କନା ଚୋରକୁ କି କାନୁନ

ଡ. ଗୌରହରି ରାଉତ

କର୍ମକ୍ଷେତ୍ରରେ ସଚ୍ଚୋଟତା ଦେଖାଉଥିବା ବାବୁମାନେ ଏ କନାଚୋରି ଅଭ୍ୟାସରୁ ମୁକୁଳି ପାରନ୍ତି ନାହିଁ। ଏହା ଏକ ସ୍ବାଭାବିକ କଥା। ନିଜ ଗାଡ଼ିରୁ କନାଟିଏ ଚୋରି ହେଲେ ବାବୁଙ୍କର ଆଉ ଚାରା କ’ଣ? ଅଗତ୍ୟା କାହାର ନା କାହାର ଗାଡ଼ିରୁ ସେ କନା ଉଠାଇବାକୁ ବାଧ୍ୟ ହେବେ; ଏହା ଦୋଷାବହ କି? କେଜାଣି ସମ୍ବିଧାନର ନିୟମ କାନୁନ ଭିତରେ ଏହା ଯାଏ କି ନା! ଏଠି ଆଉ ଗୋଟେ ପ୍ରସଙ୍ଗ ଆଡ଼କୁ ଆମେ ଆପଣଙ୍କୁ ନେଉଛୁ। ଶିକ୍ଷକମାନଙ୍କର ଖୋଇ ହେଲା- ନିଜ ପକେଟ୍‌ରେ କଲମ ନ ଥିଲେ ଆଉ କେଉଁ ଶିକ୍ଷକ ବନ୍ଧୁ କିମ୍ବା ଛାତ୍ର ଛାତ୍ରୀଙ୍କ କଲମ ମାଗିଆଣି ଲେଖୁଲେଖୁ ଅଜାଣତରେ ସେ କଲମଟି ନିଜ ବାମ ପାଖ ଛାତି ପକେଟରେ ଗୁଞ୍ଜି ହୋଇଯାଏ, ଯେ କେହି ନ ମାଗିଲା ପର୍ଯ୍ୟନ୍ତ ଶିକ୍ଷଙ୍କ ପକେଟରୁ ଆଉ ତାହା ବାହାରେ ନାହିଁ। ଘରେ ଯାଇ ଦେଖିଲା ବେଳକୁ କାହାର କଲମଟିଏ ରହିଯାଇଛି ନିଜ ପକେଟରେ- ତାହା ବି ତାଙ୍କର ମନେ ନ ଥାଏ। ସେହିପରି ନିଜ କଲମ ବି କେତେବେଳେ ଆଉ କେଉଁ ଶିକ୍ଷକ ବନ୍ଧୁଙ୍କ ପାଖକୁ ଯାଇ ଆଉ ଫେରେନି। ଶିକ୍ଷକଙ୍କର ଏ ପ୍ରକାର ପର କଲମ ହାତେଇବା ବିରୋଧରେ ଯେମିତି କିଛି କାନୁନ ବ୍ୟବସ୍ଥା ନାହିଁ, ସେମିତି ବାବୁଙ୍କର ଏଭଳି କନାଚୋରି ବିପକ୍ଷରେ କିଛି କଟକଣା ନାହିଁ। ଧରାଯାଉ ଗାଡ଼ିରୁ ଚୋରି ହୋଇଯାଇଥିବା କନାର ମାଲିକ ଥାନାରେ ଏଫ୍‌ଆଇଆର ଦେଲେ, ଥାନାବାବୁ କ’ଣ ଏଭଳି ମାମଲାକୁ ଗ୍ରହଣ କରି ଛାନ୍‌ଭିନ୍‌ ଆରମ୍ଭ କରିବେ? ସିନେମା ହଲ୍‌ର ପାର୍କିଂସ୍ଥଳୀ, ଯାତ୍ରା ଓ ମେଳାର ପାର୍କିଂସ୍ଥଳୀ, ମାର୍କେଟ ପ୍ଲେସର ପାର୍କିଂସ୍ଥଳୀ ଏବଂ ସର୍ବୋପରି ବସ୍‌ଷ୍ଟାଣ୍ଡ/ ଷ୍ଟେଶନ୍‌ର ପାର୍କିଂସ୍ଥଳୀରେ ଏଭଳି ଚୋରି ଦେଖିବାକୁ ମିଳୁଛି।
ସୁତରାଂ କହିବା ବାହୁଲ୍ୟ- ଏ କନାଚୋରି ଘଟଣା ଆମ ମେଟ୍ରୋ ସହରମାନଙ୍କର ଏକ ସାଧାରଣ ଘଟଣା ହୋଇଗଲାଣି। ଦୁଇଚକିଆ ଯାନର ପାର୍କିଂ ସ୍ଥାନରେ ଏ କନାଚୋରି ଚାଲିଥିଲେ ବି ନା ଏଥିପାଇଁ ଗାଡ଼ି ଜଗୁଆଳି କିଛି କରିପାରେ ନା ପୁଲିସ ବାବୁମାନେ କିଛି କରିପାରନ୍ତି। ପୁରୁଣା/ପାମ୍ପରା କନାର ମହତ୍ତ୍ୱ ଜାଣିଲେ ତ? ଅଳିଆଗଦାରେ ଫୋପଡ଼ା ହେବା ଯୋଗ୍ୟ ଏ କନାସବୁ ଯେତେବେଳେ ଦୁଇଚକିଆ ଯାନରେ ସ୍ଥାନ ପାଆନ୍ତି, ସେମାନଙ୍କ ଗଉଁ ବଢ଼ିଯାଏ। କୋଟ୍‌ ଟାଇ ପିନ୍ଧିଥିବା ବାବୁମାନେ ଯେତେବେଳେ ଆଗପଛ, ବାଏଁ ଡାଏଁ ଦେଖି ଆଉ କାହା ଗାଡ଼ିରୁ ତାକୁ ସାଦରେ ଉଠାଇ ନିଅନ୍ତି, କନା ଖଣ୍ଡକର ଛାତି କୁଣ୍ଢେମୋଟ ହୋଇଯାଏ। ଯା’ ହେଉ କେଉଁ ଅଳିଆଗଦାକୁ ଯାଇଥା’ନ୍ତା, ସେଠି ପୋଡ଼ା ଯାଇଥା’ନ୍ତା କି ପୋତା ଯାଇଥାନ୍ତା। ହେଲେ ଏତେ ବଡ଼ବଡ଼ ବାବୁମାନେ ଯେତେବେଳେ ତା’ ଉପରେ ଲୋଭ ଦୃଷ୍ଟି ପକାଉଛନ୍ତି ଏହା କି କମ୍‌ କଥା?
ଆପଣ ନିଜେ ଭେଜା ଖଟେଇ କୁହନ୍ତୁ ତ କନାର ମହିମା ଅପାର ନା ନାହିଁ? ଏମିତି ଗୋଟେ ଘଟଣା ଆମର ମନେପଡ଼ୁଛି। ବର୍ଷାମାଡ଼ରେ ଓଦା ହୋଇଥିବା ଗାଡ଼ି ପୋଛିବାକୁ ଯେତେବେଳେ ଗାଡ଼ିରେ ଗେଞ୍ଜିଥିବା କନା ଆମେ ଖୋଜୁ, ତାହା ଆଉ ନ ମିଳେ। ତହୁଁ କରିବୁ କ’ଣ? ସବୁ ଗାଡ଼ିକୁ ଅଣ୍ଡାଳି ଅଣ୍ଡାଳି ଗଲା ବେଳକୁ ଦଶ ବାରଟା ଗାଡ଼ି ପରେ ଅନ୍ୟ ଏକ ଗାଡ଼ିରୁ ତାହା ଆମେ ଠାବକଲୁ ଓ ଆମ କନାକୁ ସେଠୁ ଆଣିଲୁ। ଏଭଳି ବାବୁମାନଙ୍କୁ ଆପଣ କ’ଣ କହିବେ? ଏମିତି କେତେଥର ଆମେ କନାଚୋରିର ଶିକାର ହେଇଛୁ। ଗାଡ଼ି ପୋଛିବାକୁ ଆମ ଦୁଇଚକିଆ ଯାନରେ ଯେତେ କନା ରଖିଲେ ବି କେଉଁ ଗହଳିଆ ପାର୍କିଂ ସ୍ଥାନରେ ତାହା ଚୋରି ହୋଇଯାଇଥାଏ ଯେ ଅସଲ ସମୟରେ ମିଳେନି। ତହୁଁ ଆମେ ଆର କୌଶଳକୁ ଆପଣେଇ ଗାଡ଼ିଟିକୁ ଚକ୍‌ ଚକ୍‌ କରୁ। ଏ ଚୋରି କର୍ମଟା ଧର୍ତ୍ତବ୍ୟ ଅପରାଧ ନୁହେଁ। ମୋ ଗାଡ଼ିର କନା କେହି ଚୋରି କଲେ ମୁଁ କିଆଁ ଛାଡ଼ିବି? ସୁତରାଂ ଆଉ କାହା ଗାଡ଼ି ଅଣ୍ଡାଳିବାକୁ ପଡ଼ିବ ନଇଲେ ଗାଡ଼ି ଅପରିଷ୍କାର, ତା’ ସହ ସାହେବୀ ପୋଷାକ ବି ଅସନା ହେବାର ସମ୍ଭାବନା ଅଛି।
ଯାହା ତ ଥିଲା, ହେଲେ ଆଜିକାଲିର ସ୍ବଚ୍ଛତା ମିଶନ୍‌ରେ କନାର ମହତ୍ତ୍ୱ ଆହୁରି ବଢ଼ିଯାଇଛି ଆଜ୍ଞା। ଯେତେବେଳେ ଚାରିଆଡ଼େ ସ୍ବଚ୍ଛତାର ହୁରି ପଡ଼ିଛି, ସେତେବେଳେ ଏଇ ପାମ୍ପରା କନାର ଚାହିଦା ବି ବଢ଼ିଛି। ସ୍ବଚ୍ଛ ଯାନ ଆଉ ସ୍ବଚ୍ଛ ପୋଷାକ ପାଇଁ ଏବେ ଏହା ଅପରିହାର୍ଯ୍ୟ ହୋଇ ପଡ଼ିଛି। ହେ ବାବୁମାନେ, ଗାଡ଼ିରେ ତୁମେ ଯେତେ କନା ରଖିଲେ ମଧ୍ୟ ତାହା ଚୋରି ହେବ ଇଁ ହେବ। ଏ ଚୋରି ପାଇଁ ଥାନାଠାରୁ ଆରମ୍ଭ କରି କୋର୍ଟ କଚେରି କେଉଁଠି ହେଲେ କାନୁନ ନାହିଁ। ତେଣୁ ତୁମର କନା ଖଣ୍ଡେ କେହି ନେଇଗଲେ ତୁମେ ବି ଆଉ କାହା ଗାଡ଼ି ଉଣ୍ଡି ସେଠୁ କନାଟିଏ ଚୋରିକର। ଆମ ଗାଡ଼ି ପରିଷ୍କାର ହେବା ଦରକାର, ପୋଷାକ ପରିଷ୍କାର ହେବା ଦରକାର।
ଏଥର ମୁଣ୍ଡ ଥୟ କରି କହିଲେ, ସତରେ କ’ଣ କେବେ ଆପଣଙ୍କ ଦୁଇଚକିଆ ଯାନରୁ କନା ଚୋରି ହେଇନି? ଆପଣ ବି କ’ଣ ନିଜ ଗାଡ଼ି ପୋଛିବାକୁ କେବେ ଆଉ କାହା ଗାଡ଼ିରୁ କନା ଚୋରି କରିନାହାନ୍ତି? ନିୟମ କରି ରାଣପକାଇ କୁହନ୍ତୁ ତ !
୮୨୦, ପ୍ରଶାନ୍ତି ବିହାର,
ଭୁବନେଶ୍ୱର
ମୋ: ୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri