‘ଘୋ’ରେ ମାତିଛୁ

ଭାରତରେ ଗତ ୩ ଦିନ ହେବ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଡେରିରେ ଏହି ସଂକ୍ରମଣ ସ୍ତରକୁ ଉପଲବ୍‌ଧି କରିଥିବା କୁହାଯାଉଛି। କାରଣ ୧୭ ଏପ୍ରିଲରେ ହରିଦ୍ୱାରରେ ମହା କୁମ୍ଭମେଳା ବନ୍ଦ କରିବା ଲାଗି ସେ ଅଭଦେଶାନନ୍ଦ ଗିରିଙ୍କୁ ନିବେଦନ କରିବା ପରେ ଏହି ମେଳା ସମାପନ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ୍‌ ପ୍ରଚାର ପୂର୍ବଭଳି ଆଗେଇ ଚାଲିଛି। କୁମ୍ଭମେଳା ଓ ନିର୍ବାଚନ ଶୋଭାଯାତ୍ରାରେ ହାଉଜାଉ ହେଉଥିବା ଲୋକଙ୍କ ଚିତ୍ର ଦେଖିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଭଳି ବିଷୟକୁ କେହି ଖାତିର କରୁନାହାନ୍ତି। ଦେଶର ନେତୃତ୍ୱଙ୍କୁ ଏସବୁ ଛବି ଦେଖାଯାଉଥିଲେ ମଧ୍ୟ ତାହା ଅଣଦେଖା କରାଯାଇଛି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ବାରମ୍ବାର କହୁଥିବା ଦେଖାଯାଇଛି ଯେ, ଏତେ ଲୋକ ଏକସଙ୍ଗେ ସମାଗମ ହେବା ସେ କେବେ ଦେଖି ନ ଥିଲେ। ଏଥିରୁ ବୁଝିହେଉଛି ଯେ, ସେ ପରବର୍ତ୍ତୀ ନିର୍ବାଚନ ସଭାରେ ଆହୁରି ଅଧିକ ଲୋକଙ୍କ ଉପସ୍ଥିତି ହେଉ ବୋଲି ଚିନ୍ତା କରୁଛନ୍ତି। ଲୋକଙ୍କ ସମାଗମରୁ ଏକ ରାଜନୈତିକ ଦଳର ଶକ୍ତି କଳି ହୋଇଥାଏ। ଅନ୍ୟ ଦିଗରେ ଦେଖିଲେ କରୋନା ସେହିଠାରୁ ଶକ୍ତି ପାଇ ବଳୀୟାନ ହୋଇଚାଲିଛି। ଗୋଟିଏ ଜାଗାରେ ଲୋକେ ଏକତ୍ରିତ ହେବା ବା ପାଖାପାଖି ରହିଲେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥାଏ। ଗତବର୍ଷ ଯେତେବେଳେ କରୋନାର ପ୍ରଥମ ଲହର ଦେଖାଦେଇଥିଲା, ପ୍ରଧାନମନ୍ତ୍ରୀ ଏକାଧିକ ବାର ଟେଲିଭିଜନ ମାଧ୍ୟମରେ ଲୋକମାନଙ୍କୁ କୋଭିଡ୍‌ ନିୟମ ମାନିବାକୁ ନିବେଦନ କରିଥିଲେ। ଏବେ ଦ୍ୱିତୀୟ ଓ ଅନେକ ସ୍ଥାନରେ ତୃତୀୟ ଲହର ଦେଖାଦେଇଥିଲେ ମଧ୍ୟ ନିର୍ବାଚନ ପାଇଁ ସବୁକିଛି ଜଳାଞ୍ଜଳି କରିଦିଆଯାଇଛି।
ଏଭଳି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୮ ଏପ୍ରିଲରେ ଟୁଇଟ୍‌ କରିଛନ୍ତି ଯେ, ସେ ନିର୍ବାଚନର ସମସ୍ତ ଶୋଭାଯାତ୍ରାକୁ ବାତିଲ କରିଦେଇଛନ୍ତି। ଏଥିସହିତ ଅନ୍ୟାନ୍ୟ ରାଜନେତାଙ୍କୁ ବଡ଼ବଡ଼ ରାଜନୈତିକ ରାଲିର ପରିଣାମ ବିଷୟରେ ଚିନ୍ତା କରିବାକୁ ଆହ୍ବାନ ଦେଇଛନ୍ତି। ଏଠାରେ କୁହାଯାଇପାରେ ଯେ, କଂଗ୍ରେସର ଉପସ୍ଥିତି କିମ୍ବା ରାହୁଲଙ୍କ ରାଜନୈତିକ ଶକ୍ତି କମ୍‌ ହୋଇଥାଇପାରେ, କିନ୍ତୁ ସେ ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେଉଁ ଆହ୍ବାନ ଦେଇଛନ୍ତି ନିଶ୍ଚିତ ଦୂରଦର୍ଶୀ ଓ ସ୍ବାଗତଯୋଗ୍ୟ। ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ମରଣମୁହଁକୁ ଠେଲିଦେଉଥିବା ରାଜନେତାମାନେ ଦେଶର ଭବିଷ୍ୟତ ବିଷୟରେ କେତେ ସତର୍କ ରହିଛନ୍ତି ବୁଝିହେଉଛି। ରାଷ୍ଟ୍ରର ମଙ୍ଗଳ ବା ବିକାଶ ଲାଗି କେବଳ ଶାସନକର୍ତ୍ତା ବା ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଯେ ନିର୍ଦ୍ଦେଶ ବା ନିବେଦନ ଦେଇଚାଲିବେ ଭାବିବା ଭୁଲ। ଦେଶକୁ ବିପଦରୁ ରକ୍ଷା କରିବା ପାଇଁ ଯେ କେହି ଚିନ୍ତାଶୀଳ ବ୍ୟକ୍ତିଙ୍କ ପରାମର୍ଶ ଯୁକ୍ତିଯୁକ୍ତ ହୋଇଥିଲେ ଗ୍ରହଣଯୋଗ୍ୟ ହେବା କଥା।
ଏଠାରେ ମନେପଡ଼େ ଗତବର୍ଷ ଯେତେବେଳେ ନିଜାମୁଦ୍ଦିନ୍‌ ମର୍କଜରେ ତବଲିଘି ଜମାତର ସମାଗମ ହୋଇଥିଲା, ସେତେବେଳେ ତାହାକୁ ଦେଶବ୍ୟାପୀ ନିନ୍ଦା କରାଯାଇଥିଲା। ଏଥିପାଇଁ ଅନେକ ତବଲିଘିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଥିଲା। ବିଦେଶରୁ ଆସିଥିବା ମୁସଲମାନ ନେତାମାନଙ୍କୁ ଗିରଫ କରାଯାଇଥିଲା। ତତ୍‌ସହିତ ମୁସଲମାନ ସମ୍ପ୍ରଦାୟ ପାଇଁ ଘୃଣା, ଦ୍ୱେଷ ସୃଷ୍ଟି କରିବାର ସୁଯୋଗକୁ ଭାଜପାର ସମର୍ଥକମାନେ ହାତଛଡ଼ା କରି ନ ଥିଲେ। ଏହି ଦ୍ୱିତୀୟ ଅଧିକ ମାରାତ୍ମକ କରୋନା ଲହର ବ୍ୟାପୁଥିବା ବେଳେ ସବୁ ପ୍ରାନ୍ତରୁ ଯାଇଥିବା ହିନ୍ଦୁମାନେ ଏବେ ହରିଦ୍ୱାର ମହା କୁମ୍ଭମେଳାରେ ଯୋଗଦେଇ ସେହି ତବଲିଘି ମୁସଲମାନଙ୍କ ଭଳି ବ୍ୟବହାର ଦେଖାଇଛନ୍ତି। ଅର୍ଥାତ୍‌ ଯଦି ମୁସଲମାନଙ୍କୁ ଜଘନ୍ୟ ବୋଲି କହୁଛେ, ଆମେ ହିନ୍ଦୁମାନେ ମଧ୍ୟ ଅନୁରୂପ ଭାବେ ଜଘନ୍ୟ। କୁମ୍ଭମେଳାରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲେ ମଧ୍ୟ ଉତ୍ତରାଖଣ୍ଡ ସରକାର ତାହାକୁ ରୋକିବାକୁ ଚେଷ୍ଟା କରି ନ ଥିଲେ। ବରଂ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ ଅବାନ୍ତର ଯୁକ୍ତି କରିଛନ୍ତି ଯେ, ତବଲିଘିମାନେ ରୁଦ୍ଧଦ୍ୱାରରେ ରୁଣ୍ଡିଭୂତ ହୋଇଥିଲେ, ଯାହା ଅସୁରକ୍ଷିତ ଥିଲା। କୁମ୍ଭମେଳା ଘର ବାହାରେ ହୋଇଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷିତ। ଏଭଳି ଯୁକ୍ତି ଦର୍ଶାଉଥିବା ବ୍ୟକ୍ତିଙ୍କୁ ଭୂତାଣୁ ବିଶେଷଜ୍ଞମାନେ ବୁଝାଇ ଥକିପଡ଼ିଲେ ମଧ୍ୟ କୌଣସି ପରିବର୍ତ୍ତନ ଆସିପାରିବ ନାହିଁ। କାରଣ ଧର୍ମ ନାମରେ ଅନେକେ ଅନ୍ଧ ହୋଇଯାଉଛନ୍ତି। ସେହିପରି ସହରବଜାରରେ ମାସ୍କ ନ ପିନ୍ଧିଲେ ଜରିମାନା ଲାଗି ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ସେହି ନିୟମାବଳୀ କୁମ୍ଭମେଳା କିମ୍ବା ନିର୍ବାଚନ ପ୍ରଚାର ବେଳେ ଅନୁପାଳନ ନ ହେବା ଶାସନବ୍ୟବସ୍ଥାର ଦାୟିତ୍ୱହୀନତାକୁ ସୂଚାଉଛି। ଜନସାଧାରଣ ମଧ୍ୟ ପାଗଳ ଭଳି ନେତା ଓ ସାଧୁଙ୍କୁ ଅନୁସରଣ କରିଚାଲିଛନ୍ତି। କେହି ବୁଝୁନାହାନ୍ତି ଯେ, ସାମୟିକ ଭାବପ୍ରବଣତା ସେମାନଙ୍କ ଜୀବନରେ କେତେ କ୍ଷତି ଆଣିଦେଉଛି। କେବଳ ସେମାନଙ୍କର ନୁହେଁ, ପ୍ରତ୍ୟେକ ନାଗରିକର ଦାୟିତ୍ୱହୀନତା ସମଗ୍ର ଦେଶକୁ କ୍ଷତି ପହଞ୍ଚାଇଲାଣି। ଗୋଟେ ‘ଘୋ’ରେ ମାତିଲେ ବିପଦ ସୁନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri