ଉତ୍ତରପଡ଼ା ଅଭିଭାଷଣ ଓ ଶ୍ରୀଅରବିନ୍ଦ

ଡ. ହୃଷୀକେଶ ମଲ୍ଲିକ

 

“Leaders of the Freedom Struggle were those who were divinely।nspired, not the Political animals or petty minded।mmature religious preachers that we see today.” (ସେଇମାନେ ହିଁ ସ୍ବାଧୀନତା ସଂଗ୍ରାମର ନେତା, ଯେଉଁମାନେ ଦିବ୍ୟ ଭାବେ ଅନୁପ୍ରେରିତ, ଆମେ ଆଜିକାଲି ଦେଖୁଥିବା ରାଜନୈତିକ ପ୍ରାଣୀ ବା କ୍ଷୁଦ୍ରମନା ଅପରିପକ୍ୱ ଧର୍ମପ୍ରଚାରକ ନୁହନ୍ତି।) ଏହି ମର୍ମରେ ସେଦିନ କହିଥିଲେ ଶ୍ରୀଅରବିନ୍ଦ ତାଙ୍କ ‘ଉତ୍ତରପଡ଼ା ଅଭିଭାଷଣ’ରେ। ଆଲିପୁର ଜେଲକୁ ଯିବାବେଳେ ଅନୁଗାମୀଙ୍କ ‘ବନ୍ଦେ ମାତରମ୍‌’ ଧ୍ୱନିରେ ଯେଉଁ ଦେଶ ଜୀବନ୍ତ ହୋଇଥିବା ସେ ଦେଖିଥିଲେ, ଜେଲରୁ ମୁକୁଳିବା ଦିନ ଅନୁଭବ କରିଥିଲେ ଯେପରି ସେହି ଦେଶ ନିସ୍ତେଜ ଓ ଅବସାଦଗ୍ରସ୍ତ। କାହାରି ମୁହଁରେ ଭାଷା ନାହିଁ, ଗନ୍ତବ୍ୟ ନାହିଁ। ଜେଲରୁ ବାହାରି ଶ୍ରୀଅରବିନ୍ଦ ତାଙ୍କର ପ୍ରଥମ ଅଭିଭାଷଣ ଦେଇଥିଲେ ଉତ୍ତରପଡ଼ାଠାରେ ଅନୁଷ୍ଠିତ ‘ଧର୍ମ-ସଂରକ୍ଷଣୀ ସଭା’ରେ, ଯେଉଁ ଅଭିଭାଷଣକୁ କୁହାଯାଏ ‘ଭାରତୀୟ ନବଜାଗରଣ’ର ସବୁଠୁଁ ମହତ୍ତମ ଶଙ୍ଖନାଦ।
କ’ଣ କହିଥିଲେ ଶ୍ରୀଅରବିନ୍ଦ? ପତଙ୍ଗ ସମ ନିଜ ଆଡ଼କୁ ଆକର୍ଷି ଆଣି ଯେଉଁ ଆଲୋକିତ ବାଣୀ ସେଦିନ ଶ୍ରୋତୃମଣ୍ଡଳୀକୁ ଅଭିଭୂତ କରିଦେଇଥିଲା, ତା’ର ଆରମ୍ଭ ଧାଡ଼ିଗୁଡ଼ିକ ଥିଲା ଏହିପରି : ”ମୁଁ ଏଠାରେ ଯାହା କହିବାକୁ ଯାଉଛି, ଏହା ମୋର ବକ୍ତବ୍ୟ ନୁହେଁ, ଏହା ଭଗବତ୍‌ ଆଦିଷ୍ଟ। ଜେଲ୍‌ର ସଂକୀର୍ଣ୍ଣ ସେଲ୍‌ ଭିତରେ ବାସୁଦେବ ଯେଉଁ ଗୀତା ବହିଟି ମୋ’ହାତରେ ଧରାଇଦେଇଥିଲେ, ତାହା ଦେଇ ମୋ’ ଭିତରକୁ ଶକ୍ତି ସଂଚରିତ ହୋଇଥିଲା। ବୌଦ୍ଧିକ ମନନରେ ଭଳି ନ ଯାଇ, କାମନା ଓ ଫଳାଭିସନ୍ଧିରୁ ମୁକ୍ତ ରହି ଈଶ୍ୱରଙ୍କର ଏକ ଯନ୍ତ୍ର ଭାବେ ମୁଁ ଯେପରି କାର୍ଯ୍ୟ କରେ ଏହା ହିଁ ଥିଲା ଭଗବତ୍‌ ଇଚ୍ଛା। ଉଚ୍ଚନୀଚ, ଶତ୍ରୁମିତ୍ର ଓ ସଫଳତା ବିଫଳତାର ଊର୍ଦ୍ଧ୍ୱରେ ପୁଣି ସଂସାଧିତ ହେଉ ସେ କାର୍ଯ୍ୟ।“ ସେ କହିଥିଲେ : ଜେଲରେ ମୋର ହୃଦ୍‌ବୋଧ ହୋଇଥିଲା ଯେ ହିନ୍ଦୁଧର୍ମ ହେଉଛି ‘ସନାତନ ଧର୍ମ’, କାଳର ପ୍ରବାହରେ ଯାହାର ବିଲୟ ନାହିଁ। ବିଶ୍ୱର ଅନ୍ୟ ଯାବତୀୟ ଧର୍ମ ବିଶ୍ୱାସମୂଳକ ଓ ରୀତିନୀତିପ୍ରଧାନ ହୋଇଥିବାବେଳେ ସନାତନ ଧର୍ମ ହେଉଛି ଆଚରଣସିଦ୍ଧ, ଜୀବନ୍ମୟ। ଆତ୍ମମୁକ୍ତି ନୁହେଁ, ଜଗତମୁକ୍ତି ଏହାର ଲକ୍ଷ୍ୟ। ଅନ୍ୟ ଦେଶମାନଙ୍କ ଭଳି ଭାରତବର୍ଷର ଉତ୍‌ଥାନ ମଧ୍ୟ ତା’ ନିଜର ଉତ୍‌ଥାନ ନୁହେଁ କି ନିଜର ଅର୍ଜିତ ସାମର୍ଥ୍ୟକୁ ଦୁର୍ବଳର ନିପୀଡ଼ନରେ ବ୍ୟୟ କରିବା ନୁହେଁ। ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ତା’ର ଅବସ୍ଥାନ।
ଜେଲରେ ହୋଇଥିବା ତାଙ୍କ ରୂପାନ୍ତରଣ ସମ୍ବନ୍ଧରେ କହିବାକୁ ଯାଇ ଶ୍ରୀଅରବିନ୍ଦ କହିଥିଲେ : ”ମୋତେ ଆବଦ୍ଧ ରଖିଥିବା ଜେଲ୍‌ର ଚାରିକାନ୍ଥକୁ ମୁଁ ଯେତେବେଳେ ନିରୀକ୍ଷଣ କଲି, ଦେଖିଲି ଯେ ତାହା କାନ୍ଥ ନୁହେଁ, ସ୍ବୟଂ ବାସୁଦେବ ମୋତେ ଚାରିଆଡ଼ୁ ଆବୋରି ରହିଛନ୍ତି। ଗଛବୃଚ୍ଛ, ସେଲ୍‌, ରକ୍ଷୀ ଓ ବନ୍ଦୀ ଆସାମୀମାନେ ଯେପରି ସେଇ ବାସୁଦେବ ଏପରି ମନେହେଲା। ଆତ୍ମଗର୍ବରେ ଯେଉଁ ସହବନ୍ଦୀମାନଙ୍କୁ ମୁଁ ହେୟ ବିବେଚନା କରୁଥିଲି, ନିର୍ଦ୍ଦେଶ ଆସିଲା ”ଏମାନଙ୍କୁ ମନେଇ ରଖ, କାରଣ ଏଇମାନଙ୍କ ଭିତରେ ହିଁ ତୁମକୁ କାମ କରିବାକୁ ହେବ।“ ଏ ସମସ୍ତଙ୍କ ଭିତରେ ମୁଁ ବିଦ୍ୟମାନ। ମୋରି ଇଚ୍ଛାରେ ସମସ୍ତେ ପରିଚାଳିତ। ସମସ୍ତଙ୍କ ମଧ୍ୟରେ ମୁଁ ହିଁ କାର୍ଯ୍ୟ କରେ। ଯେଉଁମାନେ ଦେଶର ମୁକ୍ତି ପାଇଁ କାର୍ଯ୍ୟରତ, କେବଳ ସେମାନଙ୍କ ମଧ୍ୟରେ ଯେ ମୁଁ କାର୍ଯ୍ୟ କରେ ତାହା ନୁହେଁ, ଯେଉଁମାନେ ମୁକ୍ତିର ବାଧକ, ସେମାନଙ୍କ ମଧ୍ୟରେ ବି ମୁଁ କ୍ରିୟାଶୀଳ। ଯିଏ ଯାହା ଭାବନ୍ତୁ, ଯାହା କରନ୍ତୁ ନା କାହିଁକି, ମୋର ଉଦ୍ଦେଶ୍ୟକୁ ସହାୟତା ଦେବା ଛଡ଼ା ଆଉ କିଛି ହିଁ କରିପାରନ୍ତି ନାହିଁ। ଏମାନେ ମୋର ଶତ୍ରୁ ନୁହନ୍ତି, ଯନ୍ତ୍ର।“
ଯୋଗାନୁଭବରେ ସ୍ବୟଂ ନାରାୟଣ ଶ୍ରୀଅରବିନ୍ଦଙ୍କୁ ଯାହା ଯାହା କହିଥିଲେ, ସେ ତାଙ୍କ ବକ୍ତବ୍ୟରେ ଅତି ସରଳ ଭାବେ ସେସବୁର ଅବତାରଣା କରିଥିଲେ। କହିଥିଲେ, ମୋତେ କୁହାଗଲା ”ତୁମ ପାଇଁ ଉଦ୍ଦିଷ୍ଟ କାମଟି ଯଦି ତୁମେ କରିବାକୁ ଅନାଗ୍ରହୀ ହେବ, ତେବେ ତୁମ ବିନା ତାହା ଅଟକି ଯିବ ନାହିଁ। ଶହ ଶହ ତରୁଣ ଏଥିପାଇଁ ଅସୀମ ଦୃପ୍ତି ନେଇ ଆଗେଇ ଆସିବେ ଓ ତମଠୁଁ ଅଧିକ ସଫଳତାର ସହ କାର୍ଯ୍ୟଟିକୁ ସମ୍ପନ୍ନ କରିବେ। ତୁମେ ବାଦ୍‌ ପଡ଼ିଯିବ। ଜାତିକୁ ବାଣୀ ଦେବା ପାଇଁ ତୁମେ ମୋଠଁୁ କିଛି ଶକ୍ତି ପାଇଛ, ଯାହା ତା’ର ଉତ୍‌ଥାନରେ ସାହାଯ୍ୟ କରିବ।“ ଶ୍ରୀଅରବିନ୍ଦ ତାଙ୍କ ଅନ୍ତରଉଚ୍ଛୁଳା କାରାନୁଭୂତିକୁ ଅନର୍ଗଳ କହି ଚାଲିବା ଭିତରେ କହିଥିଲେ: ”ଇଂଲଣ୍ଡରେ, ପାଶ୍ଚାତ୍ୟ ଧାରଣାଗୁଡ଼ିକ ଭିତରେ ମୁଁ ବଡ଼ ହୋଇଛି ଓ ମୋର ବିଶ୍ୱାସ ଜନ୍ମିଛି ଯେ ହିନ୍ଦୁ ଧର୍ମର ବହୁ କଥା କପୋଳକଳ୍ପିତ ଓ ବାହୁଲ୍ୟ। କିନ୍ତୁ ଏହି କାରାବାସ ଭିତରେ ପ୍ରକୃତ ସତ୍ୟ ମୋର ଗୋଚରୀଭୂତ ହୋଇଛି। ଏପରି କଥାସବୁ ମୋ’ ସମକ୍ଷରେ ଧୀରେ ଧୀରେ ଉନ୍ମୋଚିତ ହେଉଛି, କୌଣସି ବସ୍ତୁବିଜ୍ଞାନ ଯାହାର ଆଦିଅନ୍ତ ପାଇବ ନାହିଁ। ଜୀବନରେ ଆରମ୍ଭରୁ ମୁଁ ଭକ୍ତ ବା ଜ୍ଞାନପିପାସୁ ନ ଥିଲି। ଧର୍ମ ଭାବନା ପ୍ରତି ମୋର କ୍ୱଚିତ୍‌ ଥିଲା ବିଶ୍ୱାସ। ମୋ’ ଅନ୍ତର୍ଲୋକ ଥିଲା ନାସ୍ତିକର ନିବାସସ୍ଥଳ। ଈଶ୍ୱର ଅଛନ୍ତି, ଏ ବିଶ୍ୱାସ ମୋର କେବେ ବି ନ ଥିଲା। କିନ୍ତୁ କୌଣସି ଏକ ଅଦୃଶ୍ୟ ଶକ୍ତି ମୋତେ ବେଦ, ଗୀତା ଓ ହିନ୍ଦୁଧର୍ମ ପ୍ରତି ଆକୃଷ୍ଟ କଲା। ମୁଁ ଯୋଗସ୍ଥ ହେଲି ଓ ପ୍ରାର୍ଥନା କଲି: ”ହେ ଈଶ୍ୱର, ଯଦି ତମେ ଅଛ, ମୋ’ ଅନ୍ତର କଥା ଜାଣୁଛ; ତେବେ ମୋ’ ଦେଶ ଓ ଜାତିର ଉତ୍‌ଥାନ ପାଇଁ କାର୍ଯ୍ୟ କରିବାକୁ ମୋତେ ଶକ୍ତି ଦିଅ। ସେଇମାନଙ୍କ ପାଇଁ ମୋର ଜୀବନ ଉତ୍ସର୍ଗିତ ହେଉ, ଯେଉଁ ଲୋକଙ୍କୁ ମୁଁ ଭଲପାଏ। କ’ଣ ଓ କିପରି କରିବାକୁ ହେବ, ମୁଁ ଜାଣେନା, ମୋତେ ନିର୍ଦ୍ଦେଶ କର!“
ଶ୍ରୀଅରବିନ୍ଦ ପୁଣି କହିଥିଲେ : ”ଯୋଗସ୍ଥ ଥିବାବେଳେ ମୋତେ ଦୁଇଟି ନିର୍ଦ୍ଦେଶ ମିଳିଲା। ପ୍ରଥମଟି ”ତୁମର କାମ, ଜାତିର ଉତ୍‌ଥାନ“ ଏବଂ ଦ୍ୱିତୀୟଟି ”ଏଠୁ ଗଲାପରେ ତୁମେ ବରାବର କହିଚାଲ, ଭାରତର ଉତ୍‌ଥାନର କାରଣ ସନାତନ ଧର୍ମ। ହିନ୍ଦୁଧର୍ମ ବା ସନାତନ ଧର୍ମ ସମ୍ପର୍କରେ ତୁମ ମନରେ ଥିବା ସବୁ ସଂଶୟ ମୁଁ ମୋଚନ କରିଛି। ଏହା ସେହି ଧର୍ମ, ଯାହାକୁ ବିଶ୍ୱ ସମକ୍ଷରେ ମୁଁ ତୋଳି ଧରିଛି। ଋଷି, ସନ୍ଥ ଓ ଅବତାରମାନଙ୍କ ମଧ୍ୟଦେଇ ଯାହାକୁ ବିଶୋଧିତ କରିଛି। ନିଜର ନୁହେଁ, ବିଶ୍ୱ ସମୁଦାୟର ଉତ୍‌ଥାନ ପାଇଁ ଏହି ଧର୍ମ ଉଦ୍ଦିଷ୍ଟ। ଭାରତର ଉତ୍‌ଥାନ ହେବ କହିବାର ଅର୍ଥ ସନାତନ ଧର୍ମର ଉତ୍‌ଥାନ।“ ଅଭିଭାଷଣ ଶେଷରେ ଶ୍ରୀଅରବିନ୍ଦ କହିଥିଲେ: ”ଏହି ବାଣୀ ମୋତେ ପ୍ରାପ୍ତ ହୋଇଥିଲା, ଆପଣମାନଙ୍କୁ ଅବଗତ କରାଇବା ପାଇଁ। ଆଗରୁ କହିଛି ଓ ଏବେ କହୁଛି ଯେ ଦେଶର ମୁକ୍ତି ଆନ୍ଦୋଳନ ଏକ ରାଜନୈତିକ ଆନ୍ଦୋଳନ ନୁହେଁ, ଜାତୀୟତା ମଧ୍ୟ ରାଜନୀତି ନୁହେଁ; ଗୋଟିଏ ଧର୍ମ, ଗୋଟିଏ ବିଶ୍ୱାସ ଓ ଗୋଟିଏ ନିଷ୍ଠା। ଆମ ପାଇଁ ଏହି ସନାତନ ଧର୍ମ ହିଁ ହେଉଛି ଜାତୀୟତା।“
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri