ସହରୀ ବନ୍ୟା

ଡ. ଦେବାନନ୍ଦ ବେଉରା

ସହରରେ ବନ୍ୟା ସୃଷ୍ଟି ଏକ ନିୟମିତ ପ୍ରକ୍ରିୟାରେ ପରିଣତ ହୋଇଗଲାଣି। ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରାୟତଃ ଊଣା ଅଧିକେ, ଛୋଟ ବଡ ଅନେକ ସହର ବୃଷ୍ଟିଜନିତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ବେଶ୍‌ କିଛିବର୍ଷ ହେବ ଏହି ସହରୀ ବନ୍ୟାର ପ୍ରକୋପ କ୍ରମଶଃ ବଢ଼ି ବଢ଼ି ଚାଲିଛି ା ଅବଶ୍ୟ ସହରର ଜଳମଗ୍ନତା ପାଇଁ ଉଭୟ ବୃଷ୍ଟିପାତର ହାର ଓ ସହର ଦାୟୀ ବୋଲି ଦେଖାଯାଇଛି ା ସହରୀକରଣରେ ଯୋଜନା ଖିଲାପୀ ସମୃଦ୍ଧି ସାଙ୍ଗକୁ ଅବିଶ୍ରାନ୍ତ ବୃଷ୍ଟିପାତ ସହରୀ ବନ୍ୟାର ପ୍ରକୋପକୁ ପ୍ରୋତ୍ସାହିତ କରିଚାଲିଛି। ବନ୍ୟାଜନିତ କ୍ଷୟକ୍ଷତି ତ ବହୁ ବିସ୍ତୃତ, ପୁଣି ସହରରେ ବନ୍ୟା-ଦୁର୍ଦ୍ଦଶା-ଦୁର୍ଦ୍ଦିନ କଥା ନ କହିବା ଭଲ। ଏବେ ଏବେ ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ସଂଘଟିତ ଲଗାମଣ ବର୍ଷାଜନିତ ବନ୍ୟାର ଦୁଃଖଦ ଦୃଶ୍ୟ ତା’ର ଜ୍ୱଳନ୍ତ ଉଦାହରଣ। ଖାଲି ହାଇଦ୍ରାବାଦ କ’ଣ, ଦିଲ୍ଲୀ ହେଉ ବା ମୁମ୍ବାଇ କିମ୍ବା କୋଲକାତା ବା ଚେନ୍ନାଇ ସବୁ ବଡ ସହରରେ ସମାନ ପରିସ୍ଥିତି ା ଧୀରେ ଧୀରେ ଭୁବନେଶ୍ୱର ମଧ୍ୟ ସେପରି ସ୍ଥିତିକୁ କ୍ରମ ପ୍ରବେଶ କରିବାରେ ଲାଗିଛି ା କେଇ ଘଣ୍ଟାର ବର୍ଷାରେ ବେଶି ସମୟ ଲାଗୁନି ଜଳାର୍ଣ୍ଣବ ହେବାକୁ। ଅବଶ୍ୟ ପୁରୁଣା ସହର କଟକ କଥା ଟିକେ ନିଆରା। ଲୋକେ କୁହନ୍ତି ବେଙ୍ଗ ମୂତିଲେ ଏଠି ବନ୍ୟା ା ତେବେ ମୂଷଳ ଧାରାରେ ମେଘ ବର୍ଷିଲେ ଏଠିକାର ସ୍ଥିତି ସହଜେ ଅନୁମେୟ। ସାମ୍ପ୍ରତିକ ପରିସ୍ଥିତିରେ ସହରୀ ବନ୍ୟାର କ୍ରମବର୍ଦ୍ଧିଷ୍ଣୁ ଆଗମନ ଓ ଆତଙ୍କ ଏହାକୁ ବିଶ୍ୱରେ ଏକ ବିଶେଷ ବିପର୍ଯ୍ୟୟର ମାନ୍ୟତା ଦେଇସାରିଲାଣି ା
ପୁରୁଷାନୁକ୍ରମେ ବନ୍ୟାକୁ ଭେଟୁଥିବା ବନ୍ୟାଞ୍ଚଳର ଲୋକଙ୍କ ପାଇଁ ସହରୀ ବନ୍ୟା ଶବ୍ଦଟା କେମିତି ଗୋଟେ ଅଖାଡୁଆ ଲାଗୁଥିବ। ବୟସ୍କ ଲୋକଙ୍କ ପିଲାଦିନର ନଈବଢି ଦୃଶ୍ୟ ଆଢୁଆଳରେ ଏଥର ସହରୀ ବନ୍ୟାଟା ମଧ୍ୟ ସେହିପରି ଏକ ଅନୁଭୂତି। ଚିରାଚରିତ ଢଙ୍ଗରେ ବନ୍ୟାକହିଲେ ତ ନଈବଢିକୁ ବୁଝାଏ, ଅର୍ଥାତ୍‌ ନଦୀ କୂଳ ଲଂଘି, ବନ୍ଧବାଡ ଭାଙ୍ଗି ଜନବସତି ଏବଂ କୃଷି କ୍ଷେତକୁ ଜଳମଗ୍ନ କରିବାର ପ୍ରାକୃତିକ ପ୍ରକ୍ରିୟା। ଯାହା ଏବେ ବି ତା’ର ବୈଜ୍ଞାନିକ ପରିଭାଷାକୁ ପରିବର୍ତ୍ତନ କରିନି ଆଉ ସହର ସନ୍ନିକଟ ନଦୀ କୂଳ ଲଂଘିଲେ ଜନତାଙ୍କ ନଈବଢି ଦେଖିବାପାଇଁ ଉତ୍ସୁକତା ଏହାକୁ ପ୍ରାମାଣିକ ଅନୁଭୂତିରେ ପରିଣତ କରିଥାଏ। ମାତ୍ର ନଈବଢି ସହିତ ଆଉ ଏକ ପ୍ରାକୃତିକ ପ୍ରକ୍ରିୟା ‘ଆକସ୍ମିକ ବନ୍ୟା’ ବା ‘ଫ୍ଲାସ ଫ୍ଲଡ’ ମଧ୍ୟ ଜଳପ୍ରଳୟ ସୃଷ୍ଟି କରିବାରେ ନଜିର ରହିଛି ା ସହରୀ ବନ୍ୟା ଏହି ଆକସ୍ମିକ ବନ୍ୟାର ଏକ ଭିନ୍ନ ନାମ ଏବଂ ପରିବର୍ତ୍ତିତ ସ୍ବରୂପ। ସକ୍ରିୟ ଜଳନିଷ୍କାସନରେ ପ୍ରତିବନ୍ଧକ ଥିବା ଏକ ପ୍ରତିବର୍ଦ୍ଧିତ ଅଞ୍ଚଳରେ ମୁଖ୍ୟତଃ ସହରାଞ୍ଚଳରେ ଲଗାଣ ବର୍ଷା ବା ବାଦଲଫଟା ବର୍ଷା ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥାଏ ା
ପାଣିଭରା ରାସ୍ତାଘାଟ ନଦୀର ଭ୍ରମ ସୃଷ୍ଟି କରି ଜୀବନଯାତ୍ରା ବିପର୍ଯ୍ୟସ୍ତ କରିବା ସହିତ ମାତ୍ରାଧିକ ଅର୍ଥନୈତିକ କ୍ଷୟକ୍ଷତି ଘଟାଇଥାଏ ା ବର୍ଷା-ବନ୍ୟାର ମିଳିତ ବିଭୀଷିକାରେ ଜୀବନହାନି ପରି ଅଘଟଣର ସମ୍ଭାବନା ବଢି ଯାଇଥାଏ ା ଯଦିଓ ପୂର୍ବାନୁମାନ ଆଂଶିକ ଭାବେ ଠିକ ହୋଇଥାଏ କିନ୍ତୁ ସମୟ ଓ ସୁଯୋଗର ସ୍ବଳ୍ପତା ପାଇଁ ପୂର୍ବ ପ୍ରସ୍ତୁତି ସେତେଟା ଫଳପ୍ରଦ ହୋଇ ନ ଥାଏ ା ଯେହେତୁ ସହରୀବନ୍ୟା ମୁଖ୍ୟ ରୂପେ ଭିତ୍ତିଭୂମି ସଂରଚନା ତଥା ସହର ନିର୍ମାଣ ଯୋଜନା ସହିତ ସଂଶ୍ଲିଷ୍ଟ ଥାଏ, ତେଣୁ ବାସ୍ତବକାଳୀନ ଉଦ୍ଧାର ବ୍ୟତୀତ ଆଉ ଅଧିକ କିଛି କରିହୁଏ ନାହିଁ ା ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ସହରୀ ବନ୍ୟା ଏକ ସାମୟିକ କିନ୍ତୁ ସଂହାରକ ବିପର୍ଯ୍ୟୟ।
ସହରୀ ବନ୍ୟା ପରିପ୍ରେକ୍ଷୀରେ ବିଶ୍ୱର ଚିତ୍ର ଦେଖିଲେ ବୁଝାପଡେ ଯେ, ପୃଥିବୀରେ ବଡ ବଡ ତଥା ପ୍ରସିଦ୍ଧ ସହର ଏଥିରୁ ବାଦ୍‌ ପଡୁନାହାନ୍ତି ା ପ୍ରାୟ ୪୦ଟି ଦେଶର ୧୮୦୦ ସହର ନିୟମିତ ଭାବେ ସହରୀ ବନ୍ୟାର ସମ୍ମୁଖୀନ ହେଉଛନ୍ତି ା ସମଗ୍ର ବିଶ୍ୱରେ ଏସିଆର ଦେଶଗୁଡିକ ସହରୀ ବନ୍ୟା ବେଶି ଭୋଗିଥାନ୍ତି ା ସେଥି ମଧ୍ୟରେ ଚାଇନା, ଭାରତ, ଇଣ୍ଡୋନେସିଆ, ବାଂଲାଦେଶ, ଭିଏତ୍‌ନାମ, ଥାଇଲାଣ୍ଡ ଆଦି ଦେଶ ପ୍ରମୁଖ ଭାଗରେ ରହିଛନ୍ତି ା ଏମାନଙ୍କ ତଳକୁ ଆମେରିକା, ଆଫ୍ରିକା ଏବଂ ୟୁରୋପୀୟ ଦେଶଗୁଡିକର ସହରମାନ ସହରୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାନ୍ତି ା ଆମ ଦେଶର କିଛି ମୁଖ୍ୟ ସହର ଗତାନୁଗତିକ ଭାବେ ସହରୀବନ୍ୟା ଦ୍ୱାରା କବଳିତ ହୋଇ ଚାଲିଛନ୍ତି ା ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ ଘଣ୍ଟାରେ ୯୪୪ ମିଲିମିଟର ବର୍ଷା ପାଇଁ ୨୦୦୫ରେ ଘଟିଥିବା ବନ୍ୟାରେ ୧୦୯୪ ଜଣଙ୍କର ପ୍ରାଣହାନି ଘଟିବା ସହିତ ଦୁଇ ଦିନରେ ପ୍ରାୟ ୫୫୦ କୋଟିର କ୍ଷୟକ୍ଷତି ହୋଇଥିଲା ା ସେହିପରି ୨୦୦୭ ଓ ୨୦୧୫ରେ ପ୍ରବଳ ବୃଷ୍ଟି ଜନିତ ବନ୍ୟାପାଇଁ ମୁମ୍ବାଇ ପ୍ରଭୂତ କ୍ଷୟକ୍ଷତି ସହିଥିଲା ା
୨୦୧୫ ନଭେମ୍ବର ଓ ଡିସେମ୍ବରରେ ଚେନ୍ନାଇରେ ଘଟିଥିବା ପ୍ରଚଣ୍ଡ ବନ୍ୟା ଯୋଗୁ ପ୍ରାୟ ୨୫୦ ଜଣଙ୍କର ଜୀବନହାନି ଘଟିବା ସହିତ ୧୫୦୦ କୋଟି ମୂଲ୍ୟର କ୍ଷୟକ୍ଷତି ହୋଇଥିଲା ା ସେହିପରି ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦରେ ସହରୀ ବନ୍ୟାର ଲମ୍ବା ତାଲିକା। ଦିଲ୍ଲୀରେ ନିକଟ ଅତୀତ ଅର୍ଥାତ୍‌ ୨୦୧୦, ୨୦୧୧, ୨୦୧୩ ଓ ୨୦୧୬ରେ ପ୍ରଚଣ୍ଡ ବୃଷ୍ଟିଜନିତ ବନ୍ୟା ଅନେକ କ୍ଷୟକ୍ଷତି କରିସାରିଛି ା ବେଙ୍ଗାଲୁରୁରେ ୨୦୦୫ ଅକ୍ଟୋବରରେ ୨୪ ଘଣ୍ଟାର ୫୨୫ ମିଲିମିଟର ବର୍ଷା ଏକ ବଡ ବନ୍ୟା ସୃଷ୍ଟି କରିଥିଲା। ୨୦୦୯, ୨୦୧୩, ୨୦୧୬ ମସିହାରେ ଏହି ସହର ବନ୍ୟା ବିତ୍ପାତରୁ ବାଦ୍‌ ପଡିନି। ସେହିପରି ହାଇଦ୍ରାବାଦ ଲଗାତର ଭାବେ ୨୦୦୦, ୨୦୦୧, ୨୦୦୨, ୨୦୦୬ ଏବଂ ୨୦୦୮ ମସିହାରେ ସହରୀ ବନ୍ୟାର ପ୍ରକୋପକୁ ସମ୍ମୁଖୀନ ହୋଇସାରିଛି ା
ସଂପ୍ରତି ୨୦୨୦ ଅକ୍ଟୋବର ୧୩/୧୪ ତାରିଖରେ ହାଇଦ୍ରାବାଦରେ ସୃଷ୍ଟି ହୋଇଥିବା ବନ୍ୟା ଅତ୍ୟନ୍ତ ଭୟାବହ ହୋଇପଡିଛି ା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ରୂପ ଧାରଣ କରି ଯେତେବେଳେ କାକିନାଡା ଉପକୂଳ ଦେଇ ଗତିକଲା, ତା’ର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ସମେତ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହେଲା ା
ବିଶେଷ କରି ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଯୋଗୁ ହାଇଦ୍ରାବାଦ ସହର ଜଳପ୍ରଳୟର ପରିଧି ମଧ୍ୟରେ ଉବୁଟୁବୁ ହେବାକୁ ଲାଗିଲା ା ୨୪ ଘଣ୍ଟା ମଧ୍ୟରେ ଏହି ସହର ସହିତ ଚତୁଃପାର୍ଶ୍ୱରେ ୩୨୪.୫ ମିଲିମିଟର ବର୍ଷା ପ୍ରଳୟଙ୍କରୀ ବନ୍ୟା ସ୍ଥିତି ସୃଷ୍ଟି କରି ସହରକୁ ନାହିଁ ନ ଥିବା ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଲା ା ୧୯୦୩ ମସିହା ପରେ ଏହା ଥିଲା ସହରର ଅକ୍ଟୋବର ମାସର ସବୁଠୁ ଅଧିକତମ ବୃଷ୍ଟିପାତ ା ଏହି ବନ୍ୟାରେ ହାଇଦ୍ରାବାଦ ସମେତ ତେଲଙ୍ଗାନାରେ ୫ ଜଣ ମୃତ୍ୟୁବରଣ କରିବା ସହିତ ପ୍ରାୟ ୫୦୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି ା
ପ୍ରାକୃତିକ ବିପର୍ଯ୍ୟୟର ପରିସଂଖ୍ୟାନ ମଧ୍ୟରେ ସହରୀ ବନ୍ୟା ସଂଖ୍ୟା ଧୀରେ ଧୀରେ ଉପରମୁହଁା ହେଉଥିବାର ଲକ୍ଷ୍ୟ କରାଯାଇଛି ା ତେବେ ଏହି ସହରୀବନ୍ୟାର କାରଣ ଉଭୟ ପ୍ରାକୃତିକ ଓ ମଣିଷକୃତ କାର୍ଯ୍ୟକଳାପ ସହିତ ମିଳିତ ଭାବେ ସଂଯୋଜିତ ହୋଇ ରହିଛି ା ସାଧାରଣ ବନ୍ୟା ପରି ସହରୀ ବନ୍ୟା ମଧ୍ୟ ବୃଷ୍ଟିପାତ ପାଇଁ ହୋଇଥାଏ ା ଅବଶ୍ୟ କେତେକ ସ୍ଥାନରେ ଏହା ବରଫ ତରଳିବା ବା ସମୁଦ୍ର ଜୁଆର ପଶିଯିବା କିମ୍ବା ବଡ ବଡ ଜଳାଶୟ ଭାଙ୍ଗିଯିବା ଦ୍ୱାରା ସୃଷ୍ଟି ହୋଇଥାଏ ା
କିନ୍ତୁ ଅନବରତ ପ୍ରଚଣ୍ଡ ବୃଷ୍ଟିପାତ ଏବଂ ସହରର ଜଳନିଷ୍କାସନକାରୀ ବ୍ୟବସ୍ଥାର ଅକ୍ଷମତା ଅଧିକାଂଶ ସହରୀବନ୍ୟାର ସାଧାରଣ କାରଣ ସାଜିଥାଏ ା ଏହା ସ୍ପଷ୍ଟ ଯେ, ସହର ନିର୍ମାଣ ଯୋଜନାର ସ୍ଥିରୀକୃତ ହେଉଥିବା ଭୂମିର ବ୍ୟବହାରିକ ଢାଞ୍ଚା, ଜଳନିଷ୍କାସନର ବ୍ୟବସ୍ଥା ତଥା ପ୍ରାକୃତିକ ଜଳପ୍ରବହମାନ ବ୍ୟବସ୍ଥାର ସଂରକ୍ଷଣ ଭବିଷ୍ୟତରେ ପାଳନ କରାଯାଉନି ା ସହରଗୁଡିକର କ୍ଷିପ୍ର କାୟାବୃଦ୍ଧି, ଜନସଂଖ୍ୟାବୃଦ୍ଧି, ବେନିୟମ ନିର୍ମାଣ ଶୈଳୀ ସହରର ମୌଳିକ ଭିତ୍ତିଭୂମି ପାଇଁ ଅସମ୍ଭାଳ ହୋଇପଡୁଛି ା
ଏପରି କାର୍ଯ୍ୟକ୍ରମରେ ସହରର ଡ୍ରେନେଜ ବ୍ୟବସ୍ଥା ବା ନାଳ ଆଦି ଚାପଗ୍ରସ୍ତ ରହିବା ସହ ଅଧିକ ବୃଷ୍ଟିପାତ ସମୟରେ ଅସମର୍ଥ ଅବା ସମ୍ପୂର୍ଣ୍ଣ ଅଚଳ ହୋଇପଡୁଛି ା ପ୍ରାକୃତିକ ଜଳବାହିକାଗୁଡ଼ିକ ରାସ୍ତାଘାଟ, କୋଠାବାଡିର ପଞ୍ଝା ଭିତରେ ନିଜର ଅସ୍ତିତ୍ୱ ହରାଇ ବସୁଛନ୍ତି ା ଏମିତି ଦେଖିବାକୁ ଗଲେ ଅନେକ ସହରରେ ଡ୍ରେନେଜ ବ୍ୟବସ୍ଥା ବହୁତ ପୁରୁଣା ଏବଂ ପଟୁ ଦ୍ୱାରା କବଳିତ ା ଅନେକ ସ୍ଥାନରେ ରକ୍ଷଣାବେକ୍ଷଣର ଅଭାବରୁ ଏଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ସାଧାରଣ ଭାବେ ଦେଖିବାକୁ ମିଳେ ଯେ, ମୌସୁମୀ ଆସିବା ପୂର୍ବରୁ ପ୍ରତିବର୍ଷ ନାଳ ସଫେଇ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଏ ା
ଉଦ୍ଧାରିତ ଅଳିଆ-ଆବର୍ଜନା, ପଟୁ ଇତ୍ୟାଦି ଠିକ ସମୟରେ ସ୍ଥାନାନ୍ତରିତ ନ ହେବା କାରଣରୁ ପୁନଶ୍ଚ ବର୍ଷରେ ନାଳ ମଧ୍ୟକୁ ଚାଲିଯାଏ ା ସବୁଠାରୁ ବଡ କଥା ହେଉଛି ଡ୍ରେନକୁ ଡଷ୍ଟବିନ ଭାବେ ବ୍ୟବହାର କରିବା ଆମର ଯେମିତି ମୌଳିକ ଅଧିକାର ା ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ବା ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମାନ ଚିନ୍ତାଧାରା ା ବର୍ଜ୍ୟବସ୍ତୁର ଏକମାତ୍ର ଗନ୍ତବ୍ୟସ୍ଥଳ ସହରର ନାଳ ା ଏପରି ସ୍ଥିତିରେ ସହରୀ ବନ୍ୟା ଯେ ଅନ୍ୟ କେଉଁ ଅଲଗା କାରଣରୁ ହେଉଛି ତାହା ଭାବିବା ନିରର୍ଥକ ା
ହଁ ଜଳବାୟୁ ପରିବର୍ତ୍ତନଜନିତ ଅନିଶ୍ଚିତ ତଥା ଅସନ୍ତୁଳିତ ବୃଷ୍ଟି ଅନ୍ୟତମ କାରଣ ନିଶ୍ଚୟ। ତେବେ ପ୍ରକୃତିର ପ୍ରକୋପକୁ ପ୍ରଶମିତ କରିବା ପାଇଁ ମଣିଷ ନିଜର ପ୍ରକୃତି ପରିବର୍ତ୍ତନ କିମ୍ବା ପରିହାର କରିବା ନିଶ୍ଚୟ ଆବଶ୍ୟକ ା
ଜଳବାୟୁରେ ବ୍ୟତିକ୍ରମ ଯୋଗୁ ପାଣିପାଗରେ ଘଟୁଥିବା ଅହେତୁକ ଅସ୍ଥିରତା ଗୋଟେ ଧାରାବାହିକ ପ୍ରକ୍ରିୟାରେ ପରିଣତ ହୋଇସାରିଲାଣି ା ବୃଷ୍ଟିପାତର ହାର, ପରିମାଣ, ବଣ୍ଟନ ଏବଂ ଭୀଷଣତା ଉପରେ ଏହା ଯେ ପ୍ରଭାବଶାଳୀ ରହୁଛି ତାହା ତଥ୍ୟଭିତ୍ତିକ ଅନୁସନ୍ଧାନ ଓ ବିଶ୍ଲେଷଣରୁ ଜଣାପଡୁଛି ା ପ୍ରକୃତିରେ ଏପରି ଧାରା ଲାଗି ରହିଲେ ଭବିଷ୍ୟତରେ ସହରଗୁଡିକ ଅଧିକରୁ ଅଧିକ ଆକସ୍ମିକ ବନ୍ୟାର ଶିକାର ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ା ଜଳବାୟୁ ପରିବର୍ତ୍ତନ ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଷ୍ଟିରେ ରଖି ସହରର ବୃଷ୍ଟିଜଳ ନିଷ୍କାସନ ଭିତ୍ତିଭୂମିକୁ ସଂପ୍ରସାରଣ ତଥା ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବା ସହିତ ପ୍ରସ୍ତାବିତ ଡ୍ରେନେଜ ବ୍ୟବସ୍ଥାକୁ ସମୟୋପଯୋଗୀ ଏବଂ ନୂତନ ମାନଦଣ୍ଡ ଅନୁସାରେ ନିର୍ମାଣ କରାଯିବା ଆବଶ୍ୟକ ା ବୃଷ୍ଟିପାତର ପୂର୍ବାନୁମାନ ନମୁନା ପ୍ରସ୍ତୁତି ଜଳନିଷ୍କାସନ ପ୍ରକ୍ରିୟାକୁ ସାହାଯ୍ୟ କରିବା ସହିତ ସହରର ଭୂମି ବ୍ୟବହାର୍ଯ୍ୟ ଉପଯୋଗିତାକୁ ସସମର୍ଥ କରିପାରିବ ା ସହରର ତଳି ଅଞ୍ଚଳ, ବାହ୍ୟ ପରିସୀମା ଓ ପ୍ରାକୃତିକ ଜଳବାହିକା ପରି ସମ୍ବେଦନଶୀଳ ସ୍ଥାନରେ ଗଢି ଉଠୁଥିବା କୋଠାବାଡି, ବସ୍ତିକୁ ବ୍ୟବସ୍ଥିତ କରାଯିବା ଦରକାର ା ପୌରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଏ ଦିଗରେ ସଚେତନା ସୃଷ୍ଟି ହେବା ସହିିତ ବ୍ୟକ୍ତିଗତ ସ୍ତରରେ ମାନସିକତାର ପରିବର୍ତ୍ତନ ହେବା ନିହାତି ଆବଶ୍ୟକ ା ନ ହେଲେ ସହରୀ ଜୀବନରେ ବଡ ବଡ ପ୍ରସଙ୍ଗକୁ ନେଇ ବ୍ୟସ୍ତତା ଭିତରେ ସହରୀ ବନ୍ୟା ଭଳି ନଜର ଅନ୍ଦାଜ ହୋଇ ପଡୁଥିବା ବିପର୍ଯ୍ୟୟ ପ୍ରଭୂତ କ୍ଷୟକ୍ଷତି ଘଟାଇ ଚାଲିଥିବ ା
-ବିଭାଗୀୟ ମୁଖ୍ୟ, ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

କେରଳ ଉପରେ ଦୃଷ୍ଟି

ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ତୃତୀୟ ଲହରର ଭୟ ମୁଣ୍ଡ ଟେକୁଛି। କ୍ରମାଗତ ସପ୍ତାହେ ଧରି ସଂକ୍ରମଣ ବୃଦ୍ଧି ପାଇ ୧ ଅଗଷ୍ଟ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଞ୍ଚ

ଟେଲିଯୋଗାଯୋଗ କ୍ଷେତ୍ର ଦିନକୁ ଦିନ ବ୍ୟାପକ ଆକାର ଧାରଣ କରୁଛି। ଏଥିରେ ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ଆଖିପିଛୁଳାକେ ଅନେକ ପରିବର୍ତ୍ତନ ଆସିପାରୁଛି। ଭାରତୀୟ ଟେଲିକମ୍‌ ଶିଳ୍ପର...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍‌ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍‌-୧୯...

କରୋନାରେ ଦାଦନ ଶ୍ରମିକ

ସତୀଶ ବିଶ୍ୱାଳ ନାଁଟି ତା’ର ଚିତା ସାହୁ। ବୟସ ୭୦ ପାଖାପାଖି। ଘର ଯାଜପୁର ଜିଲାର ଧର୍ମଶାଳା ବ୍ଲକ ମଧୁପୁରଗଡ (କୁକୁଡାଖାଳି)। କାହିଁ କେବେଠାରୁ ସ୍ବାମୀ...

ସମର୍ପିତ ଶିକ୍ଷାସେବୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ...

କର୍ପୋରେଟ୍‌ଙ୍କ ଝୁଲାରେ ଦେଶ ସମ୍ପତ୍ତି

ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରର ଏନ୍‌ଡିଏ ସରକାର ନିଜର ଦ୍ୱିତୀୟ ପାଳିରେ ଦେଶର ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଏକ ବଡ଼ ଧରଣର ଘରୋଇକରଣ ଅଭିଯାନ ଆରମ୍ଭ କରିଛନ୍ତି। ଆର୍ଥିକ...

କାହା ହିତରେ ଲୋଭନୀୟ ଯୋଜନା

ଈପ୍ସିତା ମହାନ୍ତି ସାମାଜିକ ସୁରକ୍ଷା ନାମରେ ସାଧାରଣ ଜନତାଙ୍କ ସମେତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସରକାରୀ ସହାୟତା ଓ ସୁବିଧା ପ୍ରଦାନ ସର୍ବଦା...

କୁକୁରଙ୍କ ଯତ୍ନ

ମାନେକା ଗାନ୍ଧୀ କିଛି ସପ୍ତାହ ପୂର୍ବରୁ କେବଳ ‘ପିପୁଲ ଫର୍‌ ଆନିମଲସ୍‌’(ପିଏଫ୍‌ଏ) ସଂସ୍ଥାର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରିଥିଲି। ସେମାନଙ୍କ ମଧ୍ୟରୁ ପ୍ରାୟ...

Advertisement
Archives

Model This Week