ବିଦ୍ୟା ଯେବେ ହୁଏ ବିବେକହୀନ

ଛନ୍ଦା ମିଶ୍ର

 

ସାବିଦ୍ୟା ୟା ବିମୁକ୍ତୟେ। ଅର୍ଥାତ୍‌ ବିଦ୍ୟା ହେଉଛି ସେହି ଦୁର୍ଲଭ ବସ୍ତୁ, ଯାହା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଖାଇ ମୁକ୍ତି ପ୍ରଦାନ କରେ। ମୁକ୍ତି ପ୍ରଦାନ କରେ ସମସ୍ତ ଅବିଦ୍ୟାରୁ, ଅବଗୁଣରୁ, ଅମାନବିକତାରୁ, ଅକର୍ମରୁ, ଅଧର୍ମରୁ। କିନ୍ତୁ ବିବେକହୀନ ମନୁଷ୍ୟ ନିକଟରେ ଥିବା ବିଦ୍ୟା ହୋଇଯାଏ ଶ୍ରୀହୀନ। ପ୍ରକୃତ ବିଦ୍ୟାରୁ ମିଳେ ବିନୟବୋଧ, ମାତ୍ର ବିବେକହୀନ ହୋଇଗଲେ, ସେହି ବିଦ୍ୟା କରେ ଅହଙ୍କାରୀ। ଅବିଦ୍ୟାରୁ ମିଳେ ଅସହିଷ୍ଣୁତା। ବିଦ୍ୟା କହେ, ସହନଶୀଳ ହୁଅ। ଅବିଦ୍ୟା କରେ ସ୍ବାର୍ଥପର, ବିଦ୍ୟା ଶିଖାଏ ନିଃସ୍ବାର୍ଥପରତା। ଅବିଦ୍ୟା ଦିଏ ଅମାନବିକତା, ବିଦ୍ୟାରୁ ମିଳେ ମାନବିକତା। ବିଦ୍ୟା କରେ ସ୍ବାଭିମାନୀ, ଅବିଦ୍ୟାରୁ ମିଳେ ଅଭିମାନ। ଫଳରେ ଆଖିରେ ବାନ୍ଧି ହୋଇଯାଏ ଗର୍ବର ଅନ୍ଧପୁଟୁଳି। ପରିଣାମ ସ୍ବରୂପ ଭୁଲ୍‌ ଠିକ୍‌ର ବିଚାର ଶକ୍ତି ହରାଇ ବସେ ମନୁଷ୍ୟ। ପରିବା କାଟିବା ପାଇଁ ଉଦ୍ଦିଷ୍ଟ ପନିକିକୁ ବେକ କାଟିବା ପାଇଁ କରେ ବ୍ୟବହାର।
ଏଇ ନିକଟରେ ଦେଶ ସାଧୀନତାର ଅମୃତ ମହୋତ୍ସବ ଖୁବ୍‌ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଥିଲା ବେଳେ ବିଷ ବଳୟରେ କଅଁଳ ଜୀବନଟିଏ ହୋଇ ପଡ଼ିଥିଲା ଅତିଷ୍ଠ। ରାଜସ୍ଥାନରେ ଜଣେ ତୃତୀୟ ଶ୍ରେଣୀର ଛାତ୍ର, ଯିଏକି ସମାଜର ଘୃଣ୍ୟ ନିୟମ ଅନୁସାରେ ଦଳିତ ବର୍ଗର, ସେ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ପାତ୍ରରୁ ନେଇ ପାଣି ପିଇଦେବାରୁ ଶିକ୍ଷକଙ୍କ ମାଡ଼ରେ ଶିଶୁଟିର ଜୀବନ ଚାଲିଗଲା। ଏଠାରେ ଶିକ୍ଷକଙ୍କ ଶିକ୍ଷା ଉପରେ ସନ୍ଦେହ ସୃଷ୍ଟି ହୁଏ। ଶିକ୍ଷକ ଜଣକ ପ୍ରକୃତରେ କେତେ ଶିକ୍ଷିତ! ଯିଏ ସନ୍ତାନ ସମ ଛାତ୍ରୀଛାତ୍ରଙ୍କ ଭିତରେ ସେମାନଙ୍କ ଜାତିକୁ ନେଇ ଭେଦଭାବର ମନୋବୃତ୍ତି ପୋଷଣ କରନ୍ତି। ମନେପଡ଼େ ମହାମାନବ କାଲାମ୍‌ଙ୍କ କଥା, ଯାହାଙ୍କୁ ତାଙ୍କ ବିଜ୍ଞାନ ଶିକ୍ଷକ ସୁବ୍ରମଣ୍ୟମ୍‌ ଆୟାର, ଜଣେ ନୈଷ୍ଠିକ ବ୍ରାହ୍ମଣ, ନିଜ ରୋଷେଇ ଘରେ ବସାଇ ଖାଦ୍ୟ ଖୁଆଇଥିଲେ। ଧର୍ମକୁ ଆଖିଠାର ମାରି ଜାତି-ଜାତି ଭିତରେ ବିଦ୍ୱେଷ ସୃଷ୍ଟି କରୁଥିବା ଲୋକେ ଭୁଲିଗଲେ ଚଳିବ ନାହିଁ ଯେ, ପରମ ଆରାଧ୍ୟ ପ୍ରଭୁ ଶ୍ରୀରାମ ନିଜେ ଶବରୀ ହାତରୁ ଅଇଁଠା କୋଳି ଗ୍ରହଣ କରିଥିଲେ, ବିଜ୍ଞାନୀ କୈବର୍ତ୍ତକୁ ନିଜର ବନ୍ଧୁ ବୋଲି ଘୋଷଣା କରିଥିଲେ। ଏପରି କେତେକେତେ ଉଦାହରଣ ଆମ ପୁରାଣ ଶାସ୍ତ୍ରରେ ରହିଚି।
ଯେଉଁଠି ଈଶ୍ୱର ସ୍ବୟଂ ପାଣି ପବନ ପରି ଅମୃତଗୁଡ଼ିକ ଉପରେ କଟକଣା ଜାରି କରିନାହାନ୍ତି, ଏ ପାଣି ଦଳିତର, ଏ ପାଣି ଉଚ୍ଚ ଜାତିର ବୋଲି ଦର୍ଶାଇନାହାନ୍ତି, ସେଠାରେ ଆମ ତୁମ ଭଳି ଲୋକମାନଙ୍କର ଭେଦଭାବ କରିବାର କ୍ଷମତା ଆସିଲା କେଉଁଠୁ?
ଆଜିର ସମାଜ, ବିବେକହୀନ ବିଦ୍ୟାବାନ୍‌ଙ୍କ ଭିଡ଼ରେ ଅଣନିଃଶାସୀ ହୋଇପଡ଼ିଛି। ପାହାଡ଼ କାଟି, ଅରଣ୍ୟ ପଦା କରି ବିକାଶ ନାମରେ ପରିବେଶର ବିନାଶରେ ମାତିଥିବା ମଣିଷମାନେ ଖୁବ୍‌ ପାଠୁଆ! ଅପାଠୁଆମାନେ ତ ବୃକ୍ଷ, ଲତା ଓ ପାହାଡ଼ ଝରଣାଙ୍କ ଉପାସକ। ଆଜି ଚୋରି, ଡକାୟତି, ବଳାତ୍କାର ଆଦି ଘୃଣ୍ୟ କାର୍ଯ୍ୟକଳାପରେ ଅନେକ ଶିକ୍ଷିତ ସମ୍ପୃକ୍ତ। ଅଶିକ୍ଷିତ ରିକ୍ସାଚାଳକଟି ତ ଟଙ୍କାଭର୍ତ୍ତି ମୁଣି ପାଇ ଫେରାଇ ଦେବାର ମହାନତା କରେ ପ୍ରଦର୍ଶନ।
କୁହାଯାଏ, ଚରିତ୍ର ନଥିଲେ ସବୁ ଅସାର। କିନ୍ତୁ ଏବେ ଚରିତ୍ର ହେଉଛି ସବୁଠାରୁ ଅଲୋଡ଼ା ଚିଜ। ଚରିତ୍ରକୁ ବନ୍ଧା ପକେଇ ଆମେ ଗଳାବନ୍ଧ ପିନ୍ଧି, ଗଳା ବାଟ ଦେଇ, ଅନ୍ୟର ଗଳା କାଟି ଆଗକୁ ବଢ଼ିବାକୁ ଚାହୁଁ। ମହାକାଳ ଫଳ ପରି ଉପରେ ଆମେ ମହର୍ଷି ବାଲ୍ମୀକିଙ୍କ ବେଶ ଧାରଣ କରିଥିଲେ ବି ଭିତରେ ଦସ୍ୟୁ ରତ୍ନାକର ଲୁଚି ବସିଥାଏ। ଆମରି ଭିତରେ ଗୋଟେ, ବାହାରେ ଗୋଟେ, ପେଟରେ ଗୋଟେ, ମୁହଁରେ ଆଉ ଗୋଟେ। ତା’ ସହିତ ନିଜକୁ ନିଜେ ବିଜ୍ଞାପିତ କରିବାର ଏକ ଅଦ୍ଭୁତ ବିକଳପଣିଆ ଆମକୁ ଗ୍ରାସ କରିଚାଲିଛି। ନିଜକୁ ଏକ ନମ୍ବର ଦେଖାଇବା ପାଇଁ, ପୁରସ୍କାର ହାତେଇବା ପାଇଁ, ବାହାବା ନେବା ପାଇଁ, ଆମେ କିଛି ବି କରିପାରୁ। ନିଜକୁ ପ୍ରଶଂସା କରିବା ଆତ୍ମହତ୍ୟା କରିବା ସହ ସମାନ ବୋଲି ଜାଣି ମଧ୍ୟ ଆମେ ପ୍ରତିଦିନ ନିଜର ଗୁଣଗାନ କରିବାରୁ ନିବୃତ୍ତ ହୋଇ ପାରୁ ନାହୁଁ। ବିଦ୍ୟା କ’ଣ ଏଇ ଶିକ୍ଷା ଆମକୁ ଦିଏ।
ମୁଁ ଯେତେ ପ୍ରକାରର ବ୍ୟଞ୍ଜନ ରାନ୍ଧି ଜାଣିଥାଏ, ସେହିସବୁ ରାନ୍ଧଣା ରାନ୍ଧି ଯେତେ ପୁରସ୍କାର ବି ଗୋଟେଇ ଥାଏ, ଯଦି ମୋ ଘରୁ କେହି ଖାଲି ପେଟରେ ଫେରିଯାଏ, ମୋ ରାନ୍ଧୁଣିପଣିଆକୁ ଧିକ୍‌। ମୁଁ ଯେତେବଡ଼ ଡାକ୍ତର ହୋଇଥାଏ, ବିଦେଶରୁ ଯେତେ ଡିଗ୍ରୀ ହାତେଇଥାଏ, ମୋ’ ଅବହେଳାରୁ ଜଣେ ଯଦି ଜୀବନ ହାରେ, ମୋ ପାଠ କେଉଁ କାମର ଯେ! ଠିକ୍‌ ସେମିତି ମୁଁ ଯେତେ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ପାଠ ପଢ଼େଇଲେ ବି, ଯଦି ମୋ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ମୋ ଉଚ୍ଚାରଣ ଓ ଆଚରଣ ଦ୍ୱାରା ସକାରାତ୍ମକ ପ୍ରଭାବ ବିସ୍ତାର କରି ନ ପାରିଲି, ତେବେ ମୋର ସେ ଶିକ୍ଷକତାର ମୂଲ୍ୟ କ’ଣ।
କୁହାଯାଏ, ଘର ହେଉଛି ପ୍ରଥମ ବିଦ୍ୟାଳୟ ଓ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର। କେଉଁଠି ନା କେଉଁଠି ଅଭିଭାବକ ଓ ଶିକ୍ଷକମାନଙ୍କ ଦାୟିତ୍ୱରେ ତ୍ରୁଟି ରହିବା ଯୋଗୁ ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ଟିଏ ହେଉଛି ଜନ୍ମ। ଯେଉଁଥିପାଇଁ ସପ୍ତମ ଶ୍ରେଣୀ ପିଲାର ସ୍କୁଲ ବ୍ୟାଗରୁ ମଦ ବୋତଲଠାରୁ ଆରମ୍ଭ କରି ବନ୍ଧୁକ ଜବତ ହେଉଛି। କପି କରି ଧରାପଡୁଚି ଖୋଦ୍‌ ଶିକ୍ଷକଙ୍କ ପୁତ୍ର। ପୋଲିସର ପୁଅ ଚୋରୀ କରୁଛି । ନୈତିକ ଶିକ୍ଷାର ଘୋର ଅଭାବ ପ୍ରତି କ୍ଷେତ୍ରରେ ପରିଲକ୍ଷିତ ହେଉଛି ।
ବର୍ତ୍ତମାନ ପ୍ରାୟ ସ୍ଥାନରେ ବିବେକହୀନ, ବିଚାର ଶକ୍ତିବିହୀନ, ତଥାକଥିତ ଶିକ୍ଷିତମାନଙ୍କ ଯୋଗୁ ସମାଜର ଏ ଦୁରବସ୍ଥା। ପ୍ରକୃତ ବିଦ୍ୟା ଯୋଗରେ ବିଶ୍ବାସ କରେ, ବିଯୋଗରେ ନୁହେଁ। ଏକତାରେ ଆସ୍ଥା ରଖେ, ବିଭାଜନରେ ନୁହେଁ। ଶିକ୍ଷିତ ବୋଲି ପ୍ରମାଣପତ୍ର ମୁଣ୍ଡେଇଥିଲେ ବି ପ୍ରକୃତପକ୍ଷେ ଆପଣ କେତେ ଶିକ୍ଷିତ ତାହା ଆପଣଙ୍କ ଆଚରଣରୁ ବୁଝାପଡ଼େ। ଅନ୍ୟଥା ବିଦ୍ୟା କେବଳ ଜୀବିକା ଯୋଗାଡ଼ର ମାଧ୍ୟମ ହୋଇ ରହିଯାଏ, ଜୀବନ ଜିଇବାର ପ୍ରେରଣା ଯୋଗାଏ ନାହିଁ। ମନେରଖିବାକୁ ହେବ ଯେ ଜୀବନ ଥିଲେ ହିଁ ଜିବିକାର ମୂଲ୍ୟ ଅଛି, ଯେଉଁଠି ଜୀବନ ହୋଇପଡୁଚି ମୂଲ୍ୟହୀନ, ସେଠି ଜୀବିକା ଥାଇ କେତେ, ନ ଥାଇ କେତେ!
chhandamishra74@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri