ୟୁକ୍ରେନ୍‌ରେ ଯୁଦ୍ଧ

ୟୁକ୍ରେନ୍‌ ଉପରେ ରୁଷିଆ ଖୁବ୍‌ଶୀଘ୍ର ଆକ୍ରମଣ କରିପାରେ ବୋଲି ଦୀର୍ଘ ସମୟ ଧରି ଆଲୋଚନା ଚାଲିଲାଣି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ଫେବୃୟାରୀ ୧୨ରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏଭଳି ଆଶଙ୍କା ବଢ଼ିଯାଇଛି। ଯଦି ଉଭୟ ପକ୍ଷର ଉତ୍ତେଜନା ଯୁଦ୍ଧ ଘଟାଏ, ତେବେ ବିଶ୍ୱଶାନ୍ତି ପ୍ରତି ବିପଦ ସୃଷ୍ଟି ହୋଇପାରେ। ଗୋଟିଏ ପଟେ ରୁଷିଆକୁ ଚାଇନା ଓ ଉତ୍ତର କୋରିଆ ସମର୍ଥନ କରୁଥିବାରୁ ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି। କାରଣ ଏହି ତିନୋଟି ଦେଶର ଚରିତ୍ର ଏକଚ୍ଛତ୍ରବାଦର ସଙ୍କେତ ବହନ କରୁଛି। ଅନ୍ୟପଟେ ଆମେରିକା ଓ ନାଟୋ ଗୋଷ୍ଠୀ ୟୁକ୍ରେନ୍‌କୁ ସମର୍ଥନ କରୁଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ କଠୋର ନିଷ୍ପତ୍ତି ନେବା ଭଳି ସ୍ଥିତିରେ କେହି ଥିବାପରି ମନେହେଉ ନାହିଁ। ଆଫଗାନିସ୍ତାନରୁ ତରବରିଆ ଭାବେ ସେନା ପ୍ରତ୍ୟାହାର କରିବା ଓ ବୈଦେଶିକ ନୀତି ସ୍ପଷ୍ଟ କରିବାରେ ବାଇଡେନ୍‌ ସମର୍ଥ ହେଉ ନ ଥିବାରୁ ତାଙ୍କ ପ୍ରତି ଆମେରିକାରେ ଅସନ୍ତୋଷ ଲାଗିରହିଛି। ସେହି ଦୃଷ୍ଟିରୁ ବାଇଡେନ୍‌ ଭାବୁଥାଇପାରନ୍ତି, ଅନ୍ୟ ରାଷ୍ଟ୍ରର କନ୍ଦଳ ଭିତରେ ପ୍ରତ୍ୟକ୍ଷ ସମ୍ପୃକ୍ତ ନ ରହି କୂଟନୈତିକ ଗୋଟିଚାଳନା କରିବା ଠିକ୍‌ ହେଇପାରେ। ସମ୍ଭବତଃ ନାଟୋ ମୁଣ୍ଡରେ ବନ୍ଧୁକ ରଖି ଆମେରିକା ସେହି ୟୁରୋପୀୟ ଗୋଷ୍ଠୀଗୁଡ଼ିକର ଶକ୍ତି ଆକଳନ କରିବାକୁ ଚାହୁଁଛି। ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ କହୁଛନ୍ତି, ବାଇଡେନ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ଫେବୃୟାରୀ ୧୪ରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆମେରିକା ଧୈର୍ଯ୍ୟ ହରାଇ ଫେବୃୟାରୀ ୧୨ରେ ରୁଷିଆ ସହ କଥାବାର୍ତ୍ତା କରିବା ଲାଗି ଅନୁରୋଧ କରିଥିଲା। ଏଥିସହିତ ଆଉ ଏକ ବିଷୟ ଯାହା ଆଲୋଚନା ହେଉଛି ଯେ ବାଇଡେନ୍‌ ଅନ୍ୟ କୌଣସି ଦେଶ ସକାଶେ ଯୁଦ୍ଧ ଲଢ଼ିବାକୁ ଏଇଥିପାଇଁ ଚାହୁଁ ନ ଥାଇପାରନ୍ତି, କାରଣ ତାଙ୍କ ଭୋଟଦାତାମାନେ ସବୁ ଯୁଦ୍ଧରେ ଆମେରିକାର ସମ୍ପୃକ୍ତିକୁ ନାପସନ୍ଦ କରୁଛନ୍ତି। ସମୟ ଥିଲା ଯେତେବେଳେ ଆମେରିକାର ପତିଆରା ସମଗ୍ର ପୃଥିବୀରେ ଅନୁଭୂତ ହେଉଥିଲା। ବିଶେଷକରି ସୋଭିଏଟ୍‌ ୟୁନିୟନର ପତନ ପରେ ଏହି ସ୍ପଷ୍ଟ ସ୍ଥିତି ଉପୁଜିଥିଲା। ପରବର୍ତ୍ତୀ ସମୟରେ ଚାଇନାର ଅର୍ଥନୈତିକ ଶକ୍ତି ବୃଦ୍ଧି ସହ ରୁଷିଆରେ ପୁଟିନ୍‌ଙ୍କର ଏକଚ୍ଛତ୍ରବାଦୀ ଶାସନ ଆମେରିକାର ବୈଦେଶିକ ନୀତିକୁ ଦୁର୍ବଳ କରିବାରେ ଲାଗିଲା। ବାଇଡେନ୍‌ଙ୍କ ହ୍ବାଇଟ ହାଉସ୍‌ରେ ପ୍ରବେଶ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର, ଯାହା ଆମେରିକାକୁ ଏକ ଦୁର୍ବଳ ଦେଶ ଭାବେ ବିଶ୍ୱବ୍ୟାପୀ ଚିତ୍ରଣ କଲା। ଫଳସ୍ବରୂପ ଫେବୃୟାରୀ ୧୨ର ବାଇଡେନ୍‌-ପୁଟିନ୍‌ ଟେଲିଫୋନ୍‌ ଆଲୋଚନା ପରେ ଆମେରିକାର ଦୃଢ଼ୋକ୍ତିକୁ ବିଶ୍ୱାସ କରିହେଉ ନାହିଁ। ଆଲୋଚନାରେ ବାଇଡେନ୍‌ ସ୍ପଷ୍ଟ କରି ପୁଟିନ୍‌ଙ୍କୁ କହିଲେ ଯେ, ୟୁକ୍ରେନ୍‌କୁ ଆକ୍ରମଣ କଲେ ତାହାର ପରିଣତି ଭୟାବହ ହେବ। ଏଥିସହିତ ରୁଷିଆର ରାଷ୍ଟ୍ରପତିଙ୍କ ସହଯୋଗୀ ୟୁରି ଉଶାକୋଭ୍‌ଙ୍କ କହିବା ଅନୁଯାୟୀ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସନ୍ତୁଳିତ ଓ ପ୍ରସଙ୍ଗ ଆଧାରିତ ଥିଲା। ମାତ୍ର ରୁଷିଆର ମୁଖ୍ୟ ନିରାପତ୍ତା ବିଷୟଗୁଡ଼ିକ ଆଲୋଚନାକୁ ଆସି ନ ଥିଲା। ଫଳରେ ଉଶାକୋଭ କହିଛନ୍ତି, ଏକଘଣ୍ଟା ଧରି ହୋଇଥିବା କଥାବାର୍ତ୍ତା ଏକ ଭୟପୂର୍ଣ୍ଣ ବାତାବରଣରେ ରହିଗଲା। ଏଥିରୁ ବୁଝାଯାଇପାରେ ଯେ, ପୁଟିନ୍‌ଙ୍କ ଅପେକ୍ଷା ବାଇଡେନ୍‌ଙ୍କ ଅଧିକ ଭୟ ପ୍ରକାଶ ପାଇଛି। କେବଳ ଅନ୍ତର୍ଜାତୀୟ ସମୁଦାୟକୁ ଦେଖାଇବାକୁ ଯାଇ ବାଇଡେନ୍‌ ଧମକପୂର୍ଣ୍ଣ ଚେତାବନୀ ଦେବାକୁ ଚେଷ୍ଟା କରିଛନ୍ତି।
ଏଠାରେ ମନେପକାଇ ଦିଆଯାଇପାରେ ଯେ, କିଛିବର୍ଷ ପୂର୍ବରୁ ଗଠିତ କ୍ୱାଡ୍‌ରେ ଆମେରିକା ସହ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମିଶିକରି ଏକ ଗୋଷ୍ଠୀ ସୃଷ୍ଟି କରିଥିଲେ। ଏହାର ମୂଳଲକ୍ଷ୍ୟ ଭାବେ ସାମୁଦ୍ରିକ ସୁରକ୍ଷା ଓ ସହଯୋଗ ସହିତ ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ବିତ କରିବା। ଫେବୃୟାରୀ ୧୧ରେ ଏହିସବୁ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ଏକ ବୈଠକ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ଅନୁଷ୍ଠିତ ହୋଇଯାଇଛି। ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏଭଳି ବୈଠକ ଆୟୋଜିତ ହେଉଥିବା ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ମୁଖ୍ୟତଃ ଟିକାକରଣ, ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ପର୍ଯ୍ୟବସିତ ଥିଲା। ସମ୍ଭବତଃ କ୍ୱାଡ୍‌ ଗୋଷ୍ଠୀ ଧରିନେଲେଣି ଯେ, ଯୁଦ୍ଧ କିମ୍ବା ଅଶାନ୍ତି ଏସିଆର ଏହି ଅଞ୍ଚଳ ସକାଶେ ଶୁଭଙ୍କର ହେବ ନାହିଁ। ଏଥିରୁ ବୁଝିବାକୁ ହେବ, ଗୋଟିଏ ପଟେ ଏକଚ୍ଛତ୍ରବାଦୀ ଶାସକମାନେ ଯୁଦ୍ଧମୁହଁା ହେଉଥିବା ବେଳେ ଗଣତାନ୍ତ୍ରିକ ଦେଶର ନେତୃତ୍ୱ ଯୁଦ୍ଧ ପ୍ରତି ବିମୁଖ ହେଲେଣି। ଏହି ଦୁଇ ବିପରୀତଧର୍ମୀ ଚିନ୍ତାଧାରା ସମଗ୍ର ମାନବଜାତିର ଭବିଷ୍ୟତକୁ କିଭଳି ପ୍ରଭାବିତ କରିପାରେ, ତାହା ଆସନ୍ତା ଦିନଗୁଡ଼ିକରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri