ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ

ବିଚିତ୍ର ବିଶ୍ୱାଳ

୨୦୧୪ ପରଠାରୁ ଆମ ଦେଶରେ ସବୁଠାରୁ ଦ୍ରୁତ ଗତିରେ ଯାହା ବଢ଼ିଛି, ତାହା ହେଉଛି ତଥାକଥିତ ଦେଶଦ୍ରୋହୀଙ୍କ ସଂଖ୍ୟା। ସର୍ବୋଚ୍ଚ ଧନିକମାନଙ୍କ ସମ୍ପତ୍ତି, ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଦରଦାମ୍‌ ଓ ପେଟ୍ରୋଲ୍‌, ଡିଜେଲର ମୂଲ୍ୟ ପରି ଗୁଣାତ୍ମକ ପ୍ରଗତିରେ ବଢ଼ିଚାଲିଛି ଆମ ଦେଶରେ ଏହି ଦେଶଦ୍ରୋହୀଙ୍କ ସଂଖ୍ୟା। ଏକଥା କେଉଁ ରାଷ୍ଟ୍ରୀୟ କି ଅନ୍ତଃରାଷ୍ଟ୍ରୀୟ ସର୍ବେକ୍ଷଣ ସଂସ୍ଥା କହୁନାହିଁ। ଏକଥା ଖୋଦ୍‌ ଆମ ସରକାର, ସରକାରରେ ଥିବା ନେତା, ମନ୍ତ୍ରୀ ଓ କେନ୍ଦ୍ରରେ କ୍ଷମତାସୀନ ଦଳର ନେତା ଏବଂ ପ୍ରବକ୍ତାମାନେ ଗତ କିଛି ବର୍ଷ ହେବ ବାରମ୍ବାର କହି ଆସୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଛଅ ସାତ ବର୍ଷ ମଧ୍ୟରେ ହଠାତ୍‌ ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ?
କେନ୍ଦ୍ରରେ ଭାଜପା ସରକାର ସ୍ଥାପନ ହେବା ପରଠାରୁ ଆମ ଦେଶରେ ହୋଇଥିବା ବଡ଼ ବଡ଼ ଦୃଷ୍ଟି ଆକର୍ଷଣକାରୀ ଆନ୍ଦୋଳନଗୁଡ଼ିକ ବିଷୟରେ ସରକାରରେ ଥିବା ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକମାନଙ୍କ ପ୍ରତିକ୍ରିୟାକୁ ଲକ୍ଷ୍ୟ କଲେ ଆମେ ଜାଣିପାରିବା ଯେ, ଭିନ୍ନ ଭିନ୍ନ ସରକାର ବିରୋଧୀ ଆନ୍ଦୋଳନରେ ଏହି ଦେଶଦ୍ରୋହୀମାନଙ୍କ ସଂଖ୍ୟା ବଢ଼ିଚାଲିଛି। ନିକଟ ଅତୀତରେ ଯେତେବେଳେ ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ଆନ୍ଦୋଳନ କଲେ, ତାଙ୍କୁ କୁହାଗଲା ଦେଶଦ୍ରୋହୀ। ଏପରିକି ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଥିବା ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସେତେବେଳେ ମୁକ୍ତିଲାଭ କରିଥିବା ‘ଛପାକ୍‌’ ସିନେମା ଯିଏ ଦେଖିଲା, ତାଙ୍କୁ ବି ଦେଶଦ୍ରୋହୀ କୁହାଗଲା। ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ ଓ ପ୍ରସ୍ତାବିତ ଜାତୀୟ ନାଗରିକ ରେଜିଷ୍ଟର ବିରୋଧରେ ଯେଉଁ ଦେଶବ୍ୟାପୀ ପ୍ରତିବାଦ ଚାଲିଲା, ସେଥିରେ ଭାଗ ନେଇଥିବା ଲୋକମାନଙ୍କୁ ବି ଦେଶଦ୍ରୋହୀ କୁହାଗଲା। ଜାମିଆମିଲିଆ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନରତ ଛାତ୍ରମାନଙ୍କୁ ବି ଦେଶଦ୍ରୋହୀର ଆଖ୍ୟା ଦିଆଗଲା। ସଂପ୍ରତି ପ୍ରଣୟନ ହୋଇଥିବା ତିନୋଟି କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଜାରି ରହିଥିବା ଆନ୍ଦୋଳନକୁ ବି ବିଚ୍ଛିନ୍ନତାବାଦୀ, ଖଲିସ୍ତାନୀ ଓ ଦେଶଦ୍ରୋହୀ ମାନଙ୍କର ଆନ୍ଦୋଳନ ବୋଲି କୁହାଯାଉଛି। ସରକାରରେ ଥିବା ନେତା, ମନ୍ତ୍ରୀମାନେ ଖୋଦ୍‌ ଏକଥା କହୁଛନ୍ତି। ଏତଦ୍‌ବ୍ୟତୀତ ଦେଖାଯାଉଛି ଯେ, ଯେଉଁଠି ବି ଯିଏ ସରକାର ବିରୋଧୀ ମତ ପୋଷଣ କରୁଛି, ତାକୁ ଦେଶଦ୍ରୋହୀର ଆଖ୍ୟା ଦେଇ ଚୁପ୍‌ କରିଦେବାକୁ ଚେଷ୍ଟା କରାଯାଉଛି। ସେମାନେ ଛାତ୍ର ହୁଅନ୍ତୁ, ଚାଷୀ ହୁଅନ୍ତୁ କି ସାମାଜିକ କାର୍ଯ୍ୟକର୍ତ୍ତା ହୁଅନ୍ତୁ। କେତେବେଳେ ତାଙ୍କୁ ଅର୍ବାନ୍‌ ନକ୍ସଲ କୁହାଯାଉଛି ତ, କେତେବେଳେ ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌ ତ, କେତେବେଳେ ଦେଶଦ୍ରୋହୀ।
ପେଟ୍ରୋଲ, ଡିଜେଲର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ପ୍ରତିବାଦ କଲେ ବି ପ୍ରତିବାଦକାରୀଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, ଦେଶ କ’ଣ କେବଳ ସରକାର! ସରକାରଙ୍କୁ ପ୍ରତିବାଦ କରିବା ଅର୍ଥ ଦେଶର ଦ୍ରୋହ କରିବା? ଏହା ଆଦୌ ନୁହେଁ। ସରକାର, କ୍ଷମତାରେ ଥିବା ନେତା, ମନ୍ତ୍ରୀ ଓ ତାଙ୍କର ସମର୍ଥକମାନେ ଭିନ୍ନ ମତକୁ ସହ୍ୟ କରି ନ ପାରି ଓ ଭିନ୍ନ ମତକୁ ପ୍ରୋତ୍ସାହନ ନ ଦେବା ପାଇଁ ଅତ୍ୟନ୍ତ ଚତୁରତାର ସହିତ ଭିନ୍ନ ମତବାଦୀମାନଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଉଛନ୍ତି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା ହଁି ସବୁଠାରୁ ବଡ଼ ବିପଦ। ଅସଲ କଥା ହେଉଛି, ଗଣତନ୍ତ୍ର ଉପରେ ଆସ୍ଥା ନ ଥିବା ଲୋକମାନେ ହଁି ଭିନ୍ନ ମତବାଦୀମାନଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଅନ୍ତି ଓ ସେଇଠୁ ହଁି ଏକଚ୍ଛତ୍ରବାଦର ଆରମ୍ଭ ହୁଏ। ଅତୀତରେ ଏହା ବାରମ୍ବାର ହୋଇଥିବାର ଆମେ ଦେଖିଛେ। ଫ୍ରାନ୍‌ସର ଏକଚ୍ଛତ୍ରବାଦୀ ଶାସକ ଚତୁର୍ଦ୍ଦଶ ଲୁଇ କହୁଥିଲେ, ମଁୁ ହଁି ରାଷ୍ଟ୍ର ଓ ରାଷ୍ଟ୍ର କହିଲେ କେବଳ ମୋତେ ହଁି ବୁଝାଏ। ଏବେ ଆମ ଦେଶର ପରିସ୍ଥିତି ଠିକ୍‌ ସେଇ ଦିଗକୁ ଯାଉଥିବାର ଦେଖାଯାଉଛି। ଯିଏ ବି ମୋଦି ସରକାରଙ୍କ କୌଣସି ନୀତି ବା ନିଷ୍ପତ୍ତିକୁ ବିରୋଧ କରୁଛି, ତା’ ଦେହରେ ଦେଶଦ୍ରୋହର ଟ୍ୟାଗ୍‌ ଲଗେଇ ଦିଆଯାଉଛି। ସତେ ଯେମିତି ମୋଦି ହଁି ଦେଶ ଓ ମୋଦିଙ୍କ ନୀତିକୁ ବିରୋଧ କରିବା ଅର୍ଥ ଦେଶଦ୍ରୋହ। ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି ଓ ରହିବା ଉଚିତ। ଯଦି ପ୍ରତିବାଦକୁ ଦେଶଦ୍ରୋହର ନାମ ଦିଆଯିବ ତେବେ ବୁଝିବାକୁ ହେବ ଯେ, ଛଦ୍ମ ଭାବେ ଏକଚ୍ଛତ୍ରବାଦ ଆତ୍ମପ୍ରକାଶ କରିବାକୁ ଯାଉଛି। ତେଣୁ ଏବେ ଯେପରି ଭାବେ ଦେଶଦ୍ରୋହୀଙ୍କ ସଂଖ୍ୟା ବଢ଼ି ଚାଲୁଛି, ତାହାର ଅର୍ଥ ହେଉଛି, ଆମ ଦେଶ ଧୀରେ ଧୀରେ ସ୍ବେଚ୍ଛାଚାରିତା ଦିଗରେ ଗତି କରୁଛି। ଯେତେବେଳେ ବିରୋଧ ଓ ବିରୋଧୀଙ୍କୁ ଦେଶଦ୍ରୋହୀ କୁହାଯାଏ, ସେତେବେଳେ ବୁଝିବାକୁ ହେବ ଯେ, ଦେଶରୁ ଗଣତନ୍ତ୍ର ଅସ୍ତ ହୋଇ ଏକଚ୍ଛତ୍ରବାଦ ଉଦୟ ହେବାକୁ ଯାଉଛି। ଏକଥା କହିଥିଲେ ବର୍ତ୍ତମାନ କ୍ଷମତାସୀନ ଦଳର ପୂର୍ବତନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ବର୍ତ୍ତମାନ ପରିସ୍ଥିତିରେ ବାଜପେୟୀଙ୍କ ଏହି କଥାରୁ ଆମେ କ’ଣ ବୁଝିବା?
ଜାମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ବେଳେ ସାଂସଦ ଫାରୁକ୍‌ ଅବ୍‌ଦୁଲାଙ୍କ ଏକ ମନ୍ତବ୍ୟକୁ ଦେଶଦ୍ରୋହ କହି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଇ କହିଛନ୍ତି, ସରକାର ବିରୋଧୀ ବିଚାରଧାରା ଦେଶଦ୍ରୋହ ନୁହେଁ। ପ୍ରକୃତରେ ସରକାରଙ୍କୁ ବିରୋଧ କରିବା ଆଦୌ ଦେଶଦ୍ରୋହ ନୁହେଁ। ଦେଶକୁ ଭଲ ପାଉଥିବା ଲୋକ ସରକାରଙ୍କ ଦୋଷ ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଶ୍ଚିତ ଭାବେ ପ୍ରଶ୍ନ ପଚାରିବା ଉଚିତ। ଏହା ବାସ୍ତବ ଅର୍ଥରେ ଏକ ଦେଶପ୍ରେମୀ କାର୍ଯ୍ୟ। ଗଣତନ୍ତ୍ର ଓ ସମ୍ବିଧାନ ଆମକୁ ପ୍ରଶ୍ନ ପଚାରିବାର ଓ ଭିନ୍ନ ମତବାଦ ପୋଷଣ କରିବାର ଅଧିକାର ଦେଇଛି। ରାଜତନ୍ତ୍ର ଓ ଏକଚ୍ଛତ୍ରବାଦରେ ବିଶ୍ୱାସ କରୁଥିବା ଲୋକମାନେ ଜନତାଙ୍କ ସ୍ବରକୁ ଦବେଇ ଦେବାକୁ ଚାହାନ୍ତି ଓ ଜନତାଙ୍କ ସ୍ବର ତଥା ପ୍ରତିବାଦକୁ ଦେଶଦ୍ରୋହର ଆଖ୍ୟା ଦିଅନ୍ତି। ଗାନ୍ଧୀ କହିଥିଲେ, ଯେଉଁ ଆଇନ ମୋ’ ବିବେକ ବିରୋଧରେ ଯିବ, ମଁୁ ତାକୁ ନିଶ୍ଚୟ ପ୍ରତିବାଦ କରିବି। ତେଣୁ ବିରୋଧ ବା ପ୍ରତିବାଦ ହେଉଛି ଗଣତନ୍ତ୍ରର ଆତ୍ମା ସଦୃଶ। ବିଗତ କିଛି ଦିନ ହେବ ଏହି ପ୍ରତିବାଦର ଧାରାକୁ ବନ୍ଦ କରିବା ପାଇଁ ଅତ୍ୟନ୍ତ ଚତୁରତାର ସହିତ ପ୍ରତିବାଦ ସହିତ ଦେଶଦ୍ରୋହକୁ ଯୋଡ଼ି ସାଧାରଣ ଲୋକମାନଙ୍କୁ ଭୁଅଁା ବୁଲେଇବାକୁ ଚେଷ୍ଟା କରାଯାଉଛି। ଏ କାମ ଖୋଦ୍‌ ସରକାର କରୁଛନ୍ତି। ଏହା ନିଶ୍ଚିତ ଯେ, ଆଗାମୀ ଦିନରେ ସରକାର ବିରୋଧୀ ପ୍ରତିବାଦ ଆହୁରି ତୀବ୍ର ହେବ ଓ ସମତାଳରେ ସରକାରୀ ଷ୍ଟାମ୍ପ୍‌ଦିଆ ଦେଶଦ୍ରୋହୀଙ୍କ ସଂଖ୍ୟା ବି ବଢ଼ିବ। କ୍ଷମତାସୀନ ଦଳର ଅନ୍ଧ ସମର୍ଥକ ତଥା ଭକ୍ତମାନେ ଏପରି ପ୍ରଚାର ଖୁବ୍‌ ଜୋର୍‌ରେ କରୁଛନ୍ତି। କ୍ଷମତାସୀନ ଦଳର ଆଇ.ଟି. ସେଲ୍‌ ତାଙ୍କୁ ସମସ୍ତ ପ୍ରକାର ମିଥ୍ୟା ଓ ପ୍ରବଞ୍ଚନାପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇ ସରକାରୀ ବିରୋଧୀ ମତବାଦକୁ ନୂ୍ୟନ କରିବାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି।
ଏହି ଧାରାରେ ସଂପ୍ରତି ଆମ ଦେଶରେ ଦେଶଦ୍ରୋହୀଙ୍କ ସଂଖ୍ୟା ଏପରି ଭାବେ ବଢ଼ିଲାଣି ଯେ, ଆପଣଙ୍କ ଚାରିପାଖରେ ଥିବା ଲୋକମାନଙ୍କ ମଧ୍ୟରୁ କିଏ ଜଣେ ସାଂଘାତିକ ଦେଶଦ୍ରୋହୀ ଥାଇପାରେ। କାରଣ ଆଜି ଦେଶଦ୍ରୋହୀ ହେବାରେ ଦେଶ ସହିତ ଶତ୍ରୁତା କରିବା ଆବଶ୍ୟକ ନାହଁି। ଆପଣ ଯଦି ନୀତିଗତ ଭାବେ ଧର୍ମ ନାଁ’ରେ ହିଂସାର ବିରୋଧୀ, ଆପଣ ଯଦି ଧର୍ମନିରପେକ୍ଷ ବା ସର୍ବଧର୍ମ ସମନ୍ବୟର କଥା କହୁଛନ୍ତି ବା ଆପଣ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ବିରୋଧ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଦେଶଦ୍ରୋହୀର ଟ୍ୟାଗ୍‌ଟିଏ ସଜ୍ଜା ହୋଇ ରହିଛି।
ଆମ ଦେଶରେ ତ ପ୍ରତିବାଦ ବା ଆନ୍ଦୋଳନ ଏବେ ନୂଆ ହୋଇ ହେଉନାହଁି। ଅନେକ ପୂର୍ବରୁ ଆନ୍ଦୋଳନ ଚାଲୁଛି। ଲୋକମାନେ ସରକାରଙ୍କ ନୀତିକୁ ପ୍ରତିବାଦ କରି ଆସୁଛନ୍ତି। ସେତେବେଳେ ତ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଉନଥିଲା। ଏବେ କାହଁିକି କୁହାଯାଉଛି? ୨୦୧୩ରେ ଉପା ସରକାର ସମୟରେ ଆନ୍ନା ହାଜାରେଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିରାଟ ଆନ୍ଦୋଳନ ଗଢ଼ି ଉଠିଥିଲା। ବାବା ରାମଦେବଙ୍କ ନେତୃତ୍ୱରେ ବି କ୍ଷମତାସୀନ ଉପା ସରକାର ବିରୋଧରେ ଦୃଢ଼ ଆନ୍ଦୋଳନ ହୋଇଥିଲା। ଏହି ସବୁ ଆନ୍ଦୋଳନର ପରିଣାମ ସ୍ବରୂପ ଉପା ସରକାରର ପତନ ହେଲା। କିନ୍ତୁ ସେତେବେଳେ ତ ଆନ୍ଦୋଳନକୁ ବା ଆନ୍ଦୋଳନକାରୀଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଆଯାଇନଥିଲା। ଏବେ ସରକାର ବିରୋଧରେ ପ୍ରତିବାଦ କଲାମାତ୍ରେ ତାହାକୁ ଦେଶଦ୍ରୋହ କୁହାଯାଉଛି କାହଁିକି? ଗୋଟିଏ ଗଣତାନ୍ତ୍ରିକ ଦେଶରେ ଭିନ୍ନ ମତକୁ ସମ୍ମାନ କରିବାକୁ ସରକାର ଭୟ କରୁଛନ୍ତି କାହଁିକି?
ପ୍ରକୃତରେ ଦେଶଦ୍ରୋହୀଙ୍କ ସଂଖ୍ୟା ବଢ଼ିନାହଁି। ଦେଶର ସଂଜ୍ଞାକୁ ତ୍ରୁଟିପୂର୍ଣ୍ଣ ଭାବେ ପରିପ୍ରକାଶ କରାଯାଉଛି। ସରକାର ଦେଶ ନୁହେଁ। ଦେଶ ସରକାରଠାରୁ ବହୁତ ଊର୍ଦ୍ଧ୍ୱରେ ଓ ଗଭୀରରେ ଅଛି। ଦେଶକୁ ଓ ଦେଶର ଗଣତନ୍ତ୍ରକୁ ରକ୍ଷା କରିବାକୁ ହେଲେ, ପ୍ରତିବାଦର ସଂସ୍କୃତିକୁ ବଞ୍ଚେଇ ରଖିବାକୁ ହେବ। ଯେଉଁମାନେ ପ୍ରତିବାଦକୁ ସହ୍ୟ କରିପାରିବାର ଯୋଗ୍ୟତା ରଖନ୍ତି ନାହଁି, ସେମାନେ ହଁି ଅସଲରେ ଗଣତନ୍ତ୍ରର ବିରୋଧୀ ଓ ଦେଶର ଶତ୍ରୁ।
– ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri