
ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତବନ୍ଦ ଡାକରା ଦିଆଯାଇଥିଲା ଏଥିରେ ଦାରିଙ୍ଗବାଡି ବ୍ଲକ ପ୍ରଭାବିତ ହୋଇଥିଲା। ଉକ୍ତ ବ୍ଲକର ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତ ସମେତ ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି ଏବଂ ସିମନବାଡିରେ ଦୋକାନବଜାର ବନ୍ଦ ରହିବା ସହ କିଛି ସ୍ଥାନରେ ଗାଡି ମୋଟର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ତେବେ ବ୍ରହ୍ମପୁରରୁ ଦାରିଙ୍ଗବାଡି ଦେଇ ବସ ଚଳାଚଳ କରିଥିଲା। ଖବର ଲେଖିବା ସୁଦ୍ଧା ଅପରାହ୍ନରେ ଏହି ବନ୍ଦ ଡାକରାକୁ ବନ୍ଦ କରିଥିଲେ ଆନ୍ଦୋଳନକାରୀ । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ବ୍ରାହ୍ମଣୀଗାଁରେ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିକିଛି।
ପ୍ରକାଶ ଯେ ଦଳିତ, ଆଦିବାସୀ, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଉପରେ ଅତ୍ୟାଚାର ବିରୋଧରେ ଦାବି ସହ ଗୃହ ମନ୍ତ୍ରୀ ଅମିତ ସାହାଙ୍କ ଦ୍ୱାରା ଭୀମରାଓ ଆମ୍ବେଦକରଙ୍କ ସମ୍ପର୍କରେ ଅପମାନ ଜନିତ ମନ୍ତବ୍ୟ ବିରୋଧ, ଇଭିଏମ ବଦଳରେ ବାଲଟ ପେପରରେ ନିର୍ବାଚନ କରାଯିବା ଦାବି ସପକ୍ଷରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସି ମାନଙ୍କ ଜାତିଆଧାର ଜନ ଗଣନା ନକରାଯିବା ପ୍ରତିବାଦ ଆଦି ବିରୋଧ କରାଯାଇ ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା,ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ଓ ମୁସଲିମ ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡି ପୋଲିସ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୃତୟନ ହୋଇଥିଲେ।