ଭୋଟ ବର୍ଜନ ଏକ ଭ୍ରାନ୍ତି

ସହଦେବ ସାହୁ

ପରିହାର କି ପରିତ୍ୟାଗ କହିଲେ ବଡ଼ ନରମ ଲାଗେ, ମାନେ କାହାକୁ ନ ଜଣାଇ ତ୍ୟାଗ କରିବା। ଗୋଟିଏ ଇଚ୍ଛା ପ୍ରକାଶ ବା ଉଦ୍ଦେଶ୍ୟ ସାଧନ ଅର୍ଥରେ ବା ଚାପ ପକାଇବା ପାଇଁ ତ୍ୟାଗ କରିବା ହେଉଛି ବର୍ଜନ। ବର୍ଜନ ପଛରେ ଡେଙ୍ଗୁରା ପିଟିବା ଥାଏ। ସେହି ଅର୍ଥରେ କେତେକ ସ୍ଥାନରେ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହୁଛନ୍ତି, ଅର୍ଥାତ୍‌ ଭୋଟଗ୍ରହଣ କେନ୍ଦ୍ରକୁ ଯିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏଥିରେ ଉଦ୍ଦେଶ୍ୟ ସାଧିତ ହେବ ଟି? ଅତୀତରେ ନିର୍ବାଚିତ ପ୍ରତିନିଧିଟି ଆମ କାମ (ଗାଁର ବିକାଶ ଓ ଆମର ବିକାଶ) କରିନାହିଁ ବୋଲି ଆମେ ଭୋଟ ଦେବାକୁ ଯିବା ନାହିଁ ତ, ତାକୁ ଆମେ ପାନେ ଦେଇପାରିବା କି? ଏହାର ଉତ୍ତର ନା ବୋଲି ଆମ ନିର୍ବାଚନ ପଦ୍ଧତି କହୁଛି। ଯେତେ ପ୍ରାର୍ଥୀ ନିର୍ବାଚନର ରଣାଙ୍ଗନରେ ଛିଡ଼ା ହୋଇଥିବେ ସେମାନଙ୍କ ଭିତରୁ ଯିଏ ସର୍ବାଧିକ ଭୋଟ ପାଇଥିବ ସେ ବିଜୟୀ ହେବ, ଅର୍ଥାତ୍‌ ତୁମର ପ୍ରତିନିଧି ହେବ, ତାକୁ ତୁମେ ଭୋଟ ନ ଦେଇଥିଲେ ବି। ଲୋକେ ସିନା ଭୋଟ ବର୍ଜନ କରିବେ, ପ୍ରାର୍ଥୀ ହୋଇଛି ମାନେ ସେ ନିଜେ ଦେବ ଓ ନିଜକୁ ଦେବ; ତା’ର ନିଜ ଲୋକେ, ତା’ ପରିବାରର ଲୋକେ ଭୋଟ ଦେବେ। ସିଏ ଦୁଇ ତିନିଟା ଭୋଟରେ ଜିତିଯିବ, ତେଣୁ ପ୍ରତିନିଧି ହୋଇଯିବ, ଯେଉଁମାନେ ବର୍ଜନ କରିଛନ୍ତି ସେମାନଙ୍କର ବି ପ୍ରତିନିଧି। ବର୍ଜନ ମାନେ ‘ମୌନଂ ସମ୍ମତି ଲକ୍ଷଣମ୍‌’ା ପ୍ରତିନିଧିତ୍ୱ କଲାବେଳେ ସେ ବର୍ଜନକାରୀଙ୍କୁ ‘ଦେଖିନେବ’। ଯେସାକୁ ତେସା। ସେ ବି ବର୍ଜନକାରୀ ଲୋକଙ୍କ ପାଇଁ କିଛି କାମ କରିବ ନାହିଁ, କାହିଁକି କରୁନାହିଁ ବୋଲି ପଚାରିଲେ ସେ ଓଲଟା ପଚାରିବ ‘ତୁମେ ମୋତେ ଭୋଟ ଦେଇଥିଲ କି?’ ତେଣୁ ଭୋଟ ବର୍ଜନ ବର୍ଜନକାରୀର ବିରୋଧରେ ଯିବ, ତା’ ମୁହଁ ବନ୍ଦ ହୋଇଯିବ। ଚାପ ପକାଇବା ଉଦ୍ଦେଶ୍ୟ ଥିଲେ ବି ଫସର ଫାଟିବ, ଭୋଟ ବର୍ଜନବାଲା ନିଜେ ଚାପଗ୍ରସ୍ତ ହୋଇଯିବ। ତେଣୁ ଭୋଟ ବର୍ଜନ କରିବା ମାନେ ଜଣେ ସ୍ବେଚ୍ଛାତନ୍ତ୍ରୀ ଲୋକକୁ ଜିତାଇବା, ସେ ତ ଚାହିଁବ ସବୁବେଳେ ତା’ ନିର୍ବାଚନମଣ୍ଡଳୀରେ ତା’ର ସମର୍ଥନକାରୀ ଲୋକେ ଭୋଟ ଦେବାକୁ ଆସନ୍ତୁ, ଅନ୍ୟମାନେ ଭୋଟ ଦେବାକୁ ନ ଆସନ୍ତୁ। ତା’ ହେଲେ ତା’ର ମୁଷ୍ଟିମେୟ ସମର୍ଥକଙ୍କୁ ଧରି ସେ ଜିତିଯିବ।
ଭୋଟ ବର୍ଜନ କରିବା ଅର୍ଥ ସରକାରକୁ ଚଳାଇବା ପାଇଁ ଆମ ତରଫରୁ କୌଣସି ବ୍ୟକ୍ତିକୁ ପ୍ରତିନିଧି ହିସାବରେ ନ ପଠାଇବା, ଆମ କଥାକୁ କେହି ସରକାରରେ ନ ଉଠାଇବା। ୫ ବର୍ଷରେ ଥରେ ନିର୍ବାଚନ କରାଯିବା ମାନେ ଭୋଟରମାନେ ଠିକ୍‌ କରିବେ ନୂଆ ପ୍ରତିନିଧି ପଠାଇବେ କି ପୁରୁଣା ପ୍ରତିନିଧି ଆଉଥରେ ପ୍ରତିନିଧିତ୍ୱ କରିବେ। ନିର୍ବାଚନ ନ ହେଲେ ପୁରୁଣା ଲୋକ ଅପ୍ରିୟ ହେଲେ ବି ଲୋକଙ୍କ ପ୍ରତିନିଧି ବୋଲାଉଥିବେ, ଗାଦିରେ ରହିଥିବେ। ଭୋଟ ଦେବା ଏକ ରାଜନୈତିକ ଅଧିକାର। ଏ ଅଧିକାର ଆମ ପୂର୍ବଜମାନେ ଆନ୍ଦୋଳନ ଜରିଆରେ ଓ ଲଢ଼େଇ କରି ପାଇଛନ୍ତି। ତାହା ହିଁ ଆମ ଶାସନ ବ୍ୟବସ୍ଥାକୁ ଗଣତନ୍ତ୍ର, ଗଣ ବା ଲୋକଙ୍କ ଶାସନ କରାଇଛି। ଆଗରୁ ରାଜାମାନେ ଶାସନ କରୁଥିଲେ, ରାଜାର ପୁଅ ହିଁ ରାଜା ହେଉଥିଲା, ସେ ତା’ ପରିବାରର କଥା ଚିନ୍ତା କରୁଥିଲା, ଲୋକେ ତାଙ୍କର ପ୍ରଜା ଥିଲେ, ରଇତ ଥିଲେ, ରାଜା ପ୍ରଜାମାନଙ୍କୁ ପୋଷା ପ୍ରାଣୀ ଭଳି ପାଳୁଥିଲେ। କିନ୍ତୁ ଗଣତନ୍ତ୍ରରେ ଲୋକେ ନିଜର ଭାଗ୍ୟ ନିର୍ଣ୍ଣୟ କରନ୍ତି। ପ୍ରତ୍ୟେକ ବ୍ୟକ୍ତି ଦେଶର ସମ୍ବଳ, ସମ୍ବଳର ବିକାଶ ନ ହେଲେ ଦେଶର ବିକାଶ ହେବ ନାହିଁ। ରାଜତନ୍ତ୍ରରେ ରାଜା ଅପରିବର୍ତ୍ତନୀୟ ଥିବାରୁ ସେ ତା’ ପରିବାରର ଉନ୍ନତି ଚାହେଁ, କିନ୍ତୁ ଗଣତନ୍ତ୍ରରେ ଗଣର ବା ଲୋକଙ୍କ ଶାସନ ଚାଲୁଥିବାରୁ ଲୋକଙ୍କ ବିକାଶ ପ୍ରତି ଯତ୍ନ ନିଆଯାଏ। ସବୁ ଲୋକ ତ ରୁଣ୍ଡହୋଇ ବସିବା ସମ୍ଭବ ନୁହେଁ, ତେଣୁ ସେମାନେ ପ୍ରତିନିଧି ପଠାଇ ସରକାରକୁ ଚଳାନ୍ତି। ମଝିରେ ମଝିରେ ପ୍ରତିନିଧିକୁ ନ ବଦଳାଇଲେ ବା ସେ ଲୋକଙ୍କର ସମ୍ମତି ନ ନେଲେ ପ୍ରତିନିଧିଜଣକ ସ୍ବେଚ୍ଛାଚାରୀ ହୋଇପାରେ ବା ହୋଇଥାଏ; ଖଳଲୋକ ଥରେ ନିର୍ବାଚିତ ହୋଇଗଲେ ଗାଦିକୁ ମାଡ଼ିଧରେ। ନିଜ ସମର୍ଥକମାନଙ୍କ ଭୋଟରେ ନିର୍ବାଚିତ ହୋଇ ସେମାନଙ୍କ ପରିବାରର ଉନ୍ନତି କରିବାରେ ଲାଗିପଡ଼ିବେ, ସାଧାରଣ ଲୋକଙ୍କ କଥା ହେଜିବେ ନାହିଁ। ତେଣୁ ଆମର ରାଜନୈତିକ ଅଧିକାର ହେଉଛି ଭୋଟ ଦେଇ ପ୍ରତିନିଧି ବାଛିବା, ଅର୍ଥାତ୍‌ ଆମକୁ ଶାସନ କରିବେ ଆମର ପ୍ରତିନିଧିମାନେ।
ମନେ ରଖିବା କଥା ଯେ, ପ୍ରତିନିଧିମୂଳକ ଗଣତନ୍ତ୍ରର ଆଧାର ଭୋଟିଂ ବ୍ୟବସ୍ଥା ହେଲେ ହେଁ ଭୋଟ ଦେବା ପାଇଁ ଲୋକ ବାଧ୍ୟ ନୁହେଁ; ପୃଥିବୀର କୌଣସି ଗଣତନ୍ତ୍ରରେ ଭୋଟିଂକୁ ବାଧ୍ୟତାମୂଳକ କରାଯାଇନାହିଁ। ଏପରିକି ଯୁକ୍ତରାଷ୍ଟ୍ର ଆମେରିକାରେ ବି। ଯେଉଁଟା ବାଧ୍ୟତାମୂଳକ ନୁହେଁ, ନ ଦେଲେ ଦଣ୍ଡନୀୟ ହେବ କି ସରକାର ଅଚଳ ହୋଇଯିବ ବୋଲି ଆଇନ ନାହିଁ। ତେଣୁ ଭୋଟ ନ ଦେଲେ ଭୋଟିଂ ଅଧିକାର ଚାଲିଯାଏ ନାହିଁ। ସାମୂହିକ ଭାବେ ଭୋଟ ନ ଦେବା ଘୋଷଣା କରିବା ହିଁ ଭୋଟ-ବର୍ଜନ: ଜଣ ଜଣ କରି ଗାଁ ଯାକ ଲୋକ ଭୋଟ ନ ଦେଲେ ବି ସେହି ଫଳ ମିଳେ। ଏ ପ୍ରକ୍ରିୟାରେ ଯେଉଁ ପୁରୁଣା ପ୍ରତିନିଧି ବିରୋଧରେ ରୋଷକରି ଲୋକେ ବର୍ଜନ କରୁଛନ୍ତି ତାହାର କିଛି କ୍ଷତି ହୁଏ ନାହିଁ, ବରଂ ସେ ନିଜର ଓ ସହଯୋଗୀମାନଙ୍କ ଭୋଟରେ ଖୁବ୍‌ ସହଜରେ ଆଉ ଥରେ ପ୍ରତିନିଧିତ୍ୱ କରେ। ତେଣୁ ବର୍ଜନ କରିବା ନିଜ ପ୍ରତି ଏକ ଆଘାତ।
ଏ ସବୁ ବୁଝିବାକୁ ଅଧିକାର ସମ୍ପର୍କରେ ଆମର ଜ୍ଞାନ ବଢ଼ାଇବା ଦରକାର। କେତେଗୁଡ଼ିଏ ଅଧିକାର ଆମକୁ ସ୍ବତଃ ମିଳିଥାଏ, ଯାହାକୁ ଆମେରିକାର ସମ୍ବିଧାନ ପ୍ରଣେତାମାନେ ସେଲ୍ଫଏଭିଡେଣ୍ଟ (ଜଳ ଜଳ ଦିଶୁଛି) କହିଛନ୍ତି; ଅର୍ଥ ଏ ଅଧିକାରଗୁଡ଼ିକ ମଣିଷକୁ ଆପେ ଆପେ ମିଳିଛି: ସେଗୁଡ଼ିକ ହେଉଛି ପ୍ରାକୃତିକ ଅଧିକାର – ଜୀବନ, ସ୍ବାଧୀନତା ଓ ସୁଖର ଅନ୍ବେଷଣ (ଲାଇଫ୍‌, ଲିବର୍ଟି ଆଣ୍ଡ ପର୍‌ସୁଟ୍‌ ଅଫ୍‌ ହାପିନେସ୍‌)। ଏଗୁଡ଼ିକୁ ହାସଲ କରିବା ଲାଗି ଲୋକେ ସରକାର ଗଢ଼ନ୍ତି ଏବଂ ଲୋକଙ୍କ ସମ୍ମତିରୁ ସରକାର ତାହାର ଉଚିତ ବଳ ପାଇଥାଏ। ଏଭଳି ପ୍ରାକୃତିକ ଅଧିକାର (ଇଂଲିଶରେ ନାଚୁରାଲ ରାଇଟ୍‌ସ) ଦେଶ ବା ରାଷ୍ଟ୍ରର ସୃଷ୍ଟି ହେବା ପୂର୍ବରୁ ରହିଛି, ତାହା ଅଭେଦ୍ୟ, ଅଚ୍ଛେଦ୍ୟ, ଚୂଡାନ୍ତ। ଲୋକେ ଯେପରି ସେମାନଙ୍କର ଚୂଡାନ୍ତ ଅଧିକାରଗୁଡ଼ିକୁ ସମାଜରେ ଅବାଧରେ ଉପଭୋଗ କରିପାରନ୍ତି ତାହା କେବଳ ଲୋକଙ୍କ ପ୍ରତିନିଧିମାନଙ୍କ ଦ୍ୱାରା ଗଢ଼ା ସରକାର ହିଁ ଦେଖିପାରିବେ। ଲୋକଙ୍କ ସମ୍ମତି ଅନୁଯାୟୀ ପ୍ରତିନିଧିମାନେ ସରକାର ଚଳାଉଛନ୍ତି କି ନାହିଁ ଜାଣିବା ଲାଗି ପ୍ରତିନିଧିମାନଙ୍କ ଉପରେ ଲୋକଙ୍କ ମତ ନେବା ଦରକାର ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ହେବା ଦରକାର ନିର୍ବାଚନ ବ୍ୟବସ୍ଥା। ନାଗରିକଟିଏ ବିନା ପକ୍ଷପାତିତା ଓ ବିନା ନିର୍ଯାତନାରେ ଜୀବନଚର୍ଯ୍ୟା କରିପାରେ ସେ ଦିଗରେ ପ୍ରତିନିଧିମାନେ କାମ କରୁଛନ୍ତି ତ ତାହା ଜାଣିବାଲାଗି ଲୋକଙ୍କ ମତ ନିଆଯିବାର ଅଧିକାର ପ୍ରତିଫଳିତ ହୁଏ ଭୋଟ ମାଧ୍ୟମରେ। ନିରପେକ୍ଷ ଓ ନ୍ୟାୟସଙ୍ଗତ ପ୍ରଶାସନ ସହିତ ଏବେ ଏବେ ଏକ ନୂଆ ଅଧିକାର ଯୋଡ଼ାଯାଇଛି – ପ୍ରାଇଭେସି ବା ଗୁମର ସୁରକ୍ଷା; ବ୍ୟକ୍ତିର ଚିନ୍ତା, ବାକ୍‌, ଧର୍ମ, ଭାଷଣ, ସଂଗଠିତ ହେବା, ଗମନାଗମନ ଆଦିର ସ୍ବାଧୀନତା ରକ୍ଷା। ଏଗୁଡ଼ିକ ଛଡ଼ାଇ ନେଲେ ବ୍ୟକ୍ତିର ସିଭିଲ୍‌ ଡିସେବିଲିଟି ବା ନାଗରିକ ଅକ୍ଷମତା ଆସିଯାଏ। ଅନେକ ଦେଶରେ ରାଜନୈତିକ ଅଧିକାରଗୁଡ଼ିକର ସାମ୍ବିଧାନିକ ସଂଜ୍ଞା ଦିଆଯାଇଛି; ଏପରିକି ବିଶ୍ୱସ୍ତରରେ ସ୍ବୀକାର କରାଯାଇଛି ୧୯୪୮ର ୟୁନିଭର୍ସାଲ୍‌ ଡିକ୍ଲାରେଶନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ୍‌ ଓ ୧୯୬୬ର ଇଣ୍ଟର୍‌ନ୍ୟାଶନାଲ୍‌ କନ୍‌ଭେନ୍‌ଶନ୍‌ ଅନ୍‌ ସିଭିଲ୍‌ ଆଣ୍ଡ ପଲିଟିକାଲ୍‌ ରାଇଟ୍‌ସ ଭିତରେ। ବର୍ଜନ କରିବା ଏକ ଅଭିମାନ, ତାକୁ କେହି ଖାତିର ନ କଲେ ତାହା ବୃଥା, ଉଦ୍ଦିଷ୍ଟ ଇଚ୍ଛା ସାଧିତ ହୁଏ ନାହିଁ। ବରଂ ଯେଉଁ ଦଳର ପ୍ରତିନିଧି ଗାଁର କିଛି କାମ କଲା ନାହିଁ ବୋଲି ଭାବୁଛ ତାକୁ ଭୋଟ ନ ଦେଇ ଯିଏ କାମ କରିବ ବୋଲି ଭାବୁଛ ତାକୁ ଭୋଟ ଦିଅ, ହାରିଥିବା ଓ ଜିତିଥିବା ପ୍ରାର୍ଥୀ ବି ଜାଣିବ ଯେ ଏ ଥର ସେ କାମ ନ କଲେ ଆର ନିର୍ବାଚନରେ ଲୋକେ ତାକୁ ଭୋଟ ଦେବେ ନାହିଁ। ଏହି ତ ଏକ ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନରେ ନିର୍ବାଚନ କରାହେବାର ଉଦ୍ଦେଶ୍ୟ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri