ଅତର୍ଚ୍ଛା ଦୌଡ଼

ଦିଲ୍ଲୀରେ ଗତ ଦୁଇ ଦିନରେ ପାଖାପାଖି ୫୦ ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ୍‌ ସଙ୍କଟଜନିତ ବୋଲି ସରକାରୀ ତଥ୍ୟ ଦିଆଯାଇଛି। ହେଲେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଶ୍ମଶାନରେ ପୋଡ଼ାଯାଉଥିବା ଶବଗୁଡ଼ିକର ଚିତ୍ର ଦେଖିଲେ ଜଣାପଡ଼ିଯାଉଛି। ବିଧିବଦ୍ଧ ଯୋଜନାର ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲ ହାତଯୋଡ଼ି ସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି ଅକ୍ସିଜେନ୍‌ ସିଲିଣ୍ଡର ପଠାଇବାକୁ। ସେହିପରି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ଗୁଜରାଟରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଓଡ଼ିଶାରେ ସେଭଳି ଗମ୍ଭୀର ଅବସ୍ଥା ଦେଖାଦେଇ ନ ଥିଲେ ମଧ୍ୟ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୬ ହଜାର ଉପରେ ରହିବା ଲୋକଙ୍କ ମନରେ ଭୀତି ସଞ୍ଚାର କରିଛି। ମୋଟାମୋଟି କହିଲେ ସ୍ବାସ୍ଥ୍ୟଜନିତ ଜରୁରିକାଳୀନ ପରିସ୍ଥିତି ଦେଶକୁ କାବୁ କରିଦେଇଛି। ଯୁଆଡ଼େ ଦେଖିଲେ ସବୁଆଡ଼େ କରୋନା ଦ୍ୱିତୀୟ ଲହର ନେଇ ଆଲୋଚନା ହେଉଛି। ସମ୍ଭବତଃ କେହି କହିପାରିବେ ନାହିଁ ଯେ ପ୍ରଥମ ଲହର ରହିଛି କି? ହୁଏତ ଆହୁରି ଲହର ବାକି ଅଛି। ଆଗକୁ ସଂକ୍ରମଣର ସୁନାମି କେଉଁ ରୂପ ଧାରଣ କରିବ କହିହେବ ନାହିଁ। ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା, ଅକ୍ସିଜେନ୍‌ ଅଭାବ ଓ ରେମ୍‌ଡେସିଭିର୍‌ ଭଳି ଅତ୍ୟାବଶ୍ୟକ ଔଷଧର ସଙ୍କଟ ଦେଶରେ ଦେଖାଦେଇ ସାରିଲାଣି ବୋଲି ଭାରତବାସୀ ଉପଲବ୍‌ଧି କଲେଣି। ଏଭଳି ସ୍ଥଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କୀ ବାତ୍‌’ରେ କେବଳ ସଚେତନତାର ବାର୍ତ୍ତା ବାଣ୍ଟିବା ସହ କରୋନା ଯୋଦ୍ଧା ଓ ଲୋକଙ୍କୁ ପ୍ରଶଂସା କରିବାରେ ବ୍ୟସ୍ତ। ସମ୍ଭବତଃ ସେ ବୁଝିଗଲେଣି ଯେ ଏ ଦେଶରେ ଜନସାଧାରଣଙ୍କୁ ଗୁଣୁଗୁଣେଇବା ଭଳି ‘ସ୍ବଚ୍ଛ ଭାରତ’, ‘ଅଚ୍ଛେ ଦିନ୍‌’ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’, ‘ଆତ୍ମନିର୍ଭର ଭାରତ’ ପରି କିଛି କ୍ୟାଚ୍‌ଫ୍ରେଜେସ୍‌ ଧରେଇ ଦେଲେ ସେମାନେ ଖୁସି ହୋଇଯିବେ। ଅନେକାଂଶରେ ତାହା ତାଙ୍କୁ ସଫଳତା ଦେଇଦେଉଥିବାରୁ ସେ ଲୋକଙ୍କୁ ସାଙ୍ଗରେ ନେଇ ଅସ୍ବାଭାବିକ ସ୍ଥିତିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସାଧାରଣ ଲୋକ ଏହାର ମୂଲ୍ୟ ନିଜର ଜୀବନ ଦେଇ ଦେଉଛନ୍ତି।
ପ୍ରଥମେ ରାଷ୍ଟ୍ରୀୟ ସ୍ତରର କ୍ଷମତା ଚାଖିଲା ବେଳେ ମୋଦି ‘ସ୍ବଚ୍ଛ ଭାରତ’ ସ୍ଲୋଗାନ ଦେଲେ। ଦେଶକୁ ସଫାସୁତୁରା ରଖିବା ପାଇଁ ଲୋକଙ୍କଠାରୁ ସମୟ ମାଗିଲେ ଏବଂ ସେଥିପାଇଁ ସେସ୍‌ ଭାବେ ଟିକସ ବସାଇଥିଲେ, ଯାହା ଏପର୍ଯ୍ୟନ୍ତ ଦେଶବାସୀ ସବୁଥିରେ ଦେଇଚାଲିଛନ୍ତି। ତା’ ପରେ ଆଧାର ଓ ରାଶନ କାର୍ଡ ପାଇଁ ଅତର୍ଚ୍ଛା ଦୌଡ଼ାଇଲେ। କଳାଧନ ଫେରାଇ ଆଣିବା ସକାଶେ ଆଗକୁ ଅଚ୍ଛେ ଦିନ୍‌ ଆସୁଛି ବୋଲି କହିଲେ। ବିମୁଦ୍ରୀକରଣରେ ଲୋକେ ଯେତେବେଳେ ଦୁଃଖ ପାଇଲେ ସେମାନଙ୍କୁ ସୀମାନ୍ତରେ ସୈନ୍ୟମାନଙ୍କ କଷଣର ଦୃଷ୍ଟାନ୍ତ ଦେଇ କହିଲେ ଭଲ କାର୍ଯ୍ୟ ପାଇଁ ନାଗରିକମାନେ ତାହାକୁ ସହ୍ୟ କରନ୍ତୁ। ସେଥିସକାଶେ ସେ ୫୦ ଦିନ ସମୟ ଚାହିଁଲେ। ଏନ୍‌ଆର୍‌ସି ଏବଂ ସିଏଏ ଭଳି ପ୍ରସଙ୍ଗରେ କହିଲେ ଯଦି ସେ ଠିକ୍‌ କହୁଛନ୍ତି, ତେବେ ଜନତା ଗୋଟେ ମିସ୍‌ଡ କଲ ଦିଅନ୍ତୁ। ଯଦି ଭୁଲ ଭାବୁଛନ୍ତି, ତାହା ହେଲେ ମିସ୍‌ଡ କଲ୍‌ ଦିଅନ୍ତୁ ନାହିଁ। ପରେ ମିସ୍‌ଡ କଲ୍‌କୁ ଗଣାଯିବ। ଏଲ୍‌ପିଜି ସବ୍‌ସିଡି ଛାଡ଼ ଲାଗି ସ୍ଲୋଗାନ ଦେଇଥିଲେ। କେତେ ଲୋକ ସବ୍‌ସିଡି ପରିତ୍ୟାଗ କଲେ ତାହାର ତଥ୍ୟ ଦିଆ ନ ଯାଇ ଗ୍ୟାସ୍‌ ଟାଙ୍କି ମହିଳାଙ୍କ ହାତରେ ଧରେଇ ଦିଆଯାଇଥିବାର ଚିତ୍ର ପ୍ରକାଶ କରାଗଲା। କଶ୍ମୀର ସମସ୍ୟାର ସମାଧାନ ସକାଶେ ୩୦ ଦିନ ସମୟ ମାଗିଲେ। ଏବେ ସେହି ରାଜ୍ୟରୁ ସବୁ ଖବର ପଦାକୁ ଆସିପାରୁ ନ ଥିବାରୁ ବାସ୍ତବ ସ୍ଥିତି କେହି ଜାଣିପାରୁ ନାହାନ୍ତି। ସେଠାରେ ଅଧିକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିବା ହେତୁ ରାଜକୋଷରୁ କରଦାତାଙ୍କ ଅର୍ଥ ଖର୍ଚ୍ଚ ହେଉଛି। ଗତବର୍ଷ କରୋନା ଭୂତାଣୁଜନିତ ସଂକ୍ରମଣ ବଢ଼ିବାରୁ ଲୋକଙ୍କୁ ତାଳି ମାରିବା, ଥାଳି ଓ ଘଣ୍ଟ ପିଟିବା, ୯ଟା ବେଳେ ୯ ମିନିଟ୍‌ ଦୀପ ଜାଳିବା କାମ ଧରାଇଦେଲେ। ଜନସାଧାରଣ ‘ଘୋ’ରେ ମାତି ପ୍ରଧାନମନ୍ତ୍ରୀଙ୍କ କଥା ମାନିଲେ। କୋଭିଡ୍‌ ସ୍ଥିତିରେ ଲୋକଙ୍କୁ ଆତ୍ମନିର୍ଭର କରିବା ଲାଗି ୫ ପର୍ଯ୍ୟାୟରେ ୨୦ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ଘୋଷଣା କଲେ। ହେଲେ ସେଥିରୁ ସର୍ବାଧିକ ଋଣ ଆକାରରେ ଥିଲା। ଚଳିତବର୍ଷ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଥିବାରୁ ନୂଆ ରଣକୌଶଳ ତିଆରି କଲେ। ରାଜ୍ୟଗୁଡ଼ିକୁ ଜାତୀୟ ସ୍ରୋତରେ ସାମିଲ କରିବା କଥା ବାରମ୍ବାର ଦୋହରାଇଲେ। ନିର୍ବାଚନ ସଭାରେ ନିଜେ ମାସ୍କ ନ ପିନ୍ଧି ମୋଦି କୋଭିଡ୍‌ ନିୟମକୁ ପାଳନ କରିବା ଲାଗି ଉପରଠାଉରିଆ ପରାମର୍ଶ ଦେଲେ। ଅନେକ ସଭାରେ କହିଲେ ଏତେ ସଂଖ୍ୟକ ଦର୍ଶକ ଏକସଙ୍ଗେ ସେ କେବେ ଦେଖି ନ ଥିଲେ। ସ୍ଥିତି ଯେତେବେଳେ ଅଣାୟତ୍ତ ହୋଇଗଲା, ସେତେବେଳେ ଗୋଟିଏ ଦୁଇଟି ସଭା କାର୍ଯ୍ୟକୁ ବାତିଲ କଲେ। ଚତୁରତାର ସହ ନାଟକୀୟ ଢଙ୍ଗରେ କୁମ୍ଭମେଳାକୁ ବନ୍ଦ କରାଇଦେଲା ବେଳକୁ କ୍ଷତି ମୁଣ୍ଡ ଉଚ୍ଚା ପହଞ୍ଚି ସାରିଥିଲା।
ଉପରଲିଖିତ ଘଟଣାଗୁଡ଼ିକୁ ତର୍ଜମା କଲେ ବୁଝାପଡ଼ୁଛି ଯେ, ପ୍ରଧାନମନ୍ତ୍ରୀ ସିଧାସଳଖ ପ୍ରସଙ୍ଗକୁ ନ ଯାଇ ଲୋକଙ୍କଠାରୁ ଅନୁଗ୍ରହ ଆଶା କରି ସେମାନଙ୍କୁ ସମସ୍ୟା ଭିତରେ ବୁଡ଼ାଇ ରଖିବାରେ ବ୍ୟସ୍ତ। ମେଞ୍ଚେ କଥା ଓ ଲୋକଙ୍କୁ ଅଣଉତ୍ପାଦନକ୍ଷମ କାର୍ଯ୍ୟରେ ବ୍ୟସ୍ତ ରଖି ନିଜ ସମୟ ବିତାଇବା ହୋଇଯାଇଛି ମୂଳ ଲକ୍ଷ୍ୟ। ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଆଦାନୀ, ଅମ୍ବାନୀ, ପୁନାଓ୍ବାଲାଙ୍କ ଭଳି ହାତଗଣତି କୋଟିପତିଙ୍କୁ ଆହୁରି ଅଧିକ ଧନୀ କରାଇ ଦେଉଛନ୍ତି। କୌତୂହଳର ବିଷୟ ଯେ, ୨୦୨୧ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କୋଭିଡ୍‌ ଟିକା ବାବଦରେ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ସେହି ଅର୍ଥ କୁଆଡ଼େ ଗଲା ପ୍ରଶ୍ନ କରିବାକୁ କେହି ନାହିଁ। ଏବେ ରାଜସ୍ଥାନ ଭଳି ରାଜ୍ୟ ନିଜ ରାଜକୋଷରୁ ସମସ୍ତଙ୍କୁ ମାଗଣା ଟିକା ଦେବ ବୋଲି ଘୋଷଣା କଲା। ଓଡ଼ିଶା ତାହାକୁ ଅନୁକରଣ କରିଛି। ହେଲେ କେନ୍ଦ୍ର ଯେଉଁ ହାରକିନି ଦେଖାଇଥିଲା ଯେ ପ୍ରତ୍ୟେକ ଭାରତୀୟଙ୍କୁ ମାଗଣା ଟିକା ଦିଆଯିବ, ତାହା ଧୂଆଁବାଣ ଭଳି ମନେହେଉଛି। ନିକଟରେ ‘ଟିକା ଉତ୍ସବ’ ପାଳନ କରି ଲୋକଙ୍କ ମନରେ ଆଶା ସଞ୍ଚାର କରିଥିଲେ। ବର୍ତ୍ତମାନ ଆଲୋଚନା ହେଉଛି ସାଧାରଣ ଲୋକଙ୍କୁ ଟିକା କେଉଁ ଦରରେ ଦିଆଯିବ। ଏହା ଏକ ନୂଆ ଚଡ଼କ। ଏବେ ରାଜ୍ୟଗୁଡ଼ିକ ଉପରେ ଦାୟିତ୍ୱ ନ୍ୟସ୍ତ କରିଦେବା ଫଳରେ କେନ୍ଦ୍ର ତାହାର ହାତ ଧୋଇ ବସିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri