ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ବିଭତ୍ସ ହତ୍ୟା

ଦିଗପହଣ୍ଡି,୨୪।୪(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡି ଗାଁର ଗ୍ରାମ୍ୟ କମିଟି ସଭାପତି ତଥା ବିଜେଡି ନେତା ସୁଦର୍ଶନ ସୁଆର ଏବଂ ତାଙ୍କ ପ୍ରମୁଖ ସହଯୋଗୀ ଗ୍ରାମ୍ୟ କମିଟି ଉପଦେଷ୍ଟା ତଥା ବିଜେଡି ନେତା ସୁଧୀର କାନ୍ତ ପାତ୍ରଙ୍କୁ ଶନିବାର ବିଳମ୍ବିତ ରାତିରେ ବିଭତ୍ସ ଭାବରେ ହତ୍ୟା କରାଯାଇଛି। ରାଜନୈତିକ ଶତ୍ରୁତାରୁ ଉଭୟଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀର ୭ରୁ ଉଦ୍ଧର୍‌ବ ବ୍ୟକ୍ତି ପୂର୍ବ ଯୋଜନା ପ୍ରକାରେ ନୃଶଂସ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଉଭୟେ ନିମଖଣ୍ଡିପେଣ୍ଠ ଗ୍ରାମର ଏକ ବିବାହ ଭୋଜିରେ ଯୋଗ ଦେଇ ଗାଁକୁ ବାଇକରେ ଫେରୁଥିବା ବେଳେ ଚଷାନିମଖଣ୍ଡି – ସଉରା ପାହାଡ଼ ଗାଁ ମଝି ରାସ୍ତାର ମଙ୍ଗଳ ବାରିଆ ଛକ ନିକଟ ନିକାଞ୍ଚନ ରାସ୍ତା ଉପରେ ପୂର୍ବ ଯୋଜନା ପ୍ରକାରେ ହତ୍ୟାକାରୀମାନେ ସଂଘବଦ୍ଧ ହୋଇ ଉଭୟଙ୍କୁ ପ୍ରଥମେ ଠେଙ୍ଗା ଓ ଲୁହାଛଡ଼ରେ ଅତର୍କିତ ଆକ୍ରମଣ କରିଥିଲେ। ବାଇକରୁ ଉଭୟେ ପଡିଯିବାରୁ ସେମାନଙ୍କୁ ଚାରିପଟୁ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ। ପ୍ରାଣ ବିକଳରେ ଉଭୟେ ରାସ୍ତାରେ ଦୋଡି ଥିଲେ ମଧ୍ୟ ହତ୍ୟାକାରୀମାନେ ଉଭୟଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ। ଉଭୟେ ଚେତା ଶୂନ୍ୟ ହୋଇ ରାସ୍ତାରେ ଟଳି ପଡ଼ିବା ପରେ ହତ୍ୟାକାରୀ ମାନେ ସେମାନଙ୍କ ମୁଣ୍ଡ ଓ ଛାତିରେ ପଥର ଖଣ୍ଡ ଛେଚି ଦେବା ସହ ଦୁହେଁ ପିନ୍ଧିଥିବା ସୁନା ଚେନ, ମୁଦି, ଏବଂ ମୋବାଇଲକୁ ନେଇ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ଉକ୍ତ ରାସ୍ତା ଦେଇ ଏକ ଟ୍ରାକ୍ଟର ଆସିଥିଲା। ଟ୍ରାକ୍ଟର ଚାଳକ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ୨ ଜଣଙ୍କୁ ଦେଖିଥିଲେ। ସେ ଏନେଇ ପାଳଝାଡି ଗାଁ ଲୋକଙ୍କୁ ଖବର ଦେଇଥିଲେ। ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସୁଦର୍ଶନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁଧୀରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ରାସ୍ତାରେ ସୁଧୀର ମୃତ୍ୟୁବରଣ କରିଥିଲେ।
ରବିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, କେ.ନୂଆଗାଁ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ, ବ୍ରହ୍ମପୁର ସାଇବର ଥାନା ଇନ୍ସପେକ୍ଟର ଅକ୍ଷୟ ନାୟକଙ୍କ ସମେତ ଦିଗପହଣ୍ଡି ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ ଘଟଣାସ୍ଥଳରୁ ରକ୍ତଭିଜା ମାଟି, ହତ୍ୟାରେ ବ୍ୟବହୃତ ସିମେଣ୍ଟ କଂକ୍ରିଟ ଖଣ୍ଡ, ପଥର ଖଣ୍ଡ, ୨ ହଳ ଚପଲ, ବାଇକ ଏବଂ ଏକ ଭଙ୍ଗା ଚଷମା ଜବତ କରି ଫେରିଥିବା ଜଣାପଡିଛି। ଦିଗପହଣ୍ଡି ଥାନା ମାମଲା ନଂ.୧୪୫/୨୨ ଅନୁଯାୟୀ ଉଭୟଙ୍କ ମୃତଦେହ ବ୍ରହ୍ମପୁର ବଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବ।
ତେବେ ଏହି ଘଟଣା ପୂର୍ବରୁ କିଛି ବ୍ୟକ୍ତି ଦୁଇ ଦୁଇ ଥର ସୁଦର୍ଶନଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ପାଇଁ ଧମକ ଦେଇଥିଲେ ବୋଲି ସୁଦର୍ଶନଙ୍କ ସ୍ତ୍ରୀ ମିନାକ୍ଷୀ ସୁଆର ପୋଲିସକୁ କହିଛନ୍ତି। ଗଞ୍ଜେଇ ବ୍ୟବସାୟରୁ ଅଳ୍ପ କିଛି ବର୍ଷ ବ୍ୟବଧାନରେ କୋଟି କୋଟି ଟଙ୍କା ଅର୍ଜନ କରିଥିବା ଜଣେ ବ୍ୟକ୍ତି ଉକ୍ତ ମର୍ଡର ମିଷ୍ଟ୍ରୀର ମୁଖ୍ୟ କାର୍ପଟଦାର ବୋଲି ସାଧାରଣରେ ଆଲୋଚନା ହେଉଛି। ଉକ୍ତ ବ୍ୟକ୍ତି ଗତ ପଞ୍ଚାୟତ ନିର୍ବାଚନରେ ନିଜ ସ୍ତ୍ରୀଙ୍କୁ ସରପଞ୍ଚ ପଦବୀ ପାଇଁ ଠିଆ କରାଇଥିଲେ। ନିର୍ବାଚନରେ ହାରିଯିବା ପରେ ସେ ରକ୍ତମୁଖା ହୋଇ ପୂର୍ବ ଯୋଜନା ପ୍ରକାରେ ତାଙ୍କ ସହଯୋଗୀ ମାନଙ୍କ ସହାୟତାରେ ଏହି ହତ୍ୟାପାଇଁ ପୂର୍ବରୁ ନକ୍ସା ତିଆରି କରିଥିବା ଚର୍ଚ୍ଚା ହେଉଛି। ପୋଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ମାରାଥନ ଜେରା ଚଳାଇଛନ୍ତି। ଘଟଣାର ସମସ୍ତ ଦିଗକୁ ତଦନ୍ତ କରାଯାଇ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ସରପଞ୍ଚ ରବି ଚନ୍ଦ୍ର ଗୌଡ ଦାବି କରିଛନ୍ତି। ସେହିପରି ଏହି ଘଟଣାର ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରି ଭିଷ୍ମଗିରି ଗ୍ରାମରେ ଥିବା ତାଙ୍କ ୧ କୋଟିରୁ ଉଦ୍ଧର୍‌ବ ମୂଲ୍ୟର ନୂତନ କୋଠା ଏବଂ ପାଳଝାଡି ଗାଁର ଘର ଉପରେ ପୋଲିସ ଚଢାଉ କଲେ ହତ୍ୟାକାଣ୍ଡର ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ଗ୍ରାମବାସୀ କହିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ କୁହାଯାଉଥିବା ବ୍ୟକ୍ତିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇ କେଉଁ ସୂତ୍ରରୁ ସେ ଏତେ ଗୁଡ଼ିଏ ସମ୍ପତ୍ତି ଅର୍ଜନ କଲେ ସେ ନେଇ ପୋଲିସ ପ୍ରଶାସନ ଖୋଳତାଡ଼ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ପଞ୍ଚାୟତ ନିର୍ବାଚନ ପରେ ଦିଗପହଣ୍ଡି ବ୍ଲକ ଅଧିନ ବିଭିନ୍ନ ଗାଁରେ ରାଜନୈତିକ ହିଂସା ଲାଗି ରହିଛି। ନିର୍ବାଚନ ପରବର୍ତ୍ତୀ ହିଂସାରେ ପାଳଝାଡି ଗାଁ’ର ସୁଦର୍ଶନ ଏବଂ ସୁଧୀର ୨ ଗାଁ ମୁଖିଆ ବଳି ପଡ଼ିଲେ ବୋଲି ସମ୍ପୃକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri