କ୍ଷମତା କ’ଣ ନ କରେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ୬ ଜାନୁୟାରୀ ୨୦୨୧ରେ କ୍ୟାପିଟୋଲ୍‌ ବିଲ୍ଡିଂ ଭିତରେ ପ୍ରବେଶ କରି ଯେଭଳି ଅରାଜକତା ସୃଷ୍ଟି କଲେ ତାହା ସବୁଠାରୁ ପୁରଣା ଗଣତନ୍ତ୍ର ପ୍ରତି ଏକ ଶକ୍ତ ଧକ୍କା ପହଞ୍ଚାଇଛି। ୨୦୨୦ ନଭେମ୍ବରରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଅଭିଯୋଗ କରି ସେବେଠାରୁ ସେ ବାଇଡେନ୍‌ଙ୍କୁ ବିରୋଧ କରିଆସୁଥିଲେ। କିନ୍ତୁ କୌଣସି ଜାଗାରେ ସ୍ପଷ୍ଟ ଭାବେ ଜାଲିଆତିର ପ୍ରମାଣ ଦେବାରେ ରିପବ୍ଲିକାନ୍‌ ଦଳ ଓ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ସଫଳ ହୋଇପାରିନାହାନ୍ତି। ୨୦ ଜାନୁୟାରୀ ୨୦୨୧ରେ କ୍ଷମତା ହସ୍ତାନ୍ତର ଯେତେ ପାଖେଇ ଆସିଲା ଟ୍ରମ୍ପ୍‌ ଏକପ୍ରକାର ପାଗଳ ହେଲା ଭଳି ଜଣାପଡୁଛନ୍ତି। ତାଙ୍କ ବ୍ୟବହାର ଦେଖି ପୃଥିବୀବ୍ୟାପୀ ଧାରଣା ସୃଷ୍ଟି ହୋଇଛି ଯେ, କ୍ଷମତା କ’ଣ ନ କରେ। କ୍ଷମତା ନେତାଙ୍କୁ କିଭଳି ଅନ୍ଧ କରିଦିଏ, ତାହା କ୍ୟାପିଟୋଲ୍‌ ବିଲ୍ଡିଂ ଅକ୍ତିଆରରୁ ବୁଝା ପଡ଼ିଯାଉଛି। ଦୀର୍ଘ ବର୍ଷ ଶାସନ କରିବା ଲାଗି ଆକାଂକ୍ଷା ରଖୁଥିବା ନେତା ଯେତେବେଳେ ତାଙ୍କ ପତନ ଦେଖିପାରନ୍ତି, ସେତେବେଳେ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ଟ୍ରମ୍ପ୍‌ ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛନ୍ତି।
କ୍ୟାପିଟୋଲ୍‌ ବିଲ୍ଡିଂ ଉପରେ ଆକ୍ରମଣ ଓ ହିଂସାକାଣ୍ଡକୁ ବିଶ୍ୱବ୍ୟାପୀ ନିନ୍ଦା କରାଯିବା ପରେ ଟ୍ରମ୍ପ୍‌ କହିଲେ ଯେ, ଜାନୁୟାରୀ ୨୦ରେ ଠିକ୍‌ ଭାବେ ସେ କ୍ଷମତା ହସ୍ତାନ୍ତର କରିବେ। ହେଲେ ସ୍ବଳ୍ପ ଦିନ କ୍ଷମତା ପାଖରେ ଥିବାରୁ ତା’ର ଦୁରୁପଯୋଗ କରି ଟ୍ରମ୍ପ୍‌ ପରମାଣୁ ବୋମା ଆକ୍ରମଣ କରିପାରନ୍ତି ବୋଲି ଆମେରିକା ପ୍ରତିନିଧି ସଭା ଅଧ୍ୟକ୍ଷ ତଥା ବାଚସ୍ପତି ନାନ୍ସି ପେଲୋସି ଚିନ୍ତାବ୍ୟକ୍ତ କରିବା ପରେ ଆମେରିକାବାସୀଙ୍କୁ ଆଉ ଏକ ଭୟ ଘାରିଛି। ଏବେ ଟ୍ରମ୍ପ୍‌ ଯାତ୍ରା କରିବା ବେଳେ ‘ନ୍ୟୁକ୍ଲିୟର ଫୁଟ୍‌ବଲ’ ସାଙ୍ଗରେ ନେଇ ଯାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ଏକ ବ୍ୟାଗ୍‌, ଯେଉଁଥିରେ ପରମାଣୁ ଷ୍ଟ୍ରାଇକ୍‌ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଓ ଆକ୍ରମଣ ଯୋଜନା ସଂକ୍ରାନ୍ତ ସଙ୍କେତ ରହିଛି। ଲଞ୍ଚ୍‌ କୋଡ୍‌ ଜଣାଥିବାରୁ ରାଷ୍ଟ୍ରପତି ଚାହିଁଲେ ଯେକୌଣସି ମୁହୂର୍ତ୍ତରେ ତାହାକୁ ବ୍ୟବହାର କରିପାରିବେ। ଟ୍ରମ୍ପ୍‌ଙ୍କ ମତିଗତି ଦେଖିଲେ ସେ ନିଜ ସ୍ବାର୍ଥ ପାଇଁ କିଛିବି କରିପାରନ୍ତି ବୋଲି କୁହାଯାଇପାରେ। ତାଙ୍କ ବିଗତ ୪ ବର୍ଷର ଇତିହାସ ଦେଖିଲେ ଗଣତାନ୍ତ୍ରିକ ଦେଶରେ ସେ ଜଣେ ଏକଚ୍ଛତ୍ରବାଦୀ ନେତା ଭାବେ ଅନେକ ନିଷ୍ପତ୍ତି ନେଇ ସମାଲୋଚିତ ହୋଇଛନ୍ତି। ୨୦୨୦ରେ କରୋନା ମହାମାରୀ ଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିବା ବେଳେ ଟ୍ରମ୍ପ୍‌ ଏହାକୁ ଖାତିର କରି ନ ଥିଲେ। ଏହାକୁ ଚାଇନା ଭୂତାଣୁ କହି ସେ ପରିହାସ କରିଥିଲେ। ଏପରି କି ତାଙ୍କ ସମର୍ଥକମାନଙ୍କୁ ମାସ୍କ ନ ପିନ୍ଧିବା ପାଇଁ ପ୍ରବର୍ତ୍ତାଇଥିଲେ। ଫଳସ୍ବରୂପ କୋଭିଡ୍‌-୧୯ଜନିତ ସର୍ବାଧିକ ମୃତ୍ୟୁ ଆମେରିକାରେ ଦେଖାଦେଇଥିଲା। ଏବେ ମଧ୍ୟ ସେହି ସ୍ଥିତି ସୁଧୁରି ନାହିଁ। ତାଙ୍କ ଅପରିଣାମଦର୍ଶିତାର ଫଳ ଆମେରିକାବାସୀଙ୍କୁ ଭୋଗ କରିବାକୁ ପଡ଼ିଲା।
ଜଣେ ଶାସକ ଦେଶରେ କେତେ ଜନପ୍ରିୟ ତାଙ୍କ କାର୍ଯ୍ୟ କହିଦିଏ। ଏଠାରେ ସ୍ବୀକାର କରିବାକୁ ହେବ ଯେ, ଟ୍ରମ୍ପ୍‌ଙ୍କ ପ୍ରତ୍ୟେକ ନିଷ୍ପତ୍ତି ଯୋଗୁ ଆମେରିକାରେ ସାମାଜିକ ବିଭେଦ ବୃଦ୍ଧି ପାଇଆସିଛି। ସେଥିପାଇଁ ପରାଜୟ ସତ୍ତ୍ୱେ ୭ କୋଟିରୁ ଊର୍ଦ୍ଧ୍ୱ ଭୋଟ୍‌ ପାଇ ଟ୍ରମ୍ପ୍‌ ନିଜର ଗାଦି ଛାଡ଼ିବା ପାଇଁ ଅପ୍ରସ୍ତୁତ। ତାଙ୍କର ବିଶ୍ୱାସ ହେଉନାହିଁ ଯେ ସେ ହାରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୪ ବର୍ଷ ପୂର୍ବେ ରିପବ୍ଲିକାନ୍‌ ପ୍ରାର୍ଥୀ ଭାବେ ଟ୍ରମ୍ପ୍‌ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନରେ ଜିଣିଥିଲେ ସେତେବେଳେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ୍‌ଙ୍କ ସମର୍ଥକମାନେ ଅନେକ ମାସ ପର୍ଯ୍ୟନ୍ତ ‘ନଟ୍‌ ମାଇଁ ପ୍ରେସିଡେଣ୍ଟ’ ବା ‘ମୋ ରାଷ୍ଟ୍ରପତି ନୁହନ୍ତି’ ଆନ୍ଦୋଳନ ଜାରି ରଖିଥିଲେ। ଆମେରିକାର ଗଣତାନ୍ତ୍ରିକ ଇତିହାସ ଦେଖିଲେ ସମ୍ଭବତଃ, ଡେମୋକ୍ରାଟିକ୍‌ ଦଳ ଦ୍ୱାରା ଏଭଳି ପ୍ରତିବାଦ ହିଲାରୀଙ୍କ ପରାଜୟ ଯୋଗୁ ପ୍ରଥମଥର ଦେଖିବାକୁ ମିଳିଥିଲା। ହୁଏତ ସେଇଠୁ ଧାରଣା ପାଇ ଟ୍ରମ୍ପ୍‌ ତାଙ୍କ ସମର୍ଥକମାନଙ୍କୁ ଉସୁକାଇଥିଲେ। କିନ୍ତୁ ସେହି ଉସୁକାଇବାର ମାତ୍ରା ଯଥେଷ୍ଟ ହୋଇଯିବାରୁ କ୍ୟାପିଟୋଲ ଅର୍ଥାତ୍‌ ଆମେରିକା ସଂସଦ ଉପରେ ତାଙ୍କ ସମର୍ଥକମାନେ ସିଧାସଳଖ ଆକ୍ରମଣ କରିଥିଲେ। ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ ଭାବରେ ପରିଚିତ ଆମେରିକା ତା’ର ରାଜଧାନୀ ଓ୍ବାଶିଂଟନ ଡିସିରେ ସୁରକ୍ଷା କେତେ ଦୁର୍ବଳ ହୋଇପଡିଛି, ତାହା ୬ ଜାନୁୟାରୀ ଆକ୍ରମଣ ଫଳରେ ବିଶ୍ୱବାସୀ ଜାଣିପାରିଲେ। କିଛିମାସ ପୂର୍ବେ ଆମେରିକାରେ ଲାଗି ରହିଥିବା ‘ବ୍ଲାକ୍‌ ଲାଇଭ୍ସ ମେଟର’ ବା ‘କୃଷ୍ଣକାୟଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ’ ଧ୍ୱନିରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ଦେଶବ୍ୟାପୀ ପୋଲିସର ଦମନଲୀଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆମେରିକାରେ ବର୍ଣ୍ଣବୈଷମ୍ୟର ଗଭୀରତାକୁ ପୂର୍ବରୁ ଅନ୍ୟ ଦେଶବାସୀ ଜାଣିପାରୁ ନ ଥିଲେ। ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଗୋରା ହୋଇଥିବାରୁ ରାଜଧାନୀ ପୋଲିସର ଦଙ୍ଗାକାରୀଙ୍କ ପ୍ରତି ଅତି ନରମ ବ୍ୟବହାର ମଧ୍ୟ ସମାଲୋଚିତ ହେବା ସହିତ ସେଠାରେ ଥିବା ସାମାଜିକ ବିଭେଦକୁ ପଦାରେ ପକାଇଛି।
ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ତତ୍ତ୍ୱ ଆମେରିକାର ସାମାଜିକ ବିଭେଦକୁ ଆରମ୍ଭ କରିଛି ବୋଲି ଭାବିବା ଭୁଲ୍‌ । ସେଠାକାର ବାସିନ୍ଦାଙ୍କ ମନରେ ବସା ବାନ୍ଧିଥିବା ପ୍ରବଳ ମାତ୍ରାର ଘୃଣାକୁ ଟ୍ରମ୍ପ୍‌ଙ୍କ ୪ ବର୍ଷ କେବଳ ଫୁଙ୍କି କରି ନିଆଁ ଲଗାଇଦେଲା। କେବଳ ଆମେରିକା ନୁହେଁ, ଟ୍ରମ୍ପ୍‌ଙ୍କ ଚରିତ୍ରକୁ ଦେଖି ବିଶ୍ୱର ଆହୁରି କେତେକ ଗଣତାନ୍ତ୍ରିକ ଦେଶର ନେତାମାନେ ନିଜର ଅହଂଭାବରେ ଲିଆ ଭଳି ଫୁଟିଲେ। ବିଭିନ୍ନ ନେତାଙ୍କ ବିଶ୍ୱାସ ସୃଷ୍ଟି ହେଲା ଯେ, ଟ୍ରମ୍ପ୍‌ଙ୍କ ମାର୍କାମରା ପାଗଳାମି ଦ୍ୱାରା ନିଜ ଦେଶକୁ ଅନେକ ଭାବରେ ବିଭକ୍ତ କରି ଶାସନ କ୍ଷମତାରେ ଦୀର୍ଘକାଳ ରହିହେବ। ତାଙ୍କର ପରାଜୟ ଅନେକ ନେତାଙ୍କୁ ବିସ୍ମିତ କରିଥିବ। ସେମାନେ ଏହାମଧ୍ୟ ଶିଖିଲେ ଯେ ନିଜର ସ୍ଥିତିକୁ ଦେଖି ପରାଜୟ ବିରୋଧରେ ଲଢ଼ିହେବ। ଆମେରିକାର ବ୍ୟବସ୍ଥା ଅତି ସୁଦୃଢ଼ ବୋଲି ଟ୍ରମ୍ପ୍‌ ସ୍ବୀକାର କରିବାକୁ ରାଜି ହେଲେ ଯେ ତାଙ୍କର ରାଷ୍ଟ୍ରପତି ପଦ ଛାଡ଼ିବେ। ଅନ୍ୟ ଦେଶର ନେତାମାନେ ଏଥିରୁ ଶିକ୍ଷା ନେଇ ଆଉ ଦୁଇ ପାଦ ଆଗକୁ ଯିବାକୁ ଚେଷ୍ଟା କରିପାରନ୍ତି। ସମର୍ଥକଙ୍କ ଦକ୍ଷତା ଉପରେ ବିଶ୍ୱାସ ନ ଥିଲେ ଏହି ନେତାମାନେ ସରକାରୀ କଳକୁ ବ୍ୟବହାର କରି ନିଜ ଗାଦି ସୁରକ୍ଷିତ ରଖିବାକୁ ଚେଷ୍ଟା କରିପାରନ୍ତି।
ଏଠାରେ ମନେପଡ଼େ, ୧୯୨୩ ମସିହାର ଜର୍ମାନୀରେ ହୋଇଥିବା ହିଟଲରଙ୍କ ନେତୃତ୍ୱରେ ବିୟର ହଲ୍‌ ପୁଚ୍‌ ବା ରାଜନୈତିକ ବିପ୍ଳବର ଉଦ୍ୟମ। ଏହି ଘଟଣାରେ ନାଜି ଦଳର ୧୬ ଜଣ ସମର୍ଥକଙ୍କୁ ବାଭାରିଆ ପୋଲିସ ଗୁଳି କରି ମାରିଦେଇଥିଲା। ପରବର୍ତ୍ତୀ ସମୟରେ ସେଠାକାର ସରକାର ଓ ବ୍ୟବସ୍ଥା ନାଜି ଦଳ ଓ ହିଟ୍‌ଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ କେଉଁଭଳି ସ୍ଥିତି ସୃଷ୍ଟି ହୋଇଥିଲା, ତାହା ସମଗ୍ର ବିଶ୍ୱ ଜାଣିଛି। ସେହିଭଳି ଆମେରିକାରେ ମଧ୍ୟ ଟ୍ରମ୍ପ୍‌ ଓ ତାଙ୍କ ସମର୍ଥକମାନଙ୍କ ବିରୋଧରେ ଯଦି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତେବେ ଆସନ୍ତା ୪ ବର୍ଷ ପରେ ଆମେରିକା ସହିତ ପୃଥିବୀରେ ଏକ ଭୟଙ୍କର ସ୍ଥିତି ସୃଷ୍ଟି ହେବ।

– ତଥାଗତ ସତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri