ଗାଁ ଜନ୍ତାଳ ଓ ଆଜିର ପିକ୍‌ନିକ୍‌

ମନେପଡ଼େ ଗାଁ କଥା। ଗାଁ କେବଳ କେତୋଟି ପରିବାରକୁ ନେଇ ଏକ ଜନବସତି ନୁହେଁ। ଏହା ଏକ ସାମାଜିକ ସଦ୍ଭାବନା, ଭାଇଚାରାର ଭୂସ୍ବର୍ଗ ଓ ସଂସ୍କାର କେନ୍ଦ୍ର। ଗାଁରେ ଲୋକଙ୍କ ଭିତରେ ସମ୍ପର୍କ, ସମ୍ବନ୍ଧ ଓ ସମନ୍ବୟ ସମ୍ପୂର୍ଣ୍ଣ ନିଆରା। ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ, ଭଲମନ୍ଦରେ ଠିଆ ହେବା, ଅନ୍ୟ ଦୁଃଖରେ ସମଦୁଃଖୀ ଓ ସୁଖକୁ ସାମୂହିକ ଆନନ୍ଦ ଉପଭୋଗ କରିବା ଗ୍ରାମ୍ୟ ଜୀବନର ଏକ ଅନନ୍ୟ ଉପଲବ୍ଧି। କିନ୍ତୁ ଏଭଳି ସଂସ୍କାର ଓ ସାମାଜିକ ଅନୁବନ୍ଧନ ସ୍ବତଃ ସୃଷ୍ଟି ନୁହେଁ, ବରଂ ସାମାଜିକ ବିଧି ବ୍ୟବସ୍ଥାର ଫଳଶ୍ରୁତି। ଗଁାରେ ଅନେକ ସାମାଜିକ ପର୍ବପର୍ବାଣି ପାଳନ କରାଯାଇଥାଏ, ଯାହା ଗ୍ରାମବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖେ। ଏଭଳି ଏକ ପର୍ବ ହେଉଛି ଜନ୍ତାଳ, ଯାହା ଗଁାରେ ସାମାଜିକ ସଦ୍ଭାବନା ଓ ସଂହତି ସ୍ଥାପନାରେ ସହାୟକ ହୋଇଥାଏ। ଆଜି ନୁହେଁ, କେଉଁ ଅନାଦି କାଳରୁ ଗଁାଗୁଡ଼ିକରେ ଅନୁଷ୍ଠିତ ହୋଇଆସୁଛି ଜନ୍ତାଳ, ଯାହାକୁ ଆଜିକାଲିର ଭାବ ଓ ଭାଷାରେ କମ୍ୟୁନିଟି ପିକ୍‌ନିକ୍‌ କୁହାଯାଇପାରେ। ଏଭଳି ଭୋଜିର ଆୟୋଜନ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳେ।
ଜନ୍ତାଳ କ’ଣ? ଏହା କେଉଁ ସମୟରେ ଓ କିଭଳି ଆୟୋଜିତ ହୁଏ? ଏହା ଏକ କୃଷିଭିତ୍ତିକ ସାମାଜିକ ପର୍ବ ମଧ୍ୟ। ଚାଷୀକୁଳ ହାଡ଼ଭଙ୍ଗା ପରିଶ୍ରମ କରି ସୁନାର ଫସଲ ଅମଳ କରି ଘରକୁ ଆଣିବା ପରେ ଏଭଳି ଗୋଷ୍ଠୀ ଭୋଜିର ଆୟୋଜନ ପୌଷ ମାସରେ ଗଁାମୁଣ୍ଡ ଦେବୀ ମନ୍ଦିରରେ ହୁଏ। ଆୟୋଜନର ବ୍ୟବସ୍ଥା ମଧ୍ୟ ଅତି ବ୍ୟବସ୍ଥିତ ଓ ସମାବେଶୀ। ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପୂର୍ବରୁ ଗ୍ରାମବାସୀ ଏକ ବୈଠକରେ ଏକତ୍ରିତ ହୋଇ ଜନ୍ତାଳ ଆୟୋଜନର ସ୍ବରୂପ, ଖର୍ଚ୍ଚ ଓ ବ୍ୟବସ୍ଥା ଦିଗ ସମ୍ପର୍କରେ ବିଶଦ ଆଲୋଚନା କରି ଗାଁର ସମସ୍ତ ଅଧିବାସୀ କିପରି ଅଂଶୀଦାର ହୋଇପାରିବେ, ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରନ୍ତି। ପ୍ରତ୍ୟେକ ପରିବାରର ଅନୂ୍ୟନ ଜଣେ ସଦସ୍ୟ ମନ୍ଦିର ପରିସର ସଫା କରିବାକୁ ଯାଆନ୍ତି, ଯାହାକୁ ଗାଁ ଭାଷାରେ ବେଠି କୁହାଯାଏ। ଯଦି କୌଣସି ଜରୁରିକାଳୀନ ପରିସ୍ଥିତି ହେତୁ ଜଣେ ବେଠି କରିପାରେ ନାହିଁ, ତେବେ ସେ ପରିବାର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଠେଇବେ କିମ୍ବା ସେବାବଦକୁ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ। ବିଶେଷକରି ଯେଉଁ ପରିବାରର କୌଣସି ବି ସଦସ୍ୟ ଚାକିରି ଭଳି କାମଧନ୍ଦା ହେତୁ ଗଁାରେ ରହୁନାହାନ୍ତି, ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ସେମାନେ ଜନ୍ତାଳ ଦିନ ନିଶ୍ଚୟ ଯୋଗ ଦେଇ ଗ୍ରାମବାସୀଙ୍କ ସହ ସହଭୋଜ (ଏକତ୍ର ଭୋଜନ ବା ପଂକ୍ତି ଭୋଜନ) କରନ୍ତି। ଏଥିସହ ରୋଷେଇ ପାଇଁ ଚାଉଳ, ପନିପରିବା, କାଠ ଓ କିଛି ଆର୍ଥିକ ସହଯୋଗ ନିଷ୍ପତ୍ତି ପୂର୍ବକ ପ୍ରତି ଘରୁ ସଂଗ୍ରହ ହୁଏ। ସେଦିନ ଗଁାର ସବୁ କାମଧନ୍ଦା ବନ୍ଦ। କେବଳ ଆୟୋଜନ, ଆନନ୍ଦ ଓ ଆମୋଦପ୍ରମୋଦର ଦିନଟିଏ। ଉଭୟ ପୁରୁଷ ଓ ମହିଳା ଜନ୍ତାଳ ଭୋଜି ଆୟୋଜନରେ ମଜ୍ଜି ଯାଆନ୍ତି। ରୋଷେଇ ପରେ ଗ୍ରାମଦେବତୀଙ୍କ ପାଖରେ ପୂଜାର୍ଚ୍ଚନା, ସାମୂହିକ କୀର୍ତ୍ତନ ଓ ପରେ ସାମୂହିକ ଭୋଜନ। ଜନ୍ତାଳର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଅତି ପ୍ରେରଣାଦାୟୀ। ଏହା ଗଁା ଲୋକଙ୍କ ମଧ୍ୟରେ ଏକତ୍ୱବୋଧ, ସମାଜବୋଧ ଓ ଗୋଷ୍ଠୀଗତ ଜୀବନଯାପନର ଆବଶ୍ୟକତା ସମ୍ପର୍କରେ ସକାରାତ୍ମକ ଚେତନା ଉନ୍ମେଷ କରିଥାଏ। ସାମୂହିକ ଭୋଜନ ସହ ବିଭିନ୍ନ ଲୋକଗୀତ, ଲୋକନୃତ୍ୟ ପ୍ରଦର୍ଶନ, ବିଭିନ୍ନ ଖେଳ ଯଥା ବୋହୂଚୋରି, କବାଡ଼ି ଆଦି ଖେଳ ଓ କୀର୍ତ୍ତନ ଭଜନ ଏକ ଅଦ୍ଭୁତ ସାଂସ୍କୃତିକ ବାତାବରଣ ସୃଷ୍ଟି କରେ। ନିଜ କୃଷିଜାତ ଦ୍ରବ୍ୟ ସାମଗ୍ରୀ ନିଜ ଗ୍ରାମଦେବତୀଙ୍କଠାରେ ସମର୍ପଣ କରି ତାହାକୁ ପ୍ରସାଦ ରୂପେ ଗ୍ରହଣ କରିବାର ଆଧ୍ୟାତ୍ମିକ ପରମ୍ପରା ଗ୍ରାମ୍ୟ ଜୀବନର ଏକ ଶାଶ୍ୱତ ବ୍ୟବସ୍ଥା। ଜନ୍ତାଳ ସମାପନ ପରେ ମନ୍ଦିର ପରିସର ସଫାସୁତୁରା କରି ଗ୍ରାମବାସୀ ସର୍ବଦା ସ୍ବଚ୍ଛ ପରିବେଶ ଉପରେ ଗୁରୁତ୍ୱ ଦେଇଥା’ନ୍ତି, ଯାହାକି ଶିକ୍ଷଣୀୟ।
ଆଜିକାଲି ପରିସ୍ଥିତି ପରିବର୍ତ୍ତନ ହୋଇଛି। ପିକ୍‌ନିକ୍‌ ବା ବଣଭୋଜି ବା ପରିବାର ମିଳନ ଆଧୁନିକ ସମାଜର ଏକ ସାମାଜିକ ପର୍ବର ରୂପ ନେଇଛି। ଏହା ଆଜି କେବଳ ପରିବାର ବା ପଡ଼ୋଶୀ ଭିତରେ ସୀମିତ ନ ରହି କାର୍ଯ୍ୟାଳୟ, ନିଜ ବୃତ୍ତିଗତ କ୍ଷେତ୍ର, ସହପାଠୀ, ସହକର୍ମୀ, ପ୍ରାତଃ ଓ ସା ଭ୍ରମଣ ଦଳ, କ୍ଲବ ଆଦି ବିଭିନ୍ନ ଛୋଟ ଛୋଟ ଗୋଷ୍ଠୀଭିତ୍ତିକ ପିକ୍‌ନିକ୍‌ ଆୟୋଜନ ହେଉଛି। କିନ୍ତୁ ବିଡ଼ମ୍ବନା ହେଉଛି, ପିକ୍‌ନିକ୍‌ ନାମରେ ଅନୁଶାସନହୀନ କାର୍ଯ୍ୟକଳାପ ଓ ଦାୟିତ୍ୱହୀନ ତଥା ବିଶୃଙ୍ଖଳିତ ଆଚରଣ ଏହା ଗଁା ଜନ୍ତାଳଠାରୁ କେତେଯେ ସଂସ୍କାରହୀନ, ଏହା ସହଜରେ ଅନୁମେୟ। ନିଜକୁ ବଡ଼ ପାଠୁଆ ବୋଲାଉଥିବା ଆଧୁନିକ ମଣିଷ ନିଜ ପରିବାର, ସାହି ପଡ଼ିଶା ବା ବନ୍ଧୁବାନ୍ଧବ ନେଇ ପିକ୍‌ନିକ୍‌ ଯାଆନ୍ତି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ। ସ୍ଥାନଟିର ପରିବେଶ ସୁରକ୍ଷା ଓ କୀର୍ତ୍ତିରାଜିଗୁଡ଼ିକର ମୌଳିକତା ଅକ୍ଷୁଣ୍ଣ ରଖିବା ମଧ୍ୟ ଭ୍ରମଣକାରୀ ବ୍ୟକ୍ତି ବିଶେଷଙ୍କ ପ୍ରମୁଖ କର୍ତ୍ତବ୍ୟ ଓ ଦାୟିତ୍ୱ। କିନ୍ତୁ ସେଭଳି ଆଚରଣ ଅଧିକାଂଶ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଦେଖାଦେଇନଥାଏ। ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ କୋଳାହଳ କରିବା, ଅତି ଅଶ୍ରାବ୍ୟ ଅଶ୍ଳୀଳ ଗୀତ ବଜାଇ ଅନ୍ୟମାନଙ୍କ ଶାନ୍ତି ଭଙ୍ଗ କରିବା, ସ୍ଥାନଟିକୁ ଅପରିଷ୍କାର କରିବା, କାନ୍ଥ ବାଡ଼ ଏପରିକି ଗଛ, ପତ୍ର, ପଥର ଆଦିରେ ନିଜର ନାମ ଲେଖି ବିକୃତ କରିବା, ଭୋଜି ଶେଷ ହେବା ପରେ ଅଳିଆ ସେହି ସ୍ଥାନରେ ଏଣେତେଣେ ଫିଙ୍ଗିବା ଅଧୁନା ପିକ୍‌ନିକ୍‌ ଆୟୋଜନର ମୁଖ୍ୟ ସମସ୍ୟା ତଥା ଆହ୍ବାନ ଭାବେ ଉଭା ହୋଇଛି। ତେଣୁ ଆମେ ଏଇ କ୍ଷେତ୍ରର ଗଁାରେ ରହୁଥିବା ସାଧାରଣ ଲୋକଙ୍କଠାରୁ ଜନ୍ତାଳ ଆୟୋଜନର କଳା ଓ ଶୃଙ୍ଖଳା ଶିଖିବା ସମୟର ଆହ୍ବାନ ମନେହୁଏ।
ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସୁରକ୍ଷା ଦିଗରେ ବିଦେଶୀ ନାଗରିକମାନଙ୍କ ମୂଲବୋଧ ବାସ୍ତବରେ ପ୍ରଶଂସନୀୟ। ଏଠାରେ ଗୋଟିଏ ଉଦାହରଣ ଉପସ୍ଥାପନ କରୁଛି, ଯାହାକି ଆମ ପାଇଁ ଶିକ୍ଷଣୀୟ ଓ ପାଳନୀୟ। ସ୍ବାମୀ ଜଗଦାନତ୍ମାନନ୍ଦ ମହାରାଜା ତାଙ୍କ ପୁସ୍ତକ ଜୀବନ ଗଠନର ପଥେ ପୁସ୍ତକର ୬୫ ପୃଷ୍ଠାରେ ଲେଖିଛନ୍ତି -”ଜାପାନର ଏକ ଗ୍ରାମରେ ମୁଁ ଦୁଇଦିନ ରହିଥିଲି। ସେଠାରେ ଏକ ଗରମ ପାଣିରେ ସ୍ରୋତ (ଜଳଧାରା) ଅଛି, ଯେଉଁଠାକୁ ପ୍ରାୟ ୫୦୦ ଜଣ ଜାପାନୀ ପର୍ଯ୍ୟଟକ ୧୫୦ ଜଣ ପିଲାଙ୍କୁ ନେଇ ଆସିଥିଲେ। ତାହା ନ ଦେଖିଲେ କେହି ବିଶ୍ବାସ କରିପାରିବେ ନାହିଁ ଯେ, ସେଠାରେ ଏତେ ଲୋକ ଥିଲେ। ସମସ୍ତେ ଅତ୍ୟନ୍ତ ଶାନ୍ତ ଓ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ, କାରଣ ସେମାନେ ଶାନ୍ତି ସହକାରେ କାର୍ଯ୍ୟ ସମ୍ପାଦନ କରିବାରେ ଅଭ୍ୟସ୍ତ ଥିଲେ। ସେଠାରେ ଏକ ସଭାସ୍ଥଳୀରେ ଏକ ହଜାରରୁ ଊଦ୍ଧର୍‌ବ ଶ୍ରୋତା ମଧ୍ୟ ଶାନ୍ତ ଓ ମୌନ ଭାବରେ ବସିଥିଲେ।“ ଏଭଳି ଆଚରଣ ଆମଠାରୁ ଆଶା କରାଯିବା ଉଚିତ।

  • ଡ. ମନୋରଞ୍ଜନ ପ୍ରଧାନ
    ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ,
    ଜୟପୁର, କୋରାପୁଟ, ମୋ: ୯୪୩୭୯୧୪୮୧୮

Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?