କ’ଣ କରନ୍ତି ଆପଣ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଖବରକାଗଜରେ ଲେଖାଟିଏ ପ୍ରକାଶିତ ହେଲେ କେତେଜଣ ଲେଖା ପଢ଼ି ପଚାରନ୍ତି, ‘ମାଡାମ ଲେଖାଟି ଭଲ ହୋଇଛି ଯେ, କୁହନ୍ତୁ ତ ଆପଣ କ’ଣ କେଉଁଠି ଶିକ୍ଷୟିତ୍ରୀ ଅଛନ୍ତି ?’ ନାହିଁ ଶବ୍ଦ ଶୁଣିଲା ପରେ, କିଛି କୁହନ୍ତି, ‘ଯା ହେଉ ଆପଣଙ୍କ ଲିଖିତ ବିଷୟବସ୍ତୁ ଉପରେ ଜ୍ଞାନ ଦେଖି ଲାଗିଲା ଆପଣ ନିଶ୍ଚୟ ଜଣେ ଶିକ୍ଷୟିତ୍ରୀ କିମ୍ବା ଅଧ୍ୟାପିକା ହୋଇଥିବେ।’ ପ୍ରଶ୍ନର ଉତ୍ତରରେ ‘ମୁଁ ଜଣେ ଗୃହିଣୀ’ ବୋଲି ଶୁଣିବା ପରେ,‘ହଉ ରହୁଛି’ କହି ହଠାତ୍‌ ଫୋନ ରଖିଦିଅନ୍ତି l ବୋଧେ ଗୃହିଣୀଟିଏର ଲେଖା ଖବରକାଗଜରେ ପ୍ରକାଶିତ ହେବାକୁ ସେମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ।
ଗୃହିଣୀଟିଏ କ’ଣ କେବଳ ଘରକାମ ଭଲ ଭାବରେ କରିବା ଏବଂ ପରିବାରର ଆଦର ଯତ୍ନ କରିବାରେ ତା’ ଜୀବନକୁ ସୀମିତ କରିରଖିବ? ଘରକାମ, ପିଲାଙ୍କ କାମ, ବନ୍ଧୁ ବାନ୍ଧବ ଓ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା, କୌଣସି କାର୍ଯ୍ୟରେ ଅବହେଳା ନ କରି ଯଦି ଗୃହିଣୀଟିଏ କିଛି କ୍ରିୟାତ୍ମକ କାମ କରି ଖୁସି ପାଉଛି, ସେଥିରେ ଭୁଲ୍‌ ରହିଲା କେଉଁଠି ?
ସ୍ତ୍ରୀ ଲୋକଟିଏକୁ ଦେଖିଲା ମାତ୍ରେ ପଚାରିବା ‘ଆପଣ କ’ଣ ଜବ୍‌ କରନ୍ତି, ନା ହାଉସ ୱାଇଫ?’ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୃହିଣୀଟିଏ ହଠାତ୍‌ ନରମି ଯାଏ, କ’ଣ କହିବ ଭାବି ଘଡିଏ ଚୁପ ରହିଯାଏ! ଏତିକିରେ ବି ପ୍ରଶ୍ନ ସରେନାହିଁ, ୟା ପରେ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଆସେ।
ଭଦ୍ରବ୍ୟକ୍ତିମାନେ ପଚାରନ୍ତି, ‘ଏତେ ପଢ଼ିଲେ, ଚାକିରି କାହିଁକି କଲେ ନାହିଁ?’ ସେତେବେଳେ ଟିକେ ବାଧେ, କାରଣ ଜଣେ ଚାକିରି କଲା କି ନାହିଁ ସେଇଟା ତା’ର ବ୍ୟକ୍ତିଗତ ଇଚ୍ଛା! ଘରେ ରହି କିଛି ସୃଜନାତ୍ମକ କାମ କରିବାରେ ଅସୁବିଧା କ’ଣ?
ଏଠି ଲୋକେ ଅନ୍ୟମାନଙ୍କ ପାଇଁ ବିଶେଷ କରି ମହିଳାମାନଙ୍କ ପାଇଁ ସ୍ବମତ ପୋଷଣ କରିବାରେ ଅଭିଜ୍ଞ। ସେହିଭଳି ମାନସିକତା ଥିବା ଲୋକଙ୍କ ଦୃଷ୍ଟିରେ ମହିଳାମାନେ ଘର ଭିତରେ ରହି ଘରକାମ ଓ ପିଲାଛୁଆଙ୍କ କଥା ବୁଝିବା ବ୍ୟତୀତ ଆଉ କିଛି କଳ୍ପନା ହିଁ କରିପାରନ୍ତି ନାହିଁ। ପ୍ରକୃତରେ ସେମାନେ ମହିଳାଙ୍କ ଭିତରେ ଥିବା ସୁପ୍ତ ପ୍ରତିଭାକୁ ଚିହ୍ନିବାରେ ସକ୍ଷମ ନୁହନ୍ତି। ଏଭଳି କ୍ଷେତ୍ରରେ ଆବଶ୍ୟକତା ଅଛି ଗୃହିଣୀଟିଏ ନିଜେ ତା’ ଭିତରେ ଥିବା ସ୍ବତନ୍ତ୍ରତାକୁ ଚିହ୍ନୁ ଏବଂ ତାକୁ ନିୟମିତ ଅଭ୍ୟାସ ଦ୍ୱାରା ସମସ୍ତଙ୍କ ଆଖିଆଗକୁ ଆଣିବାକୁ ଚେଷ୍ଟିତ ହେଉ। ନିଜ ପରିଚୟ ନିଜେ ସୃଷ୍ଟି କରିବାର ଗୁରୁଦାୟିତ୍ୱ ନିଜେ ଗୃହିଣୀ ବହନ କରୁ।
ଅନେକ ଉଦାହରଣ ରହିଛି ଯେ ମହିଳାଟିଏ କିଛି କରିବାକୁ ଆଗଭର ହେଲେ ତା’ ସ୍ବାମୀ ଏବଂ ପରିବାର ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ମାତ୍ର ଦୁଃଖର ବିଷୟ ଏବେ ବି କିତେଜଣଙ୍କ ଭାବନାରେ ପରିବର୍ତ୍ତନ ଆସିନାହିଁ l ମହିଳାମାନେ ଘରେ ରହି ଘରର ସବୁ ଦାୟିତ୍ୱ ସମ୍ଭାଳିବା କାମକୁ ସେମାନେ ବିଶେଷ ଗୁରୁତ୍ୱ ଦେଉନାହାନ୍ତି l ବରଂ କହୁଛନ୍ତି ଯେ ସେମାନେ ବାହାରେ ଖଟି ଖଟି ଆସୁଥିବା ବେଳେ ମହିଳାମାନେ ଘରେ ରହି ଆରାମ କରୁଛନ୍ତି।
ହିସାବ କଲେ ଜଣାପଡିବ ଯେ ମହିଳାମାନେ ଘରକାମ ପାଇଁ ଯେତିକି ସମୟ ଦେଉଛନ୍ତି, ସେତିକି ସମୟ ଯଦି କିଛି ଚାକିରିରେ ନିୟୋଜିତ ହୋଇ ରୋଜଗାର କରନ୍ତେ, ତେବେ ଭାରତର ଅର୍ଥନୈତିକ ସ୍ଥିତି ଆହୁରି ସୁଦୃଢ଼ ହୋଇପାରନ୍ତା। ତୁଳନା କରି ଦେଖନ୍ତୁ ତ, ଜଣେ କର୍ମରତ ମହିଳା ତା’ ଅଫିସ ସମୟତକ ଘରୁ ବାହାରକୁ ଯାଇ ଅନ୍ୟମାନଙ୍କ ସହିତ ମିଶିପାରେ, ନିଜ ଭାବ ଆଦାନ ପ୍ରଦାନ କରେ, ଦୁନିଆର ପରିବର୍ତ୍ତନଶୀଳ ରୂପକୁ ଅଙ୍ଗେ ନିଭେଇବା ଶିଖେ। ଯାହା ଦ୍ୱାରା ତା’ର ଅଭିଜ୍ଞତା, ଆତ୍ମବିଶ୍ବାସ ସ୍ବତଃ ବୃଦ୍ଧି ପାଏ।
ଅପରପକ୍ଷେ ଘରେ ରହୁଥିବା ମହିଳାମାନେ ନିୟମିତ ଘରକାମ, ପିଲାଙ୍କ ଦାୟିତ୍ୱ ନିର୍ବାହ କରି କ୍ଳାନ୍ତ ଏବଂ ବେଳେବେଳେ ଚିରାଚରିତ କାମ କରି ବିରକ୍ତି ଅନୁଭବ କରନ୍ତି। ଏହା ଜମାରୁ ନୁହେଁ ଯେ, ଗୃହିଣୀମାନେ ଘରକାମ କରିବାକୁ ନାପସନ୍ଦ କରନ୍ତି ବା ବାଧ୍ୟ ବାଧକତାରେ କରୁଛନ୍ତି। ହେଲେ ତା’ର ବି ଇଚ୍ଛହେଉଥିବ ଯେ ତାକୁ କିଏ କେବେ କାମରେ ଟିକେ ସାହାଯ୍ୟ କରିଦେଉ, ସ୍ନେହବୋଳା ଦୁଇପଦ କଥା ଶୁଣି ତା’ ମନ ବି ଟିକେ ହାଲୁକା ହୋଇଯାଉ। ତାକୁ ବି ଦିନେ ସୁଯୋଗ ଦିଆଯାଉ, ‘ଯା ଆଜି ତୋର ଛୁଟି, ତୋର ଯାହା ଇଚ୍ଛା ସେୟା କର। ରୋଷେଇ, ଘରକାମ କଥା ଆମେ ବୁଝିଦେବୁ l’ ଏଇ ଗୋଟିଏ କଥା, ଏଇ ଗୋଟିଏ ଦିନର ସ୍ବାଧୀନତା, ତା’ ଭିତରେ ଆଗକୁ କାମ କରିବା ପାଇଁ ଅଜସ୍ର ଉତ୍ସାହ ଏବଂ ଆନନ୍ଦ ଭରିଦେବ। ପରିବାରର ପ୍ରତ୍ୟେକ ସଦସ୍ୟ ପ୍ରତି ତା’ର ଭଲପାଇବା, ଆଦର, ଦାୟିତ୍ୱ କେଇଗୁଣା ବୃଦ୍ଧି ପାଇଯିବ। ଉପରୋକ୍ତ ସବୁକଥା କହିବାକୁ ଖୁବ୍‌ ସହଜ ଲାଗୁଥିଲେ ମଧ୍ୟ କରିବା ପାଇଁ ଏତେ ସହଜ ହୁଏ ନାହିଁ। କାରଣ ଘରର ମହିଳାମାନଙ୍କୁ ଛୁଟିଦେଲେ କାମର ଦାୟିତ୍ୱ ପଡିଥାଏ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ l
କହିବାକୁ ଗଲେ ଜାଣତରେ ବା ଅଜାଣତରେ କାହାର ଧ୍ୟାନ ହିଁ ନ ଥାଏ ଯେ ସେ କ’ଣ ଚାହେଁ ? ଗୃହିଣୀର ମନକଥା ବୁଝିବା ପାଇଁ ଗୋଟିଏ ଦରଦୀ ହୃଦୟର ଆବଶ୍ୟକତା ରହିଛି l କାମରେ ସାହାଯ୍ୟ ଓ ସହଯୋଗ ଅପେକ୍ଷା ତାକୁ ବୁଝିପାରୁଥିବା, ତାକୁ ସାହସ ଯୋଗେଇ ଦେଉଥିବା ଏବଂ ସର୍ବୋପରି ସୁଖ ଓ ଦୁଃଖ ଉଭୟ ସମୟରେ ତା’ ପଛରେ ଛିଡ଼ା ହେଉଥିବା କିଛି ବ୍ୟକ୍ତିଙ୍କ ସାନ୍ନିଧ୍ୟ ତା’ର ଆତ୍ମବିଶ୍ୱାସ ବଢ଼େଇବାରେ ସାହାଯ୍ୟ କରେ। ଟିକେ ସହଯୋଗ ଏବଂ ସକାରାତ୍ମକ ଚିନ୍ତାଧାରା ତା’ ଭିତରେ ଥିବା କ୍ଷମତା ସହିତ ତା’ର ପରିଚୟ କରେଇଦିଏ। ଚାକିରି ଓ ଘରକାମକୁ ଏକାକାଳୀନ ସ୍ବଚ୍ଛନ୍ଦ ରୂପେ ଚଳେଇ ପାରୁଥିବା ମହିଳାଙ୍କ ଦୃଷ୍ଟାନ୍ତ କମ୍‌ ନାହିଁ ଆମ ସମାଜରେ। ସେମାନେ ତ ସବୁବେଳେ ଗୌରବମୟୀ, ପ୍ରଶଂସାର ଅଧିକାରିଣୀ। କିନ୍ତୁ ଘରେ ରହି କାମ କରୁଥିବା ମହିଳାମାନଙ୍କର ମର୍ଯ୍ୟାଦା ଓ ମହନୀୟତାକୁ ଏହି ସମାଜ ହୀନଦୃଷ୍ଟିରେ ନ ଦେଖୁ। ସେମାନଙ୍କ ନୀରବତାକୁ ସେମାନଙ୍କ ଦୁର୍ବଳତା ମନେକରି ତାଚ୍ଛଲ୍ୟ ନ କରୁ ଏହାହିଁ ଆଲେଖ୍ୟର ମୁଖ୍ୟ ଉଦ୍ଦେଶ୍ୟ।
ମୋ : ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri