ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଏହି ମାମଲାରେ ଆଉ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଫଳରେ ଏହି ହତ୍ୟାକାଣ୍ଡରେ ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଗିରଫ ୬ ଜଣ ଅଭିଯୁକ୍ତ ହେଲେ ଜଗନ୍ନାଥ ଦିଗାଲ, ଭିଜୁ ଦିଗାଲ, ଶ୍ରୀକାନ୍ତ ଦିଗାଲ, ହରିଶ ଚନ୍ଦ୍ର ଦିଗାଲ, ସୁରଞ୍ଜନ ଦିଗାଲ ଏବଂ କାଳିଆ ପ୍ରଧାନ। ଏ ସମ୍ପର୍କରେ ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜମିଜମା ବିବାଦ ଏବଂ ଗୁଣିଗାରେଡ଼ି ସନ୍ଦେହକୁ ନେଇ ଗାଁରେ ଏକ ବୈଠକ ବସିଥିଲା। ସେହି ବୈଠକରେ ମୃତ ମିଶ୍ର ପ୍ରଧାନଙ୍କ ସହ ତାଙ୍କର ଦୁଇ ପୁତୁରା ସଞ୍ଜୟ ଦିଗାଲ ଓ ସିଦ୍ଧାର୍ଥ ଦିଗାଲଙ୍କ ମଧ୍ୟରେ ଚାଲିଥିବା ଜମି ବିବାଦ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହିତ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ବୈଠକରେ ବସିଥିବା ଲୋକମାନେ ମିଶ୍ରଙ୍କୁ ନିଶ୍ଠୁର ଭାବେ ମାଡ଼ ମାରିଥିଲେ। ପରେ ତାଙ୍କୁ ଜଙ୍ଗଲକୁ ନେଇ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ପୋଡ଼ି ଦେଇଥିଲେ।
ଗତ ୧୬ ତାରିଖରେ ପୋଲିସ କୌଣସି ସୂତ୍ରରୁ ଏହି ଖବର ପାଇ ମାମଲା (ନଂ. ୨୧୨/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ମୃତକଙ୍କ ଦୁଇ ପୁତୁରା ସଞ୍ଜୟ ଏବଂ ସିଦ୍ଧାର୍ଥଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ୧୭ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲା। ତଦନ୍ତ ଜାରି ରଖି ପୋଲିସ ଏହି ହତ୍ୟାକାଣ୍ଡରେ ଅନ୍ୟ ୬ ଜଣ ସାମିଲ ଥିବା ଜାଣିବାକୁ ପାଇ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

