ଚାଉଳ କେବେ ମହଙ୍ଗା ହେବ

ମନୋରଞ୍ଜନ ପଟ୍ଟନାୟକ

ୟଙ୍ଗ୍‌ ଇଣ୍ଡିଆରେ ଗାନ୍ଧିଜୀ ଲେଖିଥିଲେ, ୧୯୨୩ ମାର୍ଚ୍ଚ ୨୬ ଦିନ ସେ ପୁରୀ ବଡ଼ଦାଣ୍ଡରେ ଦୁର୍ଭିକ୍ଷ ପ୍ରପୀଡ଼ିତମାନଙ୍କ ଗହଣରେ ଉପସ୍ଥିତ ଥାଆନ୍ତି। ପୀଡ଼ିତମାନେ କରୁଣ ସ୍ବରରେ ରଡ଼ି ପକାଉଥାନ୍ତି ଆମକୁ ଖାଇବାକୁ ଦିଅ, ପଚାରୁଥାନ୍ତି ‘ଚାଉଳ କେବେ ଶସ୍ତା ହେବ’? ପାଖାପାଖି ଶହେ ବର୍ଷ ପରେ, ଆଜି ବି ଓଡ଼ିଆଙ୍କ ପାଖରେ ଚାଉଳ କିଣିବାକୁ ସମ୍ବଳ ନାହିଁ। ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି। ଯଦି ‘ସିଏମ୍‌ଆଇଇ’ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବେରୋଜଗାର ସୂଚକାଙ୍କ ଅନ୍ୟ ରାଜ୍ୟ ତୁଳନାରେ ସବୁଠୁ ତଳେ ଓ ହରିୟାଣାରେ ୨୫.୭% ବେକାରି ଥିବାବେଳେ ଓଡ଼ିଶାରେ ମାତ୍ର ୧.୪୭% ବେକାରି, ତେବେ ଏ ଟଙ୍କିକିଆ ଚାଉଳର ଆବଶ୍ୟକତା କ’ଣ?
ସରକାର ଗରିବ ଶ୍ରେଣୀର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ଘୋଷଣା କଲେ, ୮ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ମାଗଣାରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ମିଳିବ I ସରକାର ଶସ୍ତା ଚାଉଳ ତ ଯୋଗେଇ ଦେଲେ। ଲୋକଙ୍କର ଖାଇବା ଚିନ୍ତା ନାହିଁ କି ଚାଷ ଚିନ୍ତା ବି ନାହିଁ I ଏମିତିବି ଧାନଚାଷରୁ ଲୋକେ ମୁହଁ ଫେରେଇଲେଣି। ଖର୍ଚ୍ଚ ପଇସା ଉଠୁନି I ଭାଗଚାଷ କରିବାକୁ ଲୋକେ ଅମଙ୍ଗ I
ଜମି ମାଲିକର ଜମି ପଡ଼ିଆ ପଡୁଛି I ରିଅଲ ଇଷ୍ଟେଟ ବାଲା ଗାଁ ଗାଁରେ ଆସି ଶସ୍ତାରେ ଜମି କିଣି ନେଉଛନ୍ତି I
ଚାଷଜମି ଗୁଣ୍ଠକୁ ଚାରି ହଜାରରେ ଲୋକେ କିଣୁ ନାହାନ୍ତି I ହେଲେ ଜମିରୁ ପଥର କାଟିବା ପାଇଁ ମାଣକୁ ଦୁଇ ଲକ୍ଷ ମିଳୁଛି I ଜମି ମାଲିକ ନିଜ ଜମି ପଥର ଖଣି କରିବାକୁ ଦେଇ, ଦୁଇ ଲକ୍ଷ ହାତେଇ ନେଉଛି।
ଦେଖିଲେ ଦୁଃଖ ଲାଗୁଛି, ଚିନ୍ତା ବି ଲାଗୁଛି। ଏହାର ଭବିଷ୍ୟତ କ’ଣ ? ବିସ୍ତୀର୍ଣ୍ଣ ସବୁଜ ଚାଷ ଜମି ଲୋପପାଇ ଆସିଲାଣି। ତା’ ଜାଗାରେ ଛିଡ଼ାହୋଇଛି ନିର୍ଜୀବ ମାଙ୍କଡ଼ା ପଥର ଗଦା I ଯେଉଁଆଡେ ଦେଖିବ ପଥର ଖଣି, ପଥର ଖୁଣ୍ଟି ଓ ତାରବାଡ଼। ଖଳା ବାଡ଼ିରେ ଆଉ କଳେଇ ଗଦା ନାହିଁ। ଗୁହାଳ ନାହିଁ କି ଗାଈ ବଳଦ ନାହାନ୍ତି। ନଡା କୁଟା ଆଉ ଘରକୁ ଆସୁନି I ବିଲରେ ଜଳୁଛି। ସବୁ କାମ ମେଶିନ କରୁଛି I
ବଳଦ ସାଙ୍ଗରେ ମଣିଷ ବି ଅଲୋଡ଼ା ହୋଇଛି। ମଣିଷ ହାତରେ କାମ ନାହିଁ। ମନରେଗା ସ୍କିମରେ ରୋଜଗାରର ସୁଯୋଗ ସୃଷ୍ଟି କରାଯାଉଛି ସତ, ହେଲେ ଗାଁର ପ୍ରକୃତ ଚିତ୍ର ଭିନ୍ନ। ଏ କଥା ଚର୍ଚ୍ଚା ହେଉଛି, ଦିନ ମଜୁରିଆ ସେ ସୁଯୋଗ ହାତେଇ ପାରୁନି। ମଣିଷ ବଦଳରେ ମେଶିନ କାମ କରୁଛି। ବ୍ୟାଙ୍କ ଖାତାରେ ପଇସା ପଶୁଛି ଓ ବାହାରୁଛି। ହେଲେ ମଣିଷର ପେଟ ପୂରୁନି I ମେଶିନ ଡିଜେଲ ପିଇ ପେଟ ଭରୁଛି। କିଏ ଜଣେ କହୁଥିଲା, ଦିନ ମଜୁରିଆର ବ୍ୟାଙ୍କ ଖାତା ତା’ ପାଖରେ ନାହିଁ I ତାକୁ ଆଉ କିଏ ଲୁଟୁଛି। କିଛି ଦିନ ହେଲା ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସରକାରୀ ବାବୁ ତଥା ସେବକମାନଙ୍କ ସମ୍ପତ୍ତି ତାଲିକା ଦେଖିଲେ ଜଣାପଡ଼େ, ନିଶ୍ଚିତ ରୋଜଗାର କାହା ହାତରେ। ଓଡ଼ିଶାର ବେରୋଜଗାର ସୂଚକାଙ୍କର ପ୍ରକୃତ ଚିତ୍ର କେମିତି। ଯୋଜନା କେମିତି ବାଟବଣI ହୋଇଛି।
ଏଠି ପ୍ରଶ୍ନ ଉଠୁଛି, ଏମିତି କେତେ ଦିନ? ପାନ ଖାଇବା ବଦଳରେ ଏ ମଣିଷ ପାନେ ଖାଇବନି ତ।
ପିଲାବେଳେ ପଢ଼ିଥିଲେ, ”ଚାଷ କାମ ଯାହାର, କେତେ ସୁଖ ତାହାର, ସିଏ ସିନା ଦୁନିଆକୁ ଯୋଗାଉଛି ଆହାର!“ ହେଲେ ଏବେ ଚାଷୀର ଆଉ ସେ ସୁଖ ନାହିଁ। ତା’ ଜମି ଆଉ ଧାନ ଦଉନି, ତା’ ଗାଈ ଆଉ କ୍ଷୀର ଦଉନି। ସେ ତା’ ବଉଳାକୁ କଂସେଇ ହାତରେ ଆଉ ଚାଷ ଜମିକୁ ପଥର କଟାଳି ହାତରେ ଟେକି ଦେବାକୁ ଶ୍ରେୟ ମଣୁଛି। ସେ ଭଲ ଦି’ ପଇସା ପାଇବା ମୋହରେ ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛି। ଶସ୍ତା ଚାଉଳ ଖାଇବାଟା ତା’ ଅଭ୍ୟାସରେ ପଡ଼ିଗଲାଣି ଯେତେବେଳେ, ଖଟି ଖାଇବାକୁ ତା’ର ମନ ବଳୁନି ଯେମିତି। ଅର୍ଥନୈତିକ ସର୍ଭେ ରିପୋର୍ଟ ତଥ୍ୟ ଅନୁସାରେ, ୨୦୨୧-୨୨ ସୁଦ୍ଧା ୨୦୧୧-୧୨ ତୁଳନାରେ ମୁଣ୍ଡ ପିଛା ଆୟ ଦୁଇଗୁଣ ବୃଦ୍ଧି ପାଇଛି।
ଯଦିବି ସରକାରଙ୍କ ତଥ୍ୟ ଅନୁସାରେ, ଆମର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଁ ୧.୨୭ ଲକ୍ଷ ହେଲାଣି, ଚାଷୀର ଆୟ କେତେ? ଆମ ରାଜ୍ୟରେ କୃଷି ଉପରେ ନିର୍ଭର କରି ଚଳୁଥିବା ଜନସଂଖ୍ୟା ମୋଟ ଜନସଂଖ୍ୟାର ୬୨ ପ୍ରତିଶତ। ତେବେ ଆମେ ଧନୀ ନା ଦରିଦ୍ର।
ଚାଷୀ ଏଠି ଦୟାର ପାତ୍ର ହୋଇ ମାଗଣା ଚାଉଳ ପାଇ ଖୁସି ହେଉଛି। ବଞ୍ଚି ଯାଉଛି। ନ ହେଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛି। ଶିଳ୍ପପତି, ଠିକାଦାର, ଖଣି ବେପାରୀ, ମନ୍ତ୍ରୀ, ବିଧାୟକ, ସରକାରୀ କର୍ମଚାରୀ ପ୍ରମୁଖ ଉପରସ୍ତରର ଲୋକଙ୍କର ଧନ ବଢୁଛି। ଚାଷୀର ବିକାଶ ଘଟୁନି, ବରଂ ଧନିକ ଶ୍ରେଣୀର ଧନ ବଢୁଛି I ଚାଷୀ ମଣ୍ଡିରେ ଧାନ ବିକି ନ ପାରି ଦଲାଲକୁ ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ ଦରରେ ବିକିବାକୁ ବାଧ୍ୟ ହେଉଛି। ଏ ବିକାଶରେ ଖୁସି ହେବାର ଅଛି କ’ଣ? କେତେଦିନ ଆମେ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରି ବଞ୍ଚିବା? ଚାଷୀ ପାଇଁ ଦୀର୍ଘକାଳୀନ ତଥା ସ୍ଥାୟୀ ସମାଧାନର ଆବଶ୍ୟକତା ଅଛି। ଜଳସେଚନ ଓ ଶୀତଳଭଣ୍ଡାରର ଆବଶ୍ୟକତା ଅଛି। ଅଧିକ ଅମଳ ତଥା ଆୟବୃଦ୍ଧି ପାଇଁ ଅର୍ଥକରୀ ଫସଲ ଓ ଚାଷ ପ୍ରଣାଳୀ ସମ୍ପର୍କିତ ତାଲିମର ଆବଶ୍ୟକତା ରହିଛି। ଚାଷୀ ମନରେ ଚାଷ ପ୍ରତି ମରିଯାଇଥିବା ଆଗ୍ରହକୁ ପୁନର୍ଜୀବିତ କରିବା ସହିତ ସ୍ବାବଲମ୍ବୀ ହେବା ପାଇଁ ସହଯୋଗର ଆବଶ୍ୟକତା ଅଛି। ଏହା ସହିତ ଚାଷୀ କିପରି ତା’ ପରିଶ୍ରମର ମୂଲ୍ୟ ପାଇବ ଓ ଋଣଯନ୍ତାରୁ ମୁକୁଳିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର।
ଏଠି ଭାବିବାର ସମୟ ଆସିଛି, ପଚାରିବାର ସମୟ ଆସିଛି, ଚାଷୀ କେବେ ତା’ ଫସଲର ଉଚିତ ମୂଲ୍ୟ ପାଇବ? କେବେ ଆଉ ତାକୁ ଅଭାବୀ ବିକ୍ରି କରିବାକୁ ପଡ଼ିବ ନାହିଁ ? ଚାଷୀ କେବେ ସ୍ବାବଲମ୍ବୀ ହେବ? ଗାଁରେ ଚାଷୀ ତା’ ଚାଉଳ ବିକି ପାରୁନି। ପ୍ରାୟ ଲୋକଙ୍କ ପାଖରେ ଟଙ୍କିକିଆ ଚାଉଳ। କିଣିବ କିଏ। ଚାଷୀ ମନରେ ପ୍ରଶ୍ନ, ଚାଉଳ କେବେ ମହଙ୍ଗା ହେବ? ଅଧିକ ଦରରେ ସେ ଚାଉଳ ବିକିବ, ତା’ ଚାଷର ମୂଲ୍ୟ ମିଳିବ। ହେଲେ ଯାଇ ଚାଷୀ ଚାଷ କରିବ। ଚାଷରୁ ଲାଭ କରିବ। ଟଙ୍କିକିଆ ଚାଉଳ ଛାଡ଼ି ନିଜ ଜମିର ଚାଉଳ ଖାଇବ। ତା’ ସବୁଜ କ୍ଷେତ ପୁଣି ହସି ଉଠିବ।
ଧଉଳିମୁହଁ, ଖୋର୍ଦ୍ଧା
ମୋ:୯୪୩୭୫୨୦୮୦୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri