ନୀତି ଉପାଧ୍ୟକ୍ଷ

ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ସରକାର ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଯୋଜନା ଆୟୋଗକୁ ଅଚଳ କରିଦେଇ ତା’ ପରିବର୍ତ୍ତେ ୧ ଜାନୁୟାରୀ ୨୦୧୫ରେ ନୀତି (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗ ଗଠନ କରିଥିଲା। ଭାରତ ସରକାରଙ୍କ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଥିଙ୍କ୍‌ ଟ୍ୟାଙ୍କ୍‌ ସଂସ୍ଥା ଭାବେ ଏହା ୭ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଆର୍ଥିକ ନୀତିରେ ରାଜ୍ୟ ସରକାରଗୁଡ଼ିକୁ ସାମିଲ କରି ସହଯୋଗୀ ସଂଘୀୟବାଦ (କୋଅପରେଟିଭ୍‌ ଫେଡେରାଲିଜମ୍‌) ବିସ୍ତାର କରିବା ଉଦ୍ଦେଶ୍ୟ ରଖାଯାଇ ଏହା କାର୍ଯ୍ୟ କରୁଛି। ନିୟମ ଅନୁଯାୟୀ ଏହି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ରହିଥାଆନ୍ତି। ଏହାର ପ୍ରଥମ ଉପାଧ୍ୟକ୍ଷ ଭାବେ ଅରବିନ୍ଦ ପାନଗାରିଆ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ସେ ଅଧ୍ୟାପନା କରିବା ଲାଗି ବିଦେଶ ଯିବା ପରେ ୨୦୧୭ରେ ତାଙ୍କ ସ୍ଥାନ ଗ୍ରହଣ କରିଥିଲେ ରାଜୀବ କୁମାର। ୨୨ ଏପ୍ରିଲରେ କୁମାର ବ୍ୟକ୍ତିଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେବା ପରେ ଅନ୍ୟତମ ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ସୁମନ କେ. ବେରିଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ସୁମନଙ୍କ ନାମ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିବା ପରେ ୧ ମେ’ରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। କୋଭିଡ୍‌ ମହାମାରୀ ସହ ଭୂରାଜନୈତିକ ସ୍ଥିତି ଯୋଗୁ ଭାରତୀୟ ଅର୍ଥନୀତିରେ ଅସ୍ବାଭାବିକତା ଦେଖାଦେଇଥିବା ବେଳେ ସୁମନଙ୍କ ନିଯୁକ୍ତି ନୀତି ଆୟୋଗ କାର୍ଯ୍ୟକୁ କେତେ ଦୂର ଆଗକୁ ନେଇପାରିବ ତାହା ଉପରେ ଅର୍ଥନୀତିଜ୍ଞ, ନୀତି ପ୍ରବର୍ତ୍ତକ, ଟେକ୍ନୋକ୍ରାଟଙ୍କ ନଜର ରହିବା ସ୍ବାଭାବିକ। ୟୁରୋପୀୟ ଥିଙ୍କ୍‌ ଟ୍ୟାଙ୍କ ‘ବ୍ରୁଜେଲ’ର ନନ୍‌-ରେସିଡେଣ୍ଟ୍‌ ଫେଲୋ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ସୁମନଙ୍କ ନୂଆ ନିଯୁକ୍ତି ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଚର୍ଚ୍ଚାକୁ ଆସିଛି।
ଭାରତ ଜନ୍ମିତ ସୁମନ ନିଜ ମେଧା ବଳରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅର୍ଥନୀତିଜ୍ଞ, ଗବେଷକ ତଥା ଲେଖକ ଭାବେ ନିଜକୁ ପରିଚିତ କରାଇପାରିଛନ୍ତି। ଡେରାଡୁନ୍‌ର ଡୁନ୍‌ ସ୍କୁଲରୁ ସେ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ବ୍ରିଟେନ୍‌ର ଓଖାମ୍‌ ସ୍କୁଲରେ ବର୍ଷେ ପଢ଼ିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାଗ୍‌ଦାଲେନ୍‌ କଲେଜରୁ ଦର୍ଶନଶାସ୍ତ୍ର, ରାଜନୀତି ଓ ଅର୍ଥନୀତି ବିଷୟରେ ଅଧ୍ୟୟନ କରିଥିଲେ। ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟ ଅଧୀନ ଓ୍ବିଡ୍ରୋ ଉଇଲ୍‌ସନ ସ୍କୁଲ ଅଫ୍‌ ପବ୍ଲିକ୍‌ ଆଣ୍ଡ୍‌ ଇଣ୍ଟରନ୍ୟାଶନାଲ ଆଫାୟାର୍ସରୁ ଡିଗ୍ରୀ ଅର୍ଜନ କରିଥିଲେ। ତେବେ ତାଙ୍କ ବୃତ୍ତିଗତ ଜୀବନ ୧୯୭୨ରେ ବିଶ୍ୱ ବ୍ୟାଙ୍କରୁ ଆରମ୍ଭ ହୋଇଥିଲା। ଓ୍ବାଶିଂଟନଭିତ୍ତିକ ଏହି ସଂସ୍ଥାରେ ସେ ୨୮ ବର୍ଷ ବିତାଇ ଜଣେ ପ୍ରମୁଖ ଅର୍ଥନୀତିଜ୍ଞ ଭାବେ ନାମ ଅର୍ଜନ କରିଥିଲେ। ୨୦୦୧ରେ ସେ ବିଶ୍ୱ ବ୍ୟାଙ୍କ ଛାଡ଼ି ସେହି ବର୍ଷ ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚ (ଏନ୍‌ସିଏଇଆର୍‌)ର ମହାନିର୍ଦ୍ଦେଶକ ହୋଇଥିଲେ। ଫୋର୍ବସ୍‌, ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡସ, ଇଣ୍ଡିଆନ୍‌ ଏକ୍ସପ୍ରେସ ଏବଂ ଇକୋନୋମିକ୍‌ ଆଣ୍ଡ୍‌ ପଲିଟିକାଲ ଓ୍ବିକ୍‌ଲିରେ ସୁମନ ନିୟମିତ ଲେଖା ପ୍ରକାଶ କରି ନିଜର ଏକ ବୃହତ୍‌ ପାଠକୀୟ ବଳୟ ସୃଷ୍ଟି କରିପାରିଛନ୍ତି। ଇଣ୍ଟରନ୍ୟାଶନାଲ ଗ୍ରୋଥ୍‌ ସେଣ୍ଟରର ପୂର୍ବତନ ଇଣ୍ଡିଆନ୍‌ କଣ୍ଟ୍ରି ଡାଇରେକ୍ଟର ଭାବେ ସେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଫାଇନାନ୍ସିଆଲ୍‌ ସେକ୍ଟର ରିଫର୍ମସ୍‌ର ରଘୁରାମ ରାଜନ କମିଟିର ସଦସ୍ୟ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଆର୍ଥିକ ସଂସ୍କାର ଲାଗି ଭାରତ ସରକାର ୨୦୦୭ରେ ଏହି କମିଟି ଗଠନ କରିଥିଲେ। ମନମୋହନ ସିଂ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ସୁମନ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି, ରିଜର୍ଭ ବ୍ୟାଙ୍କ ବୈଷୟିକ ପରାମର୍ଶଦାତା କମିଟି ଏବଂ ଜାତୀୟ ପରିସଂଖ୍ୟାନ କମିଶନ୍‌ର ମଧ୍ୟ ସଦସ୍ୟ ରହିଥିଲେ।
ମାର୍ଚ୍ଚ ୨୦୨୦ରେ ବିଶ୍ୱବ୍ୟାପୀ କରାଯାଇଥିବା ଲକ୍‌ଡାଉନ୍‌କୁ ସୁମନ ତାଙ୍କ ଲେଖାରେ ସମାଲୋଚନା କରି ତାହା ଅର୍ଥନୀତି ଉପରେ କୁପ୍ରଭାବ ପକାଇବ ବୋଲି କହିଥିଲେ। ସେଥିପାଇଁ ଏକ ସୁସଂହତ ନୀତି ପ୍ରଣୟନ ଉପରେ ସେ ପ୍ରସ୍ତାବ ଦେଇଥିଲେ। ଆଜିର ସ୍ଥିତିରେ ତାଙ୍କୁ ନୀତି ଆୟୋଗର ଅଧ୍ୟକ୍ଷ କରାଯାଇଛି, ଯେତେବେଳେ ଅଧିକାଂଶ ସରକାରୀ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର କରାଯିବା ସହ ଅଭିନବ ଢଙ୍ଗରେ ମୁଦ୍ରୀକରଣ ବିଷୟରେ ଚିନ୍ତା କରାଯାଉଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ଦିନୁ ରାଜସ୍ବ ଭାଗବଣ୍ଟା ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ସମାଧାନର ବାଟ ମିଳି ପାରି ନ ଥିବାରୁ ଆର୍ଥିକ ସହଯୋଗୀ ସଂଘୀୟବାଦ ବ୍ୟବସ୍ଥିତ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ନୀତି ଆୟୋଗର କାର୍ଯ୍ୟଧାରାକୁ ତ୍ୱରାନ୍ବିତ କରିବା ଲାଗି ସୁମନଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା କାମ ଦେବ ବୋଲି ଆଶା କରାଯାଉଛି। କାରଣ ସଂସ୍ଥାର ନମ୍ବର ଦୁଇରେ ଥିଲେ ମଧ୍ୟ ତାଙ୍କ ସକ୍ରିୟ ସମ୍ପୃକ୍ତି ତାଙ୍କୁ ବାସ୍ତବ ନୀତି ନିର୍ଦ୍ଧାରକ ଆସନରେ ବସାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri