ଜଗୁଛି ପେଗାସସ୍‌

ଇସ୍ରାଏଲର ସାଇବର ସୁରକ୍ଷା ଘରୋଇ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରର ପୁନର୍ବାର ଭୂମିକା ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ରାଜନେତା, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାମ୍ବାଦିକଙ୍କଠାରୁ ଆରମ୍ଭକରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁପ୍ତଚରୀ ନଜର ରଖି ପେଗାସସ୍‌ ସ୍ପାଏଓ୍ବେର ଅନେକ ତଥ୍ୟ ହାସଲ କରିଛି ବୋଲି ଫ୍ରାନ୍ସଭିତ୍ତିକ ଅଣଲାଭଦାୟକ ଗଣମାଧ୍ୟମ ସଂସ୍ଥା ଫରବିଡେନ୍‌ ଷ୍ଟୋରିଜ୍‌ ଏବଂ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ରିପୋର୍ଟ ପ୍ରକାଶ କରିଛି। ଭାରତରେ ‘ଦି ଓ୍ବେର’ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ଖବର ପ୍ରକାଶ ପାଇଛି ଯେ, ଏଠାକାର କେନ୍ଦ୍ର ସରକାରରେ ଥିବା ଦୁଇ କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳର ୩ ନେତା, ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ, ବୈଜ୍ଞାନିକ, ସରକାରୀ ଅଧିକାରୀ ଏବଂ ୪୦ ଜଣ ସାମ୍ବାଦିକଙ୍କୁ ମିଶାଇ ପ୍ରାୟ ୩୦୦ ଭାରତୀୟଙ୍କୁ ପେଗାସସ୍‌ ଟାର୍ଗେଟ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେରକୁ କେବଳ ମାନ୍ୟତାପ୍ରାପ୍ତ ସରକାରୀ ସଂସ୍ଥାଗୁଡ଼ିକୁ ବିକ୍ରି କରାଯାଇଥାଏ। ଏହି କମ୍ପାନୀ କହିଛି, ବିଭିନ୍ନ ଦେଶର ସରକାର ଆତଙ୍କବାଦ ଓ ଅପରାଧ ବିରୋଧୀ ଲଢ଼େଇ ଏବଂ ସୁରକ୍ଷା ଦୃଷ୍ଟିରୁ ବ୍ୟବହାର କରିବା ଉଦ୍ଦେଶ୍ୟ ରଖି ଏହାକୁ କିଣିଥାଆନ୍ତି। ଇସ୍ରାଏଲ ପ୍ରଯୁକ୍ତି ଦ୍ୱାରା ବିକଶିତ ଏହି ଗୁପ୍ତଚରୀ ପ୍ରୋଗ୍ରାମ ଅତି ତୀକ୍ଷ୍ମଣ ଭାବେ ଜଣଙ୍କ ସ୍ମାର୍ଟଫୋନ୍‌ ଉପରେ ନଜର ରଖେ। ଏହା ଦ୍ୱାରା ବାର୍ତ୍ତାଳାପ ରେକର୍ଡ କରିବା ସମେତ ସବୁ ବାର୍ତ୍ତା, ଏପରି କି ଫୋନ୍‌ରେ ଥିବା କ୍ୟାମେରା ଦ୍ୱାରା ସେହି ବ୍ୟକ୍ତିଙ୍କ ଅଜାଣତରେ ତାଙ୍କର ଭିଡିଓ ଉଠାଇ ସରକାରଙ୍କ ନିକଟକୁ ପଠେଇ ଦିଆଯାଉଛି। ଏବେ ଯାଏ ଯାହା ଜଣାପଡ଼ିଛି, ଲୁକ୍କାୟିତ ଭାବେ କୌଣସି ବ୍ୟକ୍ତିଙ୍କ ଫୋନ୍‌ରେ ପ୍ରବେଶ କରିବା ପାଇଁ ପେଗାସସ୍‌ ସ୍ପାଏଓ୍ବେରକୁ ଆବଶ୍ୟକ ହୋଇଥାଏ ହ୍ବାଟ୍ସଆପ୍‌ ସହାୟତା। ସାମାନ୍ୟ ହ୍ବାଟ୍ସଆପ୍‌ ମିସ୍‌ଡକଲ୍‌ ଜରିଆରେ ଜଣଙ୍କ ଫୋନ୍‌ରେ ଏହା ଇନ୍‌ଷ୍ଟଲ ହୋଇପାରିବ। ଅର୍ଥାତ୍‌ ଥରେ ଏହା କୌଣସି ଫୋନ୍‌ରେ ଇନ୍‌ଷ୍ଟଲ ହୋଇଗଲେ ଜଣଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ ସହଜ ହୋଇଥାଏ। ତେବେ ଘଟଣା ପ୍ରଘଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଗଣତନ୍ତ୍ରକୁ ବଦ୍‌ନାମ କରାଯିବା ଲାଗି ଏଭଳି ଉଦ୍ୟମ କରାଯାଇଛି।
ଭାରତରେ ଯେଉଁମାନଙ୍କ ଉପରେ ନଜର ରଖାଯାଇ ଏହାକୁ ବ୍ୟବହାର କରାଯାଇଛି ବୋଲି ତଥ୍ୟ ପ୍ରଘଟ ପାଇଛି ତାହାର ମୂଳକୁ ଯାଇ ଦେଖିଲେ ବୁଝାପଡ଼ୁଛି ଯେ, ଏଭଳି ଗୁପ୍ତଚରୀ କାର୍ଯ୍ୟ ପଛରେ କେନ୍ଦ୍ର ସରକାରଙ୍କ ସକ୍ରିୟ ହାତ ରହିଛି। କାରଣ ସାମ୍ବାଦିକା ରୋହିଣୀ ସିଂ ଓ ସୁଶାନ୍ତ ସିଂଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକିଂ କରାଯିବା ହେଉଛି ଏହାର ପ୍ରକୃଷ୍ଟ ଉଦାହରଣ। ରୋହିଣୀ ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପୁତ୍ର ଜୟ ଶାହାଙ୍କ ବ୍ୟବସାୟିକ କାରବାର ସମ୍ପର୍କରେ ରିପୋର୍ଟ ଲେଖିଥିଲେ। ଅନୁରୂପ ଭାବେ ସୁଶାନ୍ତ ସିଂ ରାଫାଲ ଦୁର୍ନୀତି ଉପରେ ଲେଖିଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା ଆଲୋଚନା ହେଉଛି। ଏହି ଦୁଇ ବ୍ୟକ୍ତିଙ୍କ ବ୍ୟତୀତ ହିନ୍ଦୁସ୍ତାନ ଟାଇମ୍ସ, ଦି ହିନ୍ଦୁ, ଇଣ୍ଡିଆନ୍‌ ଏକ୍ସପ୍ରେସ, ଦି ଓ୍ବେର ସମେତ ଅନ୍ୟ କେତେକ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ନାମ ରହିଛି। ଏଥିସହିତ ରାଜନେତା ଯଥା ନୂତନ ଭାବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କ ଫୋନ୍‌ ହ୍ୟାକ୍‌ କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଲାଣି।
ଗତ କିଛି ବର୍ଷ ହେବ ଦେଖିବାକୁ ମିଳୁଛି ଯେ, କେନ୍ଦ୍ର ସରକାର ଓ ଏହାର ଶୀର୍ଷ ବ୍ୟକ୍ତିଙ୍କ ଭୁଲ କାର୍ଯ୍ୟକୁ ସର୍ବସମ୍ମୁଖରେ ଦର୍ଶାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ବିଭିନ୍ନ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୂଚନା ଓ ପ୍ରଯୁକ୍ତିର ବହୁଳ ବ୍ୟବହାର ହେଉଥିବାରୁ ପେଗାସସ୍‌ ସ୍ପାଏଓ୍ବେର ଭଳି ପ୍ରୋଗ୍ରାମକୁ ଉପଯୋଗ କରାଯାଇ ବିରୋଧୀଙ୍କ ରଣକୌଶଳ ବିଷୟରେ ଜାଣିବା ଦିଗରେ ସରକାର ଏହି ବାଟ ଆପଣାଇଛନ୍ତି। ହେଲେ ଏବେ ନୂତନ ଭାବେ ଦାୟିତ୍ୱ ନେଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବ। ଅବଶ୍ୟ ଓଡ଼ିଶାବାସୀଙ୍କ ପାଇଁ ଏହା ଆଶ୍ଚର୍ଯ୍ୟର ବିଷୟ ହୋଇ ନ ଥାଇପାରେ। ଏହି ରାଜ୍ୟରେ ସମସ୍ତେ ଜାଣିଛନ୍ତି ଯେ, ଅଶ୍ୱିନୀଙ୍କ ଅତି ଘନିଷ୍ଠ ସମ୍ପର୍କ ରହିଛି ଖଣି ବ୍ୟବସାୟୀଙ୍କ ସହିତ। ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଅଳ୍ପ ଦିନ ପୂର୍ବରୁ ଅଶ୍ୱିନୀ ଥିଲେ ବ୍ରାହ୍ମଣୀ ରିଭର ପେଲେଟାଇଜେଶନ୍‌ ଲିମିଟେଡ୍‌ (ବିଆର୍‌ପିଏଲ୍‌) କମ୍ପାନୀର ମୁଖ୍ୟ। ଏହି କମ୍ପାନୀରେ ଖଣି ଉତ୍ତୋଳନକାରୀ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ବିରାଟକାୟ ଧନ ଲାଗିଛି। ଏଥିସହିତ କୁହାଯାଇଛି ଯେ, କେନ୍ଦ୍ରର ଅନ୍ୟ ଜଣେ ଅତି ଶକ୍ତିଶାଳୀ ମନ୍ତ୍ରୀଙ୍କ ପୁତ୍ର ମଧ୍ୟ ଏହିଭଳି ବ୍ୟବସାୟରେ ସମ୍ପୃକ୍ତ।
ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ପେଗାସସ୍‌ର ବ୍ୟବହାର ଦେଶର ସୁରକ୍ଷା କିମ୍ବା ଆପରାଧିକ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଉଦ୍ଦେଶ୍ୟରେ କରାଯାଉ ନାହିଁ। ସରକାରୀ ଖର୍ଚ୍ଚରେ କିଣାଯାଇଥିବା ଏହି ସ୍ପାଏଓ୍ବେର ଆଜିର କ୍ଷମତାସୀନ ବ୍ୟକ୍ତିଙ୍କ ସୁବିଧା ସକାଶେ ବ୍ୟବହୃତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri