ବିଦ୍ୟା ଯେବେ ହୁଏ ବିବେକହୀନ

ଛନ୍ଦା ମିଶ୍ର

 

ସାବିଦ୍ୟା ୟା ବିମୁକ୍ତୟେ। ଅର୍ଥାତ୍‌ ବିଦ୍ୟା ହେଉଛି ସେହି ଦୁର୍ଲଭ ବସ୍ତୁ, ଯାହା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଖାଇ ମୁକ୍ତି ପ୍ରଦାନ କରେ। ମୁକ୍ତି ପ୍ରଦାନ କରେ ସମସ୍ତ ଅବିଦ୍ୟାରୁ, ଅବଗୁଣରୁ, ଅମାନବିକତାରୁ, ଅକର୍ମରୁ, ଅଧର୍ମରୁ। କିନ୍ତୁ ବିବେକହୀନ ମନୁଷ୍ୟ ନିକଟରେ ଥିବା ବିଦ୍ୟା ହୋଇଯାଏ ଶ୍ରୀହୀନ। ପ୍ରକୃତ ବିଦ୍ୟାରୁ ମିଳେ ବିନୟବୋଧ, ମାତ୍ର ବିବେକହୀନ ହୋଇଗଲେ, ସେହି ବିଦ୍ୟା କରେ ଅହଙ୍କାରୀ। ଅବିଦ୍ୟାରୁ ମିଳେ ଅସହିଷ୍ଣୁତା। ବିଦ୍ୟା କହେ, ସହନଶୀଳ ହୁଅ। ଅବିଦ୍ୟା କରେ ସ୍ବାର୍ଥପର, ବିଦ୍ୟା ଶିଖାଏ ନିଃସ୍ବାର୍ଥପରତା। ଅବିଦ୍ୟା ଦିଏ ଅମାନବିକତା, ବିଦ୍ୟାରୁ ମିଳେ ମାନବିକତା। ବିଦ୍ୟା କରେ ସ୍ବାଭିମାନୀ, ଅବିଦ୍ୟାରୁ ମିଳେ ଅଭିମାନ। ଫଳରେ ଆଖିରେ ବାନ୍ଧି ହୋଇଯାଏ ଗର୍ବର ଅନ୍ଧପୁଟୁଳି। ପରିଣାମ ସ୍ବରୂପ ଭୁଲ୍‌ ଠିକ୍‌ର ବିଚାର ଶକ୍ତି ହରାଇ ବସେ ମନୁଷ୍ୟ। ପରିବା କାଟିବା ପାଇଁ ଉଦ୍ଦିଷ୍ଟ ପନିକିକୁ ବେକ କାଟିବା ପାଇଁ କରେ ବ୍ୟବହାର।
ଏଇ ନିକଟରେ ଦେଶ ସାଧୀନତାର ଅମୃତ ମହୋତ୍ସବ ଖୁବ୍‌ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଥିଲା ବେଳେ ବିଷ ବଳୟରେ କଅଁଳ ଜୀବନଟିଏ ହୋଇ ପଡ଼ିଥିଲା ଅତିଷ୍ଠ। ରାଜସ୍ଥାନରେ ଜଣେ ତୃତୀୟ ଶ୍ରେଣୀର ଛାତ୍ର, ଯିଏକି ସମାଜର ଘୃଣ୍ୟ ନିୟମ ଅନୁସାରେ ଦଳିତ ବର୍ଗର, ସେ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ପାତ୍ରରୁ ନେଇ ପାଣି ପିଇଦେବାରୁ ଶିକ୍ଷକଙ୍କ ମାଡ଼ରେ ଶିଶୁଟିର ଜୀବନ ଚାଲିଗଲା। ଏଠାରେ ଶିକ୍ଷକଙ୍କ ଶିକ୍ଷା ଉପରେ ସନ୍ଦେହ ସୃଷ୍ଟି ହୁଏ। ଶିକ୍ଷକ ଜଣକ ପ୍ରକୃତରେ କେତେ ଶିକ୍ଷିତ! ଯିଏ ସନ୍ତାନ ସମ ଛାତ୍ରୀଛାତ୍ରଙ୍କ ଭିତରେ ସେମାନଙ୍କ ଜାତିକୁ ନେଇ ଭେଦଭାବର ମନୋବୃତ୍ତି ପୋଷଣ କରନ୍ତି। ମନେପଡ଼େ ମହାମାନବ କାଲାମ୍‌ଙ୍କ କଥା, ଯାହାଙ୍କୁ ତାଙ୍କ ବିଜ୍ଞାନ ଶିକ୍ଷକ ସୁବ୍ରମଣ୍ୟମ୍‌ ଆୟାର, ଜଣେ ନୈଷ୍ଠିକ ବ୍ରାହ୍ମଣ, ନିଜ ରୋଷେଇ ଘରେ ବସାଇ ଖାଦ୍ୟ ଖୁଆଇଥିଲେ। ଧର୍ମକୁ ଆଖିଠାର ମାରି ଜାତି-ଜାତି ଭିତରେ ବିଦ୍ୱେଷ ସୃଷ୍ଟି କରୁଥିବା ଲୋକେ ଭୁଲିଗଲେ ଚଳିବ ନାହିଁ ଯେ, ପରମ ଆରାଧ୍ୟ ପ୍ରଭୁ ଶ୍ରୀରାମ ନିଜେ ଶବରୀ ହାତରୁ ଅଇଁଠା କୋଳି ଗ୍ରହଣ କରିଥିଲେ, ବିଜ୍ଞାନୀ କୈବର୍ତ୍ତକୁ ନିଜର ବନ୍ଧୁ ବୋଲି ଘୋଷଣା କରିଥିଲେ। ଏପରି କେତେକେତେ ଉଦାହରଣ ଆମ ପୁରାଣ ଶାସ୍ତ୍ରରେ ରହିଚି।
ଯେଉଁଠି ଈଶ୍ୱର ସ୍ବୟଂ ପାଣି ପବନ ପରି ଅମୃତଗୁଡ଼ିକ ଉପରେ କଟକଣା ଜାରି କରିନାହାନ୍ତି, ଏ ପାଣି ଦଳିତର, ଏ ପାଣି ଉଚ୍ଚ ଜାତିର ବୋଲି ଦର୍ଶାଇନାହାନ୍ତି, ସେଠାରେ ଆମ ତୁମ ଭଳି ଲୋକମାନଙ୍କର ଭେଦଭାବ କରିବାର କ୍ଷମତା ଆସିଲା କେଉଁଠୁ?
ଆଜିର ସମାଜ, ବିବେକହୀନ ବିଦ୍ୟାବାନ୍‌ଙ୍କ ଭିଡ଼ରେ ଅଣନିଃଶାସୀ ହୋଇପଡ଼ିଛି। ପାହାଡ଼ କାଟି, ଅରଣ୍ୟ ପଦା କରି ବିକାଶ ନାମରେ ପରିବେଶର ବିନାଶରେ ମାତିଥିବା ମଣିଷମାନେ ଖୁବ୍‌ ପାଠୁଆ! ଅପାଠୁଆମାନେ ତ ବୃକ୍ଷ, ଲତା ଓ ପାହାଡ଼ ଝରଣାଙ୍କ ଉପାସକ। ଆଜି ଚୋରି, ଡକାୟତି, ବଳାତ୍କାର ଆଦି ଘୃଣ୍ୟ କାର୍ଯ୍ୟକଳାପରେ ଅନେକ ଶିକ୍ଷିତ ସମ୍ପୃକ୍ତ। ଅଶିକ୍ଷିତ ରିକ୍ସାଚାଳକଟି ତ ଟଙ୍କାଭର୍ତ୍ତି ମୁଣି ପାଇ ଫେରାଇ ଦେବାର ମହାନତା କରେ ପ୍ରଦର୍ଶନ।
କୁହାଯାଏ, ଚରିତ୍ର ନଥିଲେ ସବୁ ଅସାର। କିନ୍ତୁ ଏବେ ଚରିତ୍ର ହେଉଛି ସବୁଠାରୁ ଅଲୋଡ଼ା ଚିଜ। ଚରିତ୍ରକୁ ବନ୍ଧା ପକେଇ ଆମେ ଗଳାବନ୍ଧ ପିନ୍ଧି, ଗଳା ବାଟ ଦେଇ, ଅନ୍ୟର ଗଳା କାଟି ଆଗକୁ ବଢ଼ିବାକୁ ଚାହୁଁ। ମହାକାଳ ଫଳ ପରି ଉପରେ ଆମେ ମହର୍ଷି ବାଲ୍ମୀକିଙ୍କ ବେଶ ଧାରଣ କରିଥିଲେ ବି ଭିତରେ ଦସ୍ୟୁ ରତ୍ନାକର ଲୁଚି ବସିଥାଏ। ଆମରି ଭିତରେ ଗୋଟେ, ବାହାରେ ଗୋଟେ, ପେଟରେ ଗୋଟେ, ମୁହଁରେ ଆଉ ଗୋଟେ। ତା’ ସହିତ ନିଜକୁ ନିଜେ ବିଜ୍ଞାପିତ କରିବାର ଏକ ଅଦ୍ଭୁତ ବିକଳପଣିଆ ଆମକୁ ଗ୍ରାସ କରିଚାଲିଛି। ନିଜକୁ ଏକ ନମ୍ବର ଦେଖାଇବା ପାଇଁ, ପୁରସ୍କାର ହାତେଇବା ପାଇଁ, ବାହାବା ନେବା ପାଇଁ, ଆମେ କିଛି ବି କରିପାରୁ। ନିଜକୁ ପ୍ରଶଂସା କରିବା ଆତ୍ମହତ୍ୟା କରିବା ସହ ସମାନ ବୋଲି ଜାଣି ମଧ୍ୟ ଆମେ ପ୍ରତିଦିନ ନିଜର ଗୁଣଗାନ କରିବାରୁ ନିବୃତ୍ତ ହୋଇ ପାରୁ ନାହୁଁ। ବିଦ୍ୟା କ’ଣ ଏଇ ଶିକ୍ଷା ଆମକୁ ଦିଏ।
ମୁଁ ଯେତେ ପ୍ରକାରର ବ୍ୟଞ୍ଜନ ରାନ୍ଧି ଜାଣିଥାଏ, ସେହିସବୁ ରାନ୍ଧଣା ରାନ୍ଧି ଯେତେ ପୁରସ୍କାର ବି ଗୋଟେଇ ଥାଏ, ଯଦି ମୋ ଘରୁ କେହି ଖାଲି ପେଟରେ ଫେରିଯାଏ, ମୋ ରାନ୍ଧୁଣିପଣିଆକୁ ଧିକ୍‌। ମୁଁ ଯେତେବଡ଼ ଡାକ୍ତର ହୋଇଥାଏ, ବିଦେଶରୁ ଯେତେ ଡିଗ୍ରୀ ହାତେଇଥାଏ, ମୋ’ ଅବହେଳାରୁ ଜଣେ ଯଦି ଜୀବନ ହାରେ, ମୋ ପାଠ କେଉଁ କାମର ଯେ! ଠିକ୍‌ ସେମିତି ମୁଁ ଯେତେ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ପାଠ ପଢ଼େଇଲେ ବି, ଯଦି ମୋ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ମୋ ଉଚ୍ଚାରଣ ଓ ଆଚରଣ ଦ୍ୱାରା ସକାରାତ୍ମକ ପ୍ରଭାବ ବିସ୍ତାର କରି ନ ପାରିଲି, ତେବେ ମୋର ସେ ଶିକ୍ଷକତାର ମୂଲ୍ୟ କ’ଣ।
କୁହାଯାଏ, ଘର ହେଉଛି ପ୍ରଥମ ବିଦ୍ୟାଳୟ ଓ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର। କେଉଁଠି ନା କେଉଁଠି ଅଭିଭାବକ ଓ ଶିକ୍ଷକମାନଙ୍କ ଦାୟିତ୍ୱରେ ତ୍ରୁଟି ରହିବା ଯୋଗୁ ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ଟିଏ ହେଉଛି ଜନ୍ମ। ଯେଉଁଥିପାଇଁ ସପ୍ତମ ଶ୍ରେଣୀ ପିଲାର ସ୍କୁଲ ବ୍ୟାଗରୁ ମଦ ବୋତଲଠାରୁ ଆରମ୍ଭ କରି ବନ୍ଧୁକ ଜବତ ହେଉଛି। କପି କରି ଧରାପଡୁଚି ଖୋଦ୍‌ ଶିକ୍ଷକଙ୍କ ପୁତ୍ର। ପୋଲିସର ପୁଅ ଚୋରୀ କରୁଛି । ନୈତିକ ଶିକ୍ଷାର ଘୋର ଅଭାବ ପ୍ରତି କ୍ଷେତ୍ରରେ ପରିଲକ୍ଷିତ ହେଉଛି ।
ବର୍ତ୍ତମାନ ପ୍ରାୟ ସ୍ଥାନରେ ବିବେକହୀନ, ବିଚାର ଶକ୍ତିବିହୀନ, ତଥାକଥିତ ଶିକ୍ଷିତମାନଙ୍କ ଯୋଗୁ ସମାଜର ଏ ଦୁରବସ୍ଥା। ପ୍ରକୃତ ବିଦ୍ୟା ଯୋଗରେ ବିଶ୍ବାସ କରେ, ବିଯୋଗରେ ନୁହେଁ। ଏକତାରେ ଆସ୍ଥା ରଖେ, ବିଭାଜନରେ ନୁହେଁ। ଶିକ୍ଷିତ ବୋଲି ପ୍ରମାଣପତ୍ର ମୁଣ୍ଡେଇଥିଲେ ବି ପ୍ରକୃତପକ୍ଷେ ଆପଣ କେତେ ଶିକ୍ଷିତ ତାହା ଆପଣଙ୍କ ଆଚରଣରୁ ବୁଝାପଡ଼େ। ଅନ୍ୟଥା ବିଦ୍ୟା କେବଳ ଜୀବିକା ଯୋଗାଡ଼ର ମାଧ୍ୟମ ହୋଇ ରହିଯାଏ, ଜୀବନ ଜିଇବାର ପ୍ରେରଣା ଯୋଗାଏ ନାହିଁ। ମନେରଖିବାକୁ ହେବ ଯେ ଜୀବନ ଥିଲେ ହିଁ ଜିବିକାର ମୂଲ୍ୟ ଅଛି, ଯେଉଁଠି ଜୀବନ ହୋଇପଡୁଚି ମୂଲ୍ୟହୀନ, ସେଠି ଜୀବିକା ଥାଇ କେତେ, ନ ଥାଇ କେତେ!
chhandamishra74@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri