୁଠୁ ସହଜ ଆଉ ସରଳ ସୂତ୍ର। ମୋ’ପରି, ପ୍ରାୟ ସମସ୍ତେ ପିଲାବେଳେ, ଏ ସୂତ୍ର ଶୁଣିଥିବେ, ଆଉ ମନେ ରଖିଥିବେ।
     ମୁଁ ପ୍ରାଥମିକ ସ୍କୁଲରେ ପଢ଼ିବା ବେଳେ ଆମ ସାହିତ୍ୟ ବହିରେ  ଇନ୍ଦ୍ରଧନୁକୁ ନେଇ ଗୋଟିଏ ଗୀତ ଥିଲା। ସେଥିରେ ଗୋଟେ  ପଦ ଥିଲା, ‘ଗୋଟିଏ  ପଟରେ  ଟାଣୁଆ ଖରା, ଆରପଟେ ପଡ଼େ ବରଷା ଧାରା, ମଝିରେ ଗୋଟିଏ ବିରାଟ ଧନୁ,
ତା’ ସୁନ୍ଦର ପଣ ନ ଯାଏ ମନୁ।’ ସେଇଠୁ ମୁଁ ଜାଣିଲି, ସୂର୍ଯ୍ୟ କିରଣ ଆଗରେ ଝିରି ଝିରି ବର୍ଷା ପାଣି ଝରିଲେ, ସେ କିରଣରେ ଥିବା ସାତଟି ରଙ୍ଗର ଇନ୍ଦ୍ରଧନୁ ଆଙ୍କି ହୋଇଯାଏ ଆକାଶ ଛାତିରେ।
   ଇନ୍ଦ୍ରଧନୁ କେବଳ ଶିଶୁମାନଙ୍କୁ ଆକୃଷ୍ଟ କରେ ନାହିଁ, ମନ ଉଲୁସାଏ  ନାହିଁ।  ତା’ର ଶୋଭା ଆବାଳ ବୃଦ୍ଧବନିତା ସଭିଙ୍କୁ ଖୁସି ଦେଇଥାଏ। ପ୍ରେମିକଟିଏ ଇନ୍ଦ୍ରଧନୁର ରଙ୍ଗ ନେଇ, ଆଙ୍କିବସେ ପ୍ରେମିକାର ଚିତ୍ର, ବର୍ଷାଋତୁରେ ବିରହିଣୀ ନାୟିକାଟିର ମନ ଚଞ୍ଚଳ ହୋଇଯାଏ, ବର୍ଷା ବତୁରା ଆକାଶରେ ଇନ୍ଦ୍ରଧନୁକୁ ଦେଖି। କବି, ଲେଖକମାନେ ଆହୁରି ଆହୁରି କେତେ କଥା ଲେଖିଯାଇଛନ୍ତି ଇନ୍ଦ୍ରଧନୁକୁ ନେଇ।
   ଏବେ ବଦଳି ଯାଉଛି ପରିବେଶ, ପରିସ୍ଥିତି।  ଏବେ ଗୋଟିଏ ବଡ଼ ସହରରେ ରହୁଥିବା ମୋର ନାତୁଣୀ ‘ଲିପି’କୁ ଦିନେ ପଚାରିଲି- ତୁ ଇନ୍ଦ୍ରଧନୁ ଦେଖିଛୁ?  ସିଏ କହିଲା, ପିଲାବେଳେ ଗାଁରେ ଥିଲାବେଳେ ଆକାଶରେ ଦେଖିଥିଲି, ଏ ସହରକୁ ଆସିଲା ପରେ ଟିଭିରେ, ସିନେମାରେ ଦେଖୁଛି। ବଡ଼ ସହରଗୁଡ଼ିକରେ ଦଶ ପନ୍ଦର ମହଲାର ବିରାଟ ବିରାଟ କୋଠା ଧାଡ଼ି ଧାଡ଼ି ହୋଇରହିଛି। ଖୋଲା ଆକାଶ ଦେଖାଯାଉନି। ବର୍ଷା ଦିନରେ ଇନ୍ଦ୍ରଧନୁ ଦିଶିବ କେମିତି ? ତା’ କଥା ଶୁଣି ମୁଁ ଭାବିଲି, ସତରେ  ସଭ୍ୟ ଶିକ୍ଷିତ କରିବା ଆଳରେ କେବଳ ଅର୍ଥ ଅର୍ଜନ କରିବାପାଇଁ ପିଲାମାନଙ୍କୁ କେତେ ଦୂରେଇ ଦିଆଯାଉଛି ପ୍ରକୃତିର ନୈସର୍ଗିକ ଶୋଭା ସମ୍ପଦଠାରୁ। ନଈ ପଠାର କାଶତଣ୍ଡୀ ବଣ, ପାହାଡ଼ୀ ଝରଣାର କୁଳୁକୁଳୁ ସ୍ବନ, ପବନରେ ଦୋଳାୟିତ ପାଚିଲା ଧାନର କ୍ଷେତ, ବସନ୍ତ କୋଇଲିର ଗୀତ, ନୀଳ ଆକାଶ ତଳେ ଡେଣା ଝାଡି ଉଡ଼ିଯାଉଥିବା ଧଳା ଧଳା ବଗ ଦଳ, ପହରିକିଆ ବିଲୁଆର ହୁକେ ହୋ’ ରଡ଼ି ଏସବୁ କେବଳ ଦେଖିବା ଶୁଣିବା ପାଇଁ ନୁହେଁ, ଶିଖିବା ଜାଣିବା ଲାଗି। ଅମୂଲ୍ୟ ଜୀବନକୁ ସତ୍ୟ, ବାସ୍ତବ ଏବଂ ଶାଶ୍ୱତ ସହିତ ପରିଚିତ କରାଇବା ପାଇଁ ପ୍ରକୃତିକୁ ଆପଣେଇବାକୁ ହେବ। ବର୍ତ୍ତମାନର କୃତ୍ରିମତାର ପ୍ରାଚୁର୍ଯ୍ୟ ଭିତରେ ନିଜକୁ ହଜାଇ ଦେଇ ପ୍ରକୃତିର ସୁନ୍ଦରତାଠାରୁ ଯେତିକି ଦୂରେଇ ଯାଉଛି ଏ ମନୁଷ୍ୟ, ସେତିକି କରାଳ ରୂପଧରି ପ୍ରକୃତି କେବଳ ମନୁଷ୍ୟ ନୁହେଁ ସମଗ୍ର ଜୀବଜଗତ ଆଡ଼କୁ ମାଡ଼ିଆସୁଛି। କେଜାଣି କେବେ ମନୁଷ୍ୟ ବୁଝିବ ଏହି ସତ୍ୟକୁ, ଆଉ ଜୀବନକୁ ସରସ ସୁନ୍ଦର କରିବା ପାଇଁ  ମାଖିହେବ ଇନ୍ଦ୍ରଧନୁର ରଙ୍ଗ ବା ଘ ନି ସ ହ ଲା ନା ।
ସ୍ମୃତିରେ ଇନ୍ଦ୍ରଧନୁ-ଡ. ଫକୀର ମୋହନ ନାହାକ, ନିର୍ଦ୍ଦେଶକ, ସ୍କୁଲ ଅଫ୍‌ ମିଡିଆ ଆଣ୍ଡ କମ୍ୟୁନିକେଶନ, ମଣିପାଲ ୟୁନିଭରସିଟି, ଜୟପୁର
ପିଲାଦିନେ ପଶ୍ଚିମାକାଶରେ ଇନ୍ଦ୍ରଧନୁ ଖୁବ କମ ଦେଖିଛି। ବର୍ଷାଦିନେ ଉପରବେଳା ସ୍କୁଲରୁ ଫେରିଲା ବେଳେ, ବର୍ଷା ଟିକିଏ ଛାଡ଼ି ଯାଇଥିଲା ବେଳେ ଯଦି ଖରା ଆସେ, ସେତେବେଳେ ପ୍ରାୟତଃ ପୂର୍ବାକାଶରେ ଇନ୍ଦ୍ରଧନୁ ଦେଖିବାକୁ ମିଳୁଥିଲା। ଇନ୍ଦ୍ରଧନୁକୁ ଦେଖିଲେ ମନରେ ଏକ ଅଦ୍ଭୁତ ଆନନ୍ଦ ଖେଳିଯାଉଥିଲା। ଏହାକୁ ଇନ୍ଦ୍ରଧନୁ କାହିଁକି କୁହାଯାଏ ବୋଲି ମୁଁ ଅନେକ ଥର ଜେଜେବାପାଙ୍କୁ ପ୍ରଶ୍ନ ବି କରିଛି। ତେବେ ପଞ୍ଚମ ଶ୍ରେଣୀରେ ଯେତେବେଳେ ଇନ୍ଦ୍ରଧନୁ କବିତା ପଢ଼ିଲି, ସେତେବେଳେ ଇନ୍ଦ୍ରଧନୁକୁ ଖୁବ୍‌ ଭଲଭାବେ ଜାଣିହେଲା। ସେ କବିତାରେ ଥିଲା,
ସୂର୍ଯ୍ୟଠାରେ ଥିଲା ସେ କାହିଁ, ସଲିଳ-କଣା ପରଶ ପାଇ
ସଜାଇ ରୂପ ବର୍ଣ୍ଣବାହୀ  ସବୁରି ମନ ମୋହେ ;
ସାତୋଟି ତହିଁ ରଙ୍ଗ ଖେଳି  ସବୁଜ, ପୀତ, ଲୋହିତ, ନେଳି
ବାଇଗଣି ଓ କମଳା ଝଳି ନିବିଡ଼ ନୀଳ ଶୋହେ ।
X     XXXX
ନୁହେଁ ତ ନୁହେଁ ତୋରଣ ସିଏ, କରିନି ତାକୁ ତିଆରି କିଏ,
ନାହିଁ ତ କାହିଁ ଇନ୍ଦ୍ରଟିଏ, ନୁହେଁ ସେ କାହା ଧନୁ;
 ଅଗଣା, ବିଲ, ପଡ଼ିଆ ପରେ ଦେଖିଲେ ତାକୁ ନୟନ ଭରେ,
ଆକାଶୁ ନିଭେ, ନିଭେନା ଥରେ ଦେଖଣାହାରୀ ମନୁ ।
ସେତେବେଳେ ସାହିତ୍ୟ ବହିରେ କବିତା ତ ଥିଲା, କିନ୍ତୁ ସେଥିରେ କବିମାନଙ୍କ ନଁା ଲେଖାଯାଉ ନ ଥିଲା। ତେଣୁ ଏ କାଳଜୟୀ କବିତାର କବି କିଏ, ତାଙ୍କ ସମ୍ପର୍କରେ ଜାଣିନି। କିନ୍ତୁ ଏ କବିତା ସେହି ପିଲାଦିନରୁ ଆଜି ଯାଏଁ ପ୍ରାୟ ୪୦ ବର୍ଷ ଧରି ମୋ ଭିତରେ ଘର କରିରହିଛି। ପରବର୍ତ୍ତୀ ସମୟରେ ବଡ଼ ହେବା ପରେ ଅନ୍ୟ କବିମାନଙ୍କୁ ପଢ଼ିବାର ସୁଯୋଗ ମିଳିଲା। ଏମିତି ହିଁ ଇନ୍ଦ୍ରଧନୁକୁ ବର୍ଣ୍ଣନା କରିବାକୁ ଯାଇ କବିବର ରାଧାନାଥ ରାୟ ତାଙ୍କ ରଚିତ ତୁଳସୀ ସ୍ତବକରେ ଲେଖିଛନ୍ତି,
ବେନି କୋଟିକି ନିହି ବେନି ଶିଖରେ ତ୍ରିବର୍ଣ୍ଣ ଜ୍ୟୋତି ସ୍ରୋତ ସୃଜି ଅମ୍ବରେ
ମଣ୍ଡେ ଜୀମୂତ ଭାଲ ଶକ୍ର କାର୍ମୁକ ଆଶା ଉଜ୍ଜ୍ୱଳେ ଯଥା ଆସ୍ତିକ ମୁଖ ॥
ଏବେ ଯେବେଠୁ ଉତ୍ତର ଭାରତରେ ରହିଲି ଇନ୍ଦ୍ରଧନୁ ଦେଖିବା ସମ୍ଭବ ହେଇନାହିଁ। କାରଣ ପ୍ରଦୂଷିତ ବାତାବରଣରେ ଆକାଶରେ ଇନ୍ଦ୍ରଧନୁ ଦେଖିବା ବିରଳ କହିଲେ ଚଳେ। କାଁ ଭଁା କେବେ କେମିତି ଯଦି ଇନ୍ଦ୍ରଧନୁ ଦେଖାଯାଏ, ତା’ହେଲେ ମନ ଖୁସି ହୋଇଯାଏ। ମୋ ପିଲାମାନେ ବି ଏଯାଏ ଭଲଭାବେ ଇନ୍ଦ୍ରଧନୁ ଦେଖିବା ସୁଯୋଗ ପାଇନାହାନ୍ତି। ତେବେ ପଞ୍ଜାବରେ ରହିଲା ବେଳେ ଥରେ ମୋ ପିଲାମାନେ ସାମାନ୍ୟ ଇନ୍ଦ୍ରଧନୁ ଦେଖିବାର ସୁଯୋଗ ପାଇଥିଲେ। ସେଥିରେ ସେମାନଙ୍କ ଆନନ୍ଦ କହିଲେ ନସରେ। ମୋ ଝିଅ ଭୂମି ଶତରୂପା ସେତେବେଳେ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲା। ସଙ୍ଗେ ସଙ୍ଗେ
 ଇନ୍ଦ୍ରଧନୁର ଚିତ୍ର ଆଙ୍କିବାରେ ଲାଗିପଡ଼ିଲା। ଏବେ ଆମେ ଜୟପୁରରେ ରହୁଛୁ। ଆଉ ମୁଁ ମୋ ପୁଅ ଭୁବନ କଲ୍ୟାଣକୁ ଇନ୍ଦ୍ରଧନୁର ଚିତ୍ର ଆଙ୍କିବା ଶିଖାଉଛି। କିନ୍ତୁ ପିଲାଦିନେ ଗାଁ ବନ୍ଧହିଡ଼ ଗୋହିରୀରେ ବା ବିଲମାଳରେ ଠିଆ ହୋଇ ଇନ୍ଦ୍ରଧନୁ ଦେଖିବାର ଆନନ୍ଦ ଏବେ ମୋ ପାଇଁ ସ୍ବପ୍ନ ମାତ୍ର।
ଖୋଜିବାକୁ ହେବ କେଉଁ ସଂଗ୍ରହାଳୟରେ: ଶିଶିର ବେହେରା
ନୟାଗଡ଼ ଜିଲାର ନଛିପୁର ହେଉଛି ଆମ ଗାଁ। ଛୋଟିଆ ହେଲେ ବି ସୁକରମଲ ପାହାଡ଼ ତଳେ ପ୍ରାକୃତିକ ପରିବେଶ ଭିତରେ ଥିବା ଆମ ଗାଁଟି ଭାରି ସୁନ୍ଦର। ମୋର ମନେଅଛି ପିଲାଦିନେ ବର୍ଷା ହେଲେ ପାହାଡ଼ରୁ ଝରିଆସୁଥିବା ଛୋଟ ଛୋଟ ଝରଣା, ଚାଳରୁ ଝରିପଡ଼ୁଥିବା ବର୍ଷା ଜଳ, ପିଲାଙ୍କ କାଗଜଡ଼ଙ୍ଗା ଭସାଇବାର ଦୃଶ୍ୟ ଭାରି ମନଲୋଭା ଲାଗୁଥିଲା। ଆଉ ଯେବେ ପାହାଡ଼ର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବିରାଟକାୟ ଇନ୍ଦ୍ରଧନୁ ପଡ଼ୁଥିଲା ତାକୁ ଦେଖିବାକୁ ଏତେ ଖୁସି ଲାଗୁଥିଲା ଯେ ପ୍ରକାଶ କରିହେବନି। ଆମେ ସବୁ ସାଙ୍ଗସାଥୀ ଡକାଡ଼କି ହୋଇ ଇନ୍ଦ୍ରଧନୁ ଦେଖୁଥିଲୁ। ଯଦି କାହାକୁ ଡାକି ନ ଥିବୁ ସେ ପିଲାଟି ଭାରି ଅଭିମାନ କରୁଥିଲା। ଖାଲି ସାଙ୍ଗମାନଙ୍କୁ ନୁହେଁ ଆମେ ଜେଜେ, ବଡ଼ବାବା, ଦାଦା ଯାହାକୁ ଦେଖୁଥିଲୁ ଡାକ ପକାଉଥିଲୁ ଇନ୍ଦ୍ରଧନୁ ଦେଖିବାକୁ। ପିଲାମାନେ ତ ଖୁସିରେ ଧାଇଁ ଆସୁଥିଲେ ଦେଖିବାକୁ। ହେଲେ ବଡ଼ମାନେ ଆକାଶର ଏଇ ବର୍ଣ୍ଣବିଭା ଦେଖି ଦେଖି ଅଭ୍ୟସ୍ତ ହୋଇଯାଇଥିଲେ ଯେମିତି। ଫଳରେ ବିରକ୍ତ ହୋଇ କହୁଥିଲେ କେଡ଼େ ପାଟି କରି ଡାକୁଚ କିରେ? ଯାଅ ତମେସବୁ ଦେଖ। ପିଲାଦିନେ ଆମେ ଭାବୁଥିଲୁ ଇନ୍ଦ୍ରଧନୁ ହେଉଛି ଇନ୍ଦ୍ରଙ୍କର ଧନୁ। ଦେବତାଙ୍କ ଧନୁ ହେଇଥିବାରୁ ଏହା ଏତେ ବଡ଼। ଏବେ ସେଇ ପାହାଡ ଅଛି, ସେଇ ଗାଁ ଅଛି, ବଣ ଜଙ୍ଗଲ ଅଛି। କିନ୍ତୁ ନାହିଁ ସେଇ ଇନ୍ଦ୍ରଧନୁ। କାହିଁ କେବେଠାରୁ ତା’ର ଦର୍ଶନ ମିଳୁନି। ଲାଗୁଛି ସତେ ଯେମିତି ଆଧୁନିକତା ଆଳରେ ଢିଙ୍କି, ମାଟି ଚୁଲି, ଭାଗବତ ଟୁଙ୍ଗି ଆଦି ଯେମିତି ହଜି ଗଲାଣି ଓ ଦେଖିବାକୁ ମିଳୁଛି କେବଳ ସଂଗ୍ରହାଳୟରେ। ସେହିଭଳି ଇନ୍ଦ୍ରଧନୁକୁ ବି ଖୋଜିବାକୁ ପଡ଼ିବ କେଉଁ ଏକ ସଂଗ୍ରହାଳୟରେ। ଏବେ ତ ଯୁଆଡ଼େ ନଜର ବୁଲାଇବ କଂକ୍ରିଟ ଜଙ୍ଗଲ। ପରିବେଶ ପ୍ରଦୂଷଣ ଚରମ ସୀମାରେ। ତା’ ଭିତରେ ଇନ୍ଦ୍ରଧନୁ ଦେଖାଯିବ ବା କେମିତି। ସେଥିପାଇଁ ଏବେ ପିଲାମାନେ ଇନ୍ଦ୍ରଧନୁ କ’ଣ ଜାଣୁନାହାନ୍ତି। ଇନ୍ଦ୍ରଧନୁ କେମିତିଆ ବୁଝାଇବା ପାଇଁ ତାଙ୍କୁ ଘରେ ପାଣି, ଦର୍ପଣ ଓ ଟର୍ଚ୍ଚ ବ୍ୟବହାର କରି କୃତ୍ରିମ ଇନ୍ଦ୍ରଧନୁ ସୃଷ୍ଟି କରି ବୁଝାଇବାକୁ ପଡୁଛି।
କାହିଁକି ଦେଖାଯାଉନି ଇନ୍ଦ୍ରଧନୁ- ପ୍ର. ରମେଶ ଚନ୍ଦ୍ର ପରିଡ଼ା
ପ୍ରକୃତିର ଏକ ମନମୁଗ୍ଧକର ପରିପ୍ରକାଶ ହେଉଛି ଇନ୍ଦ୍ରଧନୁ। ସାଧାରଣତଃ ବର୍ଷା ହେବାର ଠିକ୍‌ ପରେ ପରେ କିମ୍ବା ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟର ବିପରୀତ ଦିଗରେ ଇନ୍ଦ୍ରଧନୁ ପ୍ରକଟିତ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ହେଉଛି ଏକ ଆଲୌକିକ ପରିଘଟଣା। ଆକାଶରେ କ୍ଷୁଦ୍ର କ୍ଷୁଦ୍ର ଜଳବିନ୍ଦୁମାନ ଭାସି ବୁଲୁଥିବାବେଳେ ତନ୍ମଧ୍ୟଦେଇ ସୂର୍ଯ୍ୟାଲୋକ ଗତିକଲେ ତାହା ବିଚ୍ଛୁରିତ ହେବା ଫଳରେ ସପ୍ତରଙ୍ଗଧାରଣ କରି ଆମକୁ ଦେଖାଦିଏ। ବେଳେବେଳେ ତହିଁରୁ ଦୁଇଟି ଏକ ସଙ୍ଗରେ ସୃଷ୍ଟି ହୋଇଥାଏ। ସେଥିରୁ ଉଜ୍ଜ୍ୱଳଟିକୁ ପ୍ରାଥମିକ ଓ ଅନୁଜ୍ଜ୍ୱଳଟିକୁ ଦ୍ୱିତୀୟକ ବୋଲି କୁହାଯାଏ।
ପ୍ରାଥମିକ ଇନ୍ଦ୍ରଧନୁର ବାହାର ଅଂଶଟି ଲାଲ ହେଲାବେଳେ ଭିତର ଅଂଶଟି ବାଇଗଣୀ ହୋଇଥାଏ। ଏ ଦୁଇଟିର ମଝିରେ ଥାଏ ଘନନୀଳ, ନୀଳ,ସବୁଜ, ହଳଦିଆ ଓ ନାରଙ୍ଗୀ ଭଳି ବର୍ଣ୍ଣାଳୀର ଅନ୍ୟ ୫ଟି ରଙ୍ଗ। କିନ୍ତୁ ବୃହତ୍ତର ହୋଇଥିବା ଦ୍ୱିତୀୟକ ଇନ୍ଦ୍ରଧନୁରେ ଏହିକ୍ରମ ଠିକ୍‌ ଓଲଟା ହୋଇଥାଏ।
 ଇନ୍ଦ୍ରଧନୁ ଦୃଶ୍ୟମାନ ହେବାର ନ ଥାଏ କିଛି ନିର୍ଦ୍ଦିଷ୍ଟ ଦୂରତା: ବଡ଼ ବିଚିତ୍ରକଥା ଯେ, ଇନ୍ଦ୍ରଧନୁ ଦର୍ଶକଠାରୁ କୌଣସି ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥିତ ହୋଇ ନ ଥାଏ। ଯେପରିକି ଦିଗବଳୟ। ତେଣୁ ତା’ର ଦୂରତ୍ୱ ମାପିବା ସମ୍ଭବ ନୁହେଁ। ଏହା ଏକ ଆଲୋକୀୟ ଭ୍ରାନ୍ତି। ଯାହାକି ସୂର୍ଯ୍ୟାଲୋକ ଦିଗର ୪୩ ଡିଗ୍ରୀ କୋଣରେ ଥିବା ବାୟୁମଣ୍ଡଳରେ ଭାସମାନ ଯେ କୌଣସି ସୂକ୍ଷ୍ମ ଜଳବିନ୍ଦୁ ଦ୍ୱାରା ଉତ୍ପନ୍ନ ହୋଇପାରିବ। ଏଣୁ କୁହୁଡ଼ି, ଶିଶିର, ଆକାଶରୁ ଖସୁଥିବା ବରଫ ଇତ୍ୟାଦି ମଧ୍ୟ ଇନ୍ଦ୍ରଧନୁ ସୃଷ୍ଟି କରିପାରିବେ। ତେଣୁ ତାହା ଜଳପ୍ରପାତ ଓ ଝରଣା ନିକଟରେ ମଧ୍ୟଦେଖାଯାଏ।
ଇନ୍ଦ୍ରଧନୁର ପ୍ରକାର: ଇନ୍ଦ୍ରଧନୁ ନାନା ପ୍ରକାରର ହୋଇପାରେ। ଯେମିତିକି-
୧. ଯମଜ ଇନ୍ଦ୍ରଧନୁ- ମେଘରୂପେ ଆକାଶରୁ ଖସୁଥିବା ଅଲଗା ଅଲଗା ଆକାରର ଜଳବିନ୍ଦୁ ଦ୍ୱାରା ଏହା ସୃଷ୍ଟି ହୋଇଥାଏ। ଏହା ଦୁଇଟି ଅର୍ଦ୍ଧ ଗୋଲାକାର ରୂପ ନେଇ ଗୋଟିଏ ପୃଷ୍ଠଭୂମିରୁ ବାହାରି ବିଭାଜିତ ହୋଇ ଅଲଗା ଅଲଗା ହୋଇଥାନ୍ତି। ଏଗୁଡ଼ିକର ବର୍ଣ୍ଣାଳୀରେ ଥିବା ରଙ୍ଗଗୁଡ଼ିକ ପ୍ରାଥମିକ ଇନ୍ଦ୍ରଧନୁ  କ୍ରମାନୁସାରେ ହୋଇଥାଏ।
ବୃତ୍ତାକାର ଇନ୍ଦ୍ରଧନୁ- ସାଧାରଣତଃ ସବୁ ଇନ୍ଦ୍ରଧନୁ ବୃତ୍ତାକାର। ତେବେ ଭୂପୃଷ୍ଠରୁ ଆମେ କେବଳ ଏହାର ଅର୍ଦ୍ଧାଂଶ ଦେଖିପାରୁ। ଏହା ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବାକୁ ହେଲେ ଦର୍ଶକ ଦେଖୁଥିବା ଦିଗ୍‌ବଳୟର ତଳକୁ ଥିବା ସୂକ୍ଷ୍ମ ଜଳକଣା ଉପରେ ସୂର୍ଯ୍ୟାଲୋକ ପତିତ ହେବାର ଦର୍ଶକଙ୍କୁ ଦେଖାଯିବା ଦରକାର। ଭୂମିପୃଷ୍ଠରେ ଠିଆ ହୋଇଥିବା ଅବସ୍ଥାରେ ଏହାକୁ ଦେଖିବା ସମ୍ଭବ ନୁହେଁ। ତେବେ ଉଡ଼ାଜାହାଜରୁ ଏହାର ବୃତ୍ତାକାର ରୂପ ଦେଖି ହେବ।
ପ୍ରତିଫଳିତ ଇନ୍ଦ୍ରଧନୁ- ଏହା ଦୁଇଟି ଉପାୟରେ ହୋଇପାରେ। ତହିଁରୁ ପ୍ରଥମଟି ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ସୂର୍ଯ୍ୟାଲୋକ ପ୍ରଥମେ ବର୍ଷାବିନ୍ଦୁମାନଙ୍କ ଦ୍ୱାରା ବିକ୍ଷେପିତ ହୋଇ ଏକ ଜଳାଶୟରେ ପଡ଼େ ଏବଂ ସେଠାରୁ ପ୍ରତିଫଳିତ ହୋଇ ଦର୍ଶକ ପାଖରେ ପହଞ୍ଚେ। ଅନ୍ୟଟି ଠିକ୍‌ ତା’ର ଓଲଟା । ଏଥିରେ  ସୂର୍ଯ୍ୟାଲୋକ ବର୍ଷାଜଳ ବିନ୍ଦୁରେ ପହଞ୍ଚତ୍ବା ପୂର୍ବରୁ ଏକ ବୃହତ୍‌ ଜଳାଶୟରେ ପ୍ରତିଫଳିତ ହୋଇଥାଏ। ଏ ଉଭୟ ଦିଗ୍‌ବଳୟର ଉପରେ ଦେଖାଯାନ୍ତି ଏବଂ ସାଧାରଣ ଇନ୍ଦ୍ରଧନୁକୁ ଦିଗ୍‌ବଳୟଠାରେ କାଟି ଉପରକୁ ଉଠିଥାନ୍ତି।
ଚନ୍ଦ୍ର ଇନ୍ଦ୍ରଧନୁ- ସୂର୍ଯ୍ୟାଲୋକ ଭଳି ଚନ୍ଦ୍ରାଲୋକ ମଧ୍ୟ ଇନ୍ଦ୍ରଧନୁ ସୃଷ୍ଟି କରିପାରେ। ତେବେ ତାହା ଟିକେ ଅସ୍ପଷ୍ଟ ଏବଂ ଅଧିକାଂଶ ସମୟରେ ଧଳା ହୋଇଥାଏ।
ଏସବୁ ବ୍ୟତୀତ ଆହୁରି ମଧ୍ୟ ଅନେକ ପ୍ରକାରର ଇନ୍ଦ୍ରଧନୁ ରହିଛି। ତେବେ ସେଗୁଡ଼ିକ କ୍ୱଚିତ ଦେଖାଯାଏ।
ଇନ୍ଦ୍ରଧନୁ ନ ଦେଖାଯିବାର କାରଣ- ପ୍ରଦୂଷଣ ହେଉଛି ଇନ୍ଦ୍ରଧନୁ ନ ଦେଖାଯିବାର ମୁଖ୍ୟ କାରଣ। ଅର୍ଥାତ୍‌ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ଧୂଆଁ, ଧୂଳିକଣା ରହିବା ଯୋଗୁ ଏବେ ଇନ୍ଦ୍ରଧନୁ ସୃଷ୍ଟି ହେବାରେ ବାଧା ଉପୁଜୁଛି। ଯେଉଁଠି ବାୟୁମଣ୍ଡଳ ନିର୍ମଳ ସେଇଠି ଦେଖାଯାଉଛି ଇନ୍ଦ୍ରଧନୁ।
ପରିବର୍ତ୍ତନ ଓ ଆଧୁନିକତାର ଆଳରେ ଏବେ ପ୍ରଦୂଷିତ ହେବାରେ ଲାଗିଛି ପରିବେଶ। ଆଉ ଏହି ପ୍ରଦୂଷଣ ଲାଗି ଲୋପ ପାଇଗଲାଣି ପ୍ରକୃତିର ଅନେକ ସୁନ୍ଦର ସୃଷ୍ଟିର ସତ୍ତା। ଏହି ଧାରାରେ ଏବେ ଇନ୍ଦ୍ରଧନୁ ବି ସାମିଲ ହୋଇଯାଇଛି। ଯଦି ହଜିଯାଏ ଏହାର ସତ୍ତା, ତେବେ ଆମ ଆଗାମୀ ପିଢ଼ି ପାଇଁ ଏହା କେବଳ ଏକ ପରୀ କାହାଣୀ ହୋଇ ରହିଯିବ।
 -ଶିବାନୀ ମହାନ୍ତି

Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri