ପେନ୍‌ସନଭୋଗୀଙ୍କ ଅଧିକାର

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ଆମେ କେଇଜଣ ବନ୍ଧୁ ମୁଖ୍ୟତଃ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଚା ଦୋକାନରେ କଥାବାର୍ତ୍ତା ହେଉଥିବା ବେଳେ ଭଟବାବୁ ମୁହଁ ଶୁଖାଇ ବସିଥିଲେ। ତାଙ୍କୁ ଦେଖି ନରେନ୍ଦ୍ର ବାବୁ ପଚାରିଲେ ମୁହଁଟାକୁ କାହିଁକି ଆମ୍ବିଳା କରି ବସିଛ? ଭଟବାବୁ କହିଲେ, ମୁଁ ଅବସର ଗ୍ରହଣ କରିବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ମୋ ପାଉଣା ବର୍ତ୍ତମାନ ମିଳିବାକୁ ନାହିଁ। ମୁଁ କହିଲି, ଏସବୁ କଥା ଆମ ଦେହସୁଆ ହୋଇଗଲାଣି। ଆପଣ ବୋଧହୁଏ ନିକଟଅତୀତରେ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଥିବା ଏକ ଖବର ବିଷୟରେ ଅବଗତ ଥିବେ। ଜଣେ ଅବସରପ୍ରାପ୍ତ ଶିକ୍ଷକ ଦୀର୍ଘ ୩୨ ବର୍ଷ ଧରି ତାଙ୍କର ଅବସରକାଳୀନ ପାଉଣା ପାଇଁ ଅର୍ଥବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦୌଡ଼ି ଦୌଡ଼ି ତାଙ୍କ ଜୀବଦ୍ଦଶାରେ ପାଉଣା ପାଇଲେ ନାହିଁ। ଏପରିକି ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ ପରେ ଏହି ପାଉଣା ପ୍ରଦାନ ପାଇଁ ନିର୍ଦ୍ଦେଶ ଆସିଲା ବେଳକୁ ସେ ଏବଂ ତାଙ୍କ ଧର୍ମପତ୍ନୀ ଏ ସଂସାରରୁ ବିଦାୟ ନେଇଥିଲେ। ଏ କେବଳ ଗୋଟିଏ ଘଟଣା ନୁହେଁ। ଶିକ୍ଷାବିଭାଗ ହେଉ କି ଅର୍ଥବିଭାଗ; ଏହି ଅମଲାତନ୍ତ୍ରର ଖାମଖିଆଲି ନୀତି ଯୋଗୁ ଅବସରପ୍ରାପ୍ତ କର୍ମଚାରୀମାନେ କି ହୀନିଅବସ୍ଥା ହେଉଛନ୍ତି; ତାହା ଅନୁଭବୀ ହିଁ କେବଳ କହିପାରିବ।
ବ୍ରଜବାବୁ କହିଲେ ଯେ, ଆପଣ ତ ଦୀର୍ଘଦିନ ଧରି ଅର୍ଥବିଭାଗରେ ଚାକିରି କରୁଥିଲେ। ଆମେମାନେ ପେନ୍‌ସନ ଭୋଗୀଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଊଣାଅଧିକେ ଅବଗତ ନୋହୁଁ। ଆପଣ ଆମକୁ ଏ ବିଷୟରେ ଟିକିଏ ପ୍ରାଞ୍ଜଳ ଭାବେ ବୁଝାଇ କହିପାରିବେ କି? ବନ୍ଧୁମାନଙ୍କର କଥାକୁ ଏଡ଼ାଇ ନ ପାରି ମୁଁ କହିଲି ଯେ, ନିମ୍ନଲିଖିତ ବିଷୟରେ ପେନ୍‌ସନ ପାଉଥିବା ଅଧିକାଂଶ ଅବସରପ୍ରାପ୍ତ କର୍ମଚାରୀ ଅବଗତ ନୁହନ୍ତି – (୧) ପେନ୍‌ସନ୍‌ ହେଉଛି ଅବସରପ୍ରାପ୍ତ କର୍ମଚାରୀଙ୍କର ଅଧିକାର ଏବଂ ଏହା ସରକାରଙ୍କର ପ୍ରୋତ୍ସାହନ ବା ଅନୁକମ୍ପା ନୁହେଁ। ଭାରତୀୟ ସମ୍ବିଧାନର ଧାରା ୩୦୦-କ ଅନୁସାରେ ବ୍ୟକ୍ତିର ସମ୍ପତ୍ତି ଉପରେ ହେଉଛି ଏକ ମୌଳିକ ଅଧିକାର। ଅନୁରୂପ ଭାବେ ପେନ୍‌ସନ ହେଉଛି ଅବସରପ୍ରାପ୍ତ କର୍ମଚାରୀଙ୍କର ଏକ ମୌଳିକ ଅଧିକାର। (୨) ଆର୍ଥିକ କଟକଣା ସତ୍ତ୍ୱେ ପେନ୍‌ସନଭୋଗୀଙ୍କୁ ପେନସନ ପ୍ରଦାନ କରାଯିବ। ଏହା ସର୍ବୋଚ୍ଚ ଅଦାଲତଙ୍କର ନିଷ୍ପତ୍ତି, ଯାହା ୨୦୧୫ର ଦେୱାନୀ ଅପିଲ ନଂ.୧୧୨୩ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। (୩) ପେନ୍‌ସନ ସଂଶୋଧନ ବୃଦ୍ଧି ସଂଶୋଧିତ ହାରରେ ଦରମା ଉପରେ ନିର୍ଭରଶୀଳ ନୁହେଁ। ସଂଶୋଧନ ଜନିତ ପେନ୍‌ସନ ବୃଦ୍ଧି ଦରମା ହାରଠାରୁ ସମ୍ପୂର୍ଣ୍ଣ ମୁକ୍ତ। ଅଧିକାଂଶ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କର ଧାରଣା ଯେ, ଦରମା ହାରଠାରୁ ସଂଶୋଧିତ ପେନସନ ହାର ମୁକ୍ତ ନୁହେଁ। ସାଧାରଣତଃ ପେନ୍‌ସନ ନିର୍ଦ୍ଧାରଣ ବେଳେ ଗୋଟିଏ ସୁବିଧା ଦିଆଯାଇଥାଏ, ଯଦ୍ଦ୍ବାରା ପେନସନଭୋଗୀ ଅବସର ସମୟରେ କର୍ମଚାରୀ ପାଉଥିବା ଦରମାର ୫୦ ପ୍ରତିଶତରୁ କମ୍‌ ହେବ ନାହିଁ। ଏହା ଦ୍ୱାରା ନୂଆ ପେନସନଭୋଗୀଙ୍କଠାରୁ ପୁରୁଣା ପେନସନ ଭୋଗୀଙ୍କ ପେନସନ କମ୍‌ ହେବ ନାହିଁ।
(୪) ଅବସର ପରେ ପେନ୍‌ସନ ଓ ଦରମା ହାର ମଧ୍ୟରେ ସମ୍ପର୍କ ରହେ ନାହିଁ। ଅବସର ପରେ ପେନସନଭୋଗୀ ଓଡ଼ିଶା ସାଧାରଣ ସେବା (ପେନ୍‌ସନ୍‌) ଅଧିନିୟମର ପରିସରଭୁକ୍ତ। ସମସ୍ତ ପେନ୍‌ସନଭୋଗୀ ଗୋଟିଏ ଶ୍ରେଣୀଭୁକ୍ତ। ସବୁ ପେନ୍‌ସନଭୋଗୀଙ୍କର ପେନ୍‌ସନ ହାରରେ ସଂଶୋଧନ ସମାନ ଭାବେ ହୋଇଥାଏ। ପେନ୍‌ସନ ଭୋଗୀମାନଙ୍କ ଭିତରେ କୌଣସି ତାରତମ୍ୟ ରହିବ ନାହିଁ। ଗୋଟିଏ ଶ୍ରେଣୀର ପେନସନଭୋଗୀଙ୍କ କ୍ଷେତ୍ରରେ କୌଣସି ତାରତମ୍ୟ ରହିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି।
(୫) ଓଡ଼ିଶା ସରକାର ପ୍ରାକ୍‌ ୨୦୦୬ ପେନ୍‌ସନଭୋଗୀଙ୍କ ବକେୟା ପାଉଣା ପ୍ରଦାନକୁ ମନା କରିଥିବା ବେଳେ ତା ୧.୧.୨୦୦୬ରିଖଠାରୁ ୩୧.୧୨.୨୦୧୫ ମଧ୍ୟରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ କ୍ଷେତ୍ରରେ ପେନସନ ପାଇଁ ସର୍ବନିମ୍ନ ପେନସନ ଧାର୍ଯ୍ୟ କରିଛନ୍ତି। ଏହା ସର୍ବୋଚ୍ଚ ଅଦାଲତଙ୍କ ରାୟର ବିରୁଦ୍ଧାଚରଣ କରିଛି। ଏହି ଆଦେଶ ଦ୍ୱାରା ସବୁ ପେନ୍‌ସନଭୋଗୀ ହଇରାଣ ହେଉଛନ୍ତି। (୬) ସବୁ ସରକାରୀ କର୍ମଚାରୀଙ୍କର ଧାରଣା ଯେ ପେନ୍‌ସନ ନିର୍ଦ୍ଧାରଣ କରିବାରେ ସରକାର ହେଉଛନ୍ତି ସର୍ବେସର୍ବା ଏବଂ ଏଥିରେ ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ କରିବାର କ୍ଷମତା ନାହିଁ। କିନ୍ତୁ ପେନ୍‌ସନ କ୍ଷେତ୍ରରେ ଯଦି କୌଣସି ପେନ୍‌ସନ ଅନ୍ୟାୟ ଭାବେ ସ୍ଥିରୀକୃତ ହୋଇଥାଏ ସେ କ୍ଷେତ୍ରରେ ଅଦାଲତ ହସ୍ତକ୍ଷେପ କରିପାରିବେ। (୭) ଓଡ଼ିଶା ସାଧାରଣ ସେବା (ପେନ୍‌ସନ) ଅଧିନିୟମ ୧୯୯୨ ଅନୁସାରେ ଅବସର ବେଳେ କର୍ମଚାରୀ ଯେଉଁ ପଦରୁ ଅବସର ନେବେ ସେହି ପଦବୀରେ ପାଉଥିବା ଦରମାର ୫୦ ପ୍ରତିଶତରେ ପେନ୍‌ସନ ସ୍ଥିରୀକୃତ ହେବ। ମୂଳ ପେନସନ, ମୂଳ ପେନ୍‌ସନ ଆକାରରେ ପାଉଥିବା ଟଙ୍କା, ପରବର୍ତ୍ତୀ ସମୟରେ ପେନ୍‌ସନ ସଂଶୋଧନ ସମୟରେ ସଂଶୋଧିତ ହେବ ଏବଂ ତା’ପରେ ସ୍ଥିର ହେଉଥିବା ପେନ୍‌ସନ ହିଁ ବ୍ୟକ୍ତିର ମୂଳ ପେନସନ ହେବ। ଏହା ଉପରେ ମହଙ୍ଗା ଭତ୍ତା (ଟିଆଇ) ହିସାବ କରାଯିବ। କଥାଟିକୁ ଆଉ ଟିକେ ସରଳ ଭାବେ ଉଦାହରଣ ମାଧ୍ୟମରେ ବୁଝାଇଦେଲେ ପ୍ରସଙ୍ଗଟି ବୁଝାପଡ଼ିବ। ଧରନ୍ତୁ ‘କ’ ଏବଂ ‘ଖ’ ଯଥାକ୍ରମେ ଏକ ଶ୍ରେଣୀଭୁକ୍ତ ପଦବୀରେ ରହି ମାସିକ ଯଥାକ୍ରମେ ଷାଠିଏ ହଜାର ଓ ପଚାଶ ହଜାର ଟଙ୍କା ପେନ୍‌ସନ ପାଇବେ ବୋଲି ସ୍ଥିରୀକୃତ ହେଲା। ଏହିପରି ଭାବେ ଉଭୟଙ୍କ ପେନ୍‌ସନରେ ତଫାତ ଦଶ ହଜାର ରହିଲା। ଏପରିକି ପରବର୍ତ୍ତୀ କାଳରେ କ୍ରମାନ୍ବୟରେ ପେନ୍‌ସନ ସଂଶୋଧନ କରାଯାଇଥିଲେ ମଧ୍ୟ ଏହି ପାର୍ଥକ୍ୟ ମୃତ୍ୟୁ ପର୍ଯ୍ୟନ୍ତ ସମାନ ରହିବ। ଏହି ପାର୍ଥକ୍ୟ ଅନୁସାରେ ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ପେନସନ ପାଇବେ।
(୮) ରାଜ୍ୟର ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସଂଶୋଧିତ ହାରରେ ଦରମା ଓ ପେନ୍‌ସନ ତା୧.୧.୨୦୧୬ରିଖରୁ ଲାଗୁ ହେଲା। ଅଦ୍ୟାବଧି ପ୍ରାୟ ୬ ବର୍ଷ ବିତିିଯାଇଥିଲେ ମଧ୍ୟ ଦରମା ସଂଶୋଧନରେ ଥିବା ଅସଂଗତିକୁ ଦୂର କରିବା ପାଇଁ କମିଟି ବସିନାହିଁ। ଏହା ଅର୍ଥବିଭାଗର ମନ୍ଦ ଉଦ୍ଦେଶ୍ୟକୁ ସୂଚିତ କରୁନାହିଁ କି? ପୁନଶ୍ଚ ଏହା ସରକାରଙ୍କର କର୍ମଚାରୀ ଓ ପେନ୍‌ସନ ଭୋଗୀମାନଙ୍କ ପ୍ରତି ଏକଚ୍ଛତ୍ରବାଦ ମନୋଭାବକୁ ସୂଚିତ କରୁନାହିଁ କି? (୯) ସରକାର ଅପାରଗ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ବେଳେ ଦରମା ହାରରେ ଥିବା ଅସଂଗତିକୁ ଦୂର କରିବା ପାଇଁ ଏ ପର୍ଯ୍ୟନ୍ତ କମିଟି ବସି ନ ଥିବା ନେଇ ଅପାରଗ ଓ ଅବହେଳା ପ୍ରଦର୍ଶନକାରୀ କର୍ମଚାରୀଙ୍କ ବିରୋଧରେ ଠୋସ୍‌ ପଦକ୍ଷେପ କାହିଁକି ନିଆ ନ ଯିବ? ଏହା ଦ୍ୱାରା ସରକାର ପ୍ରକାରାନ୍ତରେ ନିନ୍ଦିତ ହେଉଛନ୍ତି। ଅନ୍ୟପକ୍ଷେ ପେନ୍‌ସନ ସମ୍ବନ୍ଧୀୟ ବିବାଦ ଯୋଗୁ ସରକାର ନିଜେ ବିଭିନ୍ନ ମାଲିମକଦ୍ଦମାରେ ଛନ୍ଦି ହେବା ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଓଡ଼ିଶା ସଚିବାଳୟ ନିର୍ଦ୍ଦେଶାବଳୀରେ ପେନସନ ଓ ତଜ୍ଜନିତ ଅସଂଗତିକୁ ଦୂର କରିବା ପାଇଁ ନିର୍ଦ୍ଦେଶାବଳୀ ରହିଛି।
ହଠାତ୍‌ ହାତଘଡ଼ିକୁ ଅନାଇଲା ବେଳକୁ ଦିନ ୧୦ଟା ବାଜିଲାଣି। ବନ୍ଧୁମାନଙ୍କଠାରୁ ବିଦାୟ ନେଲି ଏବଂ ସେମାନଙ୍କୁ କହିଲି ଏସବୁ ବିଷୟରେ ସଚେତନ ହୁଅନ୍ତୁ ଏବଂ ନିଜର ଅଧିକାର ବିଷୟରେ ଅନ୍ୟ ପେନ୍‌ସନଭୋଗୀମାନଙ୍କୁ ଅବଗତ କରାନ୍ତୁ।
ଚୈତନ୍ୟଧାମ, ଶବରସାହି,ଭୁବନେଶ୍ୱର
ମୋ:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଚେଇଁ ଶୋଇଥିବ ଯିଏ

ଡ.ନରହରି ବେହେରା କଥାରେ ଅଛି, ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଏହି ଚେଇଁ ଶୋଇଥିବା ମଣିଷଙ୍କର ଚେତନା ଥାଏ, କିନ୍ତୁ ସଚେତନତା ନ...

ଏଇ ଭାରତରେ

କୃଷକଙ୍କ ବିକାଶ ପାଇଁ ଆଇଆଇଟି ଖଡଗପୁରର ପୁରାତନ ଛାତ୍ରମାନଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେମାନେ ‘ଇକୋଜୋନ ସଲ୍ୟୁଶନ’ ଷ୍ଟାର୍ଟଅପ୍‌ ମାଧ୍ୟମରେ କୃଷକଙ୍କ ପାଇଁ ଏକ ପ୍ରକାର...

ଖାତିର ନାହିଁ

ଆକାର ପଟେଲ ୱାଶିଂଟନ ପୋଷ୍ଟ ସମ୍ପାଦକୀୟ ବୋର୍ଡ ଲେଖିଛି ଯେ,ଭାରତର ଗଣତନ୍ତ୍ର ଦାବି ଉପରେ ପ୍ରଶ୍ନ ଉଠାଇବା ଉଚିତ। ସଂସଦରେ ବିନା ଭୋଟରେ କୃଷି ଆଇନ...

ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି...

କଡ଼ା ପଦକ୍ଷେପ

ରାଜଧାନୀ ଦିଲ୍ଲୀର ୧୦୭ ବର୍ଷ ପୁରୁଣା ଜିମ୍‌ଖାନା କ୍ଲବ୍‌ ଉଚ୍ଚ ଏବଂ କ୍ଷମତାଶାଳୀ ବ୍ୟକ୍ତିଙ୍କ ପସନ୍ଦ ରହିଆସିଛି। ଏମାନଙ୍କ ସହଯୋଗରେ ବି ଏହା ଚାଲୁଛି। କିନ୍ତୁ...

କୃଷି ନୋବେଲ ବିଜେତା

ବିଶ୍ୱରେ ଆଗକୁ କରୋନା ଭାଇରସ୍‌ଜନିତ ମୃତ୍ୟୁ ଅପେକ୍ଷା କ୍ଷୁଧାରେ ଅଧିକ ଲୋକଙ୍କ ପ୍ରାଣହାନି ଘଟିବ ବୋଲି ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ହଜାର ହଜାର...

ବଢ଼ିଚାଲିଛି ସଡ଼କ ଦୁର୍ଘଟଣା

ଶେଖ୍‌ ଫରିଦ୍‌ଉଦ୍ଦିନ୍‌ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। କେନ୍ଦୁଝର, ସମ୍ବଲପୁର, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ପୁରୀ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ପାଲଟିଛି।...

ମାନସିକତାରେ ପରିବର୍ତ୍ତନ ଲୋଡ଼ା

ଡା. ସତ୍ୟକାମ ମହାପାତ୍ର କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବାର କିଛି ମାସ ପରେ ଯେତେବେଳେ ପରିସ୍ଥିତି ଅନେକ ମାତ୍ରାରେ ଭଲ ହୋଇ ଆସୁଥିଲା,...

Advertisement
Archives

Model This Week