ତୃତୀୟ ଲହର କ’ଣ ଶେଷ

ସହଦେବ ସାହୁ

କରୋନା ଭାଇରସ୍‌ ଅକାଳ ମୃତ୍ୟୁର ଭୟ ବଢ଼ାଇଲା ବେଳେ ବିଶାରଦମାନେ କହିହେଲେ ଯେ, ହର୍ଡ ଇମ୍ୟୁନିଟି ଆସିଗଲେ ଆମକୁ ଏଥିରୁ ଉଦ୍ଧାର ମିଳିଯିବ। ହର୍ଡ ବା ଗୋଠ ଆଞ୍ଚଳିକ ନା ପୃଥିବୀ ବ୍ୟାପୀ? ଏ ପ୍ରଶ୍ନର ସମାଧାନ ହୋଇନାହିଁ। ତେବେ ଏହା ଏକ ସଂଖ୍ୟା- ପ୍ରଥମେ ପ୍ରଥମେ କୁହାଗଲା, ମୋଟ ଲୋକସଂଖ୍ୟାର ଶତକଡ଼ା ୬୦ରୁ ୭୦ ଭିତରେ ରୋଗପ୍ରତିରୋଧକ ଶକ୍ତି ତିଆରି ହୋଇଗଲେ ଭାଇରସ୍‌ ଆଉ ବ୍ୟାପିବାକୁ ସକ୍ଷମ ହେବ ନାହିଁ। ହର୍ଡ ଇମ୍ୟୁନିଟି ଥ୍ରେସ୍‌ହୋଲ୍ଡ, ଗୋଠର ରୋଗ ପ୍ରତିରୋଧକାରୀ ଦ୍ୱାରବନ୍ଦ, କଳନା କଲା ବେଳେ ବି.୧.୧.୭ ଭାରିଆଣ୍ଟ ବାହାରି ନ ଥିଲା। ଆହୁରି ନୂଆ ନୂଆ ଭାରିଆଣ୍ଟ ବାହାରି ପାରନ୍ତି, ତେଣୁ ଏବେ କଳନା ହେଉଛି ୮୦%ରୁ ୯୦% ଲୋକ ଟିକାନେଇସାରିଥିବେ ତ ସଂକ୍ରମଣ ଥମିଯିବ। ଯେଉଁ ଅଞ୍ଚଳ ବା ଜନଗୋଷ୍ଠୀ (କମୁନିଟି) ହର୍ଡ ଇମ୍ୟୁନିଟିର ଯେତେ ପାଖାପାଖି ହୁଏ ସେଠାରେ ଲୋକଙ୍କ ଭିତରେ ସଂକ୍ରମଣ ସେତେ ଧୀର ହୋଇଯାଏ ଏବଂ ତେଣୁ ପ୍ରତି ଲୋକ ଉପକାର ପାଏ। ରୋଗରୁ ଭଲ ହୋଇଥିବେ ଅଥବା ସମ୍ପୂର୍ଣ୍ଣ ଟିକା ନେଇଥିବେ, ସେ ସମସ୍ତଙ୍କୁ ମିଶାଇ ଏହି ସଂଖ୍ୟା। ସେ ପ୍ରକାରର ଆଶ୍ୱାସନା କେବେ ମିଳିବ କେହି କହିପାରୁନାହାନ୍ତି। ଆମେରିକା ସବୁଠାରୁ ଉନ୍ନତ ଦେଶ, ସେଠିକାର ୩୦ କୋଟି ଲୋକ ଭିତରୁ ୪୮% ଏଯାବତ୍‌ ଟିକା ନେଇଛନ୍ତି। ପିୟୁ ରିସର୍ଚ୍ଚରୁ ଜଣାପଡ଼େ ୨କୋଟି ୮୦ ଲକ୍ଷ ଆମେରିକାନ୍‌ ପୂରାପୂରି ମନା କରୁଛନ୍ତି, ୩ କୋଟି ଚାହୁଁଛନ୍ତି କିନ୍ତୁ ନେଇନାହାନ୍ତି। ଶ୍ରମିକ ଶ୍ରେଣୀର ଲୋକେ ସମୟ ପାଉନାହାନ୍ତି, ସେମାନେ ଚାହାନ୍ତି ପାଖରେ କେଉଁଠି ଟିକାଦାନକେନ୍ଦ୍ର କର, କାମ ନ ଥିଲା ବେଳେ ଟିକାଦେବା ସମୟ ଠିକ୍‌ କର, ଯାତାୟାତ ସୁବିଧା କର, କାର୍‌ରେ ଯାଉଥିବା ବେଳେ (ୱାକ୍‌ ଇନ୍‌) ଟିକା ନେବାର ସୁବିଧା ଦିଅ, ଶପିଂ ସେଣ୍ଟରରେ ଟିକା ଦେବା ବନ୍ଦୋବସ୍ତ କର – ଏମିତି ବହୁତ ସୁବିଧା।
ପୃଥିବୀରେ ଏମିତି ଅସଂଖ୍ୟ ଲୋକ ଅଛନ୍ତି, ଅଣଟିକାଦିଆ ଅଞ୍ଚଳରେ ବେନିୟନ୍ତ୍ରିତ ଭାବେ ଭାଇରସ୍‌ ବ୍ୟାପିଲେ ଭୂତାଣୁ ଏମିତି ଭାରିଆଣ୍ଟ ଜନ୍ମ କରିବାର ସୁଯୋଗ ପାଇଥାଏ। ସେ ଆମେରିକା ଯାଇପାରିବ, ଭାରତ ଆସିପାରିବ। ଏବେ ତ ଗରିବ ଦେଶଗୁଡ଼ିକରେ ମୋଟ ଟିକାଦାନ ପରିମାଣ ଜନସଂଖ୍ୟାର ମାତ୍ର ୦.୩%। ଟିକା ନେବାକୁ ଅନେକ ଲୋକ ଚାହୁଁନାହାନ୍ତି। ଗାଲପ୍‌ ପୋଲ୍‌ (ଜନମତ ସଂଗ୍ରହ)ରୁ ଜଣାଯାଇଛି, ପୃଥିବୀସାରା ପ୍ରାୟ ୩୨% ବା ୧୩୦ କୋଟି ଲୋକ ଟିକାନେବାକୁ ଅମଙ୍ଗ। ତା’ମାନେ, ପୃଥିବୀପୃଷ୍ଠରୁ କରୋନାଭାଇରସ ମୂଳପୋଛ କରିବା ଅସମ୍ଭବ। ଶତାଧିକ ଭୂତାଣୁ ବିଶେଷଜ୍ଞ କହୁଛନ୍ତି, କରୋନା ଭାଇରସ୍‌ ସବୁଦିନିଆ (ଏଣ୍ଡେମିକ୍‌ ବା ମାଟିର ଗୁଣ) ହୋଇଯିବ, ଅର୍ଥାତ୍‌ ଆସନ୍ତା ବହୁ ବର୍ଷ ଧରି ପୃଥିବୀସାରା ଏହା ଘୂରିବୁଲୁଥିବ। ତା’ ହେଲେ କ’ଣ ‘ହର୍ଡ ଇମ୍ୟୁନିଟି ହିଁ ସ୍ବାଭାବିକତାକୁ ଫେରାଇ ଆଣିବ’ ବୋଲି କହିହେଉଥିବା ଏକ୍ସପର୍ଟମାନେ ଆମକୁ ବୋକା ବନଉଛନ୍ତି? ପୂର୍ବର ମହାମାରୀଗୁଡ଼ିକର ଇତିହାସ ଦେଖନ୍ତୁ, ୧୯୧୮ର ଫ୍ଲୁ ମହାମାରୀ କାଳରେ ହର୍ଡ ଇମ୍ୟୁନିଟି କଥା କେହି ଉଠାଉ ନ ଥିଲେ। ୧୯୫୭ରେ ୟୁଏସ୍‌ରେ ଓ ୧୯୫୮ରେ ଭାରତରେ ଫ୍ଲୁ ପୁଣି ଥରେ ବି ମହାମାରୀ ରୂପ ନେଇଥିଲା (ଏହି ଲେଖକ ସେତେବେଳେ ରେଭେନ୍ସା କଲେଜର ପ୍ରଥମ ବର୍ଷ ଆଇଏସ୍‌ସି ଛାତ୍ର ଥାଇ ଫ୍ଲୁ-ଗ୍ରସ୍ତ ହୋଇ ଏସ୍‌ସିବିରେ ମାସାଧିକ କାଳ ଶଯ୍ୟାଶାୟୀ ହୋଇଥିଲା)। ଫ୍ଲୁ ଭାଇରସ୍‌ ଏବେ ବି ଉଡୁଛି; କେତେକଙ୍କୁ ଏବେ ବି ଫ୍ଲୁ ହେଉଛି। ୟେଲ୍‌ର ପବ୍ଲିକ୍‌ ହେଲ୍‌ଥ ପ୍ରଫେସର୍‌ ହୋୱାର୍ଡ ଫର୍ମାନ୍‌ କହନ୍ତି, କେବେ ହର୍ଡ ଇମ୍ୟୁନିଟି ହାସଲ ହୋଇନାହିଁ। ବେଶିରୁ ବେଶି ଲୋକ ଇମ୍ୟୁନିଟି ହାସଲ କଲେ ଭାଇରସ୍‌ ବିବର୍ତ୍ତିତ ହେଲେ ଆପେ ଆପେ ନରମ ହୋଇଯାଏ, ମଣିଷଗୋଷ୍ଠୀ ତା’ ସହିତ ବଞ୍ଚି ରହିବା ଶିଖିଯାଏ। ୧୯୧୯ରେ ଫ୍ଲୁ ଟିକା ନ ଥିଲା। ସେତେବେଳେ ଲୋକେ ଜାଣି ନ ଥିଲେ ଯେ ଏଚ୍‌୧ଏନ୍‌୧ ଭୂତାଣୁ ହିଁ ଇନଫ୍ଲୁଏଞ୍ଜା କରିଥାଏ। ୧୯୫୭ରେ ଆମେରିକାରେ, ୧୯୫୮ରେ ଭାରତରେ ଏଚ୍‌୨ଏନ୍‌୨ ମହାମାରୀ ଆସିଗଲା। ୧୯୬୮ରେ ଆମେରିକାରେ ଏଚ୍‌୩ଏନ୍‌୨ ଭାରିଆଣ୍ଟ ନରମ ହୋଇଆସିଲା ବେଳକୁ ସେ ଦେଶ ୨କୋଟି ୨୦ ଲକ୍ଷ ଟିକା ଉପତ୍ାଦନ କରିଥିଲା, ଚାହିଦା ନ ଥିବାରୁ ସେଗୁଡ଼ିକ ନଷ୍ଟ ହୋଇଗଲା। ସେମିତି ୨୦୦୯ରେ ଏଚ୍‌୧ଏନ୍‌୧ ଟିକା ସମ୍ଭବ ହେଲା ବେଳକୁ ଚାହିଦା ଜମା ନ ଥିଲା, କୌଣସି ଦେଶ ତାହା କିଣିଲେ ନାହିଁ, ସବୁ ନଷ୍ଟ ହେଲା। ପ୍ରକୃତ କଥା ହେଉଛି ମହାମାରୀମାନେ ଦିନେ ନା ଦିନେ ସମାପ୍ତ ହୁଅନ୍ତି। ହର୍ଡ ଇମ୍ୟୁନିଟି ଏକ ମଧ୍ୟବର୍ତ୍ତିକାଳୀନ ସିଦ୍ଧାନ୍ତ। ସମ୍ପୂର୍ଣ୍ଣ ଟିକା ନେଇଥିବା ଲୋକ ଭାଇରସ୍‌କୁ ସମ୍ଭାଳି ହେଲା ଭଳି ପରିସ୍ଥିତି ପାଇଯାଏ, ଯେମିତି ମିଳିମିଳା ସହନୀୟ ହୋଇଯାଇଛି। ଟିକାକରଣ ଯୋଗୁ ଯେଉଁ କେତେକ ଅଞ୍ଚଳ ଅନ୍ୟ ଅଞ୍ଚଳଠାରୁ ବେଶି ଭଲ ଅଛନ୍ତି, ତାହାର ଅନ୍ୟ ନାମ ଆଞ୍ଚଳିକ ହର୍ଡ ଇମ୍ୟୁନିଟି। ପୃଥିବୀର ଜନସଂଖ୍ୟା ୮୦୦ କୋଟି ହେଲେ ଅନ୍ତତଃ ୭୦୦ କୋଟି ଲୋକଙ୍କୁ ଟିକା (୧୬୦୦ କୋଟି ପାନ) ଦେବାକୁ ପଡ଼ିବ, କିଛି ନଷ୍ଟ ହେବାର ସମ୍ଭାବନାକୁ ହିସାବକୁ ନେଲେ ପ୍ରାୟ ଟିକା ଉପତ୍ାଦନ ୧୭୦୦ କୋଟି ପାନ ହେବା ଦରକାର ଏବଂ ସେତିକି ଉପତ୍ାଦନ କଲା ବେଳକୁ ଦୁଇ ତିନି ବର୍ଷ ଲାଗିପାରେ। ସେତେବେଳକୁ ପ୍ରଥମେ ପ୍ରଥମେ ନିଆହୋଇଥିବା ଟିକାର ଗୁଣ ଉଭେଇଯାଇଥିବ, ତା’ ମାନେ ବୁଷ୍ଟର୍‌ ଡୋଜ୍‌ ଦରକାର ହେବ। ଆଉ ଗୋଟିଏ କଥା – ହର୍ଡ ଇମ୍ୟୁନିଟି ପରିମାଣ ବି ସ୍ବଚ୍ଛଳତା ଉପରେ ନିର୍ଭର କରେ। ସ୍ବଚ୍ଛଳ ବସ୍ତିରେ ଯେତେ ପରିମାଣରେ ସଂକ୍ରମଣ ହୁଏ ଗରିବ ଘଞ୍ଚ ବସ୍ତିରେ ତାହାର ୧୦ଗୁଣ ପରିମାଣର ସଂକ୍ରମଣ ହୁଏ। କେଇ ବର୍ଷ ଭିତରେ କରୋନାଭାଇରସ୍‌ ବିବର୍ତ୍ତିତ ହୋଇ ସାଧାରଣ ସର୍ଦ୍ଦି ସୃଷ୍ଟି କରୁଥିବା ଚାରି ପାଞ୍ଚ ଭାଇରସ୍‌ ଭଳି ହୋଇଯାଇପାରେ, ଗୁରୁତର ପ୍ରଭାବ ଦେଖାଇ ନ ପାରେ, ପିଲାଙ୍କୁ ସଂକ୍ରମଣ କରି ପିଲାଙ୍କ ଦେହରେ ବୟୋବୃଦ୍ଧି ସାଙ୍ଗେ ଇମ୍ୟୁନିଟି ଆଣିପାରେ, ମହାମାରୀ ନରମ ହୋଇପଡ଼ିପାରେ। ଆମେ ଚାହୁଁଛୁ କିପରି ଅଳ୍ପଦିନ ଭିତରେ ମହାମାରୀର ଏ ପ୍ରକାରର ନରମତା ହାସଲ କରିବା? ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଟିକାକରଣ ସରିଯିବା ଉଚିତ। ବର୍ଷକରୁ ବେଶି ହେଲେ ଆଗରୁ ଟିକା ନେଇଥିବା ଲୋକଙ୍କଠାରେ ଟିକାର ପ୍ରଭାବ ନ ଥିବ, ସେମାନଙ୍କୁ ବୁଷ୍ଟର୍‌ ଡୋଜ୍‌ ଦେବା ଦରକାର ପଡ଼ିବ। ନ ହେଲେ ହର୍ଡ ଇମ୍ୟୁନିଟି ଏକ ମରୀଚିକା ହୋଇରହିଯିବ: ଏଥିଲାଗି ଦରକାର (୧) ନିଷ୍ଠାର ସହିତ ବିଭିନ୍ନ ରାଷ୍ଟ୍ର ସହଯୋଗ କରିବା ଦରକାର, (୨) ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଲାଭ-ଲୋଭ ଛାଡ଼ିବା ଦରକାର, ୩) ପାଟେଣ୍ଟ ସମସ୍ୟା ଦୂର ହେବା ଦରକାର, (୪) ଯେଉଁମାନେ ଟିକା ନେବାକୁ ଲୁଚୁଛନ୍ତି ସେମାନଙ୍କୁ ବୁଝାଇସୁଝାଇ ଟିକାନେବାକୁ ପ୍ରବୁଦ୍ଧ କରିବାକୁ ହେବ, (୫) ବର୍ଷକ ଭିତରେ ସବୁ ସୁସ୍ଥଙ୍କୁ ଟିକା ଦେବାକୁ ପଡ଼ିବ ବୋଲି ପୃଥିବୀର ସବୁ ସମ୍ଭାବ୍ୟ ଦେଶରେ ଟିକା-ଉପତ୍ାଦନ ବ୍ୟବସ୍ଥା କରିବାଲାଗି ଇଣ୍ଟେଲେକ୍ଚୁଆଲ୍‌ ପ୍ରପର୍ଟି ରାଇଟ୍‌ ରଖିଥିବା ଦେଶଗୁଡ଼ିକ ଅନ୍ୟ ଦେଶଗୁଡ଼ିକୁ ଟିକା ଉପତ୍ାଦନ କ୍ଷମତା ଦେବେ; ଯେପରି ବର୍ଷକ ଭିତରେ ପ୍ରାୟ ୧୫ ଶହ କୋଟି ପାନ (ଡୋଜ୍‌) ଟିକା ମିଳିଯିବ ଏବଂ (୬) ବର୍ଷେ କାଳ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ପିଲାଙ୍କ ପାଇଁ ନିର୍ଦ୍ଦିଷ୍ଟ ଟିକା କାଢ଼ିବାକୁ ପଡ଼ିବ, ଏ ପର୍ଯ୍ୟନ୍ତ ତ ପରୀକ୍ଷା ନିରୀକ୍ଷା ସରିନାହିଁ। ବହୁ ବୈଜ୍ଞାନିକ ଏବେ ଗବେଷଣାରେ ଲାଗିଛନ୍ତି ଗୋଟିଏ ସର୍ବଭୂତାଣୁ ଟିକା (ୟୁନିଭର୍ସାଲ୍‌ ଭାକ୍ସିନ୍‌) ତିଆରି କରିବାରେ। ଏବେ ଆମେ ଯେଉଁ ଟିକାକରଣ ଚଲାଇଛୁ ତାହା ଏମର୍ଜେନ୍ସି ୟୁଜ୍‌ ଅଥରାଇଜେସନ୍‌ (ଋଟଇ, ଇୟୁଏ) ଯୋଗୁ ଚାଲିଛି, ଅର୍ଥାତ୍‌ ଆମେରିକାର ଫେଡେରାଲ୍‌ ଲ’ ଭଳି ସବୁ ଦେଶର ଔଷଧ ନିୟନ୍ତ୍ରଣକାରୀ ଆଇନ ଅଧୀନରେ ସାଧାରଣ ବ୍ୟବହାର ପାଇଁ ଟିକା କମ୍ପାନୀଗୁଡ଼ିକ ଲାଇସେନ୍ସ ପାଇନାହାନ୍ତିି; ସଫଳ ଚିକିତ୍ସାର ଦୃଢ଼ ପ୍ରମାଣ ନ ମିଳିଲା ଯାଏ ଏମିତି ଏମର୍ଜେନ୍ସି ବା ଟେମ୍ପୋରାରୀ ଅନୁମତି ବଳରେ ଟିକାଦାନ ଚାଲିଥିବ, କିନ୍ତୁ ଡାକ୍ତରମାନେ ଏ ଟିକାକୁ ପ୍ରେସ୍କ୍ରାଇବ୍‌ କରିପାରିବେ ନାହିଁ। ଅନୁମୋଦିତ ଟିକା ବାହାରିଲେ ଇୟୁଏ ପାଇଥିବା ଟିକାସବୁ ବାତିଲ୍‌ ହୋଇଯିବ। ତେଣୁ ଆମେରିକାରେ ଏହି ସର୍ତ୍ତରେ ଟିକା ଦିଆହେଉଥିବାରୁ ଟିକା ସମ୍ମତିପତ୍ରରେ ଲେଖାଯାଉଛି ଯେ ଏଫ୍‌ଡିଏ ଆପ୍ରୁଭ୍‌ କରିନାହିଁ, କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି। ଡାକ୍ତରମାନେ ଏଭଳିି ଟିକାକୁ ପ୍ରେସ୍କ୍ରିପସନ୍‌ରେ ଲେଖିପାରିବେ ନାହିଁ ଏବଂ କୌଣସି ଲୋକ ଏ ଟିକା ନେବାକୁ ମନା କରିପାରେ। ତେଣୁ ସ୍କୁଲ କଲେଜ ବା କମ୍ପାନୀଗୁଡ଼ିକ ଟିକା ନେବାକୁ ଜବରଦସ୍ତ କରିପାରିବେ ନାହିଁ କି ଚାକିରି ସର୍ତ୍ତାବଳୀରେ ଟିକାନେବା ଆବଶ୍ୟକ ବୋଲି ଲେଖିପାରିବେ ନାହିଁ। ଅନ୍ୟ ଦେଶଗୁଡ଼ିକ ସେହି ପ୍ରକାରର ବ୍ୟବସ୍ଥା କରିଛନ୍ତି, ସବୁଠି ଏମର୍‌ଜେନ୍ସି ୟୁଜ୍‌ ଅଥରାଇଜେସନ୍‌ରେ ଟିକାକରଣ ଚାଲିଛି। ଆମେ ଟିକା ନେବାବେଳେ ଯେଉଁ ଦସ୍ତଖତ କରିଦେଉଛୁ ତାହା ଏକଥା ମାନିବା ସାଙ୍ଗରେ ସମାନ। କେହି ଏ କଥା ବା ସର୍ତ୍ତ ଲୋକଙ୍କୁ ବୁଝାଏ ନାହିଁ, ଟିକା ନେବାରେ ଲୋକର ପସନ୍ଦ (ଇନ୍‌ଫର୍ମଡ୍‌ ଚଏସ୍‌) ନାହିଁ, ଯାହା କି ଗଣତନ୍ତ୍ରର ମୂଳ। ଟିକା-ଇଚ୍ଛୁକ ଲୋକ ଏତେ ତରତରରେ ଥାଏ ଯେ ସେ ତାହା ଜାଣିବାକୁ ବେଳ ପାଏ ନାହିଁ, ଟିକା ନେଇଯାଏ। ତେଣୁ ଟିକାଦିଆ ଚାଲିଛି ଓ ଆମେ ଆଶା କରୁଛୁ ସମୟର ପ୍ରବାହରେ ଦିନେ, ଏ ମହାମାରୀ ନରମ ହୋଇଯିବ ଏବଂ ଆମେ ମାସ୍କର ଆବଶ୍ୟକତା, ତେଣୁ ସଙ୍ଗରୋଧ କଟକଣା ହଟିଯିବ।
ଯେତେବେଳେ ଆମେ ଶୁଣୁଛୁ ଯେ ଆମେରିକାର ଲୁଇଜିଆନା, ଆରକାନ୍ସାସ୍‌ ଓ ମିସୌରୁ ଅଞ୍ଚଳରେ କରୋନାଭୂତାଣୁର ୪ର୍ଥ ଲହର ଆସିଗଲାଣି, ୩ୟ ଲହର ଡରରେ ଥିବା ଆମ ପାଇଁ ସଙ୍ଗରୋଧ ଓ ମାସ୍କପିନ୍ଧା ଛାଡ଼ିବା ଆଉ ବର୍ଷେ ଦୁଇ ବର୍ଷ ଯାଏ (୧୩୫ କୋଟି ଲୋକରୁ ୧୨୨ କୋଟି ଦୁଇ ପାନେ ଲେଖାଏ ଟିକା ନେଲାଯାଏ) ଏକ ସ୍ବପ୍ନ ହୋଇ ରହିଯିବ ନାହିଁ ତ!
ଇମେଲ୍‌:sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?