ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ ପାଲଟିଥିବା ପ୍ରେରଣା ପୁରୁଷ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜନ୍ମବାର୍ଷିକୀ। ଚଳିତ ବର୍ଷ ଏହି ଅବସର ଆହୁରି ଅଧିକ ଗୁରୁତ୍ୱ ବହନ କରେ, କାରଣ ଏଥର ତାଙ୍କର ୨୦୦ତମ ଜନ୍ମବାର୍ଷିକୀ ପାଳନର ଶୁଭାରମ୍ଭ ହେଉଛି।
ମହାତ୍ମା ଫୁଲେ ଜଣେ ମହାନ୍‌ ସଂସ୍କାରକ ଥିଲେ। ଏହା ସହିତ ତାଙ୍କର ଜୀବନ ନୈତିକ ସାହସ, ନିରନ୍ତର ଅନୁସନ୍ଧାନ ଏବଂ ସାମାଜିକ ମଙ୍ଗଳ ପାଇଁ ସମର୍ପିତ ଥିଲା। ମହାତ୍ମା ଫୁଲେ ଅନେକ ଅନୁଷ୍ଠାନ ଗଢ଼ି ଏବଂ ଏକାଧିକ ଆନ୍ଦୋଳନର ନେତୃତ୍ୱ ନେଇ ଚିରସ୍ମରଣୀୟ। ସେହିପରି ଆମ ସଭ୍ୟତାଗତ ଯାତ୍ରାରେ ସେ ବହୁମୂଲ୍ୟ ଯୋଗଦାନ ଦେଇଯାଇଛନ୍ତି। ସେ ଅନେକଙ୍କ ଜୀବନରେ ଅସୁମାରି ଆଶା ଜାଗ୍ରତ କରିଛନ୍ତି, ଅନେକଙ୍କୁ ଆତ୍ମବିଶ୍ୱାସ ଦେଇଛନ୍ତି ଏବଂ ତାଙ୍କର ବିଚାର ଦେଶବ୍ୟାପୀ କୋଟି କୋଟି ଲୋକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ଦେଇଚାଲିଛି।
୧୮୨୭ ମସିହାରେ ମହାନ୍‌ ରାଜ୍ୟ ମହାରାଷ୍ଟ୍ରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନ ଅତି ସାଧାରଣ ପୃଷ୍ଠଭୂମିରୁ ଆରମ୍ଭ ହୋଇଥିଲା। କିନ୍ତୁ ଜୀବନର ପ୍ରାରମ୍ଭିକ ଅବସ୍ଥାରେ ସେ ସାମ୍ନା କରିଥିବା କଷ୍ଟ କେବେ ବି ତାଙ୍କର ଶିକ୍ଷା, ସାହସ କିମ୍ବା ସମାଜ ପ୍ରତି ତାଙ୍କର ସମର୍ପଣରେ ବାଧା ସୃଷ୍ଟି କରି ନ ଥିଲା। ଏହି ଗୋଟିଏ ବିଶେଷତ୍ୱ ସବୁବେଳେ ତାଙ୍କ ପାଖରେ ରହିଥିଲା। ଯେକୌଣସି ଆହ୍ବାନ ସତ୍ତ୍ୱେ ଜଣେ ବ୍ୟକ୍ତି କଠିନ ପରିଶ୍ରମ କରିବା ଆବଶ୍ୟକ, ଜ୍ଞାନ ଆହରଣ କରିବା ଆବଶ୍ୟକ ଏବଂ ହାତ ବାନ୍ଧି ବସିରହିବା ପରିବର୍ତ୍ତେ ଆହ୍ବାନର ମୁକାବିଲା ଲାଗି ଆଗେଇ ଆସିବା ଆବଶ୍ୟକ ବୋଲି ସେ ବିଶ୍ୱାସ କରୁଥିଲେ। ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ବାଳୁତ ଜ୍ୟୋତିରାଓ ଗଭୀର ଜିଜ୍ଞାସୁ ଥିଲେ। ପୁସ୍ତକ ପଠନ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ତାଙ୍କ ବୟସର ପିଲାଠାରୁ ଯେତିକି ଆଶା କରାଯାଉଥିଲା ତା’ଠାରୁ ଢେର ଅଧିକ ପୁସ୍ତକ ସେ ପଢ଼ିଥିଲେ। ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ସେ କହିଥିଲେ, ”ଆମେ ଯେତେ ପ୍ରଶ୍ନ ପଚାରିବା, ସେତେ ଜ୍ଞାନ ଆହରଣ କରିପାରିବା“। ପିଲାଦିନର ଏହି ଜିଜ୍ଞାସୁ ମନୋଭାବ ତାଙ୍କର ପରବର୍ତ୍ତୀ ଜୀବନ ଯାତ୍ରାରେ ମଧ୍ୟ ସ୍ପଷ୍ଟ ରୂପେ ଜାରି ରହିଥିଲା।
ଶିକ୍ଷା ଓ ଅଧ୍ୟୟନ ଆଜୀବନ ମହାତ୍ମା ଫୁଲେଙ୍କ ଲକ୍ଷ୍ୟର କେନ୍ଦ୍ରରେ ରହିଥିଲା। ଜ୍ଞାନ ଆହରଣ କେବଳ କୌଣସି ଗୋଟିଏ ବର୍ଗର ସମ୍ପତ୍ତି ନୁହେଁ, ବରଂ ଏହା ଏପରି ଏକ ଶକ୍ତି ଯାହାକୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ବାଣ୍ଟିବା ଉଚିତ ବୋଲି ସେ ବିଚାର କରୁଥିଲେ। ତତ୍କାଳୀନ ସମାଜରେ ଅନେକ ଲୋକଙ୍କୁ ଶିକ୍ଷାରୁ ବଞ୍ଚିତ ରଖାଯାଉଥିଲା। ସେଭଳି ଏକ ସମୟରେ ମହାତ୍ମା ଫୁଲେ ଝିଅ ଓ ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ବିଦ୍ୟାଳୟ ଖୋଲିଥିଲେ। ସେ କହୁଥିଲେ, ”ମା’ ମାନଙ୍କ ମାଧ୍ୟମରେ ପିଲାଙ୍କଠାରେ ଆସୁଥିବା ଯେକୌଣସି ସୁଧାର ଅତ୍ୟନ୍ତ ମୂଲ୍ୟବାନ୍‌। ସେଥିପାଇଁ ଯଦି ବିଦ୍ୟାଳୟ ଖୋଲାଯିବ ତା’ହେଲେ ସର୍ବପ୍ରଥମେ ଝିଅମାନଙ୍କ ପାଇଁ ଖୋଲାଯିବା ଆବଶ୍ୟକ।“ ସେ ଶିକ୍ଷାକୁ ନ୍ୟାୟ ଓ ସମାନତାର ମାଧ୍ୟମରେ ପରିଣତ କରିଥିଲେ।
ଶିକ୍ଷା ପ୍ରତି ତାଙ୍କର ଦୃଷ୍ଟିକୋଣ ଆଜି ମଧ୍ୟ ଆମମାନଙ୍କୁ ଅନୁପ୍ରାଣିତ କରିଥାଏ। ବିଗତ ଏକ ଦଶନ୍ଧି ମଧ୍ୟରେ ଆମେ ଭାରତର ଯୁବପିଢ଼ି ପାଇଁ ଗବେଷଣା ଓ ଉଦ୍ଭାବନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛୁ। ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି, ଯେଉଁଠାରେ ଯୁବ ମସ୍ତିଷ୍କକୁ ପ୍ରଶ୍ନ ପଚାରିବା, ଅନୁସନ୍ଧାନ କରିବା ଏବଂ ନୂତନ ଉଦ୍ଭାବନ କରିବା ପାଇଁ ଅନୁପ୍ରାଣିତ କରାଯାଇପାରିବ। ଜ୍ଞାନ, ଦକ୍ଷତା ଏବଂ ସୁଯୋଗ କ୍ଷେତ୍ରରେ ନିବେଶ ସହିତ ଭାରତ ନିଜର ଯୁବପିଢ଼ିଙ୍କୁ ସମସ୍ୟା ସମାଧାନକାରୀ ଏବଂ ଜାତୀୟ ପ୍ରଗତିର ଆଧାର ସ୍ତମ୍ଭରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛି।
ନିଜର ଶୈକ୍ଷିକ ଜ୍ଞାନ ଏବଂ ବୌଦ୍ଧିକତା ବଳରେ ମହାତ୍ମା ଫୁଲେ କୃଷି, ସ୍ବାସ୍ଥ୍ୟ ଏବଂ ଗ୍ରାମୀଣ ବିକାଶ ଭଳି କ୍ଷେତ୍ରରେ ଗଭୀର ଜ୍ଞାନ ଆହରଣ କରିଥିଲେ। ସେ ପ୍ରାୟତଃ କହୁଥିଲେ, ଚାଷୀ ଓ ଶ୍ରମିକଙ୍କ ସହିତ ଅନ୍ୟାୟ ସମାଜକୁ ଦୁର୍ବଳ କରିଥାଏ। ସାମାଜିକ ଅସମାନତା କୃଷି କ୍ଷେତ୍ରରେ ଏବଂ ଗ୍ରାମାଞ୍ଚଳରେ କିଭଳି ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି ତାହା ସେ ଦେଖିଥିଲେ। ସେଥିପାଇଁ ସେ ଗରିବ, ବଞ୍ଚିତ ଏବଂ ଦୁର୍ବଳ ବର୍ଗର ଲୋକଙ୍କୁ ସମ୍ମାନ ଦେବା ଲାଗି ନିଜ ଜୀବନକୁ ସମର୍ପି ଦେଇଥିଲେ। ଏଥିସହିତ ସେ ସାମାଜିକ ସଦ୍ଭାବ ବଜାୟ ରଖିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିଥିଲେ।
ମହାତ୍ମା ଫୁଲେ କହିଥିଲେ, ”ସମାଜର ସବୁ ଲୋକଙ୍କୁ ସମାନ ଅଧିକାର ନ ମିଳିବା ପର୍ଯ୍ୟନ୍ତ ପ୍ରକୃତ ସ୍ବାଧୀନତା ମିଳିପାରିବ ନାହିଁ।“ ଏହି ବିଚାରକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ଲାଗି ସେ ଅନେକ ଅନୁଷ୍ଠାନ ଗଢ଼ିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟଶୋଧକ ସମାଜ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମାଜ ସଂସ୍କାର ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା। ଏହି ଆନ୍ଦୋଳନ ସାମାଜିକ ସଂସ୍କାର, ସମାଜ ସେବା ଏବଂ ମାନବୀୟ ଗରିମାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଅଗ୍ରଣୀ ରହିଥିଲା। ଏହା ମହିଳା, ଯୁବବର୍ଗ ଏବଂ ଗାଁରେ ରହୁଥିବା ଲୋକଙ୍କ ପାଇଁ ଦୃଢ଼ ସ୍ବର ପାଲଟିଥିଲା। ନ୍ୟାୟ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଏବଂ ସାମୂହିକ ପ୍ରଗତି ବଳରେ ସମାଜରେ ଦୃଢ଼ତା ଆସିପାରିବ ବୋଲି ସେ ବିଶ୍ୱାସ କରୁଥିଲେ, ଯାହା ତାଙ୍କର ଏହି ଆନ୍ଦୋଳନରେ ପ୍ରତିଫଳିତ ହୋଇଥିଲା।
ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ସାହସର ଶିକ୍ଷା ଦେଇଥାଏ। ଲୋକଙ୍କ ସହ ରହି ଲଗାତର କାମ କରିବା ତାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା। କିନ୍ତୁ ଗୁରୁତର ବ୍ୟାଧି ମଧ୍ୟ ତାଙ୍କର ସଂକଳ୍ପକୁ ଦୁର୍ବଳ କରିପାରିନଥିଲା। ଗମ୍ଭୀର ମସ୍ତିଷ୍କାଘାତ ପରେ ମଧ୍ୟ ସେ କାମ କରିବା ଛାଡ଼ି ନଥିଲେ ଏବଂ ନିଜର ସଂକଳ୍ପକୁ ସାକାର କରିବା ଦିଗରେ ଚେଷ୍ଟା ଜାରି ରଖିଥିଲେ। ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା, କିନ୍ତୁ ସମାଜ ପାଇଁ ତାଙ୍କର ଅତୁଟ ସମର୍ପଣ ବଜାୟ ରହିଥିଲା। ଆଜି ମଧ୍ୟ କୋଟି କୋଟି ଲୋକ ତାଙ୍କ ଜୀବନର ଏହି ଦିଗରୁ ପ୍ରେରଣା ଲାଭ କରିଥାନ୍ତି।
ସାବିତ୍ରୀବାଇ ଫୁଲେଙ୍କ ବିଷୟରେ ସସମ୍ମାନେ ଉଲ୍ଲେଖ କରିବା ବିନା ମହାତ୍ମା ଫୁଲେଙ୍କ ସ୍ମୃତିଚାରଣ ଅଧୁରା ରହିଯିବ। ସେ ମଧ୍ୟ ଭାରତର ମହାନ୍‌ ସମାଜ ସଂସ୍କାରକଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅନ୍ୟତମ ସାବିତ୍ରୀବାଇ ଝିଅମାନଙ୍କ ଶିକ୍ଷାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମହାତ୍ମା ଫୁଲେଙ୍କ ଦେହାନ୍ତ ପରେ ମଧ୍ୟ ସେ ଏହି କାମ ଜାରି ରଖିଥିଲେ। ୧୮୯୭ ମସିହାରେ ପ୍ଲେଗ ମହାମାରୀ ସମୟରେ ସେ ରୋଗୀମାନଙ୍କର ଏତେ ନିଷ୍ଠାର ସହିତ ସେବା କରିଥିଲେ ଯେ, ନିଜେ ସେହି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ସେଥିରେ ତାଙ୍କର ପରଲୋକ ହୋଇଥିଲା।
ଭାରତ ବାରମ୍ବାର ଏପରି ମହାପୁରୁଷଙ୍କ ଆଶୀର୍ବାଦ ପାଇଛି, ଯେଉଁମାନେ ନିଜ ବିଚାର, ତ୍ୟାଗ ଏବଂ କାର୍ଯ୍ୟ ମାଧ୍ୟମରେ ସମାଜକୁ ସୁଦୃଢ଼ କରିଯାଇଛନ୍ତି। ସେମାନେ ପରିବର୍ତ୍ତନ ପାଇଁ ଅପେକ୍ଷା କରି ନ ଥିଲେ, ବରଂ ନିଜେ ପରିବର୍ତ୍ତନର ବାହକ ସାଜିଥିଲେ। ଶହ ଶହ ବର୍ଷ ଧରି ଆମ ଦେଶରେ ସେହି ମହାପୁରୁଷମାନେ ହିଁ ସମାଜ ସଂସ୍କାରର ସ୍ବର ଉଠାଇଛନ୍ତି, ଯେଉଁମାନେ ଦୁଃଖକୁ ସାମ୍ନା କରିଛନ୍ତି, କିନ୍ତୁ ଏହାକୁ କପାଳ ଲିଖନ ବୋଲି ସହଜରେ ସ୍ବୀକାର କରିନାହାନ୍ତି। ମହାତ୍ମା ଜ୍ୟୋତିରାଓ ଫୁଲେ ସେଭଳି ଜଣେ ବ୍ୟକ୍ତିତ୍ୱ ଥିଲେ।
୨୦୨୨ରେ ମୁଁ ପୁଣେ ଗସ୍ତ କରିଥିଲି। ସେହି ସମୟରେ ମୁଁ ସହରରେ ଥିବା ମହାତ୍ମା ଫୁଲେଙ୍କ ଭବ୍ୟ ପ୍ରତିମୂର୍ତ୍ତିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି। ଆମେ ମହାତ୍ମା ଫୁଲେଙ୍କର ୨୦୦ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ କରିବାକୁ ଯାଉଥିବା ବେଳେ ସାମାଜିକ ନବଜାଗରଣ ନିମନ୍ତେ ତାଙ୍କ ଆଦର୍ଶକୁ ଗ୍ରହଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ତାଙ୍କ ହୃଦୟର ନିକଟତର ଥିବା ବିଷୟ ଯଥା ଶିକ୍ଷା କ୍ଷେତ୍ରରେ ନବଜାଗରଣ ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବାକୁ ହେବ। ଅନ୍ୟାୟ ପ୍ରତି ସମ୍ବେଦନଶୀଳ ହେବାକୁ ପଡ଼ିବ ଏବଂ ବିଶ୍ୱାସ କରିବାକୁ ପଡ଼ିବ ଯେ ସମାଜ ନିଜ ପ୍ରୟାସ ଦ୍ୱାରା ନିଜକୁ ଉନ୍ନତ କରିପାରିବ। ସମାଜର ଶକ୍ତିକୁ ଜନହିତ ଏବଂ ନୈତିକ ମୂଲ୍ୟବୋଧ ସହ ମିଶାଇ ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିହେବ ବୋଲି ତାଙ୍କର ଜୀବନ ଆମକୁ ଶିକ୍ଷା ଦିଏ। ଏହି କାରଣରୁ ଆଜି ମଧ୍ୟ ତାଙ୍କ ବିଚାର ଲକ୍ଷ ଲକ୍ଷ ଲୋକଙ୍କ ମନରେ ନୂତନ ଉତ୍ସାହ ଓ ପ୍ରେରଣା ଜାଗ୍ରତ କରିଥାଏ। ୨୦୦ ବର୍ଷ ପରେ ମଧ୍ୟ ମହାତ୍ମା ଜ୍ୟୋତିରାଓ ଫୁଲେ କେବଳ ଜଣେ ଐତିହାସିକ ବ୍ୟକ୍ତିତ୍ୱ ନୁହନ୍ତି, ବରଂ ଭାରତର ଭବିଷ୍ୟତ ପାଇଁ ଏକ ଆଲୋକବର୍ତ୍ତିକା ହୋଇ ରହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri